ଶ୍ରୀମଦ୍‌ ଭାଗବତ ପ୍ରଥମ ସ୍କନ୍ଧ

 

 

 

 

 

 

 

 

 

ଶ୍ରୀମଦ୍‌ ଭାଗବତ

(ପ୍ରଥମ ସ୍କନ୍ଧ)

ଜଗନ୍ନାଥ ଦାସ

 

ପ୍ରଥମ ସ୍କନ୍ଧ

 

ଓଁ ନମୋ ଭଗବତେ ବାସୁଦେବାୟ

 

ନାରାୟଣଂ ନମସ୍କୃତ୍ୟ ନରଂଚୈବ ନରୋତ୍ତମଂ

ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟ ମୁଦୀରୟେତ୍‌

ମୂକଂ କରୋତି ବାଚାଳଂ ପଙ୍ଗୁ ଲଘଂୟତେ ଗିରିଂ

ଯତ୍‌କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ

ନିଗମକଳ୍ପତରୋର୍ଗଳିତଂ ଫଳଂ ଶୁକ ମୁଖାଦମୃତ ଦ୍ରବସଂଯୁତଂ

ପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକା ଭୁବିଭାବୁକାଃ

 

ପ୍ରଥମ ଅଧ୍ୟାୟ

 

ନମଇଁ ନୃସିଂହ ଚରଣ

ଅନାଦି ପରମ କାରଣ

ଯାହାର ଆଦି ମଧ୍ୟ ଅନ୍ତେ

ବିଚାରେ ନ ଘଟେ ଜଗତେ

ଇନ୍ଦ୍ରିୟ ଅର୍ଥ ଯେ ଜାଣନ୍ତି

ସତ୍ୟ ଯେ ନିତ୍ୟ ପ୍ରକାଶନ୍ତି

ଆନନ୍ଦ ମନେ ବେଦସାର

ବ୍ରହ୍ମାଣ୍ଡ କଲା ସେ ବିସ୍ତାର

ଯାର ସ୍ୱରୂପ ହୃଦେ ଚିନ୍ତି

ବେଦ ପୁରୁଷ ନ ଜାଣନ୍ତି

ମୃତ୍ତିକା ବିକାର ଯେମନ୍ତ

ଜଳ ଅନଳେ ସୁଯନ୍ତ୍ରିତ

ରୂପ ଅରୂପ ସ୍ଥିତି ତିନି

ଯାହା ଯୋଗରେ ଅନୁମାନି

ସ୍ୱଭାବେ ନୋହେ ଯେ ଏମନ୍ତ

ଏ ସାଂଖ୍ୟ ଯୋଗୀଙ୍କର ମତ

ଆତ୍ମା ପ୍ରକାଶେ ଜନ୍ମ ହୋଇ

ନିରତେ କୁହୁକ ବୋଲାଇ

ସତ୍ୟ ପରମାନନ୍ଦ ହରି

ଯାହା ଭାବିଲେ ଭବୁଁ ତରି

ତାର ଚରଣେ ନିତ୍ୟେ ଧ୍ୟାନ

କରି ତରନ୍ତି ସୁଜ୍ଞଜନ

ସେ ହରି ପାଦ ହୃଦେ ଧରି

ପ୍ରବନ୍ଧେ ଗୀତ ନାଦ କରି

ଅଶେଷ ଜଗତର ହିତେ

ବନ୍ଦଇ ଦାସ ଜଗନ୍ନାଥେ

ନିର୍ମଳ ମୁନିଙ୍କର ମତେ

ହରି ଚରିତ ଭାଗବତେ

କହିବି ଅଛି ଯେତେ ଗୁଣ

ସୁଜନେ ସାବଧାନେ ଶୁଣ

କପଟ ଧର୍ମ ଯାର ନାହିଁ

ସ୍ୱଭାବେ ଶାସ୍ତ୍ର ସେ ବୋଲାଇ

ସେ ସାଧୁଜନଙ୍କର ଧର୍ମ

ମାୟା ବର୍ଦ୍ଧିତ ଶୁଦ୍ଧକର୍ମ

ସେ ଧର୍ମ ଯେହୁ ଅନୁମାନି

ଏଣୁ ସଂସାରେ ଯେତେ ଜ୍ଞାନୀ

ତାଙ୍କ ବିଚାରେ ବସ୍ତୁ ଯେତେ

କହିବା ଶୁଣ ଏକ ଚିତ୍ତେ

ଲକ୍ଷ୍ୟ ଅଲକ୍ଷ ଯେତେ ଜାଣି

ବୋଧ ବିଚାରେ ପରିମାଣି

ସେ ବସ୍ତୁ ଅଛି ଯହିଁ ପୂରି

ଯାହା ଚିନ୍ତନ୍ତି ବ୍ରହ୍ମଚାରୀ

ଶ୍ରବଣ ମାତ୍ରେ ମୋକ୍ଷ ପାଇ

ତ୍ରିତାପମାନ କ୍ଷୟ ଯାଇ

ହୃଦରେ ବସଇ ତକ୍ଷଣ

ଅନାଦି ପ୍ରଭୁ ନାରାୟଣ

ଏଣୁ ଅଧିକ ଅନ୍ୟ ଗ୍ରନ୍ଥେ

କି ପ୍ରୟୋଜନ ଏ ଜଗତେ

ଏ ଭାଗବତର ମହିମା

କେ କହିପାରେ ଗୁଣ ସୀମା

ସକଳ ଦେବ ହୋଇ ବୃକ୍ଷେ

ଫଳ ଫଳିଲେ ଅନ୍ତରୀକ୍ଷେ

କେତେହେଁ ଦିନେ ପାଚି ତଳେ

ବୃକ୍ଷୁ ପଡ଼ିଲେ ବାୟୁ ବଳେ

ଶୁକ ଧାଇଁଲେ ତାହା ଦେଖି

ପକ୍ଷୀଙ୍କ ସଙ୍ଗତ ଉପେକ୍ଷି

ତୋଷେ ଅଧର ପାନ କଲେ

ଭିତରେ ସୁରଙ୍ଗ ଦେଖିଲେ

ତହୁଁ ଗଳିଲା ରସ ସାର

କି ଅବା ଦେବା ପଟାନ୍ତର

ଅମୃତ ନିନ୍ଦେ ସ୍ୱାଦୁଗୁଣେ

ସୁଜନେ ପିଅ ଅନୁକ୍ଷଣେ

ଆନନ୍ଦେ କର ସୁଧାପାନ

ଯେଣୁ ପାଇବ ଦିବ୍ୟଜ୍ଞାନ

ଏ ଚାରି ରସଙ୍କର ମୂଳ

ନିଗମ ବନ ବୃକ୍ଷଫଳ

ପ୍ରିୟ ଜୀବନ ଅନ୍ତଯାଏ

ଯେବେ ତରିବ ମାୟାମୋହେ

ଏବେ ହୋ ଶୁଣ ସାଧୁଜନେ

ହରି ଚରିତ ଶୁଦ୍ଧମନେ

ସର୍ବଦେବଙ୍କ ରମ୍ୟସ୍ଥାନ

ନାମ ଯେ ନୈମିଷ ଅରଣ୍ୟ

କଳିର ଆଗମନ ଦେଖି

ମୁନିଏ ସ୍ୱସ୍ଥାନ ଉପେକ୍ଷି

ଶୌନକ ଆଦି ମୁନିଗଣେ

ମିଳିଲେ ନୈମିଷ ଅରଣ୍ୟେ

କଳି କଳୁଷେ ଭୟକରି

ଏକାନ୍ତେ ମୁନିଏ ବିଚାରି

ସଂକଳ୍ପ କରି ଏକ ତୁଲେ

ସମସ୍ତେ ଯଜ୍ଞ ଆରମ୍ଭିଲେ

ଜାଣନ୍ତି ଶୁଭେ ସର୍ବଦୀକ୍ଷା

ସ୍ୱର୍ଗାପବର୍ଗେ କଲେ ଇଚ୍ଛା

ସକଳେ ମିଳି ପ୍ରାତଃକାଳେ

କର୍ମ ସାଧିଲେ ଜ୍ଞାନବଳେ

ସୁତ ମୁନିଙ୍କୁ ମଧ୍ୟେକରି

ସକଳ ବସିଲେ ଆବୋରି

ସକଳ ମୁନି ଶୁଦ୍ଧମନେ

କହନ୍ତି ଅମୃତ ବଚନେ

ଋଷୟ ଉଚୁଃ

ଭୋ ସୁତ ଶୁଣ ସାବଧାନେ

ତୋର ମହିମା ଅନୁମାନେ

ସର୍ବ ପୁରାଣ ଇତିହାସ

ଶୁଣିବୁ ତାହାର ସମ୍ଭାଷ

ସଂସାରେ ଧର୍ମଶାସ୍ତ୍ର ଯେତେ

ସବୁ ଗୋଚର ତୁମ୍ଭ ମତେ

ବ୍ୟାସମୁନିଙ୍କ ଶିଷ୍ୟ ତୁମ୍ଭେ

ଏ କଥା ଭଲେ ଜାଣୁ ଆମ୍ଭେ

ପୂର୍ବେ ଯେ ଥିଲେ ବ୍ରହ୍ମମୁନି

ତାଙ୍କ ବଦନୁ ଅଛୁ ଶୁଣି

ସକଳ ଶାସ୍ତ୍ର ତୁମ୍ଭ ତହିଁ

ବେଦ ପୁରାଣ ଯେତେ କହି

ବ୍ୟାସଙ୍କ ଅନୁଗ୍ରହ ଘେନି

ସକଳ ଶାସ୍ତ୍ରେ ତୁମ୍ଭେ ଜ୍ଞାନୀ

ଦଇବେ ଅଛି ଏହି ମତି

ଯେ ଶିଷ୍ୟ ଗୁରୁରେ ଭକତି

ଶିଷ୍ୟରେ ହିତେ ଦୟା ବହେ

ସକଳ ତତ୍ତ୍ଵଜ୍ଞାନ କହେ

ଏଣୁ ବ୍ୟାସଙ୍କ ଶିକ୍ଷା ଯେତେ

ପ୍ରକାଶ ଆମ୍ଭର ଅଗ୍ରତେ

ନିଶ୍ଚେ ଏକାନ୍ତ ଶ୍ରେୟ ଯେତେ

ଏ ଜୀବ ତରିବ ଯେମନ୍ତେ

ଯେଣୁ ତୁଟଇ ବିଷ୍ଣୁ ମାୟା

କହ ଆମ୍ଭର ଯେତେ ଦୟା

ଏ କଳିଯୁଗେ ଯେତେ ପ୍ରାଣୀ

ଅଳ୍ପ ଆୟୁଷ ପରିମାଣି

ସ୍ୱଭାବେ ମନ୍ଦ ବୁଦ୍ଧି ହ୍ୱନ୍ତି

ପ୍ରାଣୀଙ୍କ ଉପଦ୍ରବ ଚିନ୍ତି

ଯୁଗ ବେଭାର ପରିମାଣି

ସକଳ ଧର୍ମ ଆମ୍ଭେ ଜାଣି

ଏ ପ୍ରଶ୍ନ ଶୁଭ ଆମ୍ଭ ମତେ

ସାର ଉଦ୍ଧରି ତୁମ୍ଭ ଚିତ୍ତେ

କହ କେମନ୍ତେ ପ୍ରାଣୀଙ୍କର

ଏ ଘୋର ମାୟାରୁ ନିସ୍ତାର

ଯେଣେ ପ୍ରସନ୍ନ ହୋଇ ହରି

ଏ ଜୀବ ଆତ୍ମାକୁ ଉଦ୍ଧରି

ତୁମ୍ଭେ ଏ ପ୍ରଶ୍ନ ଯୋଗବଳେ

ପ୍ରକାଶ କର ମହୀତଳେ

କି ପ୍ରୟୋଜନେ ଜଗନ୍ନାଥ

ଦେବକୀ ଉଦରେ ସମ୍ଭୂତ

ସେ ହେତୁ କହ ଶୁଦ୍ଧଚିତ୍ତେ

ଆମ୍ଭେ ପଚାରୁ ଜନହିତେ

ଘୋର-ସଂସାରେ ପ୍ରାଣୀ ପଡ଼ି

ଆତ୍ମା-ନିସ୍ତାର-ପଥ ହୁଡ଼ି

ଯାହାର ନାମ ଉଚ୍ଚାରିଲେ

ସଙ୍କଟୁ ତରିଯାନ୍ତି ଭଲେ

ଯା ଭୟୁ ଜୀବ ତେଜ ହରେ

ସେ ହରି ନାମ ଶୁଣି ଡରେ

ଯା’ର ଚରଣେ ଆଶ୍ରେକରି

ପାବନ ହୋନନ୍ତି ବ୍ରହ୍ମଚାରୀ

ଶୁଦ୍ଧ କରନ୍ତି ସର୍ବଜନେ

ଗଙ୍ଗା ଯେସନେ ସ୍ନାନ ପାନେ

ଯାହାର ଯଶ ଗୁଣ ଶ୍ଳୋକେ

ପୁଣ୍ୟେ ଭଜନ୍ତି ଏକେ ଏକେ

କଳି କଳୁଷ ନ ଲାଗଇ

କେବା ନ ତରେ ଏହା ଗାଇ

ଯେ ଯଶ ଗାଇ ମୁନିଗଣେ

ସୁଖେ ତରନ୍ତି ଭବବନେ

ଯେ ହରି ବ୍ରହ୍ମାଣ୍ଡ ମଧ୍ୟରେ

ନାନା ଶରୀରେ ଅବତାରେ

କଳି ଆଗମ ଆମ୍ଭେ ଦେଖି

ସକଳ ସମ୍ପଦ ଉପେକ୍ଷି

ଏ ପୁଣ୍ୟ କ୍ଷେତ୍ରେ ଶୁଭକ୍ଷଣେ

କୃଷ୍ଣର କଥା ଅନୁକ୍ଷଣେ

କରି ତରିବୁ ବିଷ୍ଣୁ ମାୟା

ଭୋ ମୁନି ତୁମ୍ଭେ କର ଦୟା

ଆମ୍ଭର ପୂର୍ବ ପୁଣ୍ୟଫଳେ

ସଙ୍ଗ ହୋଇଲୁ ତୁମ୍ଭ ମେଳେ

ଏ ଭୟଙ୍କର କଳି କାଳେ

ଆମ୍ଭେ ଯେ ଅଛୁ ଭବଜଳେ

ଏ ଜଳୁ ତୁମ୍ଭେ କର ପାର

ବୋଇତେ ଯେହ୍ନେ କର୍ଣ୍ଣଧାର

ସେ ହରି ଭକତ ବତ୍ସଳ

ସର୍ବଦେବଙ୍କ ଆଦିମୂଳ

ସକଳ ଧର୍ମ ଯାର ସଙ୍ଗେ

ସୁଖେ ବିହରେ ନାନା ରଙ୍ଗେ

କଳି ଆଗମେ ଭଗବାନ

ପଶିଲେ ଆପଣା ଭୁବନ

ଯେ ଧର୍ମ ସଂସାର ରଖିବ

ସେ କାହିଁ ଶରଣ ପଶିବ

ସେ କଥା କହ ମୁନିବର

ଆମ୍ଭ ସଂଶୟ ହେଉ ଦୂର

ଆତ୍ମାର ମାୟା ଯୋଗବଳେ

ବିହରେ ଅବନୀ-ମଣ୍ତଳେ

ତାର ମହିମା ଶୁଣି ନିତ୍ୟେ

ତୋଷ ନ ଲଭେ ଆମ୍ଭଚିତ୍ତେ

ଜିହ୍ୱା ଯେସନ ସୁଧାରସ

ପିବନ୍ତେ ନୁହଇ ସନ୍ତୋଷ

ଅନନ୍ତ ରୂପେ ଥାଇ ହରି

ବାହ୍ୟ ଅନ୍ତରେ କର୍ମ କରି

ଏମନ୍ତେ ନୈମିଷ ବନସ୍ତେ

ସକଳ ମୁନିଙ୍କ ଅଗ୍ରତେ

ଶୌନକ ଆଦି ମୁନିଗଣେ

ଯେ ପ୍ରଶ୍ନ କଲେ ଜଣେ ଜଣେ

ନିର୍ମଳ ବିଷ୍ଣୁର ଚରିତ

କୃଷ୍ଣ ବିଷୟେ ଭାଗବତ

ସୁଜନ ଜନଙ୍କର ହିତେ

କହଇ ଦାସ ଜଗନ୍ନାଥେ

ଏ ଘୋର ଭବ ଦୁସ୍ତରରୁ

ଉଦ୍ଧର ବାଞ୍ଛା କଳ୍ପତରୁ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଋଷି ପ୍ରଶ୍ନେ ନାମ

ପ୍ରଥମୋଽଧ୍ୟାୟଃ ।

•••

 

ଦ୍ୱିତୀୟ ଅଧ୍ୟାୟ

 

ମୁନିଙ୍କ ପ୍ରଶ୍ନ କର୍ଣ୍ଣେ ଶୁଣି

ହରଷେ ମନେ ମନେ ଗୁଣି

ଜୀବର ହିତେ କୃତକୃତ୍ୟ

ହସି କହନ୍ତି ମୁନି ସୂତ

ଶ୍ରୀ ସୂତ ଉବାଚ

ଯେ ଶୁକ ଏକାନ୍ତ ଗମନ

କରିଣ ଦେହ କଲେ ଶୂନ୍ୟ

ପୁତ୍ରର ସ୍ନେହ ମନେ ଧରି

ବ୍ୟାସ ଡାକନ୍ତି ଉଚ୍ଚକରି

ପିତାର ସ୍ନେହ ଭଗ୍ନ ଅର୍ଥେ

ଉତ୍ତର ଦେଲେ ବୃକ୍ଷରୂପେ

ତାହାଙ୍କୁ ମୋର ନମସ୍କାର

ଯେ ହୃଦେ ସର୍ବ ପ୍ରାଣୀଙ୍କର

ଜୀବର ପରିତ୍ରାଣ ଅର୍ଥେ

କରୁଣା ବହି ଯେହୁ ଚିତ୍ତେ

ଅଖିଳ-ବେଦର ସାଗର

ଯେ ଅନୁଭବ ଆପଣାର

କହିଲେ ପୁରାଣର ସାର

ତାହାଙ୍କୁ ମୋର ନମସ୍କାର

ଭାରତୀ ନର ନାରାୟଣ

ଯେ ସତ୍ୟବତୀର ନନ୍ଦନ

ଯେ ନରୋତ୍ତମ ଏ ସଂସାରେ

ନମଇଁ ତାହାଙ୍କ ପୟରେ

ଶୁଣ ସକଳ ମୁନିଜନ

ସାଧୁ ଏ ତୁମ୍ଭର ବଚନ

ପରମ-ମଙ୍ଗଳ ଏ ବାଣୀ

ଜୀବ ନିସ୍ତରେ ଏହା ଶୁଣି

ପରମ ଧର୍ମ ଏ ଜଗତେ

କୃଷ୍ଣ ଭଜନ ଯେତେ ମତେ

ଫଳର ଆଶା ଯହିଁ ନାହିଁ

ବିଘ୍ନ ପଶିବ ଅବା କାହିଁ

ବାସୁଦେବଙ୍କ ଠାରେ ଯେବେ

ଭକ୍ତି ଉଦୟ ହୁଏ ତେବେ

ଜ୍ଞାନ ବୈରାଗ୍ୟ ଜାତ ହୁଏ

ଶୁଷ୍କ ତର୍କାଦି ନାଶ ଯାଏ

ଭକ୍ତି କଲେ ସେ ଜ୍ଞାନ ହୁଏ

ଜୀବ ନ ପଡ଼େ ମାୟା ମୋହେ

ବିଷ୍ଣୁ ଚରିତ ଶୁଣି ଯେବେ

ଭକ୍ତି ନ ଜନ୍ମେ ମୂଢ଼ ଭାବେ

କେବଣ ଶ୍ରମ ତାହାଙ୍କର

କାହୁଁ ତରିବେ ତମଘୋର

ଅର୍ଥ ସଞ୍ଚନ୍ତି ଯେତେ ନର

କେବଳ ଶ୍ରମ ତାହାଙ୍କର

ଅର୍ଥେ ନ ପାଇ କାମ ମୋକ୍ଷ

ସେ ପ୍ରାଣୀ ଅଧମ ପ୍ରତ୍ୟକ୍ଷ

ଇନ୍ଦ୍ରିୟ ଅର୍ଥ ପ୍ରିୟ ଯେତେ

ଲୋଭେ ଭ୍ରମଇ କାମ ଅର୍ଥେ

ଯାବତ ଜୀବନ ଧରଇ

କାମ ଲୋଭରେ ସୁଖ ନାହିଁ

ଜୀବର ତତ୍ତ୍ଵ ଜାଣିବାରେ

କେ ଜ୍ଞାନୀ ଅଛି ଏ ସଂସାରେ

ତତ୍ତ୍ଵ ବିଚାରି ଜ୍ଞାନ ଯେତେ

ଜ୍ଞାନୀ କହନ୍ତି ଏ ଜଗତେ

କେହୁ କହନ୍ତି ବ୍ରହ୍ମତତ୍ତ୍ଵ

କେହୁ ବା କହେ ପରମାର୍ଥ

କେହୁ କହନ୍ତି ଭଗବାନ

ନିର୍ମଳ ପରମ ଯେ ଜ୍ଞାନ

ଏ ଭାବେ ପ୍ରୀତି ଯେ କରନ୍ତି

ଜ୍ଞାନ ବୈରାଗ୍ୟ ଆଚରନ୍ତି

କରନ୍ତି କୃଷ୍ଣଠାରେ ଭକ୍ତି

ଆତ୍ମାରେ ଆତ୍ମାକୁ ଦେଖନ୍ତି

ହରି ଶ୍ରବଣୁ ଭକ୍ତି ଜାତ

ଅଜ୍ଞାନୀ ନ ଜାଣେ ଜଗତ

ଏଣୁ ଅଖିଳ ଏ ଜଗତେ

ଅଛନ୍ତି ବର୍ଣ୍ଣାଶ୍ରମ ଯେତେ

ସ୍ୱଭାବେ ଧର୍ମ ଆଚରଣେ

ଭକ୍ତି ଉପୁଜେ ନାରାୟଣେ

ଯେବେ ସନ୍ତୋଷ କୃଷ୍ଣ ହୋଇ

ପ୍ରାଣୀଙ୍କୁ ଚତୁର୍ବର୍ଗ ଦେଇ

ଏ ଘେନି ହୋଇ ଏକମନ

ଭାବେ ତୋଷିବ ଭଗବାନ

ବିଷ୍ଣୁର ଗୁଣ କର୍ମ ଯେତେ

ନିତ୍ୟେ ଶୁଣିବ କର୍ଣ୍ଣପଥେ

ନିର୍ମଳ କରି ସ୍ଥିର ମନ

ନିରତେ କରିବ କୀର୍ତ୍ତନ

ଧ୍ୟାନେ ଚିନ୍ତିବ କୃଷ୍ଣ ରୂପେ

ପୂଜା କରିବ ସୂକ୍ଷ୍ମ କଳ୍ପେ

ଏ ଭାବେ ଭକ୍ତିଯୋଗ ବଢ଼େ

କର୍ମ ବନ୍ଧନ ଗ୍ରନ୍ଥି ଛିଡ଼େ

ଏଣୁ ଜଗତେ ଜ୍ଞାନୀ ଯେତେ

କୃଷ୍ଣ ନ ଭଜିବେ କେମନ୍ତେ

କୃଷ୍ଣ ଶ୍ରବଣେ ଭକ୍ତି ଯାର

ସେ ପ୍ରାଣୀ ଭବମଧ୍ୟେ ସାର

ହରି ଚରଣେ ଯାର ଶ୍ରଦ୍ଧା

ତାଙ୍କୁ ନ ଲାଗେ ଭବବାଧା

ସେ ପୁଣ୍ୟେ ସାଧୁସଙ୍ଗ ମିଳେ

ପୁଣ୍ୟତୀର୍ଥକୁ ଆଶ୍ରେ କଲେ

ତେବେ ସେ ହରି ରସ ରସେ

ଭକ୍ତଙ୍କ ସଙ୍ଗେ ଯେବେ ମିଶେ

କୃଷ୍ଣର କଥା ଯେ ଶୁଣନ୍ତି

ବଦନେ ମହିମା କହନ୍ତି

ତାହାଙ୍କ ହୃଦେ ହରି ବସେ

ସର୍ବ ଅଶୁଭ ଫଳ ଧ୍ୱଂସେ

ସେ ପୁଣ୍ୟ ଶ୍ରବଣ କୀର୍ତ୍ତନ

ବେଦେ କହନ୍ତି ମୁନିଜନ

ସାଧୁ ଜନଙ୍କ ମିତ୍ର ହରି

ଏଣୁ ଭକତକୁ ଆଦରି

ହେଳେ ତାରଇ ଭବସିନ୍ଧୁ

ଯେଣୁ ଭକତ ଜନ ବନ୍ଧୁ

ଭକ୍ତଜନଙ୍କ ସେବା ବଳେ

ଦହନ ହୋନ୍ତି ଅମଙ୍ଗଳେ

ତେବେ ସେ ଗୋବିନ୍ଦ ବିଷୟେ

ଭକ୍ତି ଉପୁଜେ ନର ଦେହେ

ସ୍ୱଭାବେ ରଜ ତମ ଦୁଇ

କାମାଦି ଯେତେ ରିପୁ ଥାଇ

ଚିତ୍ତୁଁ ବାହାର ହୋଇଯାନ୍ତି

ସାତ୍ତ୍ଵିକ ଗୁଣ ଆବୋରନ୍ତି

ଏହି ପ୍ରକାରେ ଯେବେ ମନ

ନିର୍ମଳେ ହୋଇବ ପ୍ରସନ୍ନ

ତେବେ ସେ ଭକ୍ତି ଯୋଗବଳେ

ଶ୍ରୀକୃଷ୍ଣ ଭକ୍ତ ସଙ୍ଗ ମିଳେ

ନିର୍ମଳ ଜ୍ଞାନ ପ୍ରକାଶଇ

ଜନ୍ମ ମରଣ ଆଦି କାହିଁ

ଅଶେଷ କର୍ମ ଗ୍ରନ୍ଥି ବନ୍ଧ

ଏଣେ ଛିଡ଼ଇ ସର୍ବ ଦ୍ୱନ୍ଦ୍ୱ

ସର୍ବ ସଂଶୟ ତୁଲେ କର୍ମ

ଛାଡ଼ଇ ବିଷ୍ଣୁ ମାୟାଭ୍ରମ

ଆତ୍ମାରେ ଆତ୍ମା ସେ ଦେଖନ୍ତି

ଜନ୍ମ ମରଣେ ନାହିଁ ଭ୍ରାନ୍ତି

ଏଣୁ ପଣ୍ତିତ ଜନ ଯେତେ

ଆନନ୍ଦେ ଭକ୍ତିଯୋଗ ମତେ

ହରି ବିଷୟେ ଦୃଢ଼ ଚିତ୍ତେ

ନିତ୍ୟେ ଭଜନ୍ତି ଆତ୍ମାମତେ

ବିଷ୍ଣୁର ମାୟାରୁ ସମ୍ଭୁତ

ଆଦି ପ୍ରକୃତି ଜନମାତ

ସେ ସତ୍ତ୍ଵ ରଜ ତମ ଗୁଣ

ସୃଷ୍ଟି ପାଳନ ସଂହାରଣ

ଅନାଦି ପରମ ପୁରୁଷ

ଏ ତିନିଗୁଣେ ଯେ ପ୍ରବେଶ

ସୃଷ୍ଟି ଉଦୟେ ବ୍ରହ୍ମା ହୋଇ

ପାଳନେ ବିଷ୍ଣୁ ସେ ବୋଲାଇ

ସଂସାର କାଳେ ରୁଦ୍ର ରୂପେ

ସୁଖେ ବିହରେ ମୋହ କଳ୍ପେ

ସେ ଶୁଭ ସତ୍ୟ ବିଷ୍ଣୁ ଦେହେ

ଜନ୍ତୁଙ୍କ ଶ୍ରେୟ ଗୁଣ ବହେ

କାଷ୍ଠ ସଂଯୋଗେ ଧୂମ ଜାତ

ଧୂମରୁ ଅନଳ ସମ୍ଭୂତ

ତୃତୀୟ ଭାଗ ଏ ପ୍ରମାଣ

ତାମସ ରଜ ସତ୍ତ୍ଵ ଗୁଣ

ଏ ଭାବେ ବ୍ରହ୍ମା ପରିମାଣି

ଭବସାଗରୁ ତରେ ପ୍ରାଣୀ

ନିର୍ମଳଚେତା ମୁନି ଯେତେ

ବିଚାର କରି ଆତ୍ମା ହିତେ

କୃଷ୍ଣଙ୍କୁ ସତ୍ତ୍ଵ ଗୁଣେ ଜାଣି

ଭଜିଲେ ମୋକ୍ଷ ପରିମାଣି

ତାମସ ରଜଗୁଣ ଯେତେ

ଯେ ଉତପତ୍ତି ଏ ଜଗତେ

ସ୍ୱଭାବେ ଘୋର ଭୟଙ୍କର

ଏଣେ ନ ଭଜେ ମନ ଯାର

ଅହିଂସା ଶାନ୍ତି ଗୁଣେ ଥାନ୍ତି

ହରି ଚରଣ ନିତ୍ୟେ ଚିନ୍ତି

ଧନ ସମ୍ପଦେ ଯାର ଇଚ୍ଛା

ସେ କରେ ଭୂତ ପ୍ରେତ ଦୀକ୍ଷା

ସଂସାରେ ବେଦ କର୍ମ ଯେତେ

ତପ ସାଧନେ କ୍ରିୟାମତେ

ପରମ ତତ୍ତ୍ୱ ଜ୍ଞାନ ଆଦି

କଠୋର ଯେତେ କର୍ମସାଧି

ଏ ସର୍ବ ଗତି ନାରାୟଣ

ଏବେ ହୋ ମୁନିଗଣେ ଶୁଣ

ଏମନ୍ତ ସୂକ୍ଷ୍ମରୂପ ଧରେ

ମାୟାରେ ସଂସାରେ ବିହରେ

ସ୍ୱଭାବେ ନିର୍ଗୁଣ ମୁରାରି

ଖେଳଇ ତ୍ରିଗୁଣ ଆବୋରି

ସକଳ ଜୀବ ମଧ୍ୟେ ଥାଇ

ଅଜ୍ଞାନ ଜୀବ ନ ଜାଣଇ

ଅଶେଷ ମହିମା ଯେ ଧରେ

କିବା ଉପମା ଦେବା ତାରେ

ସକଳ ଭୂତେ ହରି ବସେ

କ୍ଷେତ୍ରଜ୍ଞ ରୂପ ପରକାଶେ

ଅଗ୍ନି ଯେସନେ କାଷ୍ଠେ ଥାଇ

ସେ ରୂପେ ବିଶ୍ୱ ଆତ୍ମା ସେହି

ସ୍ୱତନ୍ତ୍ରେ ତାଙ୍କ ଦେହେ ଥାଇ

ବିଷୟ ଭୋଗକୁ କରଇ

ଦେବତୀର୍ଯକ ନର ଆଦି

ସେ ଲୀଳାବତୀର ପ୍ରସିଦ୍ଧି

ତହିଁରେ ଅନୁରକ୍ତ ହୋଇ

ପାଳଇ ସତ୍ତ୍ୱଗୁଣ ବହି

ସେ ହରି ଚରଣ ପଙ୍କଜ

ସୁଜନ ଜନମାନେ ଭଜ

କହଇ ଜଗନ୍ନାଥ ଦାସ

ଗୀତ ପ୍ରବନ୍ଧେ କୃଷ୍ଣ ରସ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନୋ

ଶ୍ରୀଭଗବଦାନୁଭାବ ବର୍ଣ୍ଣନଂ ନାମ ଦ୍ୱିତୀୟୋଽଧ୍ୟାୟଃ ।

•••

 

ତୃତୀୟ ଅଧ୍ୟାୟ

 

ଶ୍ରୀ ସୂତ ଉବାଚ

ସୂତ କହନ୍ତି ଶୁଦ୍ଧ ଚିତ୍ତେ

ହରଷେ ମୁନିଙ୍କ ଅଗ୍ରତେ

ଶୁଣ ସକଳ ମୁନିଜନେ

ହରି ଚରିତ ସାବଧାନେ

ସୃଷ୍ଟିର କାଳେ ସେ ମୁରାରି

ମହାପୁରୁଷ ରୂପ ଧରି

ମହତତ୍ତ୍ୱାଦି ଅଙ୍ଗେ ପଶି

ବିରାଟ ରୂପେ ବ୍ରହ୍ମରାଶି

କଳା ସେ ବହଇ ଷୋଡ଼ଶ

ଅନାଦି-ପରମ-ପୁରୁଷ

ବୁଦ୍ଧି ଚେତନା ଅହଙ୍କାର

ମନ ଅନ୍ତରୀକ୍ଷ ସମୀର

ଅନଳ ଜଳ ବସୁମତୀ

ପଞ୍ଚ ଇନ୍ଦ୍ରିୟ ଯାହା ଚିନ୍ତି

ଜୀବ ପରମ ଏ ଷୋଡ଼ଶ

ଏ ଆଦି ସୃଷ୍ଟି ଉପଦେଶ

ସେ ସୃଷ୍ଟି ସଙ୍ଗେ ଇଚ୍ଛା କରି

ଜଳେ ଯୋଗନିଦ୍ରା ବିସ୍ତାରି

ତା ନାଭି କମଳୁଁ କମଳ

ପ୍ରକାଶି ଆଚ୍ଛାଦିଲା ଜଳ

ବ୍ରହ୍ମା ହୋଇଲେ ତହୁଁ ଜାତ

ସେ ପ୍ରଜାପତିଙ୍କର ନାଥ

ତାର ଶରୀରୁ ସୃଷ୍ଟି ଲୋକ

ପ୍ରକାଶ ହୋଇଲେ ଅନେକ

ସେ ଶୁଦ୍ଧତତ୍ତ୍ଵ ବିଶ୍ୱରୂପ

ଯାର ଭିଆଣ ମୋହକଳ୍ପ

ଅନେକ ଚକ୍ଷୁଦ୍ୱାରେ ଭରି

ସେ ବିଶ୍ୱ ରୂପ ବ୍ରହ୍ମଚାରୀ

ସହସ୍ର ପାଦ ଊରୁ ଭୁଜ

ଶିର ବଦନ ନାସା ତେଜ

ସହସ୍ର ଲୋଚନ ଶ୍ରବଣ

ବସନ କୁଣ୍ଡଳ ଭୂଷଣ

ମଣି କୁଣ୍ଡଳ ଝଟକନ୍ତି

ଦିଶନ୍ତି ଅତି ରୂପକାନ୍ତି

ସେ ସୃଷ୍ଟି ମଧ୍ୟେ ମାୟାଧର

କରଇ ଯେତେ ଅବତାର

ତାଙ୍କର ମୂଳ ବୀଜ ଏହି

ଜଗତେ ବ୍ରହ୍ମ ଯେ ବୋଲାଇ

ଯାହାର ଅଂଶାଂଶର ବଳେ

ଗଗନ ପୃଥିବୀ ପାତାଳେ

ଦେବ ମନୁଷ୍ୟ ପଶୁ ଆଦି

ନିଗମ ଗୋଚରେ ସମ୍ପାଦି

ପ୍ରଥମେ କୁମାର ବୟସ

ସୃଷ୍ଟି ଉଦୟେ ଉପବେଶ

ଦୁସ୍ତର ବ୍ରହ୍ମଚର୍ଯ୍ୟ ବ୍ରତେ

ତପ ସାଧିଲେ ଦୃଢ଼ ଚିତ୍ତେ

ଦ୍ୱିତୀୟ ସୃଷ୍ଟିର ଆଗମେ

ସାଧିଲେ ଯଜ୍ଞେଶ୍ୱର ନାମେ

ପୂର୍ବ ପ୍ରଳୟକାଳ ବଳେ

ମହୀ ଯେ ଥିଲା ରସାତଳେ

ତାକୁ ଉଦ୍ଧରେ ନରହରି

ତକ୍ଷଣେ କାଳ ରୂପ ଧରି

ଉଦ୍ଧରି ଜଳେ ଭସାଇଲା

ବରାହ କଳ୍ପ ବୋଲାଇଲା

ତୃତୀୟେ ଋଷି ସଙ୍ଗେ ହରି

ନାରଦ ଋଷି ରୂପ ଧରି

ବିଷ୍ଣୁ ଭକତ ଜନ ହିତେ

ନିଷ୍କାମ ଭାବ ଉପଗତେ

ଚତୁର୍ଥେ ଜନ୍ମ ବେଦ କାଣ୍ଡେ

ଧର୍ମ ଉଦ୍ଦେଶ୍ୟ କର୍ମ କାଣ୍ଡେ

ସେ ରୂପେ ନର ନାରାୟଣ

ସୃଜିଲେ ଧର୍ମ ଆଚରଣ

ତପ ସାଧିଲେ ଦୃଢ଼ଚିତ୍ତେ

ସୃଷ୍ଟି କଳ୍ପନେ ଅବିରତେ

ପଞ୍ଚମେ ସିଦ୍ଧି ଅବତାରେ

ଜନ୍ମିଲେ କଦ୍ଦର୍ମର ଘରେ

ନାମ ସେ କପିଳ ବୋଲାଇ

ପିତାମାତାଙ୍କୁ ଜ୍ଞାନ କହି

ଷଷ୍ଠ ସର୍ଗରେ ନରହରି

ଅତ୍ରିର ବଂଶେ ଅବତରି

ଅନେକ ଜ୍ଞାନ ଶାସ୍ତ୍ର କଳ୍ପେ

ଜନ୍ମିଲେ ଦତ୍ତାତ୍ରେୟ ରୂପେ

ସପ୍ତମେ ରୁଚି ଋଷି ବୀର୍ଯ୍ୟେ

ଜନ୍ମିଲେ ଆକୁତିର ଗର୍ଭେ

ଏରୂପେ ଯଜ୍ଞ ଅବତାର

ପାଳିଲେ ସ୍ୱୟମ୍ଭୁବଙ୍କର

ଅଷ୍ଟମେ ନାଭି ଗୃହେ ଜାତ

ଋଷଭ ମେରୁଦେବୀ ସୁତ

କଠୋର ଅତି ତପ କଲେ

ଜ୍ଞାନୀଙ୍କି ପଥ ଦେଖାଇଲେ

ନବମେ ପୃଥୁ ରୂପ ଧରି

ବଳେ ଦୁହିଁଲେ ବସୁନ୍ଧରୀ

କ୍ଷୀରେ ଧରଣୀ କରି ସମ

ନାମ ବହିଲେ ଉଷତମ

ଦଶମେ ମତ୍ସ୍ୟରୂପ ହୋଇ

ନାଦେ ଔଷଧି ବୀଜ ବାହି

ପ୍ରଳୟ ଜଳେ ବିହରିଲା

ରବି କୁମରକୁ ରଖିଲା

ଏକାଦଶରେ ଚକ୍ରଧର

ଯେ ରୂପେ ଜନ ଉପକାର

ଇନ୍ଦ୍ରର ଅର୍ଥେ ଦେବାସୁରେ

କ୍ଷୀର ସମୁଦ୍ର ମନ୍ଥିବାରେ

କପଟେ କୂର୍ମରୂପ ହୋଇ

ମନ୍ଦର ଗିରି ପୃଷ୍ଠେ ବହି

ଦ୍ୱାଦଶ ସର୍ଗେ ବିଶ୍ୱରୂପେ

ଜନ୍ମିଲେ ଧନ୍ୱନ୍ତରୀ ରୂପେ

ଅମୃତ କ୍ଷୀରାର୍ଣ୍ଣବୁଁ ଆଣି

ଦେବଙ୍କୁ ପିଆଇଲେ ପୁଣି

ମୋହିନୀ ରୂପେ ତ୍ରୟୋଦଶେ

ଅସୁର ମୋହେ କାମବଶେ

ଚତୁର୍ଦ୍ଦଶେ ନୃସିଂହ ବପୁ

ବିଦାରେ ହିରଣ୍ୟକଶିପୁ

ବାମନ ରୂପେ ପଞ୍ଚଦଶେ

ବଳିକୁ ଛଳିଲେ ବିଶ୍ୱାସେ

ଷୋଡ଼ଶ ଅବତାରେ ହରି

ପରଶୁରାମ ରୂପ ଧରି

ପିତାଙ୍କ ବଧ ଅହଙ୍କାରେ

ଧରଣୀ ଏକବିଂଶ ବାରେ

ଭ୍ରମିଲେ ମହା କୋପାନଳେ

ରାଜାଙ୍କୁ ଧରି ବାହୁବଳେ

ଦୁଷ୍ଟ କ୍ଷତ୍ରିୟ କାଟି ମୁଣ୍ତ

ରୁଧିରେ ପୂର୍ଣ୍ଣକଲେ କୁଣ୍ତ

ତର୍ପଣ କଲେ ପିତୃଗଣେ

ତପେ ରହିଲେ ଘୋରବନେ

ସପ୍ତଦଶରେ ସୁର କାର୍ଯ୍ୟେ

ଜନ୍ମିଲେ ପରାଶର ବୀର୍ଯ୍ୟେ

ନିଗମ ବୃକ୍ଷ ଥିଲା ଏକା

ବିଚାରି କଲା ଶତ ଶାଖା

ପ୍ରାଣୀଙ୍କ ଦେଖି ଅଳ୍ପ ବୁଦ୍ଧି

ଯେ ଧର୍ମ ସଂସାରେ ପ୍ରସିଦ୍ଧି

ସେ ପୁଣି ଦିବାକର-ବଂଶେ

ଶ୍ରୀରାମଚନ୍ଦ୍ର ଅଷ୍ଟାଦଶେ

ଜଳଧି ବାନ୍ଧି ସୀତାଛଳେ

ଲଙ୍କା ଧ୍ୱଂସିଲେ ଭୁଜବଳେ

ରାବଣ ମାରି ଦେବ କାର୍ଯ୍ୟେ

ଧର୍ମ ସ୍ଥାପିଲେ ଏହୁ ରାଜ୍ୟେ

ଊନବିଂଶତି ରୂପେ ହରି

ଯାଦବ ବଂଶେ ଅବତରି

କୃଷ୍ଣ ଶରୀର ରାମ ତୁଲେ

ଅବନୀ ଭାରା ନିବାରଲେ

କଳି ଆଗମେ ଭାବଗ୍ରାହୀ

ପାଷାଣ୍ଡ ଜନ ମନ ମୋହି

ବୁଦ୍ଧ ନାମରେ ଦ୍ୱିଜ ଘରେ

ଜନ୍ମିଲେ କୀକଟ ନଗରେ

ଜ୍ଞାନ ଉଦ୍ଦେଶ୍ୟେ ଭଗବାନ

ମୋହିଲେ ଅସୁରଙ୍କ ମନ

ଏମନ୍ତେ ଜନ୍ମ ଏକବିଂଶ

ସୁଜନ ହିତେ ହୃଷୀକେଶ

ସେ ପୁଣି କଳିଯୁଗ ଅନ୍ତେ

ରାଜାଙ୍କୁ ଦେଖି ଏ ଜଗତେ

ନିର୍ଦ୍ଦୟ ହୃଦେ ପ୍ରଜା ମାରି

ଧନ ଜୀବନ ନିତ୍ୟ ହରି

ସେ କୋପେ ବିଷ୍ଣୁଯଶା ଘରେ

ଜନ୍ମିବେ କଳ୍‌କୀ ଅବତାରେ

ମନରୁ ଅତି ବଳବନ୍ତ

ଅଶ୍ୱ ଆରୋହି ଜଗନ୍ନାଥ

ସୁନନ୍ଦ-ଖଡ୍ଗ କରେ ଧରି

ଦୁଷ୍ଟ ରାଜାଙ୍କୁ ବେଗେ ମାରି

ଅଳପ ପ୍ରଜାଜନ ଶେଷ

ଦୟାରେ ଲଭିବେ ଆଶ୍ୱାସ

ସେ ସତ୍ୟନିଧି ମାୟାଧର

ଅସଂଖ୍ୟ କରେ ଅବତାର

ଯଥା ଅକ୍ଷୟ ହ୍ରଦ ଦେହେ

ସହସ୍ର କ୍ଷୁଦ୍ର ନଦୀ ବହେ

ଋଷି ଦେବତା ମନୁ ରାଜା

ଯେ ମନୁପୁତ୍ରେ ମହାତେଜା

ଏ ଆଦି ଯେତେ ପ୍ରଜାପତି

ବିଷ୍ଣୁର ଅଂଶେ ଜନ୍ମ ହୋନ୍ତି

କେ ଅଂଶେ କେତେ କଳାହୋଇ

ବିଭୂତି ଗୁଣେ କେ ଜନ୍ମଇ

ସକଳ ଅବତାର ସାର

କି ଅବା ଦେବା ପଟ୍ଟାନ୍ତର

ନିଜ ମୂରତି ଚକ୍ରଧର

ସ୍ୱୟଂ ଶ୍ରୀକୃଷ୍ଣ ଅବତାର

ଏମନ୍ତେ ନାନାରୂପ ଧରେ

ସେ ହରି ସଂସାରେ ବିହରେ

ଦୁଷ୍ଟଙ୍କ ବଳ ତେଜେ ହରି

ସଂସାର ରଖେ ନରହରି

ବିଷ୍ଣୁଙ୍କ ଜନ୍ମ କର୍ମ ବାଣୀ

ଯେ ଏହା ଯତ୍ନେ ନିତ୍ୟେ ଶୁଣି

ରାତ୍ର ଦିବସ ମଧ୍ୟେ ଯେବେ

କାଳ ବଞ୍ଚଇ କୃଷ୍ଣ ଭାବେ

ସେ ଦୁଃଖ ସଙ୍କଟୁ ତରନ୍ତି

ଜନ୍ମ ମରଣେ ନାହିଁ ଭ୍ରାନ୍ତି

ବିଷ୍ଣୁ ଜନ୍ମଇ ଜନହିତେ

ଏମନ୍ତେ ନାନାରୂପ ଯେତେ

ସ୍ୱଭାବେ ରୂପ ଯାର ନାହିଁ

ନିର୍ଲେପ ନିରଞ୍ଜନ ସେହି

ମାୟାର ଗୁଣେ ବିରଚିତ

ମହତ ଆଦିରୁ ସମ୍ଭୂତ

ଯେସନେ ମେଘ ଶୂନ୍ୟେ ଥାଇ

ଗଗନେ ଧୂଳି ଯେ ଉଡ଼ଇ

ତାହାକୁ ତୃଷ୍ଟି ଊର୍ଦ୍ଧ୍ୱେ ଦେଖି

ଯେ ସତ୍ୟ ପ୍ରାୟ ଉପଲକ୍ଷି

ତାହାକୁ ବୋଲି ଜ୍ଞାନହୀନ

ଏବେ ହୋ ଶୁଣ ମୁନିଜନ

ସ୍ୱଭାବେ ଦୃଶ୍ୟ ବର୍ଣ୍ଣ ନୁହେଁ

ଗୁଣ ଆବୋରି ଦେହ ବହେ

ଏଣୁ ଏ ଜୀବ ରୂପ ବହି

ଜନ୍ମ ମରଣ ପଥେ ଥାଇ

ସମ ଅସମ ରୂପ ଯେତେ

ସମ୍ଭବେ ବିଷ୍ଣୁ ମାୟାଗ୍ରସ୍ତେ

ଆତ୍ମାର କଳ୍ପିତ ଈଶ୍ୱର

ଏ ତହୁଁ ବ୍ରହ୍ମାର ବିଚାର

ମାୟା ମିଶ୍ରିତ ପ୍ରାଣୀ ଯେବେ

ନିରସ୍ତ ହୋଇ ଜ୍ଞାନ ଭାବେ

ତେବେ ଆତ୍ମାରେ ଆତ୍ମା ଦେଖି

ନିର୍ମଳ ମହିମା ନିରେଖି

ଏମନ୍ତେ ଜନ୍ମ କର୍ମ ଯେତେ

ବିଚାର କରି ବେଦମତେ

କହନ୍ତି ଯେତେ ମୁନି ଧ୍ୟାନେ

ଏ ନ ଘଟଇ ଅନୁମାନେ

ପରମାନନ୍ଦ ରୂପେ ଚିତ୍ତ

ଯେବେ ସେ ହୁଅଇ ମିଶ୍ରିତ

ତେବେ ସମ୍ମତ ବ୍ରହ୍ମଜ୍ଞାନ

ଜାଣଇ ତତ୍ତ୍ଵ ଜ୍ଞାନୀଜନ

ତାହାର ଜନ୍ମ କର୍ମ ନାହିଁ

ବେଦର ଗୁପ୍ତ ତତ୍ତ୍ୱ ସେହି

ତାହାଙ୍କ ଜନ୍ମ କର୍ମ ଭାବେ

କବିଏ ବର୍ଣ୍ଣନ୍ତି ସ୍ୱଭାବେ

ସ୍ୱଭାବେ ଜନ୍ମ ଯାର ନାହିଁ

ବିଚାର କରିବ ସେ କାହିଁ

ଅମୋହ ଲୀଳା ନରହରି

ଆତ୍ମାରେ ବିଷ୍ଣୁ ମାୟାକରି

ବ୍ରହ୍ମାଣ୍ଡ ସୃଜଇ ପାଳଇ

ତାହାକୁ ଅନ୍ତେ ସେ ଭକ୍ଷଇ

ପ୍ରାଣୀଙ୍କ ମଧ୍ୟେ ଆତ୍ମା ତନ୍ତ୍ରେ

ଷଡ଼ବର୍ଗ ଯେ ଭୋଗେ ନିତ୍ୟେ

ଏଣୁ ଈଶ୍ୱର ସେ ବୋଲାଇ

କିସ ଉପମା ଦେବି ମୁହିଁ

ଈଶ୍ୱର ଲୀଳା କର୍ମ ଯେତେ

କେ ଜାଣିପାରେ ତର୍କମତେ

ଏହାର ଅଛି ଯେତେ ନାମ

ସ୍ୱଭାବେ ଯେତେ ଗୁଣ ଗ୍ରାମ

ନଟ ଯେସନେ ମାୟା କରି

ମୋହଇ କୁହୁକ ବିସ୍ତାରି

ଅଜ୍ଞାନୀ ଜାଣିବ କି ତାହା

ଦୁରଧିଗମ୍ୟ ବିଷ୍ଣୁ ମାୟା

ଏ କାଳ ଚକ୍ର ଯାର ହସ୍ତ

କେ ଜାଣିପାରେ ତାର ଗ୍ରସ୍ତ

ସେ ହରି ପାପପଦ୍ମ ବନ୍ଧ

ଯେ ନିତ୍ୟେ ପିଏ ମକରନ୍ଦ

ହିଂସା କପଟ ଦୂରେ ତେଜ

ସର୍ବାନୁକୂଳେ କୃଷ୍ଣେ ଭଜି

ଭକତ ଭାବେଣ ଭଜନ୍ତି

ସେ କୃଷ୍ଣ ମହିମା ଜାଣନ୍ତି

ଧନ୍ୟ ଜୀବନ ତାହାଙ୍କର

ସେ ହରି ଚରଣେ କିଙ୍କର

ସର୍ବ ଆତ୍ମାକୁ ଆତ୍ମ ଭାବେ

ଭଜନ୍ତି ନିତ୍ୟ ବାସୁଦେବେ

ଏମନ୍ତ ଭାବେ ଯେ ଭଜଇ

ଏ ମାୟା ତାକୁ ନ ଲାଗଇ

ଏ ଯେ ପୁରାଣ ଭାଗବତ

ନିର୍ମଳ ପଦ ବ୍ରହ୍ମତତ୍ତ୍ଵ

କୃଷ୍ଣର ଚରିତ ପ୍ରଶଂସି

ପ୍ରକାଶ କଲେ ବ୍ରହ୍ମଋଷି

ଜୀବର ମୋକ୍ଷଫଳ ଅର୍ଥେ

ଧନ୍ୟ ମଙ୍ଗଳ ଏ ଜଗତେ

ସର୍ବ ନିଗମ ଇତିହାସେ

ସାର ଉଦ୍ଧରି ମନତୋଷେ

ଆତ୍ମଜ୍ଞାନୀଙ୍କ ମଧ୍ୟେ ସାର

ଯେ ଶୁକରୂପେ ଅବତାର

ତାହାଙ୍କୁ ଭାଗବତ ଦୀକ୍ଷା

ଦେଇ କହିଲେ ଆତ୍ମା ଶିକ୍ଷା

ସେ ପୁଣି ପରୀକ୍ଷିତ ଆଗେ

କହିଲେ ଆତ୍ମା ଅନୁରାଗେ

ବ୍ରାହ୍ମଣ ଶାପେ ସେ ବିକଳେ

ନିବାସ କରି ଗଙ୍ଗାକୂଳେ

ପରମ ଋଷି ମେଳେ ଥାଇ

କୃଷ୍ଣ ଚରଣେ ମନ ଦେଇ

ଏ ଭାଗବତ ରସ ଶୁଣି

ତରିଲା ଭବ ତରଙ୍ଗିଣୀ

ସେ କୃଷ୍ଣଲୀଳା କାର୍ଯ୍ୟ ଲାଭେ

ନିଜ ଭବନେ ପୁଣି ଯିବେ

ସଙ୍ଗତେ ଘେନି ଧର୍ମଜ୍ଞାନ

ନିଜ ଶରୀରେ ହେବେ ଲୀନ

ଏ କଳିଯୁଗେ ଯେତେ ନରେ

ପଡ଼ିବେ ମାୟା ଅନ୍ଧକାରେ

ତାହାଙ୍କୁ ତପନ ଉଦିତ

ହୋଇବ ଭାବେ ଭାଗବତ

ରାଜା ସଙ୍ଗତେ ଗଙ୍ଗାତଟେ

ଅନେକ ଋଷିଙ୍କ ସଙ୍ଗତେ

ଏ ଭାଗବତ ତତ୍ତ୍ଵବାଣୀ

ଶୁକ ମୁନିଙ୍କ ମୁଖୁ ଶୁଣି

ଜାଣିଲି ଶୁକ ଅନୁରାଗେ

ଏବେ କହିଲି ତୁମ୍ଭ ଆଗେ

କହଇ ଦାସ ଜଗନ୍ନାଥ

ସୁଜନ ହିତେ ଭାଗବତ

ଏ ଭାବେ ଚିନ୍ତି ନରହରି

ଘୋର ସଂସାରୁ ଯିବ ତରି

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ନୈମିଷୀୟୋପାଖ୍ୟାନେ ଜନ୍ମ ଗୁହ୍ୟ ନାମ

ତୃତୀୟୋଽଧ୍ୟାୟଃ ।

•••

 

ଚତୁର୍ଥ ଅଧ୍ୟାୟ

 

ଶ୍ରୀ ସୂତ ଉବାଚ

ଏମନ୍ତେ ଭାଗବତ ବାଣୀ

ସୂତ ମୁନିଙ୍କ ମୁଖୁଁ ଶୁଣି

ମୁନିଙ୍କ ମଧ୍ୟେ କର୍ମ ସିଦ୍ଧ

ଶୌନକ ନାମେ କୁଳବୃଦ୍ଧ

ସର୍ବ ମୁନିଙ୍କ ଅବଧାନେ

ପୁଚ୍ଛନ୍ତି ମଧୁର ବଚନେ

ଶୌନକ ଉବାଚ

ହେ ସୂତ ତୁମ୍ଭେ ମହାଧୀର

ବକତା ଜନ ମଧ୍ୟେ ବର

ଜାହ୍ନବୀ ତଟେ ରାଜା ଆଗେ

ଶୁକ କହିଲେ ବ୍ରହ୍ମଭାଗେ

ସେ କଥା କହ ଆମ୍ଭ ଆଗ

ତୁମ୍ଭେ ଯେ ଅଟ ମହାଭାଗ

ଏ ଭାଗବତ ଶାସ୍ତ୍ର କେବେ

ବ୍ୟାସ ରଚିଲେ କେଉଁ ଯୁଗେ

କାହାର ବୋଲେ କାହିଁ ବସି

କି ଭାବେ କି ହେତୁ ଉଦ୍ଦେଶି

ଶୁକ ଯେ ତାହାଙ୍କ କୁମର

ସମଦରଶୀ ସତ୍ୟ ସାର

ଏକାନ୍ତ ମତି ରାତ୍ରଦିନେ

କୃଷ୍ଣ ମହିମାର ପ୍ରସନ୍ନେ

ନିର୍ମାୟା ମୂଢ଼ତା ପ୍ରତୀତି

ଲକ୍ଷି ନ ପାରେ କେହି ଗତି

ଯାହାର ଆଗମନ କାଳେ

ଦେବୀ କାମିନୀ ଥିଲେ ଜଳେ

ଉଲଗ୍ନେ ଥାଇ ତାଙ୍କୁ ଦେଖି

ଧାଇଁଲେ ସ୍ନାନକୁ ଉପେକ୍ଷି

ଦେଖିବା ଅର୍ଥେ ଜଳ ତଟେ

ମିଳିଲେ ଶୁକଙ୍କ ନିକଟେ

ବ୍ୟାସଙ୍କୁ ତାଙ୍କ ପଛେ ଚାହିଁ

ଜଳେ ପଶିଲେ ବେଗେ ଯାଇ

ସ୍ୱଭାବେ ସିଦ୍ଧ ଯେ ଯୁବତୀ

ଜାଣନ୍ତି ସର୍ବ ପ୍ରାଣୀ ଗତି

ଏମନ୍ତେ କନ୍ୟାଗଣେ ଚାହିଁ

ବ୍ୟାସ କହନ୍ତି ଖେଦ ପାଇ

ଦେଖି କନ୍ୟାଙ୍କ ମୂଢ଼ମତ

ଚଞ୍ଚଳ ବ୍ୟାସଙ୍କର ଚିତ୍ତ

ପୁଣି କ୍ଷଣକେ ପାଇ ଶାନ୍ତି

କନ୍ୟାଙ୍କୁ ଚାହିଁ ପଚାରନ୍ତି

ଅଇଲ ମୋର ପୁତ୍ର ଚାହିଁ

କିମ୍ପା ପଶିଲ ଜଳେ ଯାଇ

ଏ କିସ ତୁମ୍ଭର ବେଭାର

ଏ ଶୁକ ମୋହର କୁମର

ତରୁଣ ବୟସ ଏହାର

ଏ ବୃଦ୍ଧ-ଶରୀର ମୋହର

ବ୍ୟାସ ବଚନେ ନାରୀଗଣେ

ତକ୍ଷଣେ ନମିଲେ ଚରଣେ

କହନ୍ତି ବ୍ୟାସ ମୁଖ ଚାହିଁ

ସଂସାର ତାର ହୃଦେ ନାହିଁ

ସ୍ତିରୀ ପୁରୁଷ ନ ଜାଣନ୍ତି

ସମସ୍ତ ଏକ ଭାବେ ଚିନ୍ତି

ତୁମ୍ଭେ ଯେ କହ ଆମ୍ଭେ ବୃଦ୍ଧ

ବିଷୟା ରସେ ଅଛି ସଧ

ଏ ଘେନି ହୋଇଲୁ ଅନ୍ତର

ଆମ୍ଭର ଦୋଷ କ୍ଷମା କର

ଏମନ୍ତେ ଗଲେ ନାରୀଗଣେ

ଶୁକ ରହିଲେ ସେହି ବନେ

ଶୌନକ ଉବାଚ

ସେ ଶୁକମୁନି କିସ କାର୍ଯ୍ୟେ

ପ୍ରବେଶ କଲେ କୁରୁରାଜ୍ୟେ

ଉନ୍ମତ୍ତ ଜଡ଼ ରୂପ ବହି

ତାହାଙ୍କୁ କେହି ନ ଜାଣଇ

କେମନ୍ତେ ପରୀକ୍ଷିତ ମେଳେ

ମିଳିଲେ ଜାହ୍ନବୀର କୂଳେ

ତହିଁ ଅନେକ ମୁନି ମଧ୍ୟେ

ଏ ଭାଗବତର ସମ୍ବାଦେ

ପ୍ରଜାଙ୍କ ଘରେ ସାୟଂକାଳେ

ଯେ ନିତ୍ୟ ଭିକ୍ଷା ଅବା ମିଳେ

ଗୋଦୋହ ମାତ୍ର ଦ୍ୱାରେ ରହି

ଗୃହୀଙ୍କୁ ତୀର୍ଥଫଳ ଦେଇ

ସେ ମୁନି ପରୀକ୍ଷିତ ମେଳେ

ମିଳିଲେ ପୂର୍ବ ପୁଣ୍ୟଫଳେ

ସେ ଭାଗବତ ପରୀକ୍ଷିତ

ସ୍ୱଭାବେ ଅଭିମନ୍ୟୁ ସୁତ

ତାହାର ଜନ୍ମକର୍ମ ଯେତେ

କହିବ ଆମ୍ଭର ଅଗ୍ରତେ

ଅଦ୍ଭୁତ ପ୍ରାୟ ଅଛୁ ମଣି

ଏବେ ତରିବୁ ଏହା ଶୁଣି

ସେ ସର୍ବ ରାଜାଙ୍କ ଶିଖର

ପାଣ୍ତବ ବଂଶେ କୀର୍ତ୍ତିକର

ରାଜ୍ୟ ସମ୍ପଦ ଛାଡ଼ି ଦୂରେ

କିମ୍ପା ରହିଲେ ଗଙ୍ଗାତୀରେ

ଶତ୍ରୁ ରାଜାଏ ଯାର ପାଦ

ନମନ୍ତି ଦେଇଣ ସମ୍ପଦ

ଯୁବା ବୟସେ ନରପତି

ତେଜିଣ ଅଚଳ ବିଭୂତି

ଯେହୁ ଶରୀର ଏ ସଂସାରେ

ବହଇ ପର ଉପକାରେ

ହରି ଚରଣ ଚିନ୍ତେ ଚିତ୍ତେ

ଯେ ରାଜା ନିତ୍ୟେ ଜନହିତେ

ସେ କିମ୍ପା ତେଜିଲା ଜୀବନ

ଗୃହେ ଉପେକ୍ଷି ଧନଜନ

କହ କାରଣ କିବା ଅର୍ଥେ

ସଂଶୟ ଛାଡ଼ଇ ଯେମନ୍ତେ

ତୁମ୍ଭେ ସକଳ ବିଦ୍ୟା ପାର

କହ ସଂଶୟ ହେଉ ଦୂର

ଏମନ୍ତେ ଶୌନକ ବଚନେ

ସକଳ ମୁନି ଅନୁମାନେ

ସୂତ ଉବାଚ

କହନ୍ତି ସୂତ ବ୍ରହ୍ମଋଷି

ମୁନିଙ୍କୁ ପ୍ରସନ୍ନେ ପ୍ରଶଂସି

ଶୁଣ ସକଳ ମୁନିଜନ

କୃଷ୍ଣ ଚରିତ ବିଧାନ

ଦ୍ୱିତୀୟ ଯୁଗ ଭୋଗ ଅନ୍ତେ

ଦ୍ୱାପର ଯୁଗ ଉପଗତେ

ବିଷ୍ଣୁର ଅଂଶେ ବ୍ୟାସ ମୁନି

ଜନ୍ମିଲେ ନରଦେହ ଘେନି

ପରାଶରଙ୍କ ବୀର୍ଯ୍ୟ ଯୁତେ

ଯୋଜନଗନ୍ଧା ଗର୍ଭଗତେ

ସେ ଏକ ଦିନେ ପ୍ରାତଃକାଳେ

ସ୍ନାହାନ ସାରି ଗଙ୍ଗାଜଳେ

ଏକାନ୍ତେ ବଦରିକାଶ୍ରମେ

ବସିଣ ନିଶ୍ଚଳ ଆସନେ

ପର ଅପର ସେ ନ ଜାଣେ

ସକଳ ଶାସ୍ତ୍ରର ପ୍ରମାଣେ

ଯେ କାଳ ପୁରୁଷର ବଳେ

ଯୁଗେ ଉଡ଼ନ୍ତି ଅନ୍ତରାଳେ

ତାହାକୁ ନ ଦେଖନ୍ତି କେହି

ବ୍ରହ୍ମାଣ୍ଡ ମଧ୍ୟେ ଦେହ ବହି

ପ୍ରାଣୀଙ୍କ ବଳ ନିତ୍ୟେ ହରେ

ଯୁଗ ସ୍ୱଭାବ ଅନୁସାରେ

କଳି ଆଗମେ ପ୍ରାଣୀଙ୍କର

ଏମନ୍ତ ହୋଇବ ବେଭାର

ଶ୍ରଦ୍ଧା ଛାଡ଼ିବେ ଅତିଦୂର

ଦୁର୍ବଳ ହୋଇବ ଶରୀର

ବୁଦ୍ଧି ହୋଇବ ଲୋଭେ ଗ୍ରାସ

ସ୍ୱଭାବେ ଅଳପ ଆୟୁଷ

ଦୁର୍ଭାଗା ହୋଇବେ ସକଳେ

ଏହା ଜାଣିଲେ ଯୋଗବଳେ

ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ

କଳି ବଞ୍ଚିବେ ଯେଉଁ ଧର୍ମେ

ବେଦ ଉଚିତ ଶୁଦ୍ଧ କର୍ମ

ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ

ଜୀବର ସାଧ୍ୟ କର୍ମ କରି

ଯେମନ୍ତେ ବିଷ୍ଣୁ ମାୟା ତରି

ଧର୍ମ ସାଧିବ ଯଜ୍ଞମତେ

ଏମନ୍ତେ ଭାଳି ମୁନି ଚିତ୍ତେ

ଏକ ବେଦକୁ ଚାରିଖଣ୍ତେ

ଯଜ୍ଞ ଭିଆଣ କର୍ମକାଣ୍ତେ

ଋକ ଯଜୁ ସାମ ଅଥର୍ବ

ଏ ରୂପେ କରି ଭିନ୍ନ ଭା ବ

ପଞ୍ଚମ ବେଦ ଇତିହାସ

ଯେହୁ ପୁରାଣେ ଅଷ୍ଟାଦଶ

ପଇଳ ମୁନିଙ୍କୁ ଆଣିଲେ

ପ୍ରଥମ ବେଦ ପଢ଼ାଇଲେ

ଜଇମିନିଙ୍କୁ ଦେଲେ ସାମ

ଯଜୁକୁ ବଇଶମ୍ପାୟନ

ଅଙ୍ଗିରା ମୁନି ଅଥର୍ବଣେ

ମୋ ପିତା ରୋମ ହରଷଣେ

ପୁରାଣ ଅଷ୍ଟାଦଶ ଦେଲେ

ଏମନ୍ତ କର୍ମ ସମ୍ପାଦିଲେ

ସେ ଶିଷ୍ୟ ବିଚାରି ନିଶ୍ଚଳେ

ବେଦ ବୃକ୍ଷକୁ ଯୋଗବଳେ

ଅନେକ ଶାଖା ଭିଆଇଲେ

ଶିଷ୍ୟେ ପ୍ରଶିଷ୍ୟେ ଶିକ୍ଷାଦେଲେ

ଅଳ୍ପବୁଦ୍ଧିର ନର ଯେତେ

ବେଦ ନ ଘେନି ଦୃଢ଼ଚିତ୍ତେ

ସ୍ତ୍ରୀ-ଶୂଦ୍ର ଜନ୍ମ ଏ ଜଗତେ

ଯୋଗ୍ୟ ନୁହଁନ୍ତି ବେଦପଥେ

ତାହାଙ୍କୁ ନିସ୍ତାରଣ ଅର୍ଥେ

ଉପାୟ ଚିନ୍ତି ଦୟାଚିତ୍ତେ

ବୁଦ୍ଧି ମନ୍ଥନେ ବେଦ ମନ୍ଥି

ଭାରତ ପଦବନ୍ଧେ ଗୁନ୍ଥି

ବେଦୁଁ ଉଦ୍ଧାରି ସାର ଅର୍ଥ

ପୁରାଣସୃଜିଲେ ଭାରତ

ପ୍ରାଣୀଙ୍କୁ ନିସ୍ତାରି ଏମନ୍ତେ

କାନନେ ମିଳିଲେ ନିଶ୍ଚିନ୍ତେ

ଆଶ୍ରିତ ସରସ୍ୱତୀ କୂଳେ

ମନ ନ ରହଇ ନିଶ୍ଚଳେ

ଯୋଗେ ନ ପାରେ ଚିତ୍ତ ଧରି

ଚଞ୍ଚଳେ ଏମନ୍ତ ବିଚାରି

ଅତି କଷ୍ଟରେ ବେଦ ଘେନି

ଗୁରୁ ଅନଳେ ଚିତ୍ତ ଘେନି

ଯେବା ଭାରତ କଲି ସାର

ସ୍ତ୍ରୀ ଶୂଦ୍ର ମଜ୍ଜିଣ ନିସ୍ତାର

ତେବେ ନିର୍ମଳ ନୋହେ ମନ

ଚିନ୍ତା ଅନଳେ ଛନ୍ନ ଛନ୍ନ

ଏ ମନ ଧରିବି କେମନ୍ତେ

ନିଶ୍ଚଳ କରି ଜ୍ଞାନପଥେ

କରିବି ଭାଗବତ ଧର୍ମ

ଯେଣେ ନ ଲାଗେ ମାୟା ଭ୍ରମ

ଏମନ୍ତ ହୃଦରେ ବିଚାରି

ମନକୁ ନ ପାରନ୍ତି ଧରି

ଏମନ୍ତ ସମୟେ ନାରଦ

ଆସନ୍ତେ ଶୁଭେ ବୀଣାବାଦ୍ୟ

ତକ୍ଷଣେ ସରସ୍ୱତୀ ତଟେ

ମିଳିଲେ ବ୍ୟାସଙ୍କ ନିକଟେ

ନାରଦ ଆଗମନ ଦେଖି

ତକ୍ଷଣେ ଆସନ ଉପେକ୍ଷି

କେତେହେଁ ଦୂରୁ ଆଗ ସରି

ନାରଦ କରେ କର ଧରି

ବସାଇ ଉତ୍ତମ ଆସନେ

ପୂଜିଲେ ଅତିଥି ବିଧାନେ

ସେ ବ୍ୟାସ ନାରଦର ପାଦେ

ସୁଜନେ ପ୍ରଣମ ଆନନ୍ଦେ

ଯାହା ଚିନ୍ତିଲେ ପାପ ନାଶ

ନମଇଁ ଜଗନ୍ନାଥ ଦାସ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ନାରଦ ଗମନଂ

ଚତୁର୍ଥୋଽଧ୍ୟାୟଃ ।

•••

 

ଶ୍ରୀମଦ୍‌ ଭାଗବତ ପ୍ରଥମ ସ୍କନ୍ଧ

ପଞ୍ଚମ ଅଧ୍ୟାୟ

 

ଶ୍ରୀ ସୂତ ଉବାଚ

ହରଷେ ମୁନିଙ୍କର ଆଗେ

ସୁତ କହନ୍ତି ଅନୁରାଗେ

ଶୁଣ ସକଳ ମୁନିଜନେ

ହରି ଚରିତ ସାବଧାନେ

ଗଙ୍ଗା ସମୀପେ ଦେବଋଷି

ସୁଖ ଆସନେ ଦୃଢ଼େ ବସି

ବ୍ୟାସେ ପୂଜିଲେ ମନତୋଷେ

ଯେ ଜାତ ଗୋବିନ୍ଦର ଅଂଶେ

ହରଷେ ବୀଣା ହସ୍ତେ ନେଇ

କହନ୍ତି ବ୍ୟାସ ମୁଖ ଚାହିଁ

ନାରଦ ଉବାଚ

ହେ ବ୍ୟାସ ପରାଶର ସୁତ

ତୁମ୍ଭେ ସ୍ୱଭାବେ ଭାଗ୍ୟବନ୍ତ

ତୁମ୍ଭର ଚଞ୍ଚଳ ବଦନ

ଦେଖି ଜାଣିଲୁ ତୁମ୍ଭ ମନ

ସକଳ ବେଦ ଶିଷ୍ୟେ ଦେଇ

ପୁରାଣ ଭାରତ ଭିଆଇ

ସଂସାର ଇଷ୍ଟ ଧର୍ମ ଯେତେ

ସର୍ବ ସମ୍ପୂର୍ଣ୍ଣ ତୁମ୍ଭ ଚିତ୍ତେ

ବେଦ ବିଚାରି ବ୍ରହ୍ମ ଚିନ୍ତି

ଚିତ୍ତେ ନୋହିଲା ତୁମ୍ଭ ଶାନ୍ତି

ଭଲେ ଜାଣିଲି ମୁହିଁ ଏହା

ତୁମ୍ୱେ ସ୍ୱଭାବେ ପୁଣ୍ୟଦେହା

ନାରଦ ବାକ୍ୟ ଶୁଣି କର୍ଣ୍ଣେ

ବ୍ୟାସ କହନ୍ତି ଅବଧାନେ

 

 

 

 

ବ୍ୟାସ ଉବାଚ

ତୁମ୍ଭେ କହିଲ ମୁନି ଯେତେ

ମୋର ଅଭ୍ୟାସ ବହୁମତେ

ବେଦ ପୁରାଣେ ଅର୍ଥ ଯେତେ

ସର୍ବ ମୁଁ ସମ୍ପାଦିଲି ଚିତ୍ତେ

ତଥାପି ଆତ୍ମା ତୋଷ ନୋହେ

ମନ ନ ରହେ ସ୍ଥିର ଦେହେ

ତୁମ୍ଭେ ଯେ ବ୍ରହ୍ମାର ନନ୍ଦନ

ତେଣୁ ଜାଣିଲ ମୋର ମନ

ଏମନ୍ତ ସ୍ଥିର କରିବାରେ

ଗୋବିନ୍ଦ ବିନା କେବା ତରେ

ସକଳ ଶାସ୍ତ୍ର ତହୁଁ ସାର

ଯାର ମହିମା ଅଗୋଚର

ତାହାର ଭକ୍ତି ଯେଣୁ ନାହିଁ

ଏଣୁ ମୋ ଚିତ୍ତ ସ୍ଥିର କାହିଁ

ତୁମ୍ଭେ ସକଳ ଗୁହ୍ୟ ଜାଣ

ବିଷ୍ଣୁର ମହିମା ପ୍ରମାଣ

ସେ ସର୍ବ ଜୀବଙ୍କ ଈଶ୍ୱର

ଯାର ମାୟାରେ ଏ ସଂସାର

ସର୍ଜ୍ଜଇ ପାଳଇ ସଂହାରେ

ତ୍ରିଗୁଣ ବଳେ ସେ ବିହରେ

ସେ ମାୟା ତାକୁ ନ ଲାଗଇ

ନିତ୍ୟେ ସେ ନିଜ ସୁଖେ ଥାଇ

ଏ ତିନି ଲୋକେ ତୁମ୍ଭ ଦେହେ

ନିରତେ ଭ୍ରମେ ରବି ପ୍ରାୟେ

ପ୍ରାଣୀଙ୍କ ବାହ୍ୟ ଅଭ୍ୟନ୍ତରେ

ଯେସନେ ସମୀର ସଞ୍ଚରେ

ଆତ୍ମାକୁ ଆତ୍ମା ସାକ୍ଷୀ ରୂପେ

ନିତ୍ୟେ ବିହରେ ନିଜ ସୁଖେ

ସେ ବିଷ୍ଣୁ ପାଦ ବ୍ରହ୍ମଜଳେ

ତୁମ୍ଭର ସ୍ନାହାନ ନିଶ୍ଚଳେ

ସେ ଜଳ ଶୀତ ଉଷ୍ଣଭାବ

ନିତ୍ୟେ ତୁମ୍ଭର ଅନୁଭବ

ତାହାର ମହିମା ପ୍ରମାଣେ

ତୁମ୍ଭଙ୍କୁ ଅନ୍ୟ କେବା ଜାଣେ

କହ ଆନନ୍ଦେ ମୁନିବର

ଯେମନ୍ତେ ମନ ହେବ ସ୍ଥିର

ନାରଦ ଉବାଚ

ଭୋ ମୁନି ସତ୍ୟ ଏ ବଚନ

ତେଣୁ ସନ୍ତୋଷ ନୋହେ ମନ

ଧନ ସମ୍ପଦ କାମ ଅର୍ଥେ

ଯେତେ କହିଲ ବେଦଶାସ୍ତ୍ରେ

କୃଷ୍ଣ ନିର୍ମଳ ଯଶୋଗୁଣ

ଯେଣୁ ନ କଲେ ଉଚ୍ଚାରଣ

ଯେ ଧର୍ମେ କୃଷ୍ଣ ତୋଷ ନୋହି

ସେ ଧର୍ମ ଚିତ୍ତେ ନ ଘଟଇ

ଯଦି ଗୋବିନ୍ଦ ଗୁଣ ଗ୍ରାମେ

ଅଭ୍ୟାସେ ଥାନ୍ତା କିଛି ଶ୍ରମେ

ତେବେ କି ମନ ଅସନ୍ତୋଷ

କହିବା ଶୁଣ ଉପଦେଶ

ଯେବେ ଏ ଜିହ୍ୱା ବାକ୍ୟ-ଶ୍ରମେ

ନ କରେ କୃଷ୍ଣ ଗୁଣ ଗ୍ରାମେ

ଯେ ବାଣୀ ଜଗତତାରିଣୀ

ତା ଛାଡ଼ି ଅନ୍ୟେ ଯେବେ ଭଣି

ତାହାକୁ ବୋଲି କାକ ବାଣୀ

ଯହିଁ ଗୋବିନ୍ଦଙ୍କୁ ନ ଶୁଣି

ନିଶ୍ଚୟ କାକତୀର୍ଥ ସେହି

ସେ ଜଳେ କେବା ଅବଗାହି

ପରମହଂସ ମନୁ ମେଳେ

ଯେ ଥାନ୍ତି ପୁଣ୍ୟତୀର୍ଥ କୂଳେ

ଯେ ବାକ୍ୟେ କୃଷ୍ଣ ଗୁଣ ଗାଇ

ନିଶ୍ଚୟ ପୁଣ୍ୟତୀର୍ଥ ସେହି

ସେ ବାକ୍ୟ ଜନ ତାପ ନାଶେ

ତୀର୍ଥ ଯେସନେ ପାପ ଧ୍ୱଂସେ

କୃଷ୍ଣର ଗୁଣଗାଥା ଯେବେ

ପ୍ରବନ୍ଧେ ଉଚ୍ଚାରଇ ଭାବେ

ପଦ ବିଶୁଦ୍ଧ ଯେବେ ହୁଏ

ସେ ବାଣୀ ସର୍ବ ପାପ ଦହେ

ଅନନ୍ତ ନାମେ ଯଶଗୁଣେ

ସାଧୁଙ୍କ ବାଣୀ ନିତ୍ୟେ ଭଣେ

ସେ ହରି ଭାବ ଯେବେ ଛାଡ଼ି

ଯେ ଯାନ୍ତି କର୍ମପଥ ମାଡ଼ି

ନିଷ୍କାମ ମତେ ସର୍ବ ନାଶି

ତପ ସାଧଇ ବନେ ପଶି

ହରି ମହିମା ଛାଡ଼ି ଦେବେ

ଅତି ନିର୍ମଳ ଜ୍ଞାନ ଭାବେ

ସେ କାହିଁ ଅଶୁଭ ନାଶିବ

ତପ ସାଧିଲା ଫଳ ଦେବ

ଯେ ପୁଣ୍ୟ ବେଦମାର୍ଗେ କରେ

ନିର୍ମଳ ଚିତ୍ତେ ଫଳ ଧରେ

ହରିଙ୍କୁ ନ କରେ ଅର୍ପଣ

ସେ ସର୍ବ ଫଳ ଅକାରଣ

ତୁମ୍ଭେ ସ୍ୱଭାବେ ଭାଗବତ

ମହାନୁଭାବେ ଶୁଦ୍ଧ ଚିତ୍ତ

ସତ୍ୟ ବଚନ ଧୃତବତୀ

ଏଣୁ ଅମୋଘ ତୁମ୍ଭ ଗତି

ସମାଧିକର କୃଷ୍ଣ ପାଦେ

ତାଙ୍କ ଚରିତ ଅନୁବାଦେ

ପ୍ରବନ୍ଧେ ଭାଗବତ କର

ଅଖିଳ ଜନଙ୍କୁ ଉଦ୍ଧର

ଯେ ପ୍ରାଣୀ ଅନ୍ୟମାର୍ଗେ ଭଜେ

ହରି ଭକତି ଦୂରେ ତେଜେ

କୃଷ୍ଣ ଭକତି ଲାଭ ଛାଡ଼ି

ତୃତୀୟ ବର୍ଗେ ଲୋଭେ ବଢ଼ି

ତାହାଙ୍କ ସୁଖ ଲେଶ ନାହିଁ

ସମୁଦ୍ରେ ଯେହ୍ନେ ନାବ ଥାଇ

ଜଳ ପବନ ମେଘ ତେଜେ

କୂଳେ ନ ଲାଗେ ବେଗେ ଭାଜେ

ତାହାଙ୍କ ଗତି ସେହି ମତ

ଶୁଣ ହେ ପରାଶର-ସୁତ

ନିନ୍ଦିତ କମ୍ୟ କର୍ମ ଚିନ୍ତି

ଯେ ଧର୍ମୀ ଧର୍ମ ଶିକ୍ଷା ଦ୍ୟନ୍ତି

ସ୍ୱଭାବେ ମୂଢ଼ ସେହୁ ଜନ

ତାହାର ବିଅର୍ଥ ଜୀବନ

ସାଧୁ ସଙ୍ଗତ ନ ବୁଝନ୍ତି

ଜଗତେ ନାହିଁ ତାଙ୍କ ସ୍ଥିତି

ପାପ ଆଚରି ନର ଲୋକେ

ଅନ୍ତେ ସେ ପଡ଼ନ୍ତି ନରକେ

ତୁମ୍ଭେ ସ୍ୱଭାବେ ବିଚକ୍ଷଣ

ଭାବ ଅଭାବ କଲେ ଜାଣ

ଅନନ୍ତ ପାର ବିଷ୍ଣୁକଥା

ତୁମ୍ଭେ ବର୍ଣ୍ଣନେ ସାମରଥା

ନିବୃତ୍ତି ପ୍ରବୃତ୍ତି ଏ ମାର୍ଗେ

ପ୍ରାଣୀ ତରିବେ ଯେଉଁଭାବେ

ହରି ଚରିତ ଦୀପ କର

ଜନକୁ ଅନ୍ଧାରୁ ଉଦ୍ଧର

ଯେ ପ୍ରାଣୀ ନିଜ ଧର୍ମ ତେଜେ

ହରି ଚରଣେ ଦୃଢ଼େ ଭଜେ

ଭଜୁଁ ମରଇ ଯେବେ ଦୁଃଖେ

କେବେହେଁ ନ ପଡ଼େ ନରକେ

ସ୍ୱଧର୍ମେ ଭଜନ୍ତି ପ୍ରାଣୀ

ହରି ମହିମା ପରିମାଣି

ଅନ୍ତେ ତାହାର ଗତି ଯେତେ

କେ ଅନୁମାନ ପାରେ ଚିତ୍ତେ

ଏବେ ହୋ ଶୁଣ ମୁନିବର

ପଣ୍ତିତ ଜନଙ୍କ ବେଭାର

ଯେ ଲାଭ କେହି ନ ଜାଣନ୍ତି

ସେ ଭାବ ଯାର ଚିତ୍ତେ ଚିନ୍ତି

ଏ ଅଧ ଉର୍ଦ୍ଧ୍ୱ ବେନି ପଥେ

ସେ ପ୍ରାଣୀ ଭଜନ୍ତି ନିରତେ

ତାହାଙ୍କ ମଧ୍ୟେ ଏକକ୍ଷଣେ

ନୋହିଲେ ସେ ଫଳ ଧାରଣେ

ସେ ଅର୍ଥେ ଯତ୍ନ ଯେ କରନ୍ତି

ସଂସାରେ ପଣ୍ଡିତ ବୋଲାନ୍ତି

ସେ ଫଳ ପାଇ ଦୁଃଖ ଧ୍ୟାୟି

ଭ୍ରମଣେ ସୁଖ ନ ଲଭଇ

ଭ୍ରମନ୍ତେ ଅବା ଯେବେ ପାଇ

ପୁଣି ଭ୍ରମଇ ତାହା ଖାଇ

କାଳର ବଳେ ପୁଣ ପୁଣ

ଏ ଭବ ମଧ୍ୟେ ତା ଭ୍ରମଣ

ଏଣୁ ମୁକୁନ୍ଦ ପାଦଗତେ

ଯେ ପ୍ରାଣୀ ଭଜନ୍ତି ନିରତେ

ମୁକୁନ୍ଦ ପଥେ ତାଙ୍କ ଗତି

ଅନ୍ୟର ପଥେ ନ ଭଜନ୍ତି

କୃଷ୍ଣ ପାଦ ପଦ୍ମ ରସ

ନିରତେ ଯେ କରନ୍ତି ଗ୍ରାସ

ସେ ରସ ଛାଡ଼ିବ ସେ କେହ୍ନେ

ରସେ ରସିକଜନ ଯେହ୍ନେ

ଈଶ୍ୱର ହେତୁ ଏ ସଂସାର

ସଂସାରୁ ଈଶ୍ୱର ବାହାର

ଯେଣୁ ଉତ୍ପତ୍ତି ସ୍ଥିତି ନାଶ

ଈଶ୍ୱର ହୁଅଇ ପ୍ରକାଶ

ଈଶ୍ୱର ଜୀବ ଏ ସଂସାର

ଏ ସର୍ବ ଏକଇ ପ୍ରକାର

ଏ ସର୍ବ ବ୍ରହ୍ମଭାଗେ ଜାଣି

ବେଦରେ ଅଛି ପରିମାଣି

ତୁମ୍ଭେ ସର୍ବଜ୍ଞ ମୁନିବର

କହ କୃଷ୍ଣର ଅବତାର

ତୁମ୍ଭେ ଯେ ଆତ୍ମାରାମେ ରମି

ଅନ୍ତର ଦୃଷ୍ଟି ଅନ୍ତର୍ଯ୍ୟାମୀ

ପରମ ପୁରୁଷର କଳା

ସୁମରି ଗୋବିନ୍ଦର ଲୀଳା

ସଂସାର ନିସ୍ତାରଣ ଅର୍ଥେ

ଶ୍ରୀ ଭାଗବତ କର ଗ୍ରନ୍ଥେ

ସ୍ୱଭାବେ ଯାର ଜନ୍ମ ନାହିଁ

ମାୟା ଶୟଳେ ଦେହ ବହି

ତାର ଚରିତ କର ଚିତ୍ତେ

ପ୍ରକାଶ କର ଜନ ହିତେ

ଏ ଯେ ପୁରୁଷଙ୍କର ସାର

ଯଜ୍ଞ ତପସ୍ୟା ନିର୍ବିକାର

ଇଷ୍ଟ ପୂଜନ ଜପ ଦାନ

ଯେବେ ଭାବଇ କୃଷ୍ଣ ନାମ

ପୂର୍ବେ ନିର୍ମଳ ମୁନି ଜନେ

ତପ ଆଚରି ଘୋର ବନେ

ସଂସାର ସାର କୃଷ୍ଣ କଥା

ନିରତେ ଗାଇ ଗୁଣ ଗାଥା

ଏ ଭାବ ପାଇଲି ଯେମନ୍ତେ

କହିଲି ତୁମ୍ଭର ଅଗ୍ରତେ

ପୂର୍ବରେ ଦକ୍ଷ ଶାପ ପାଇ

ଜନ୍ମିଲି ଦାସୀପୁତ୍ର ହୋଇ

ବ୍ରାହ୍ମଣ ଘରେ ଏକା ଏକି

ମୋହର ଜନନୀ ସେବକୀ

କାର୍ଯ୍ୟ କରଇ ରାତ୍ର ଦିନେ

ଏମନ୍ତ ବିଧିର ବିଧାନେ

ସେ ବିପ୍ର ଘରେ ବର୍ଷାକାଳେ

ଅତିଥି ବ୍ରାହ୍ମଣ ମିଳିଲେ

ତାହାଙ୍କୁ ଅନ୍ନ ଜଳ ଦେଇ

ବ୍ରାହ୍ମଣ କହେ ଭାବ ବହି

ହେ ବିପ୍ର ଶୁଣ ମୋ ବଚନ

ଆଜ ଜୀବନ ମୋର ଧନ୍ୟ

ତୁମ୍ଭର ଦୟା ଯେବେ ମୋତେ

ମୋ ଘରେ ରହ ଦିନା କେତେ

ଦୁର୍ଗମ ବରଷା ଏ ଚାରି

ଏ ଋତୁ ମୋର ଘରେ ସାରି

ହେଉ କହିଲେ ବିପ୍ରଜନେ

ବ୍ରାହ୍ମଣ ବୋଲେ ଶୁଦ୍ଧମନେ

ରହିଲେ ମନର ସନ୍ତୋଷେ

ମୁଁ ସେବା କଲି ତାଙ୍କ ପାଶେ

ବାଳକ ଚଞ୍ଚଳ ମୋ ଚିତ୍ତ

ସେବା କରଇ ଅବିରତ

ସେ ବିପ୍ରଗଣ ମୋତେ ଚାହିଁ

ଆଶ୍ୱାସ କଲେ ଦୟା ବହି

ସମଦରଶୀ ଯେଣୁ ସର୍ବେ

କୃପା ସେ କଲେ ମୋର ଭାବେ

ତାହାଙ୍କ ଭୋଜନର ଅନ୍ତେ

ପତ୍ରେ ଉଚ୍ଛିଷ୍ଟ ରହେ ଯେତେ

ତାହା ଭୁଞ୍ଜଇ ନିତ୍ୟେ ମୁହିଁ

ଅନ୍ୟ ଭୋଜନ ମୋର ନାହିଁ

ଉଚ୍ଛିଷ୍ଟ ଭୋଜନ ପ୍ରସାଦେ

ମୋହର ଚିତ୍ତ ଅପ୍ରମାଦେ

ବିପ୍ରଙ୍କ ମୁଖୁଁ ହରି ବାଣୀ

ତାହାଙ୍କ ଅନୁଗ୍ରହେ ଶୁଣି

ନୀରବେ ଶୁଣି ପଦେ ପଦେ

ମନ ବୁଡ଼ିଲା କୃଷ୍ଣପାଦେ

କୃଷ୍ଣହୁଁ ଅନ୍ୟ ନ ଜାଣଇ

ବିଷୟା ବିଷ ଆଉ ନାହିଁ

ଯେଣୁ ଏ ସଦଗତି ରୂପ

ପ୍ରାଣୀଙ୍କ ହୃଦରେ କଳ୍ପିତ

ମୁହିଁ ଦେଖଇ ବାହ୍ୟ ଅନ୍ତେ

ହରିହୁଁ ଅନ୍ୟ କେ ଜଗତେ

ଏମନ୍ତେ ବରଷା ସରିଲା

ଶରଦ ଋତୁ ପ୍ରକାଶିଲା

ବିପ୍ରଙ୍କ ସଙ୍ଗେ ହରି ବାଣୀ

ନିରତେ ତାଙ୍କ ମୁଖୁଁ ଶୁଣି

ସାତ୍ତ୍ଵିକ ଭକ୍ତି ମୋର ମନେ

ପ୍ରକାଶ ହେଲା ଅନୁକ୍ଷଣେ

ମୋହର ସେବା ଦିନୁଦିନ

ଦେଖି ସନ୍ତୋଷ ବିପ୍ରଜନ

ଯିବାର ବେଳେ ମୋତେ ରାଇ

କୃଷ୍ଣ ମହିମା ଶିକ୍ଷା ଦେଇ

ଯେ ଗୁହ୍ୟ ଗୁହ୍ୟତମ ଜ୍ଞାନ

କ୍ଷଣେ ଉଦିତ ଭଗବାନ

ଏ ସର୍ବ କହି ମୋର କର୍ଣ୍ଣେ

ଦୀନବତ୍ସଳ ମୁନି ଜନେ

ବିଷ୍ଣୁର ମାୟା ଅନୁଭବ

ଯେଣେ ଜାଣିଲି ମୁହିଁ ସର୍ବ

ଯେ ଭାବେ ଭାବି ଅପ୍ରମାଦେ

ପ୍ରାଣୀ ପଶନ୍ତି କୃଷ୍ଣ ପାଦେ

ଆତ୍ମାର ଗତି ପ୍ରକାଶଇ

ତାପତ୍ରୟ ଯେ କ୍ଷୟ ଯାଇ

ବ୍ୟାଧି ଉପୁଜେ ଯହୁଁ ଅଙ୍ଗେ

ସେ ଦ୍ରବ୍ୟ ଚିକିତ୍ସା ନ ଲାଗେ

ଏଣୁ ଗୋବିନ୍ଦ ରସ ତେଜି

ଯେବେ ବିଷୟ ରସେ ମଜ୍ଜି

ସେ କାହିଁ ତରିବ ସଂସାରେ

ପଡ଼ନ୍ତି ଘୋର ଅନ୍ଧକାରେ

ଏ ଭବ ମଧ୍ୟେ ଦେହ ଧରେ

ଶ୍ରୀକୃଷ୍ଣ ଭକ୍ତି କର୍ମ କରେ

ବିଷ୍ଣୁର ଯେତେ ଗୁଣଗ୍ରାମ

ଜଗତେ ଅଛି ଯେତେ ନାମ

ମନ୍ତ୍ର ଉଚ୍ଚାରି ସ୍ତୁତି କରି

ପୂଜା କରନ୍ତି ଗୃହେ ଭରି

ସେ ନ ପଡ଼ନ୍ତି ମାୟା ମୋହେ

ଅନ୍ତେ ପଶନ୍ତି ହରି ଦେହେ

ଏମନ୍ତେ ସାଧୁସଙ୍ଗ ମେଳେ

କୃଷ୍ଣର ଭକ୍ତି ଯୋଗବଳେ

ଅଶେଷ ଦୁଃଖ ଦୂର ଗଲା

ସେ ହରି ମୋତେ ଆଜ୍ଞାଦେଲା

ଏବେ ହୋ ଶୁଣ ମୁନିବର

ହରି ଚରଣ ମନେ ଧର

କୃଷ୍ଣର ଗୁଣଗ୍ରାମ ଯେତେ

ପ୍ରାଣୀଙ୍କୁ କହ ଭାଗବତେ

ବିଷୟା ରସେ ପ୍ରାଣୀ ମରେ

ଆତ୍ମାର ଗତି ନ ସୁମରେ

ସେ ଯେବେ ଭାଗବତ ଶୁଣି

ତରିବ ଭବ ତରଙ୍ଗିଣୀ

ଏମନ୍ତେ ବ୍ୟାସ ଆଗେ କହି

ବୀଣା ସଙ୍ଗିତେ କୃଷ୍ଣ ଗାଇ

ସେ ମୁନିବର ପାଦ ଯୁଗେ

ସୁଜନେ ନମ ଅନୁରାଗେ

ହୋଇବ ଭବବନ୍ଧ ନାଶ

କହଇ ଜଗନ୍ନାଥ ଦାସ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ବ୍ୟାସ-ନାରଦ ସମ୍ୱାଦେ ନାମ

ପଞ୍ଚମୋଽଧ୍ୟାୟଃ ।

•••

 

ଷଷ୍ଠ ଅଧ୍ୟାୟ

 

ଶ୍ରୀ ସୂତ ଉବାଚ

ଶୌନକ ଆଦି ମୁନି ମଧ୍ୟେ

ସୂତ କହନ୍ତି ଯେ ଆନନ୍ଦେ

ଶୁଣ ସକଳ ମୁନିଜନେ

ସେ ବ୍ୟାସ ନାରଦ ବଚନେ

ଏମନ୍ତେ ନାରଦର ବାଣୀ

ସତ୍ୟବତୀର ପୁତ୍ର ଶୁଣି

ନାରଦ ଜନ୍ମ କର୍ମ ଯେତେ

କୃଷ୍ଣଙ୍କୁ ଭଜିଲେ ଯେମନ୍ତେ

ଏ ସର୍ବକଥା ଜାଣିବାରେ

ପୁଣି ପୁଚ୍ଛିଲେ ଆଉଥରେ

ବ୍ୟାସ ଉବାଚ

ଗଲେ ସନ୍ୟାସୀ ଯେଉଁଦିନ

ତୁମ୍ଭଙ୍କୁ କରି ମନ୍ତ୍ର ଦାନ

ସନ୍ତୋଷେ ଦେଇ କୃଷ୍ଣ ଦୀକ୍ଷା

ଗମିଲେ ଯେଣେ ତାଙ୍କ ଇଚ୍ଛା

ତଦନନ୍ତରେ କଲ କିସ

ତୁମ୍ଭେ ଯେ ଅଳପ ବୟସ

ଜନ୍ମ ସର୍ଜ୍ଜନା ପ୍ରଜାପତି

ବାଳକ କାଳୁ ଯେ ଭକତି

କରି ବଞ୍ଚନ୍ତି ପ୍ରାଣୀ ସର୍ବେ

ତୁମ୍ଭେ ବଞ୍ଚିଲ କେଉଁଭାବେ

କାଳ ପ୍ରବେଶେ ମୁନିବର

କେହ୍ନେ ଛାଡ଼ିଲ କଳେବର

ପୂର୍ବ କଳ୍ପର ଯେ ବିଚାର

କି ରୂପେ ହେଲ ଜାତିସ୍ମର

ତୁମ୍ଭର ଦେହୁଁ ଜ୍ଞାନ ଅନ୍ତେ

କାଳ ନ ହରିଲା କେମନ୍ତେ

ଏମନ୍ତେ ବ୍ୟାସ ମୁଖୁଁ ଶୁଣି

ବ୍ରହ୍ମା ନନ୍ଦନ ବାକ୍ୟ ଭଣି

ନାରଦ ଉବାଚ

ଶୁଣ ହେ ମୁନି ଶୁଦ୍ଧ ଚେତା

ଯେ ଜନ୍ମ କର୍ମର ବାରତା

ମୋତେ ପରମ ଜ୍ଞାନ ଦେଇ

ବିପ୍ର ଯେ ଗଲେ ପଥ ବାହି

ମୁଁ ପୁଣି ପ୍ରଥମ ବୟସେ

ମୁନିଜନଙ୍କ ଉପଦେଶେ

ଦିନ ବଞ୍ଚଇ ମାତା କୋଳେ

ମନ ମୋ ଥାଏ ତାଙ୍କ ମେଳେ

ମୋର ଜନନୀ ବିପ୍ରଘରେ

ସେବକୀ ପଣେ ଦିନ ହରେ

ଏକଇ ପୁତ୍ର ତାର ମୁହିଁ

ସେ ମୋତେ ଦଣ୍ତେ ନ ଛାଡ଼ଇ

ସ୍ନେହେ ପୋଷଇ ନିତି ନିତି

ମୋ ତହୁଁ ନାହିଁ ଅନ୍ୟ ଗତି

ସେବଇ ବିପ୍ରଘରେ ମୋତେ

ନ ଚାହେଁ ଆତ୍ମାର ଆୟତ୍ତେ

ମୋର ନିମିତ୍ତେ ଭିକ୍ଷା ଅନ୍ନ

ବହୁତ କଳ୍ପେ ତାର ମନ

ଅନ୍ନ ବା ସେ ପାଇବ କାହିଁ

ବ୍ରାହ୍ମଣ ଘରେ ଯେ ମିଳଇ

ମୋର ଭୁଞ୍ଜିଲା ଅବଶେଷ

ମୋର ଜନନୀ କରେ ଗ୍ରାସ

ସଂସାର ଈଶ୍ୱର ଆୟତ୍ତେ

କାଷ୍ଠ ପିତୁଳୀ ଯେହ୍ନେ ହସ୍ତେ

ମୁଁ ଯେ ବ୍ରାହ୍ମଣ ଘରେ ଥାଇ

ଦିଗ୍‌ଦେଶ କାଳ ନ ଜାଣଇ

ବାଳକ ପଞ୍ଚମ ବରଷ

ବଞ୍ଚଇ ଜନନୀର ପାଶ

ମୋର ଜନନୀ ଏକଦିନେ

ବ୍ରାହ୍ମଣ ଘରେ ଗୋଦୋହନେ

ଯାଆନ୍ତେ ପଥେ ଘରୁ ଆସି

ସର୍ପେ ମିଳିଲା ଆଗେ ଆସି

ବିଧାତା ବଳେ ସେ ଦଂଶିଲା

ତକ୍ଷଣେ ଜନନୀ ମୋ ମଲା

ମୁଁ ଯେ ମାତାଙ୍କୁ ଅଗ୍ନି ଦେଇ

ଭାଳଇ ଚତୁର୍ଦ୍ଦିଗ ଚାହିଁ

ତାର ମରଣ ମୋ କଲ୍ୟାଣ

ମଣିଲି କଲେ ଭଗବାନ

ବିପ୍ରଙ୍କ ତହିଁ ମୋର ମନ

ଭାଳି ହୁଅଇ ଛନ୍ନ ଛନ୍ନ

ତାହାଙ୍କୁ ଭେଟିବାର ଅର୍ଥେ

ଗଲି ଉତ୍ତର ଦିଗ ପଥେ

ଅନେକ ଦୂର ଗ୍ରାମେ ଗ୍ରାମେ

ବିପ୍ରଙ୍କୁ ଖୋଜି ପଥଶ୍ରମେ

ଖେଟ ଖର୍ବଟ ବାଟୀ ମନେ

ଦୁର୍ଗମ ପର୍ବତ କାନନେ

ହସ୍ତୀ ସେବିତ ବନ ଆଦି

ଯେ ପର୍ଣ୍ଣଚିତ୍ର ପୁଣ୍ୟ ନଦୀ

ପବିତ୍ର ଜଳାଶୟ ତୀର୍ଥେ

ଦେବେ ସେବନ୍ତି ଯାହା ନିତ୍ୟେ

ଉତ୍ତମ ସରୋବର ବନେ

ହଂସ ସାରସ ଶୁକସ୍ୱନେ

ପୁଣି ଗମିଲି ଘୋର ଦେଶେ

ପୁରିତ ନଳ କାଶ କୁଶେ

ବିଷମ ଲତା ଗୁଳ୍ମ ସାର

ଦିଶଇ ଘୋର ଅନ୍ଧକାର

ସର୍ପ ଉଲ୍ଳୁକ ସିଂହ ଚାହିଁ

ବନେ ଗମଇ ଏକା ମୁହିଁ

ଏମନ୍ତେ ଭ୍ରମୁ ଘୋର ପଥେ

ଶ୍ରମେ ପିପାସା ବୁଭୁକ୍ଷିତେ

ଏମନ୍ତେ ଯାଇ ପାଦେ ପାଦେ

ଶ୍ରମେ ପଶିଲି ନଦୀ ହ୍ରଦେ

ଶୀତଳ ଜଳେ ସ୍ନାନ ପାନ

କରନ୍ତେ ଗଲା ମୋର ଶ୍ରମ

ସେ ନଦୀତୀରେ ପ୍ରାଣ ପୋଷି

ଅଶ୍ୱତ୍‌ଥ ତରୁମୂଳେ ବସି

ବିପ୍ରଜନଙ୍କର ବଚନେ

ଆତ୍ମାରେ ଆତ୍ମା ଅବଧାନେ

କୃଷ୍ଣର ପାଦପଦ୍ମ ଯୁଗେ

ଧ୍ୟାନ ମୁଁ କରି ଦୃଢ଼ଭାବେ

ଉତ୍କଣ୍ଠେ ଗଦ୍‌ଗଦ୍‌ ବଚନ

ଅଶ୍ରୁ ଉଦକେ ନେତ୍ର ପୂର୍ଣ୍ଣ

ଅତ୍ୟନ୍ତ ପ୍ରେମଭର ଦେହ

ଉଦ୍‌ଗମ ହେଲା ତନୁରୁହ

ଆନନ୍ଦ ସାଗରେ ବୁଡ଼ିଲି

ଉଭୟ ଲୋକ ନ ଜାଣିଲି

ତକ୍ଷଣେ ପରମ ଆନନ୍ଦେ

ହରି ବିଜୟ ମୋର ହୃଦେ

ହୃଦେ କି ଦେବା ପଟ୍ଟାନ୍ତର

ମନ ବଚନେ ଅଗୋଚର

ଦେଖି ଉଠିଲି ତତକ୍ଷଣେ

ବିକଳ ଚିତ୍ତ କରଷଣେ

ପୁଣି ରହିଲି ଦୃଢ଼ ଚିତ୍ତେ

ସେ ରୂପ ଦେଖିବା ନିମନ୍ତେ

ସେ ହରି ହରିଲେ ମୋ ମନ

ଘୋର ଅନ୍ଧାରେ ଦିବ୍ୟ ଜ୍ଞାନ

ବାହୁଡ଼ି ଚାହିଁଲି ଭିତରେ

ଦିଶେ ଆକାଶ ଅଭ୍ୟନ୍ତରେ

ଭିତରେ ବାହାରେ ନ ପାଇ

ଆକୁଳେ କମ୍ପଇ ମୋ ଦେହୀ

ଏମନ୍ତେ ଅନ୍ତରୀକ୍ଷ ବାଣୀ

କର୍ଣ୍ଣ ଯୁଗଳେ ମୁହିଁ ଶୁଣି

ମନ ବଚନ ଅଗୋଚର

ସ୍ୱଭାବେ ଗମ୍ଭୀର ସୁସ୍ୱର

ପ୍ରସନ୍ନ ହେଲା ମୋର ମନ

ଶୁଣିଲି ଆକାଶ ବଚନ

ଏ ଜନ୍ମେ ତୁ ଦେଖିବୁ କାହିଁ

ମୋହର ଆଦିଅନ୍ତ ନାହିଁ

ଯେ ଯୋଗୀ ଜନଙ୍କର ଚିତ୍ତ

କର୍ମ-ବାସନାରେ ଜଡ଼ିତ

ଯାବତ ଶୁଭାଶୁଭ-କର୍ମେ

ଚିତ୍ତ ଆକୃଷ୍ଟ ମତି ଭ୍ରମେ

ଭେଟ ସେ ପାଇବେ କେମନ୍ତେ

କର୍ମ ଆବୋରି ନାନାମତେ

ମୋର ସେବକ ସେବାକାଳେ

ତୁହି ବଞ୍ଚିଲୁ ସାଧୁମେଳେ

ତେଣୁ ଦେଖିଲୁ ମୋତେ ବଳେ

ପ୍ରକାଶ ହୃଦୟ କମଳେ

ମୁଁ ତୋର ଚିତ୍ତେ ନିତ୍ୟେ ଥାଇ

ତୋ ଦେହେ ଅମଙ୍ଗଳ ନାହିଁ

ତୁ ଯେ ସାଧୁଙ୍କ ସେବା କରି

ଏବେ ତରିବୁ ଭବବାରି

ଦୃଢ଼ ଭକତି ମୋର ପାଦେ

ନିତ୍ୟେ ପ୍ରକାଶ ଅପ୍ରମାଦେ

ଅନ୍ତେ ପଶିବୁ ମୋ ଭୁବନେ

ଏ ଦେହ ଛାଡ଼ି ମୋର ଧ୍ୟାନେ

ମୋର ବିଷୟ ତୋର ଗତି

କେବେହେଁ ନ ଭଜୁ ଦୁର୍ଗତି

ସୃଷ୍ଟି ପ୍ରଳୟ ବାଧା ଯେତେ

କେବେହେଁ ନ ଲାଗଇ ତୋତେ

ମୋ ଅନୁଗ୍ରହେ ହେଉ ଜ୍ଞାନ

ଏମନ୍ତ ଆକାଶ-ବଚନ

ସ୍ୱଭାବେ ବାଣୀ ଅନ୍ତରୀକ୍ଷେ

କେ ତାହା ଦେଖିବ ପ୍ରତ୍ୟକ୍ଷେ

ସ୍ୱଭାବେ ରୂପ ନାହିଁ ଯାର

ମହାମହିମ ନିର୍ବିକାର

ସେ ବାକ୍ୟ ଶୁଣି ଚିତ୍ତ ସ୍ଥିରେ

ପ୍ରଣାମ କଲି ତା ପୟରେ

ଭାବେ ହୋଇଲି କୃତକୃତ୍ୟ

ଶୁଣ ହେ ସତ୍ୟବତୀ-ସୁତ

ସେ ବିନୁ ନ ଜାଣଇ ଅନ୍ୟ

ମୋ ସର୍ବ ଗତି ଭଗବାନ

ଏ ଲାଜ ସର୍ବ ପରିହରି

ଉଚ୍ଚେ ଗୋବିନ୍ଦ ନାମ ଧରି

ଅନନ୍ତ ଗୁଣ ତାର ଯେତେ

ଚିତ୍ତେ ସୁମରି ଅବିରତେ

ପୃଥିବୀ କରି ପର୍ଯ୍ୟଟନ

ବିଗତ ରାଗ ତୁଷ୍ଟ ମନ

ଏମନ୍ତେ ଭ୍ରମି ଅନୁଦିନ

ନିର୍ମଳ ହୋଇଲା ମୋ ମନ

ମରଣ ସମୟ ନିୟତ

କାଳ ହୋଇଲା ଉପଗତ

ସଂଶୟ ସ୍ଥିର ମୋର ମନେ

ବିଜୁଳି ଯେହ୍ନେ ନୀଳ ଘନେ

ଦିବ୍ୟ ଶରୀର ମୁହିଁ ଦେଖି

ତକ୍ଷଣେ ଶରୀର ଉପେକ୍ଷି

ଆନନ୍ଦେ କୃଷ୍ଣ ଅନୁଗ୍ରହେ

ଶୂନ୍ୟେ ଗମିଲି ଦିବ୍ୟଦେହେ

କଳ୍ପାନ୍ତେ ଦିନ ପ୍ରଳୟରେ

ଏ ସୃଷ୍ଟି ଦେଖିଣ ଉଦରେ

କ୍ଷୀଣ ଜଳଧି ମଧ୍ୟେ ସ୍ଥିତ

ଅନନ୍ତ ଶୟନେ ଅନନ୍ତ

ପଶିଲି ତାର ଅଭ୍ୟନ୍ତରେ

ନିର୍ଲେପ ନିର୍ମଳ ଶରୀରେ

ତହୁଁ ସହସ୍ର ଯୁଗ ଗଲା

ଶୟନୁ ଅନନ୍ତ ଉଠିଲା

ତକ୍ଷଣେ ବ୍ରହ୍ମରୂପ ଧରି

ଭୂମି ଭିଆଇ ସୃଷ୍ଟି କରି

ମରୀଚି ଆଦି ସପ୍ତ ପୁତ୍ର

ବ୍ରହ୍ମା ମନରୁ ହୁଏ ଜାତ

ମୁହିଁ ହୋଇଲି ତାଙ୍କ ମେଳେ

ସମ୍ଭୁତ ବିଗତର କୋଳେ

ନିଶ୍ଚଳ ଚିତ୍ତେ ଦୃଢ଼ବ୍ରତେ

ଏ ତିନିଲୋକେ ଭ୍ରମେ ନିତ୍ୟେ

କୃଷ୍ଣର ଭାବେ ଭ୍ରମେ ନିତି

ମୋହର ଅଭ୍ୟାଗତ ରୀତି

କୃଷ୍ଣର ଭକ୍ତିଭାବ ଭୋଳେ

ମୁହିଁ ଗମଇ ଅନ୍ତରାଳେ

ଦେବଙ୍କ ମଧ୍ୟେ ମୁହିଁ ଥାଇ

ନୃତ୍ୟ କରଇ କୃଷ୍ଣ ଗାଇ

ଗାନ୍ଧାର ରାଗେ ବିଭୂଷଣା

ସାମରୁ ନାଦ ତିନିଗୁଣା

ଶୁଭେ ମୂର୍ଚ୍ଛିତ ନାଦ ବାଣୀ

ଆନନ୍ଦେ କୃଷ୍ଣ ନାମ ଗୁଣି

ନିରତେ ଭ୍ରମଇ ଜଗତେ

ଶୁଣ କହିବା ଆଉ ଯେତେ

ହରିର ଅଭୟ ଚରଣ

ଅଶେଷ ତୀର୍ଥର କାରଣ

ସେ ପଦ କଲି ସୁମରଣ

ଶୀଘ୍ରେ ମୋ ଚିତ୍ତେ ନାରାୟଣ

ଆଦିତ୍ୟ ତେଜ ପ୍ରାୟ ଦିଶେ

ଅଜ୍ଞାନତମ ବେଗେ ନାଶେ

ଏ ହରି ଚରିତର ଗୁଣ

ଭୋ ମୁନି ସାବଧାନେ ଶୁଣ

ଭବ ସାଗରେ ଯେତେ ନରେ

ଆରତ ଚିତ୍ତେ ଅଭ୍ୟନ୍ତରେ

ବିଷୟ ରସେ ସୁଯନ୍ତ୍ରିତ

କେବେହେଁ ନୁହେଁ ଶୁଦ୍ଧ ଚିତ୍ତ

ଇଛନ୍ତି ଭବସିନ୍ଧୁ ଗର୍ଭେ

ସେ ନରେ କେମନ୍ତେ ତରିବେ

କୃଷ୍ଣର ଗୁଣଗାଥା ଘୋଷି

ଆନନ୍ଦ ଭାବେ ଯେହୁ ରସି

ହେଳେ ତରନ୍ତି ଗୁଣ ଗାଇ

ଅନ୍ୟଥା ସୁଖ ଲେଶ ନାହିଁ

ଯମ ନିୟମ ଯୋଗ ପଥେ

ଯେ ନର ସାଧେ ଅବିରତେ

ଏମାନ ପାଇବ ସେ କାହିଁ

ଯେବେ ଗୋବିନ୍ଦେ ଭାବ ନାହିଁ

ଶୁଣ ହେ ସତ୍ୟବତୀ ସୁତ

ଯେ ପୂର୍ବେ ମୋହର ଚରିତ

ମୋ ଜନ୍ମକର୍ମ ସଙ୍ଗେ ଯେତେ

କହିଲି ତୁମ୍ଭର ଅଗ୍ରତେ

କହଇ ଦାସ ଜଗନ୍ନାଥ

ପ୍ରଥମ ସ୍କନ୍ଧେ ଭାଗବତ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ବ୍ୟାସ-ନାରଦ-ସମ୍ୱାଦେ ନାମ

ଷଷ୍ଠୋଽଧ୍ୟାୟଃ ॥

•••

 

ସପ୍ତମ ଅଧ୍ୟାୟ

 

ଶୌନକ ଉବାଚ

ବ୍ୟାସଙ୍କୁ ଛାଡ଼ି ଗଙ୍ଗାକୂଳେ

ନାରଦ ଗଲେ ଯେତେବେଳେ

ଚିତ୍ତେ ସଂଶୟ ଯେତେ ଥିଲା

ନାରଦ ବାକ୍ୟେ ଦୂର ଗଲା

ସେ ସର୍ବ ଗୁଣେ ଅଧିକାରୀ

ନାରଦ ବାକ୍ୟ ଚିତ୍ତେ ଧରି

ପୁଣି କି କଲେ ପୁଣ୍ୟଦେହା

କହ ଆମ୍ଭଙ୍କୁ ଯେବେ ଦୟା

ଏମନ୍ତ ମୁନିଙ୍କ ପ୍ରସନ୍ନେ

କୃଷ୍ଣ ମହିମା ଗୁଣି ମନେ

ଶ୍ରୀ ସୂତ ଉବାଚ

ସୂତ କହନ୍ତି ତୋଷ ଚିତ୍ତେ

ମୁନି ଜନଙ୍କର ଅଗ୍ରତେ

ସେ ବ୍ରହ୍ମ ନଦୀର ପଶ୍ଚିମେ

ଆଶ୍ରମ ଶମ୍ୟାପ୍ରାସ ନାମେ

ଯହିଁ ଅଶେଷ ମୁନିଜନ

ଏଣୁ ଅନେକ ଯଜ୍ଞସ୍ଥାନ

ମଧ୍ୟେ ବଦରି ବନ ନାମ

ବ୍ୟାସଙ୍କ ନିୟତ ଆଶ୍ରମ

ସେ ବନେ ସରସ୍ୱତୀ ଜଳେ

ସ୍ନାହାନ ସାରି ପ୍ରାତଃ କାଳେ

କୃଷ୍ଣ ମହିମା ଚିନ୍ତି ମନେ

ମୁନି ବସିଲେ ଯୋଗଧ୍ୟାନେ

ନିର୍ମଳ ମନେ ଧ୍ୟାନକରି

ତକ୍ଷଣେ ପ୍ରଭୁ ନରହରି

ମାୟା ସଂଯୋଗେ ହେଲେ ଦୃଶ୍ୟ

ଯେ ପୂର୍ବେ ପୁରାଣ ପୁରୁଷ

ଯେ ମାୟା ତ୍ରିଗୁଣେ ଜଡ଼ିତ

ଅଜ୍ଞାନେ ଜୀବ ମୋହଗ୍ରସ୍ତ

ଅସତ୍ୟ ସତ୍ୟ ପ୍ରାୟେ ମଣେ

ଆତ୍ମାର ଗତି ନ ପ୍ରମାଣେ

ତାହାକୁ ଉଦ୍ଧରିବା ଅର୍ଥେ

ଶ୍ରୀକୃଷ୍ଣ ଭକ୍ତି ଯୋଗ ପଥେ

ରଚିଲେ ଭାଗବତ ବାଣୀ

ଏ ଜୀବ ତରେ ଯାହା ଶୁଣି

ଭକତି କଲେ କୃଷ୍ଣପାଦେ

ନ ପଡ଼େ ଲୋକ ମୋହ ବାଦେ

ସଂହିତା କରି ହରିବାଣୀ

ଶୋଧନ କରି ତାକୁ ପୁଣି

ସ୍ୱଭାବେ ତାକୁ ନିଜ ସୁତେ

ହରଷେ ଦେଲେ ଭାଗବତେ

ବଶେଷ ଗୋବିନ୍ଦ ପ୍ରସନ୍ନେ

ମାୟା ନ ଲାଗେ ଯାର ମନେ

ଏମନ୍ତ ସତ୍ୟ ବାକ୍ୟ ଶୁଣି

ମୁନି ସକଳେ ମନେ ଗୁଣି

ମନ ସଂଶୟେ ଖେଦ ବହି

କହନ୍ତି ସୂତ ମୁଖ ଚାହିଁ

ଶୌନକ ଉବାଚ

ମାୟା ନ ଲାଗେ ଯାର ଚିତ୍ତେ

କି ପ୍ରୟୋଜନ ତାର ଗ୍ରନ୍ଥେ

ଶୁକ ସ୍ୱଭାବେ ଆତ୍ମାରାମ

ତାହାର ଗ୍ରନ୍ଥେ କିମ୍ପା ଶ୍ରମ

ତାହାର ଅର୍ଥେ ବ୍ୟାସସୁତ

ଅଭ୍ୟାସ କଲେ ଭାଗବତ

ନିର୍ଲେପ ଯୋଗୀ ସେ ଜଗତେ

ସଂଶୟ ଲାଗେ ଆମ୍ଭ ଚିତ୍ତେ

ଶୁଣି ସଂଶୟ ମୁନି କଥା

କହନ୍ତି ସୂତ ବ୍ରହ୍ମବେତ୍ତା

ଶ୍ରୀ ସୂତ ଉବାଚ

ସ୍ୱଭାବେ ମୁନିଙ୍କର ଚିତ୍ତ

ଗ୍ରନ୍ଥରେ ନୁହଇ ଗ୍ରନ୍ଥିତ

ତଥାପି ଅକିଞ୍ଚନ ପଣେ

ଭଜନ୍ତି ଗୋବିନ୍ଦ ଚରଣେ

ଯେଣୁ ସକଳ ଭୂତେ ହରି

ପରମାନନ୍ଦ ରୂପେ ପୂରି

ତେଣୁ ଭକ୍ତି ଯେ ଅତିରେକ

କହନ୍ତି ଏକକୁ ଆରେକ

ସେ ଶୁକମୁନି ଶୁଦ୍ଧ ଚେତା

ନିତ୍ୟେ ଅଭ୍ୟାସ କୃଷ୍ଣ କଥା

ଭକତ ଜନ ପୁଣ୍ୟ ଅର୍ଥେ

ତାହାଙ୍କ ଜନ୍ମ ଏ ଜଗତେ

ଏବେ ହୋ ଶୁଣ ବିପ୍ରଜନେ

ହରି ଚରିତ ସାବଧାନେ

ଭକତ ପରୀକ୍ଷିତ କଥା

ପଣ୍ତୁ ତନୟଙ୍କ ବ୍ୟବସ୍ଥା

କୁରୁପାଣ୍ତବ ଯୁଦ୍ଧ ଅର୍ଥେ

ବୀରେ ମିଳିଲେ ବୀର ପଥେ

ଭୀମର ଗଦାଘାତ ବାଜି

ଦୁର୍ଯ୍ୟୋଧନର ଜାନୁ ଭାଜି

ପଳାଇଗଲା ପ୍ରାଣ ଡରେ

ପଶିଲା ବ୍ୟାସ ସରୋବରେ

ଏମନ୍ତେ ହୋଇଲା ରଜନୀ

ଭୟେ ମିଳଇ କୁରୁମଣି

କାନ୍ଦଇ ଜୀବନ ବିକଳେ

ଦ୍ରୋଣ ନନ୍ଦନ ଦେଖି ଡୋଳେ

କହଇ ରାଜା ମୁଖ ଚାହିଁ

ମୋତେ ଯେ ନ ବରିଲୁ ତୁହି

ଯୁଦ୍ଧେ ସକଳ ବୀର ମାରି

ଏ ଭୂମି ଅପାଣ୍ତବା କରି

ତୋତେ ବସାନ୍ତି ରାଜକୁଳେ

ଅଖଣ୍ତ ଅବନୀ ମଣ୍ତଳେ

ଶୁଣି କହଇ ନୃପବର

ଏବେ ତୁ ଅପାଣ୍ତବା କର

ଏବେ ବରିଲି ସେନାପତି

ଫେଡ଼ ତୁ ମୋହର ଦୁର୍ଗତି

ଏମନ୍ତ କହି ଅନ୍ଧବଳା

ତାହାର ହସ୍ତେ ଜଳ ଦେଲା

ଦ୍ରୋଣ କୁମର ବେଗେ ଉଠି

ଧନୁକୁ ଧରି ଦୃଢ଼ ମୁଷ୍ଟି

ମନ୍ତ୍ରିଣ ନାରାଚ ପେଷିଲା

ପାଣ୍ଡବ ଗୃହେ ସେ ପଡ଼ିଲା

ଦ୍ରୌପଦୀ ପଞ୍ଚ ସୁକୁମରେ

ଶୋଇ ଯେ ଥିଲେ ଅନ୍ତଃପୁରେ

ପଡ଼ି କାଟିଲା ତାଙ୍କ ଶିର

ଶବଦ କଲା ମହାଘୋର

ଶୁଣି କମ୍ପିଲେ ଦିଗପାଳ

ପୂରିଲା ଭୂମି ଅନ୍ତରାଳ

ଅତି ଅନୀତି କର୍ମ କଲା

ବିଧାତା ବଳେ ଦ୍ରୋଣବଳା

ଦ୍ରୌପଦୀ ଶୟନ ଉପେକ୍ଷି

ପୁତ୍ର ମରଣ ଦେଖି ଦୁଃଖୀ

ବିକଳେ କରଇ ରୋଦନ

ତା ପାଶେ ଥିଲା ଯେ ଅର୍ଜ୍ଜୁନ

ଅନେକ ଶାନ୍ତ ବାକ୍ୟ କହି

କହେ ଦ୍ରୌପଦୀ ମୁଖ ଚାହିଁ

ଦ୍ରୋଣ କୁମର ଶିର ବାଣେ

କାଟି ସ୍ଥାପିବି ତୋ ଚରଣେ

ତେବେ ହରିବି ତୋର ଶୋକ

ତୁ ଏବେ ସ୍ଥିର ଚିତ୍ତେ ଦେଖ

ଏମନ୍ତେ ମଧୁର ବଚନେ

ଶାନ୍ତି କରାଇ ତାର ମନେ

ଯାର ସାରଥି ଭଗବାନ

କେ ତାରେ କରେ ଅପମାନ

ଗାଣ୍ତୀବ ଧନୁ ଧରି ହସ୍ତେ

ବସିଲା କପିଧ୍ୱଜ ରଥେ

ବେଗେ ଧାଇଁଲା ସଜ ହୋଇ

ଦେବେ ଗଗନେ ଛନ୍ତି ଚାହିଁ

ଅର୍ଜ୍ଜୁନ ଦେଖି ଦ୍ରୋଣ ବଳା

କାତରେ ହୃଦୟ କମ୍ପିଲା

ବେଗେ ପଳାଇ ଭୂମିଗତେ

ପଶିଲା ଗହନ ବନସ୍ତେ

ପଶି ପଳାଏ ଘୋର ବନେ

ଅନ୍ଧକ ରୁଦ୍ର ଡରେ ଯେହ୍ନେ

କାତରେ ଚାରିଦିକ ଚାହିଁ

ତାର ରକ୍ଷକ ଅଛି କାହିଁ

ତକ୍ଷଣେ ଜଳେ ସ୍ନାନକରି

ବ୍ରହ୍ମ ଅସ୍ତ୍ରକୁ ଯେ ସୁମରି

ସଂହାର ନ ଜାଣି ତାହାରେ

ପେଶିଲା ଅର୍ଜ୍ଜୁନ ଉପରେ

ସ୍ୱଭାବେ ବ୍ରହ୍ମରାଶି ନାମ

ବିରାଜେ ତେଜେ ରବି ସମ

ତାର ପ୍ରଚଣ୍ତ ରୂପ ଚାହିଁ

କମ୍ପଇ ଅର୍ଜ୍ଜୁନର ଦେହୀ

ଶସ୍ତ୍ରର ତେଜେ ଭୟ କଲା

ଗୋବିନ୍ଦ ମୁଖକୁ ଚାହିଁଲା

ପଡ଼ି ଅଭୟ ପାଦ ତଳେ

କହଇ ଜୀବନ ବିକଳେ

ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱର

ଶରଣ ଜନଙ୍କ ସୋଦର

ସଂସାର ଦୁର୍ଜ୍ଜୁନ ଦହନ

ଭୟ କରନ୍ତି ତୋତେ ଜନ

ଯାହାକୁ ଦେଇ ମୋକ୍ଷ ଗତି

ଅଭୟ ବ୍ରହ୍ମେ ସେ ପଶନ୍ତି

ଆଦି ପୁରୁଷ ନିରଞ୍ଜନ

ପ୍ରକୃତି ପରେ ତୁ କାରଣ

ଏ ଜୀବ ଲୋକେ ତୋର ମାୟା

ତୁଟଇ ଯାରେ କରୁ ଦୟା

ଏ ଯେ ତୋହର ଅବତାର

ଖଣ୍ତିବ ଅବନୀର ଭାର

ତୋରେ ଶରଣ ଯେ ପଶଇ

ସଂସାର ତାକୁ ନ ଲାଗଇ

ଏଣୁ ତୋହର ଗତି ମୁହିଁ

ତୋ ମାୟାବଳେ ନ ଜାଣଇ

ଏ ଯେ ଧାମଇଁ ବ୍ରହ୍ମଶର

ତେଜେ ଆଚ୍ଛାଦି ତିନିପୁର

ସ୍ୱଭାବେ ପ୍ରଚଣ୍ତ ଦାରୁଣ

ଦେଖି କମ୍ପଇ ମୋର ପ୍ରାଣ

କହ କି କରିବି ଗୋସାଇଁ

ତୋ ବିନୁ ଅନ୍ୟ ଗତି ନାହିଁ

ଅର୍ଜୁନ ବାକ୍ୟ ଶୁଣି ହସି

କହନ୍ତି ପ୍ରଭୁ ବ୍ରହ୍ମରାଶି

ଶ୍ରୀ ଭଗବାନୁବାଚ

ଜୀବନ ଡରେ ଦ୍ରୋଣ ବଳା

ଅତି ମାନୁଷ କର୍ମ କଲା

ମନ୍ତ୍ର ନ ଜାଣଇ ସଂହାରେ

ବେଗେ ପଶିଲା ପ୍ରାଣ ଡରେ

ଏହା ନିବାରେ ଶସ୍ତ୍ର ନାହିଁ

କେହି ନ ଜାଣେ ଦେହ ବହି

ତୁ ଯେ ସକଳ ମନ୍ତ୍ର ଜାଣୁ

ଚଞ୍ଚଳ ଚିତ୍ତେ ନ ପ୍ରମାଣୁ

ଶ୍ରୀ ସୂତ ଉବାଚ

ଶୁଣି ଗୋବିନ୍ଦ ମୁଖୁଁ ବାଣୀ

ଅର୍ଜ୍ଜୁନ ମନେ ମନେ ଗୁଣି

ତକ୍ଷଣେ ଆଚମନ ସାରି

ମନେ ସୁମରି ନରହରି

ଦ୍ରୋଣଙ୍କ ତହୁଁ ଅଛି ଜାଣି

ଭାବେ କହିଲେ ଚକ୍ରପାଣି

ବ୍ରହ୍ମଶରକୁ ବ୍ରହ୍ମଶର

ଶୂନ୍ୟେ ପେଶିଲା ବୀରବର

ଗଗନ ମାର୍ଗେ ବେନି ଶରେ

ଭୂମି ଆକାଶ ଅଭ୍ୟନ୍ତରେ

ଅର୍କ ଅନଳ ପ୍ରାୟେ ଦିଶି

ବଢ଼ିଲା ଦଶଦିଶ ଗ୍ରାସି

ସେ ବେନି ଶସ୍ତ୍ର ତେଜୋରାଶି

ପ୍ରଳୟାନଳ ପ୍ରାୟେ ଦିଶି

ଦହିଲା ପ୍ରାୟେ ତ୍ରିଭୁବନ

ତା ଦେଖି ଚକିତ ଅର୍ଜ୍ଜୁନ

କୃଷ୍ଣ କହିଲେ ଶୁଣ ବୀର

ଶସ୍ତ୍ରେ ଏ ଶସ୍ତ୍ରକୁ ସଂହର

ଯହୁଁ କହିଲେ ଚକ୍ରପାଣି

ତକ୍ଷଣେ ସଂହାରିଲେ ଆଣି

ରଥୁଁ ଓହ୍ଲାଇ ମହାରୋଷେ

ଧଇଲେ ଅଶ୍ୱତ୍‌ଥାମା କେଶେ

ପ୍ରଚଣ୍ତ ରୂପେ ଶିର ଝୁଣି

ଆକର୍ଷି ପାତିଲା ଧରଣୀ

କର ଚରଣ ତନୁ ଛନ୍ଦେ

ବେଗେ ବାନ୍ଧିଲା ମାଲ ବନ୍ଧେ

ଚରଣ ପାଶକୁ ସୁମରି

ପଶୁଙ୍କ ପ୍ରାୟେ ବନ୍ଦୀ କରି

ରଥ ଦଣ୍ତରେ ବାନ୍ଧି ଆଣି

ଦେଖି କହନ୍ତି ଚକ୍ରପାଣି

ଏ ବ୍ରହ୍ମବନ୍ଧୁ ବହ୍ମଦ୍ରୋହୀ

ଏହାକୁ ଦଣ୍ତେ ହେଁ ନ ଥୋଇ

ମନେ ତୁ ଅନ୍ୟ ନ ବିଚାର

ବେଗେ ଏହାର ପ୍ରାଣ ହର

ନିର୍ଦ୍ଦୋଷ ବାଳକ ଶୟନେ

ଥିଲେ ଯେ ମୁଦ୍ରିତ ଲୋଚନେ

ଏ ନାଶ କଲା ତାଙ୍କ ପ୍ରାଣ

ଏବେ କହିବା ପାର୍ଥ ଶୁଣ

ମତ୍ତ ପ୍ରମତ୍ତ ଉନମତ୍ତ

ବାଳ ବନିତା ନିଦ୍ରାଗତ

ଶରଣାଗତ ରଥ ହୀନ

ସଂଗ୍ରାମେ ଦେଖି ରିପୁଜନ

ଏହାଙ୍କୁ ବଧ ଯେ କରନ୍ତି

ଜୀବନ ଥାଉ ସେ ମରନ୍ତି

ପର ଜୀବନ ମାରି ଆଣି

ଆତ୍ମାକୁ ପୋଷେ ଯେଉଁ ପ୍ରାଣୀ

ତାର ମରଣେ ହୁଏ ପୁଣ୍ୟ

ବେଦେ କହନ୍ତି ବିପ୍ରଜନ

ତୁ ଯେ ଦ୍ରୌପଦୀ ଆଗେ ରହି

ପ୍ରତିଜ୍ଞା କଲୁ ଦେହ ବହି

କହିଲୁ ନ କାନ୍ଦ ସୁନ୍ଦରୀ

ତୋର ରିପୁକୁ ମୁହିଁ ଧରି

ତାହାର ଶିର କାଟି ବେଗେ

ସ୍ଥାପିବି ତୋର ପାଦ ଯୁଗେ

ମୁହିଁ ଯେ ଶୁଣିଅଛି ଏହା

ଏବେ ରଖିଲୁ କରି ଦୟା

ବେଗେ ଏହାର ପ୍ରାଣ ହର

ନିମିଷେ ବିଳମ୍ବ ନ କର

ଏ ପାପୀ ଆତତାୟୀ ନର

ବାଳକ ହନ୍ତା ଏ ତୁମ୍ଭର

ଯାହା ଆଶ୍ରୟେ ଭୋଗ କଲା

ତାର ବିପଦ ଏ ଚିନ୍ତିଲା

ଏଣୁ ଯେ ଗଣା ପଶୁଗଣେ

ନିତ୍ୟ ବଞ୍ଚଇ ଘୋର ବଣେ

ଏମନ୍ତ ଧର୍ମ ପରିଚ୍ଛନ୍ନେ

କୃଷ୍ଣ କହିଲେ ନାନା ଜ୍ଞାନେ

ଅର୍ଜ୍ଜୁନ ନ ଶୁଣଇ ତାହା

ଗୁରୁ ପୁତ୍ରଙ୍କୁ କରି ଦୟା

ତକ୍ଷଣେ ଉଠି ବୀର ପାର୍ଥ

ବନ୍ଧନ କରି ଗୁରୁ ପୁତ୍ର

ଦ୍ରୌପଦୀ ଆଗେ ନେଇ ଦେଲା

ତୋ ରିପୁ ସମ୍ଭାଳ ବୋଇଲା

ଦ୍ରୌପଦୀ ତାର ମୁଖ ଚାହିଁ

ତକ୍ଷଣେ ଚିତ୍ତେ ଦୟା ବହି

ପୁତ୍ରଙ୍କ ମୃତ୍ୟୁ ହେତୁ ଏ ତ

ସ୍ୱଭାବେ ଦ୍ରୋଣ ଗୁରୁ ସୁତ

ଅନ୍ତରେ ନମସ୍କାର କଲା

ଅର୍ଜ୍ଜୁନ ମୁଖକୁ ଚାହିଁଲା

ବୋଇଲା ବେନି କର ଯୋଡ଼ି

ବନ୍ଧନ ଦିଅ ବେଗେ ଫେଡ଼ି

ସ୍ୱଭାବେ ବିପ୍ର ଗୁରୁଜନ

ବିଶେଷେ ଗୁରୁଙ୍କ ନନ୍ଦନ

ରହସ୍ୟ ଧନୁର୍ବେଦ ଗ୍ରାମ

ବିସର୍ଗ ସଂହର ସଙ୍ଗମ

ସକଳ ଅସ୍ତ୍ରଶାସ୍ତ୍ର କଳା

ଯେ ଗୁରୁରୂପେ ଶିକ୍ଷା ଦେଲା

ସେହି ଯେ ପୁତ୍ରରୂପେ ଜାତ

ଆତ୍ମାରୁ ଆପଣେ ସମ୍ଭୂତ

ସ୍ୱାମୀର ତହୁଁ ଅଧେ ଘେନି

ଜଗତେ ଏହାର ଜନନୀ

ଏ ତୋର ଧର୍ମ ଗୁରୁକୁଳ

ଏହାକୁ ଭଲେ ପ୍ରତିପାଳ

ଏହାର ଗୌତମୀ ଯେ ମାତା

ସେ ପୁଣ୍ୟବତୀ ପତିବ୍ରତା

ରୋଦନ ନ କରୁ ଯେ ଦୁଃଖେ

ମୋହରି ପରି ପୁତ୍ର ଶୋକେ

କ୍ଷତ୍ରିୟ ଯେବେ ମୂଢ଼ପଣେ

କୋପ କରଇ ବିପ୍ରଗଣେ

ସେ କୋପେ ନିଜ କୁଳ ଦହେ

ଏଣୁ କେ ବିପ୍ରେ ହିଂସା ବହେ

ଶ୍ରୀ ସୂତ ଉବାଚ

ଦ୍ରୌପଦୀ ଧର୍ମନିଷ୍ଣା ବାଣୀ

ହରଷେ ଯୁଧିଷ୍ଠିର ଶୁଣି

ମଉନେ କିଛି ନ କହିଲେ

ସେ ଧର୍ମ ଅନ୍ତରେ ଜାଣିଲେ

ଶୁଣି ସକଳ ସହଦେବ

ସାତ୍ୟକି ଅର୍ଜ୍ଜୁନ ପାଣ୍ତବ

ଦେବକୀ ପୁତ୍ର ଆଦିକରି

କୁନ୍ତୀ ସମେତ ଯେତେ ନାରୀ

ସେଠାରେ ଯେତେ ଜନ ଥିଲେ

ଏ କଥା ସମର୍ଥନ କଲେ

ଏହାଙ୍କ ମଧ୍ୟେ ଭୀମସେନ

କ୍ରୋଧରେ ବୋଲଇ ବଚନ

କୋପେ ଅନାଇ କୃଷ୍ଣ ମୁଖେ

କହଇ ଅତି ମନ ଦୁଃଖେ

ତୀକ୍ଷ୍‌ଣ ଖଡ଼ଗେ କାଟି ଶିର

ଏହାକୁ ନରକୁଁ ଉଦ୍ଧର

କି ପ୍ରୟୋଜନ କିସ ଅର୍ଥେ

ଏ ପାପୁଁ ତରିବ କେମନ୍ତେ

ଶୟନେ ଶିଶୁ ବଧ କଲା

ସ୍ୱଭାବେ ବଞ୍ଚୁ ବଞ୍ଚୁ ମଲା

ଦ୍ରୌପଦୀ ତୁଲେ ଚକ୍ରପାଣି

ଏ ଧର୍ମ ଭୀମ ମୁଖୁଁ ଶୁଣି

ଅଳପ ହସି ଭାବଗ୍ରାହୀ

କହନ୍ତି ଅର୍ଜ୍ଜୁନଙ୍କୁ ଚାହିଁ

ଶ୍ରୀ ଭଗବାନୁବାଚ

ମରଣ ଉଚିତ ଏହାର

ୟାକୁ ନ ରଖ ବୀରବର

ଯେ ଆତତାୟୀ କର୍ମ କରେ

ଅଧର୍ମ ଯୁଦ୍ଧେ ଶସ୍ତ୍ର ଧରେ

ଜୀବନ ଥାଉଁ ସେ ମରନ୍ତି

ଅନ୍ତେ ନରକେ ପଡ଼ନ୍ତି

ଏବେ ମୋହର ବୋଲ କର

ଯେ ଧର୍ମ ଉଚିତ ଏହାର

ଦ୍ରୌପଦୀ ପୁତ୍ର ଶୋକ ବେଳେ

ତୁ ଯେ କହିଲୁ ଅବହେଳେ

ତୋହର ପୁତ୍ର ଶତ୍ରୁ ମାରି

ଶିରେ ଚରଣ ପୂଜା କରି

ଖଣ୍ତିବ ପୁତ୍ର ଶୋକ ତେବେ

ମୋର ବଚନ କର ଏବେ

ଶସ୍ତ୍ର ଏହାର ତେଜ ହର

ଜୀବନ ମୃତ ପ୍ରାୟେ କର

ଶାସ୍ତି ଲାଞ୍ଛନେ ଏ ବିହରୁ

ଏ ବିପ୍ର କେବେହେଁ ନ ମରୁ

ଶୋକ ନ ଥାଉ କୃଷ୍ଣା ଚିତ୍ତେ

ଏ କଥା କର ଭୀମ ମତେ

ଏକଥା ମୋହର ସମ୍ମତ

ଶୁଣି ଅର୍ଜ୍ଜୁନ କୃତକୃତ୍ୟ

ତକ୍ଷଣେ ଉଠି କୋପଭରେ

ତୀଦ୍‌ଣ ଖଡ୍‌ଗ ଘେନି କରେ

କେଶ ଧଇଲା ବାମହସ୍ତେ

ମଣି ଏ ଥିଲା ତାମ ମାଥେ

ଖଡ଼୍‌ଗ ଯେ ଘେନି ଦୃଢ଼ମୁଷ୍ଟି

ମଣି ସହିତେ ଶିଖା କାଟି

ଆଣି ସ୍ଥାପିଲା ବାହୁବଳେ

ଦ୍ରୌପଦୀ ଦେବୀ ପାଦତଳେ

ତକ୍ଷଣେ ବନ୍ଧନ ଫେଡ଼ିଲା

ଦ୍ରୌପଦୀ ତା ମୁଖ ଚାହିଁଲା

ବାଳକ ହତ୍ୟା ଦୋଷେ ଛନ୍ନ

ମଳିନ ଦିଶେ ତା ବଦନ

ମଣି ହରଣେ ତେଜ ଗଲା

ନଗରୁ ବେଗେ ପଳାଇଲା

ବେଶ ବିବେଶ କରି ହରି

ତାକୁ ବାହାର ଦେଶୁଁ କରି

ବ୍ରାହ୍ମଣ ପ୍ରାଣେ ଏହିମତେ

ମରଣ ଲଭନ୍ତି ଜୀବନ୍ତେ

ଦ୍ରୋଣ କୁମରେ ଶାସ୍ତି ଦେଇ

ଜ୍ଞାତି ବାନ୍ଧବ ରୁଣ୍ତ ହୋଇ

ସର୍ବେ ଆକୁଳ ପୁତ୍ର ଶୋକେ

ବାଳକେ ଘେନି ଏକେ ଏକେ

ଦହନ କଲେ ଦୁଃଖ ମନେ

ଏବେ ହୋ ଶୁଣ ମୁନିଜନେ

ସୁଜନ ହିତେ ଭାଗବତ

ଭିଆଇ ରସମୟ ଗୀତ

ପ୍ରଥମସ୍କନ୍ଧ ଭାଗବତେ

ସୁଜନ ଜନଙ୍କର ହିତେ

ଅମୃତ କୃଷ୍ଣର ଚରିତ

କହଇ ବିପ୍ର ଜଗନ୍ନାଥ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ଦ୍ରୌଣିଦଣ୍ଡେ ନାମ

ସପ୍ତମୋଽଧ୍ୟାୟଃ ।

•••

 

ଶ୍ରୀମଦ୍‌ ଭାଗବତ ପ୍ରଥମ ସ୍କନ୍ଧ

ଅଷ୍ଟମ ଅଧ୍ୟାୟ

 

ଶ୍ରୀ ସୂତ ଉବାଚ

କହନ୍ତି ସୂତ ବ୍ରହ୍ମବେତତ୍ତା

ଶୁଣ ହୋ ମୁନି ଶୁଦ୍ଧଚେତା

ସକଳେ ମିଳି ଦୁଃଖ ଶୋକେ

ମିଳିଲେ ଗଙ୍ଗାର ଉଦକେ

ମୃତ୍ୟୁ ଉଦକ ଦାନ ଅର୍ଥେ

ଦ୍ରୌପଦୀ କୁନ୍ତୀର ସମେତେ

ଅପରେ ଯେତେ ନାରୀଗଣେ

ସକଳ ଶୋକ ନିବାରଣେ

ଗଙ୍ଗାର ତୀରେ ଶୋକମନେ

ମିଳିଲେ ସର୍ବ ବନ୍ଧୁଜନେ

ଧର୍ମ ନନ୍ଦନ ଭୀମସେନ

ଅମ୍ବିକା ସୁତ ଯେ ଅର୍ଜୁନ

ଗାନ୍ଧାରୀ ସୁତ ଶୋକେ କାନ୍ଦି

ଧରଣୀ ଲୋଟିଲା ଦ୍ରୌପଦୀ

ଏମନ୍ତେ ସର୍ବେ ମନେ ଦୁଃଖୀ

କୁନ୍ତୀ କାନ୍ଦଇ ଅଶ୍ରୁମୁଖୀ

ବିକଳେ କରନ୍ତି ରୋଦନ

ପୁତ୍ର ମରଣ ଶୋକାଚ୍ଛାନ୍ନ

ବ୍ୟାସ ସମେତେ ସର୍ବ ମୁନି

କୃଷ୍ଣ ବସିଲେ ସଙ୍ଗେ ଘେନି

ଧର୍ମ ପୁରାଣ ଇତିହାସେ

ମୁନି ଯେ କରନ୍ତି ବିଶ୍ୱାସେ

ମିଥ୍ୟା ସଂସାରେ ବିଷ୍ଣୁ ମାୟା

କେ ସତ୍ୟ କରିପାରେ ଏହା

କାଳର କ୍ରୀଡ଼ା ଏ ଜଗତ

କାଳକୁ କେ ଅଛି ସମର୍ଥ

ସୃଜି ପାଳଇ ପୁଣ ହରେ

କାଳ କ୍ରୀଡ଼ଇ ଏ ସଂସାରେ

ତାହାର ପ୍ରିୟାପ୍ରୀତି ନାହିଁ

ମିଛ ଏ ସତ ବୋଲି ହୋଇ

ଶୋକ ହରିଲେ ନାରାୟଣ

ଏବେ ହୋ ମୁନିଗଣ

ଦୁଷ୍ଟ ରାଜାଏ ସଙ୍ଗେ ଥିଲେ

ମନେ କୁତର୍କ ଭାବ ବଳେ

ତାହାଙ୍କୁ ପ୍ରଭୁ ମାୟା କରି

ଅର୍ଜ୍ଜୁନ ଗାଣ୍ତୀବେ ସଂହାରି

ଯୁଧିଷ୍ଠିରଙ୍କୁ ରାଜ୍ୟ ଦେଲେ

ଅବନୀ ଭାରା ନିବାରିଲେ

ଉତ୍ତମ ତିନି ଅଶ୍ୱମେଧ

କରାଇ ସକଳ ସମ୍ପଦ

ରାଜାର ନାମ ମହୀତଳେ

ଇନ୍ଦ୍ରର ପ୍ରାୟେ ସମ୍ପାଦିଲେ

ପାଣ୍ତୁ ପୁତ୍ରଙ୍କୁ କରି ଭାବ

ସଙ୍ଗତେ ସାତ୍ୟକି ଉଦ୍ଧବ

ବ୍ୟାସ ସଙ୍ଗତେ ଯେତେ ମୁନି

କୃଷ୍ଣ ପୂଜିଲେ ଭାବ ଘେନି

ସନ୍ତୋଷେ ସର୍ବ ମୁନିଗଣେ

ପୂଜିଲେ ଶ୍ରୀକୃଷ୍ଣ ଚରଣେ

ତାହାଙ୍କୁ ମାଗି ଅନ୍ୟ ଯାନ

ରଥେ ସାଜିଲେ ଭଗବାନ

ଦ୍ୱାରକା ଯିବେ ନରହରି

ବାଜଇ ମଙ୍ଗଳ ମହୁରୀ

ଏବେ ହୋ ଶୁଣ ସର୍ବ ମୁନି

ଉତ୍ତରା ବିରାଟ ନନ୍ଦନୀ

ଥିଲା ଯେ ଅଭିମନ୍ୟୁ ଅନ୍ତେ

ପତି ମରଣେ ଶୋକ ଚିତ୍ତେ

ବିଧିରେ ତାର ଗର୍ଭବାସ

କୁନ୍ତୀ ଦ୍ରୌପଦୀ ମନତୋଷ

ତାର ଗର୍ଭକୁ କୋପ କଲା

କାନନେ ଦ୍ରୋଣଗୁରୁ ବଳା

ଅର୍ଜ୍ଜୁନ ହସ୍ତେ ଦଣ୍ତ ପାଇ

ଲୁଚିଲା ଘୋରବନେ ଯାଇ

ସହି ନ ପାରି ଅଭିମାନେ

କୋପ ବସିଲା ତାର ମନ

ସଙ୍କଳ୍ପ କରି ଗଙ୍ଗାଜଳେ

ଧନୁକୁ ଧରି କୋପାନଳେ

ମନ୍ତ୍ର ଉଚ୍ଚାରି ବ୍ରହ୍ମଶର

କହଇ ଦ୍ରୋଣଙ୍କ କୁମର

ତୁ ଯେ କଠୋର ଶସ୍ତ୍ରବର

ଅବନୀ-ଅପାଣ୍ତବା କର

ଏମନ୍ତେ ପେଶିଲା ନାରାଚ

ଗଗନ ଯେହ୍ନେ ରବି ତେଜ

ବିଶ୍ୱ ଆକାଶ ଆବୋରିଲା

ତା ତେଜେ ଭୁବନ କମ୍ପିଲା

ଗଗନ ଘୋଟି ସେ ଆସଇ

ଦେଖି ଉତ୍ତରା ଭୟ ପାଇ

ଧାମଇ ପ୍ରାଣର ବିକଳେ

କେଶ ବସନ ଅସମ୍ଭାଳେ

ବିକଳେ ବେନି କର ତୋଳି

ଡାକଇ ରଖ ବନମାଳୀ

ହେ ଦେବ ଦେବ ଜଗନ୍ନାଥ

ଭାରା ନିବାରେ ତୋର ଜାତ

ଅନାଥ ନାଥ ଭାବଗ୍ରାହୀ

ଘୋର ସଙ୍କଟୁ କର ତ୍ରାହି

ତୋ ତହୁଁ ନ ଜାଣଇ ଆନ

ନିର୍ଭୟ ସଙ୍କଟ ଭଞ୍ଜନ

ଏ ଯେ ଗଗନ ମାର୍ଗେ ଶର

ଆସଇ ଯେହ୍ନେ ଦିବାକର

ପାଣ୍ତବ କୁଳ ଏ ହରିବ

ଏହାକୁ କେବା ନିବାରିବ

ତୋର ଶରଣ ଗଲି ମୁହିଁ

ହେ ପ୍ରଭୁ ରଖ ଭାବଗ୍ରାହୀ

ଏ ଗର୍ଭ ରବିତଳେ ଥାଉ

ମୋର ଜୀବନ ବାଣ ଦହୁ

ଉତ୍ତରା ବାକ୍ୟ କର୍ଣ୍ଣେ ଶୁଣି

ଜାଣିଲେ ପ୍ରଭୁ ଚକ୍ରପାଣି

ଦ୍ରୋଣ କୁମର ଅପମାନେ

ଲୁଚି ଯେ ଥିଲା ଘୋରବନେ

ମନ୍ତ୍ରି ନାରାଚ ବ୍ରହ୍ମଶର

ପ୍ରହାର କରି କୋପଭର

ମେଦିନୀ ଅପାଣ୍ତବ କର

ମୁହିଁ କରିବି ପ୍ରତିକାର

ଏମନ୍ତ କୃଷ୍ଣ ମୁଖୁ ଶୁଣି

ଅର୍ଜ୍ଜୁନ ନିଜ ଧନୁ ଆଣି

ସୂର୍ଯ୍ୟର ପ୍ରାୟ ଏକେ ଏକେ

ପଞ୍ଚ ନାରାଚ ଶସ୍ତ୍ର ମୁଖେ

ମାରି ଚାହିଁଲା କୃଷ୍ଣ ମୁଖ

ଅନ୍ତେ କହଇ କୃଷ୍ଣ ରଖ

ତାହା ଜାଣିଲେ ନରହରି

ତକ୍ଷଣେ ଚକ୍ରକୁ ସୁମରି

ବୋଇଲେ ଶୁଣ ସୁଦର୍ଶନ

ରଖ ତୁ ପାଣ୍ତବ ଜୀବନ

ବେଗେ ସେ କୃଷ୍ଣ ଆଜ୍ଞା ପାଇ

ଯହିଁ ପାଣ୍ତବ ପାଞ୍ଚ ଭାଇ

ତାହାଙ୍କୁ ବେଗେ ଆବୋରିଲା

ଗୋବିନ୍ଦ କରେ ବିଜେ କଲା

ତକ୍ଷଣେ ଚକ୍ର କୃଷ୍ଣ ଧରି

ଉତ୍ତରା ଗର୍ଭକୁ ଆବୋରି

ସେ ମାୟାଧର ଚକ୍ରପାଣି

କେହୁ ପାରିବ ପରିମାଣି

ସ୍ୱଭାବେ ସେହି ବ୍ରହ୍ମଶର

ତାହାଙ୍କୁ ନାହିଁ ପ୍ରତିକାର

ବିଷ୍ଣୁ ତେଜରେ ତା ସଂହରି

ଗର୍ଭକୁ ରଖିଲେ ମୁରାରି

ଯାହାର ମାୟା ଏ ସଂସାରେ

ଉତ୍ପତ୍ତି ପାଳନ ସଂହାର

ସେ ବ୍ରହ୍ମଶସ୍ତ୍ର ଯହୁଁ ଗଲା

ପାଣ୍ତବେ ଗୋବିନ୍ଦ ରଖିଲା

ତକ୍ଷଣେ ପାଣ୍ତବ ଜନନୀ

କୃଷ୍ଣା ଉତ୍ତରା ସେଙ୍ଗ ଘେନି

ପାଞ୍ଚ ପୁତ୍ରଙ୍କୁ ଘେନି ଆଗେ

ପଡ଼ିଲା କୃଷ୍ଣ ପାଦ ଯୁଗେ

କାତରେ ଯୋଡ଼ି ବେନି ପାଣି

କଣ୍ଠ କୁଣ୍ଠିତେ କହେ ବାଣୀ

କୁନ୍ତୀ ଉବାଚ

କହଇ କୃଷ୍ଣ ମୁଖ ଚାହିଁ

ଭୋ ନାଥ କର ମୋତେ ତ୍ରାହି

ଭୋ ନାଥ ନମୁଁ ତୋ ପୟର

ଆଦି ପୁରୁଷ ବିଶ୍ୱେଶ୍ୱର

ପ୍ରକୃତି ପରେ ତୋର ବାସ

ତେଣୁ ପ୍ରାଣୀଙ୍କୁ ଅପ୍ରକାଶ

ଜନ୍ତୁଙ୍କ ଅନ୍ତରେ ବାହାରେ

ତୋ ବିନୁ ଅନ୍ୟ ନାହିଁ ପରେ

ଆଚ୍ଛାଦି ମାୟା ଯବନିକା

ଜୀବ ସ୍ୱରୂପେ ଥାଉ ଏକା

ଇନ୍ଦ୍ରିୟ ତୁଲେ ଭୋଗକରି

ଅବ୍ୟୟ ଆତ୍ମା ରୂପେ ପୂରି

ତୋହର ମାୟା ଯାର ଚିତ୍ତେ

ସେ ତୋତେ ଜାଣିବ କେମନ୍ତେ

ନଟଙ୍କ ମଧ୍ୟେ ଯେ ନାୟକ

ସେ ଯେହ୍ନେ ନାଟେ ମୋହେଲୋକ

ନାନା କାଚ୍ଛେଣି ସେ ଭିଆଇ

ନୃତ୍ୟକାରକୁ ଯେ ନଚାଇ

ଦେଖନ୍ତା ପ୍ରାଣୀ ମନ ମୋହେ

ସତ୍ୟ ବିଚାର କିଛି ନୁହେଁ

ପରମହଂସ ଦୀକ୍ଷା ଗୁଣେ

ନିର୍ମଳ ଚେତା ମୁନିଗଣେ

ଦୃଢ଼ ଭକତି ଯୋଗମତେ

ତୋ ପାଦେସେବା ଅବିରତେ

ଭକ୍ତି ଯୋଗର ଏ ବିଧାନ

କାହୁଁ ଦେଖିବ ଅନ୍ୟ ଜନ

ତୁ ନାଥ କୃଷ୍ଣ ଅବତାରେ

ପ୍ରକାଶି ବସୁଦେବ ଘରେ

ଦେବକୀ ଗର୍ଭରେ ସମ୍ଭୂତ

ତୋ ନାମ ବାସୁଦେବ ଖ୍ୟାତ

ସକଳ ଜନ୍ତୁ ହୃଦଗତେ

ତୋର ପ୍ରକାଶ ଆତ୍ମାମତ

କୁମାର ରୂପେ ନନ୍ଦଘରେ

ତୋର ବିଜୟ ଗୋପପୁରେ

ଇନ୍ଦ୍ର ବିବାଦେ ବନମାଳୀ

ପର୍ବତ ଗୋବର୍ଦ୍ଧନ ତୋଳି

ରଖିଲୁ ଗୋପର ସମ୍ପଦ

ଏଣୁ ଯେ ତୋ ନାମ ଗୋବିନ୍ଦ

ପ୍ରଳୟ ଜଳେ ତୋର ବାସ

ନାଭିରୁ ପଙ୍କଜ ପ୍ରକାଶ

ପଙ୍କଜ ମାଳା ତୋର ଗଳେ

ବିହରୁ ଭୁବନ ମଣ୍ତଳେ

ପଙ୍କଜ ଲୋଚନ ସୁନ୍ଦର

ନମଇଁ ପଙ୍କଜ-ପୟର

ଦେବକୀ ଦେବୀ କଂସ ଘରେ

ବନ୍ଦୀରେ ଥିଲା ଶୋକଭରେ

ମୁଁ ପଞ୍ଚପୁତ୍ର ଘେନି ଏବେ

ବନେ ବଞ୍ଚଇ ଦୁଃଖ ଭାବେ

ଦେବକୀ ପ୍ରାୟ ମୋତେ କରି

ଅଶେଷ ସଙ୍କଟୁ ଉଦ୍ଧରି

ଭୀମକୁ ବିଷ ଲଡ଼ୁ ଦେଲେ

ସେ ବେଳେ ତୁ ରଖିଲୁ ଭଲେ

ଜତୁର ଘରେ ଅଗ୍ନି ଜଳୁ

ରଖିଲୁ ପରମ ଦୟାଳୁ

ଜଳେ କୁମ୍ଭୀର ଆଦି ଯେତେ

ରାକ୍ଷସ ମିଳିଲେ ବନସ୍ତେ

ପଶାଖେଳରେ ରାଜ୍ୟ ହାରି

ନେଲେ ଦ୍ରୌପଦୀ କେଶ ଧରି

ବିବସ୍ତ୍ର କଲେ ସଭାତଳେ

ତହୁଁ ରଖିଲୁ ତେତେବେଳେ

ପୁଣି ଅଜ୍ଞାତ ବନବାସେ

ବନେ ବଞ୍ଚିଲୁ ନାନା କ୍ଲେଶେ

ଯୁଦ୍ଧେ ଦୁର୍ଜନ ବଳ ନାଶୁ

ତୁ ନାଥ ଆମ୍ଭଙ୍କୁ ଆଶ୍ୱାସୁ

ଦ୍ରୋଣ କୁମର ବ୍ରହ୍ମଶର

ତହିଁ ରଖିଲୁ ବଂଶ ମୋର

ଏଣୁ ବିପତ୍ତି ନ ରହଇ

ଯେ ମୁଖେ ତୋ ନାମ ଧରଇ

ତୋହର ଦରଶନ ଫଳେ

ଏ ଜୀବ ରହଇ ନିଶ୍ଚଳେ

ପରମ ମୋକ୍ଷ ଲଭେ ଦାସ

ତୁ ନାଥ ଭକ୍ତଙ୍କ ବିଶ୍ୱାସ

ଉତ୍ତମ କୁଳେ ଜନ୍ମ ହୋଇ

ବିଦ୍ୟା ସମ୍ପଦ ଯେବେ ଥାଇ

ବୁଡ଼ଇ ମତ୍ତଗର୍ବ-ଚିତ୍ତେ

ସେ ତୋତେ ଜାଣିବ କେମନ୍ତେ

ତୁ ନାଥ ଜଗତ ଜୀବନ

ଆଦି ପୁରୁଷ ନିରଞ୍ଜନ

ଭକ୍ତଜନଙ୍କ ଅର୍ଥେ ତୁହି

ପ୍ରକୃତି ତୋତେ ନ ଜାଣଇ

ତୁ ନାଥ ଆତ୍ମାରାମ ମତ

ନମଇଁ କୈବଲ୍ୟର ନାଥ

ତୁ ନାଥ କାଳରୂପ ହେଉ

ଅନାଦି ନିଧନ ବୋଲାଉ

ସମେ ତୁ ବସୁ ସର୍ବ ଦେହେ

ପ୍ରାଣୀଏ ତୋର ମାୟାମୋହେ

ଭଜନ୍ତି ଅନ୍ୟୋଅନ୍ୟ ଭାବେ

ବଳି ଯେସନେ କଳିଯୁଗେ

ତୋର ମହିମା କେ ଜାଣିବ

ଶରୀର ବହି ବ୍ରହ୍ମା ଶିବ

ତୋର ଚରିତ ଭଗବାନ

ଏ ନର ଲୋକେ ବିଡ଼ମ୍ବନ

ତେଣୁ ତୋ ରିପୁ ମିତ୍ର ନାହିଁ

ପ୍ରାଣୀ ଜାଣିବେ ତୋତେ କାହିଁ

ତୁ ବିଶ୍ୱମାୟା ନରହରି

ନିଜ ମାୟାରେ ଦେହ ଧରି

ପଶୁଙ୍କ ଘରେ ହେଉ ଜାତ

ଋଷିଙ୍କ ଘରେ ଋଷିସୁତ

ଜଳଜନ୍ତୁଙ୍କ ମଧ୍ୟେ ତୁହି

ବିହରୁ ମୀନରୂପ ବହି

ଏ କଥା ଲୋକେ ବିଡ଼ମ୍ବନ

ତୁ ଆତ୍ମା ଆଦି ନିରଞ୍ଜନ

ଦଧି ମନ୍ଥନ ବେଳେ ଧରି

ରୋଳେ ବାନ୍ଧିଲା ନନ୍ଦନାରୀ

ପଛେ ଲୁଚାଇ ଛୋଟ ଗୋଟି

ତା ଦେଖି ଭୂମିରେ ତୁ ଲୋଟି

ଚକ୍ଷୁ ରଞ୍ଜନ ଘଷି କରେ

କାନ୍ଦି ପଡ଼ିଲୁ ତା ପୟରେ

ତୋ ନାମ ଚିତ୍ତ ଭୟହର

କିମ୍ପା ତୋ ଯଶୋଦାକୁ ଡର

ତୁ ଦେବ ଯୋଗମାୟା ଅଂଶେ

ଜନ୍ମିଲୁ ଯଦୁରାଜ ବଂଶେ

ସ୍ୱଭାବେ ଜନ୍ମ ନାହିଁ ତୋର

ଯେଣୁ ଖଣ୍ଡିବୁ ଭୂମି ଭାର

ଏଣୁ କଳ୍ପନ୍ତି ସାଧୁଜନ

ମଳୟେ ଯେସନେ ଚନ୍ଦନ

ତୋ ଜନ୍ମ କରି ଅନୁମାନ

ଅପରେ ଯେତେ ସାଧୁଜନ

ବୋଲନ୍ତି ବସୁଦେବ ଘରେ

ଜନ୍ମିଲୁ ଭାରା ହରଣରେ

ପୂର୍ବେ କଠୋର ତପ କରି

ବର ମାଗିଲା ପୁତ୍ର ହରି

ତେଣୁ ଦେବକୀ ଗର୍ଭେ ଜାତ

ତୁ ଅଟୁ ଅନାଥର ନାଥ

ଅସୁରଙ୍କର ଡ଼ରେ ମହୀ

ବ୍ରହ୍ମା ସମୀପେ ଦୁଃଖ କହି

ତାହାର ଅର୍ଥେ ପଦ୍ମାସନ

ଗଲେ ତୋହର ସନ୍ନିଧାନ

ସର୍ବ ଦେବଙ୍କୁ ଘେନି ଗଲେ

ତୋର ଚରଣେ ସ୍ତୁତି କଲେ

କହିଲେ ତୋ ଚରଣ ତଳେ

ନାବ ବୁଡ଼ଇ ଯେହ୍ନେ ଜଳେ

ତେମନ୍ତ ବୁଡ଼ିଲା ଧରଣୀ

ଏହାକୁ ରଖ ଚକ୍ରପାଣି

ତେଣୁ ତୁ ନର ରୂପ ଧରି

ଭୂମି ମଣ୍ତଳେ ଅବତରି

ଅବିଦ୍ୟା କାର୍ମାକର୍ମ ବଳେ

ପ୍ରାଣୀ ଏ ଜାତ ଭବ ଜଳେ

ଅତି ହିଁ କ୍ଳେଶ ତାଙ୍କ ଦେହୀ

ତାହାଙ୍କୁ ଉଦ୍ଧରିବା ପାଇଁ

ଧ୍ୟାନ ପ୍ରବଣ ମନ୍ତ୍ର ଗୁରୁ

ତେଣୁ ମହିମା କଳ୍ପତରୁ

ତୋର ଚରିତ କର୍ଣ୍ଣେ ଶୁଣି

ତୋହର ନାମ ମୁଖେ ଭଣି

ମନ ବଚନ ତୋତେ ଦ୍ୟନ୍ତି

ହର୍ଷେ ପୁଲକ ଲୋମପନ୍ତି

ଏଣୁ ପଶନ୍ତି ତୋ ଚରଣେ

ନିଶ୍ଚିନ୍ତେ ଧ୍ୟାନ ସୁମରଣେ

ତୋର ଚରଣ ତାଙ୍କୁ ରଖେ

ଭବ ପ୍ରମାଦୁ ତରେ ସୁଖେ

ସେ ପଦେ ପଶିଲି ଶରଣ

ମୋତେ ନ ଛାଡ଼ ନାରାୟଣ

ତୋର ସହାୟ ଏହି ମତେ

ପାଇବି ମୁଁ ଜନ୍ମ ଜନ୍ମାନ୍ତେ

ମୋ ସହୋଦର ପଣେ ହରି

ଜନ୍ମ ଜନ୍ମାନ୍ତେ ଅବତରି

ତୋତେ କରନ୍ତି ସୁତେ ଧ୍ୟାନ

ତୋ ତହୁଁ ନ ଜାଣନ୍ତି ଆନ

ଦ୍ରୋହ ଯେ କରି ରାଜ କୁଳେ

ପଶିଲେ ତୋର ବାହୁବଳେ

କେବଳ ନାମ ରୂପ ତୋର

ମୋର ପୁତ୍ରଙ୍କୁ ସୁଖ ଘର

ଯେ ତୋର ରୂପ ଚିତ୍ତେ ଚିନ୍ତି

ଏ ଭବ ଜଳେ ନ ବୁଡ଼ନ୍ତି

ତୋ ରୂପ ନ ଦେଖି ନୟନେ

ଇନ୍ଦ୍ରିୟଗଣେ ଆତ୍ମା ଯେହ୍ନେ

ଏ ମହୀ ତୋର ପାଦ ଲାଗି

କେମନ୍ତେ ଦିଶଇ ସୌଭାଗୀ

ତୋ ଅବତାର ଯେବେ ଯିବ

ବିଧବା ପ୍ରାୟେକ ଦିଶିବ

ଏହାର ଗର୍ଭେ ଯେତେ ଜନ

ଗ୍ରାମ ଔଷଧ ଗିରିଗଣ

ସମୁଦ୍ର ଆଦି ଜଳସ୍ଥାନେ

ବଞ୍ଚନ୍ତି ତୋ ଚରଣ ଧ୍ୟାନେ

ହେ ବିଶ୍ୱେଶ୍ୱର ତୁ ଈଶ୍ୱର

ମୁଁ ତୋର ଚରଣେ କିଙ୍କର

ପାଣ୍ତବ କୁଳେ ବୃଷ୍ଣି ବଂଶେ

ମୁଁ ଯେ ବନ୍ଧନ ଦୃଢ଼ ପାଶେ

ତୁ ଯେବେ ଶରଣ ସୋଦର

ଏ ସ୍ନେହ ପାଶ ଦୂର କର

ଭୋ ନାଥ ଶ୍ରୀମଧୁସୂଦନ

ତୋର ଚରଣେ ମୋର ଧ୍ୟାନ

ସର୍ବ ବିଷୟ ଦୂରେ ଚିନ୍ତି

ତୋର ଚରଣେ ରହୁ ମତି

ଗଙ୍ଗାର ସ୍ରୋତେ ସର୍ବ ବଂଶେ

ଯେସନେ ସିନ୍ଧୁଜଳେ ମିଶେ

ଶ୍ରୀକୃଷ୍ଣ କୃଷ୍ଣସଖା ତୁହି

ଦୁଷ୍ଟ ନାଶନେ ତୋର ଦେହୀ

ଅବନୀ ରଖି ଆଦିମୂଳ

ନାଶିଲୁ ଦୁଷ୍ଟ କ୍ଷତ୍ରୀକୁଳ

ତୋତେ ଚିନ୍ତିଣ ସେ ତରନ୍ତି

ନିଶ୍ଚିନ୍ତେ ତୋ ଦେହେ ପଶନ୍ତି

ଗୋବିନ୍ଦ ଶରଣ ସୋଦର

ଭକ୍ତ ଜନଙ୍କ ସୁଖ ଘର

ତୋ ଅବତାର ଏ ଜଗତେ

ଗୋରୁ ବ୍ରାହ୍ମଣ ଦେବ ହିତେ

ଅଖିଳ ଗୁରୁ ଯୋଗେଶ୍ୱର

ଭୋ ନାଥ ଶରଣ ତୋହର

ସୁତ କହନ୍ତି ମଞ୍ଜୁବାଣୀ

କୁନ୍ତୀ ବଚନ କର୍ଣ୍ଣେ ଶୁଣି

ଶ୍ରୀ ସୂତ ଉବାଚ

ଅଳପ ହସି ଦାମୋଦର

କୋମଳ ବଚନ ଗଭୀର

କହିବି ସତ୍ୟ ଏ ବଚନ

କହି ଉଠିଲେ ଭଗବାନ

ହସ୍ତିନାପୁରେ ଯାଇ ପଶି

ଅନ୍ଧ ଗାନ୍ଧାରୀଙ୍କୁ ଆଶ୍ୱାସି

ବ୍ୟାସ ସହିତେ ମୁନିଗଣ

ସଙ୍ଗତେ ଘେନି ନାରାୟଣ

ନିକଟେ ବସି ଏକେ ଏକେ

ବୋଧିଲେ ଇତିହାସେ ବାକ୍ୟେ

ବିଷ୍ଣୁ ମାୟାରେ ମନ ଚ୍ଛନ୍ନ

ନ ବୁଝେ କୃଷ୍ଣର ବଚନ

ପୁଣି କ୍ଷଣକେ ଜ୍ଞାନ ପାଇ

କୃଷ୍ଣର ମୁଖକୁ ଅନାଇଁ

କପାଳେ ଦେଇ ବେନିକର

କହଇ ରାଜା ଯୁଧିଷ୍ଠିର

ଯୁଧିଷ୍ଠିର ଉବାଚ

ଶୁଣ ହେ ପ୍ରଭୁ ଦାମୋଦର

ମୁଁ ରାଜା ଧର୍ମର କୁମର

ମୋହର ପୂର୍ବ କର୍ମ ଦୋଷେ

ପଡ଼ିଲି ସ୍ନେହ ମୋହ ପାଶେ

ଦେଖ ଅଜ୍ଞାନ ବୁଦ୍ଧି ମୋର

ମୁଁ ମୂଢ଼ ଦୁଷ୍ଟ ଦୁରାଚାର

ଏ ମିଛ ଦେହ ସତ୍ୟକରି

ଅନେକ ଅକ୍ଷୌହିଣୀ ମାରି

ବାଳକ ମିତ୍ର ବନ୍ଧୁ ପୁତ୍ର

ପିତୃ ଭ୍ରାତୃ ଯେ ଗୁରୁ ସୁତ

ଏମାନ ନାଶି ଅବିବେକେ

ନିଶ୍ଚୟ ପଡ଼ିବି ନରକେ

ପଡ଼ିଲି କର୍ମର ଆୟତ୍ତେ

କେବେହେଁ ମୋକ୍ଷନାହିଁ ମୋତେ

ଏମନ୍ତେ ଶାସ୍ତ୍ରର ବଚନ

ଯେ ଧର୍ମ କହେ ମୁନିଜନ

ରାଜା ବିଷୟେ ଶତ୍ରୁ ବଧେ

ଦୋଷ କି ନ ଲାଗେ ପ୍ରସିଦ୍ଧେ

ଏକଥା ମୋତେ ବୋଧ ନୁହେ

ସକଳ ଘଟେ ହରି ରହେ

ଆତ୍ମା ସମ୍ୱନ୍ଧେ ନାହିଁ ଧର୍ମ

ଏଟି ଅବିଦ୍ୟା ମୋର କର୍ମ

ବାନ୍ଧୁ ବାନ୍ଧବ ନ ପ୍ରମାଣି

ସଂଗ୍ରାମେ ମଲେ ଯେତେ ପ୍ରାଣୀ

ତାଙ୍କ ରମଣେ ଜନ ଗୃହେ

ଦିନ ବଞ୍ଚନ୍ତି ଶୋକ ମୋହେ

ତହୁଁ ଯେ ତାପ ଉପୁଜିବ

କାହାକୁ ଅବା ଭୋଗ ହେବ

ଦେହେ ଲାଗିଲା ପଙ୍କ ଯେହ୍ନେ

ନ ଛାଡ଼େ ପଙ୍କ ପ୍ରକ୍ଷାଳନେ

ମଦ୍ୟକୁ ଦେହେ ଆଣି ବୋଳି

ମଦ୍ୟେ ଯେସନେ ତା ପଖାଳି

ପ୍ରାଣୀର ବଧ ପ୍ରାଣୀ ହିତେ

କାହୁଁ ତାରିବ ଯଜ୍ଞମତେ

ଏମନ୍ତେ କୃଷ୍ଣର ଅଗ୍ରତେ

ରାଜା କହିଲେ ନାନାମତେ

ତକ୍ଷଣେ ପ୍ରଭୁ ନରହରି

ମାୟାରେ ତାର ମନ ହରି

ପଞ୍ଚ ପାଣ୍ତବ ସଙ୍ଗେ ଘେନି

କିଛି ନ କହି ହେଲେ ତୁନି

ସେ ମାୟାଧର ପାଦଗତେ

ନମଇଁ ଦାସ ଜଗନ୍ନାଥେ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ପରୀକ୍ଷିତ ରକ୍ଷଣେ କୁନ୍ତୀସ୍ତବୋ ନାମ

ଅଷ୍ଟମୋଽଧ୍ୟାୟଃ ।।

•••

 

ନବମ ଅଧ୍ୟାୟ

 

ଶ୍ରୀ ସୂତ ଉବାଚ

ସୂତ କହନ୍ତି ସାବଧାନେ

ଏବେ ହୋ ଶୁଣ ମୁନିଜନେ

ଏମନ୍ତେ ପ୍ରାଣୀ ବଧେ ଖୀନ୍ନ

ହୋଇଣ ଧର୍ମର ନନ୍ଦନ

ସକଳ ଧର୍ମ ଜ୍ଞାନ ଅର୍ଥେ

ବିଜୟ କଲେ ଏକ ରଥେ

ଯୁଦ୍ଧ ଭୂମିକି ସାଜି ସାଜ

ସଙ୍ଗତେ ଘେନି ଦେବରାଜ

ରାଜା ସଙ୍ଗତେ ଚାରିଭ୍ରାତେ

ସଜ ହୋଇଲେ ଯେଝା ରଥେ

ଉତ୍ତମ ଅଶ୍ୱ ନିଯୋଜିତ

ସ୍ୱଭାବେ ରତ୍ନ ବିଭୂଷିତ

ତାହାଙ୍କ ରଥେ ବିପ୍ରଗଣେ

ବିଜୟ କଲେ ତତକ୍ଷଣେ

ଗୋବିନ୍ଦ ଅର୍ଜ୍ଜୁନ ସଙ୍ଗତେ

ବସିଲେ ନନ୍ଦିଘୋଷ ରଥେ

ପାଣ୍ତବ ମଧ୍ୟେ ଚକ୍ରଧର

କି ଅବା ଦେବା ପଟ୍ଟାନ୍ତର

ଗୁହ୍ୟକଗଣ ମଧ୍ୟଗତେ

କୁବେର ପ୍ରକାଶ ଯେମନ୍ତେ

ଏମନ୍ତେ କୁରୁକ୍ଷେତ୍ର ଗଲେ

ପାଣ୍ତବେ ଗୋବିନ୍ଦଙ୍କ ତୁଲେ

ଶର ଶୟନେ ଗଙ୍ଗା ସୁତ

ଦେଖିବା ଅର୍ଥେ ଉପଗତ

ଅବନୀ ପରେ ମୋହଗତ

ମହାକ୍ଷତ୍ରିୟ ତପୋବନ୍ତ

ପାଣ୍ତବେ ଗୋବିନ୍ଦର ତୁଲେ

ଭୀଷ୍ମ ଚରଣେ ପ୍ରଣମିଲେ

ବ୍ରାହ୍ମଣେ ମିଳିଲେ ତକ୍ଷଣେ

ବ୍ୟାସ ସମେତ ମୁନିଗଣେ

ଅପରେ ଯେତେ ରାଜଋଷି

ମିଳିଲେ କୁରୁକ୍ଷେତ୍ରେ ଆସି

ପର୍ବତ ନାମେ ମହାଋଷି

ଧୌମ୍ୟ ନାରଦ ତୁଲେ ମିଶି

ବାଦରାୟଣି ବୃଦ୍ଧ ଦଶ

ଭରଦ୍ୱାଜର ସଙ୍ଗେ ଶିଷ୍ୟ

ପରମ ଜ୍ୟୋତି ପର୍ଶୁରାମ

ବଶିଷ୍ଠ ଇନ୍ଦ୍ର ପ୍ରଶଦମ

ଜାବାଳି ଯମଦଗ୍ନି ମଧ୍ୟ

କପିଳ ଗୌତମ ପ୍ରସିଦ୍ଧ

ଅତ୍ରି କୌଶିକ ଭଦ୍ରସେନ

କୌଚ୍ଛପ ଅଗ୍ନିର ନନ୍ଦନ

ନିର୍ମଳ ଚେତା ବ୍ରହ୍ମଚାରୀ

ମିଳିଲେ ଶୁକ ଆଦିକରି

ଏମନ୍ତେ ସର୍ବ ମୁନିଜନେ

ମିଳିଲେ ଭୀଷ୍ମ ସନ୍ନିଧାନେ

ମୁନିଙ୍କୁ ଦେଖିଣ ପଚାରି

ଶୟନେ ପ୍ରଣମିତ କରି

ଧର୍ମଜ୍ଞ ଗଙ୍ଗାର କୁମର

ଯେ ଦେଶ କାଳ ରିପୁହର

ତେଣୁ ପୂଜିଲେ ଏକେ ଏକେ

ମୁନିଙ୍କ ଦୃଢ଼ ମାନସିକେ

କୃଷ୍ଣଙ୍କୁ ହୃଦରେ ବସାଇ

ପୂଜିଲେ ଦୃଢ଼ଚିତ୍ତ ହୋଇ

ଯେ ହରି ଜଗତ ଈଶ୍ୱର

ଅନାଦି ଧର୍ମ ନିରାକାର

ପାଣ୍ତୁ ପୁତ୍ରଙ୍କୁ ଦୟା ଚିତ୍ତେ

ଭାବେ କହନ୍ତି ଜନହିତେ

ଭୀଷ୍ମ କହନ୍ତି ଦୟା ଚିତ୍ତେ

ସକଳ ମୁନିଙ୍କ ଅଗ୍ରତେ

ବଡ଼ ଧାର୍ମିକ କୁନ୍ତୀ ସୁତେ

ଏମନ୍ତ ଭାଳି ହୃଦଗତେ

ବନେ ବୁଲିଲେ କଷ୍ଟ କର୍ମେ

ଜୀବ ପୋଷି ବିପ୍ର ଧର୍ମେ

ଯେଣୁ ଗୋବିନ୍ଦ ଆଶ୍ରେ ଥିଲେ

ଅନେକ ସଙ୍କଟୁ ତରିଲେ

ସ୍ୱାମୀ ମରଣେ କୁନ୍ତୀ ଦେବୀ

ସରଳ ଚିତ୍ତେ କୃଷ୍ଣ ସେବି

ପୁତ୍ରଙ୍କ ଅର୍ଥେ ବହୁ କ୍ଳେଶେ

ଦୁଃଖେ ବଞ୍ଚିଲା ବନବାସେ

କାଳର ବଶ ଏ ଜଗତ

ପ୍ରାଣୀଏ କାର୍ମର ଆୟତ୍ତ

ଜଳେ ଯେସନେ ପଦ୍ମଦଳ

ପବନେ ଯେହ୍ନେ ମେଘମାଳ

ଯେ କୁଳେ ରାଜା ଧର୍ମସୁତ

ରକ୍ଷକ ଭୀମ ଗଦା ହସ୍ତ

ଅର୍ଜ୍ଜୁନ ଯହିଁ ଧନୁ ଧରେ

ଯହିଁ ଗୋବିନ୍ଦ ରକ୍ଷାକରେ

ସେ କୁଳେ ପଡ଼ଇ ବିପତ୍ତି

ଏମନ୍ତ ଈଶ୍ୱରର ଗତି

କେ ଜାଣିପାରେ ତାର ଗତି

ଯହିଁ ପଣ୍ତିତେ ଭ୍ରମି ହୋନ୍ତି

ସଂସାର କର୍ମର ଆୟତ୍ତ

ଏମନ୍ତ ଜାଣ କୁନ୍ତୀ ସୁତ

ମନେ ଚିନ୍ତିଣ ସବୁ ଭଲ

ଅନାଥ ପ୍ରଜା ଏବେ ପାଳ

ଦେଖ ଅନାଦି ନାରାୟଣ

ଯେ ଜ୍ଞାନ ପରମ କାରଣ

ମାୟାରେ ଲୋକ ମନ ହରି

ଯାଦବ ବଂଶେ ଅବତରି

ଏହାର ଅନୁଭବ ଗତି

ଅଥବା ଜାଣେ ପଶୁପତି

ନାରଦ ଜାଣେ କିଛି ଚିନ୍ତି

କିବା କପିଳ ମହାଯତି

ତୁ କୃଷ୍ଣ ମହିମା ନ ଜାଣୁ

ମାତୁଳ ସୁତ ପ୍ରାୟ ମଣୁ

ପ୍ରିୟ ସୁହୃଦ ମିତ୍ର ପରି

ସଚିବ ବୁଦ୍ଧି କି ଆଚରି

ଏହାଙ୍କୁ ଦୂତରେ ନିଯୋଗି

ପେଶିଳୁ ପଞ୍ଚଗ୍ରାମ ମାଗି

ବାନ୍ଧବ ପ୍ରାୟ ସ୍ନେହ କରି

ରଥେ ସାରଥି ପଣେ ବରି

ଯହୁଁ ସେ ପ୍ରଭୁ ଭାବଗ୍ରାହୀ

ସ୍ୱଭାବେ ପରାପର ନାହିଁ

ଏଥକୁ ଭକ୍ତଙ୍କର ହିତେ

ଦେଖ ଈଶ୍ୱର ଦୟା କେତେ

ଜୀବନ ଛାଡ଼ିବାର ବେଳେ

ମିଳିଲେ ଶରଶଯ୍ୟାଠାରେ

ଯାର ଚରଣ ଭକ୍ତି ଭରେ

ନିଶ୍ଚିନ୍ତ ଚିତ୍ତ ଅନ୍ତଃକାଳେ

ତୁଣ୍ତେ ଯେ ନାମ ଉଚ୍ଚାରନ୍ତି

ପରମ ପଦେ ସେ ବସନ୍ତି

କର୍ମ ବାସନା ଯାଏ ଦୂର

ଏମନ୍ତ ମହିମା ଯାହାର

ସେ ଦେବ ଦେବ ଭଗବାନ

ଭାବେ ଜାଣିଲେ ମୋର ମନ

ଚିତ୍ତେ ପ୍ରକାଶ ହେଉ ମୋର

ମୁହିଁ ଛାଡ଼ିବି କଳେବର

ପ୍ରଫୁଲ୍ଲ କମଳ ଲୋଚନ

ସୁନ୍ଦର ପ୍ରସନ୍ନ ବଦନ

ଚକ୍ର ସହିତେ ଚାରିବାହୁ

ତା ପାଦେ ମୋର ଧ୍ୟାନ ରହୁ

ଭୀଷ୍ମ ବଚନ କର୍ଣ୍ଣେ ଶୁଣି

ଧର୍ମନନ୍ଦନ ମନେ ଗୁଣି

ଶରଶଯ୍ୟାରେ ଭୀଷ୍ମେ ଚାହିଁ

କର ଅଞ୍ଜଳି ଶିରେ ଦେଇ

ବିବିଧ ଧର୍ମ ପଚାରିଲେ

ଅନେକ ମୁନିଗଣ ତୁଲେ

ସ୍ୱଭାବେ ଯେତେ ଯେତେ ମତ

ସଂସାର ଜନଙ୍କର ହିତ

ରାଗ ବୈରାଗ୍ୟ ଯାହା କରି

ଯେ ମାର୍ଗେ ସଂସାରୁ ନିସ୍ତରି

ଯେ ରାଜବିଧି ରାଜଧର୍ମ

ମୋକ୍ଷ ସାଧନେ ଯେତେ କର୍ମ

ଯେତେ ବିଭାଗେ ଯେତେ କରି

ଗୃହୀ ବନସ୍ତ ବ୍ରହ୍ମଚାରୀ

ନାରୀର କର୍ମ ଯେତେ ଧର୍ମ

ଯେ ବିଷ୍ଣୁ ଭକ୍ତଙ୍କର କର୍ମ

ଯଥାର୍ଥ କାମ ମୋକ୍ଷ ଆଦି

ଯେତେ ପ୍ରକାରେ ସାଧ୍ୟ ବିଧି

ସକଳ କହିଲେ ହରଷେ

ସେ ପୁଣ୍ୟଗ୍ରନ୍ଥ ଇତିହାସେ

ଏମନ୍ତ କହି ନାନା ଧର୍ମ

ଭୀଷ୍ମର ଚିତ୍ତ ଚିନ୍ତି କର୍ମ

ତକ୍ଷଣେ କୃଷ୍ଣ ଭାବ ଘେନି

ଗଙ୍ଗାନନ୍ଦନ ହୋଏ ତୁନି

ସିଦ୍ଧ ପୁରୁଷ ଯୋଗବଳେ

ଯାହା ଚିନ୍ତନ୍ତି ଅନ୍ତଃକାଳେ

ସେ କାଳ ଅତି ପୁଣ୍ୟଧାମ

ଉତ୍ତରାୟଣ ତାର ନାମ

ସକଳ ଆଗମନ ଦେଖି

ସେଙ୍କାଚ କଲେ ବେନି ଆଖି

ସହସ୍ର ସହସ୍ର ବଚନ

ଶୁଣାଇ ହୋଇଲେ ମଉନ

କୁସଙ୍ଗ ହରି ଦୃଢ଼ ମନେ

କୃଷ୍ଣ ଚରଣେ ଅବଧାନେ

ସେ ହରି ଅଛି ଆଗେ ବସି

ଚତୁର ଭୁଜକୁ ପ୍ରକାଶି

ପୀତବସନ କଟିଭାଗେ

ବିଜୁଳି ଯେହ୍ନେ ନୀଳମେଘେ

ଏମନ୍ତ କୃଷ୍ଣ ରୂପ ହେଜି

ଭାବ ଗଦ୍‌ଗଦେ ଚକ୍ଷୁବୁଜି

ଧାରଣ ଯୋଗ ଧ୍ୟାନ କରି

ସଂଶୟ ଦୂରେ ପରିହରି

ଯୁଦ୍ଧର ଯେତେ ଶ୍ରମ ଥିଲା

ତକ୍ଷଣେ ଶରୀରୁ ଛାଡ଼ିଲା

ଇନ୍ଦ୍ରିୟ ଅର୍ଥେ ଯେତେ କର୍ମ

ଚିତ୍ତୁ ଛାଡ଼ିଲା ମତିଭ୍ରମ

ଅନ୍ତରେ ବେନି କରଯୋଡ଼ି

ବୋଲେ ଗୋବିନ୍ଦ ପାଦେ ପଡ଼ି

ଭୀଷ୍ମ ଉବାଚ

ଏହି ପକ୍ରାରେ ମୋର ମନ

କୃଷ୍ଣ ଅର୍ଜ୍ଜୁନ କୃଷ୍ଣ ନାମ

ସର୍ବ ବିଷୟ ତେଜି ଦୂରେ

ଦିବ୍ୟ ଚେତନା ନିର୍ବିକାରେ

କୃଷ୍ଣ ଶରୀରେ ହେଉ ଲୀନ

ଯେ ହରି ଜଗତେ ପ୍ରଧାନ

ଯାର ମହିମା ଯୋଗୀଜନେ

ଚିନ୍ତି ନ ପାରେ ଯୋଗଧ୍ୟାନେ

ସେ ସୁଖ ପାଇ ଏ ଜଗତେ

ପ୍ରକୃତି ନାଶେ ଅବିରତେ

ପ୍ରକୃତି ତହୁଁ ଏ ଜଗତ

ପ୍ରବାହ ରୂପେ ଆତଯାତ

ତମାଳ ପତ୍ର ପ୍ରାୟ ବର୍ଣ୍ଣ

ଯେ ରୂପେ ମୋହେ ତ୍ରିଭୁବନ

ପୀତବସନ କଟି ଶୋହେ

ପ୍ରକାଶେ ରବି ରଶ୍ମି ପ୍ରାୟେ

ଅଳକା ଆବୃତ କପାଳ

ବିରାଜେ ବଦନ କମଳ

ଅର୍ଜ୍ଜୁନ ସଖା ପାଦତଳେ

ମୋ ଚିତ୍ତ ରହୁ ଯେ ନିଶ୍ଚଳେ

ସଂଗ୍ରାମେ ଅଶ୍ୱଧୂଳି କାୟେ

ଶିର ବଦନ ଧୂମ ପ୍ରାୟେ

ବିରାଜେ ସ୍ୱେଦକଣା ରଙ୍ଗେ

ବିବିଧ ଅଳଙ୍କାର ଅଙ୍ଗେ

ମୋହର ତୀକ୍ଷ୍‌ଣ ବାଣପନ୍ତି

ଯାର କବଚେ ଝଟକନ୍ତି

ସେ ପୁରେ ପଶୁ ମାର ପ୍ରାଣ

ସ୍ୱଭାବେ ଯେହୁ ପରିତ୍ରାଣ

ସେ ହରି ଅର୍ଜ୍ଜୁନ ବଚନେ

ରଥ ନିବେଶି ମଧ୍ୟ ସୈନ୍ୟେ

ଅନାଇ କଟାକ୍ଷ ଲୋଚନେ

ଆୟୁଷ ହରେ ପରସନ୍ନେ

ତାର ଚରଣ ମନେ ଚିନ୍ତି

ନିରତେ ହେଉ ମୋର ପ୍ରୀତି

ଯୁଦ୍ଧର ଅର୍ଥେ କୋପ କରି

ସକଳ ଶସ୍ତ୍ର କରେ ଧରି

ସମରେ ଦେଖି ବନ୍ଧୁଜନ

ଦୟାରେ ନ ଯୁଝେ ଅର୍ଜ୍ଜୁନ

ମାୟାରେ ତାର ମନ ମୋହି

ଅନେକ ଆତ୍ମଜ୍ଞାନ କହି

ଅର୍ଜ୍ଜୁନ କୁମତି ହରିଲା

ଛଳେ ସମସ୍ତ ସଂହାରିଲା

ତାର ଚରଣେ ମୋହ ମତି

ନିଶ୍ଚଳ କରି ଆତ୍ମ ଗତି

ମୋହର ତୁଲେ ସତ୍ୟ କଲା

ଶସ୍ତ୍ର ନ ଧରିବି ବୋଇଲା

ମୋହର ତୀକ୍ଷ୍‌ଣ ବାଣେ କୋପୀ

ମୋର ବଚନେ ମୋତେ ସ୍ଥାପି

ତକ୍ଷଣେ ଅସ୍ତ୍ରଧରି ହସ୍ତେ

ରଥୁଁ ଧାଇଁଲା ଭୂମିଗତେ

ଧାମନ୍ତେ ଅବନୀ କମ୍ପିଲା

ଉତ୍ତରୀ କନ୍ଧୁ ଉଡ଼ିଗଲା

ଚକ୍ର ଉଞ୍ଚାଇ ମହାକୋପେ

ମିଳିଲା ମୋହର ସୀମପେ

ଧର୍ମେଣ ସମର ଉପେକ୍ଷି

ସିଂହ ଯେସନେ ଗଜ ଦେଖି

ମୁଁ ଆତତାୟୀ ପଣେ ରୁନ୍ଧି

ଅନେକ ବାଣ ତାରେ ବିନ୍ଧି

ବିଛିନ୍ନ କଲି ସେନା ସଙ୍ଗେ

ଦେଖି ଧାଇଁଲା ଅତି ବେଗେ

ରୁଧିର ଭୂଷଣ ଶରୀରେ

ଭୂମି କମ୍ପଇ ପାଦ ତଳେ

ସେ ହରି ଧ୍ୟାୟୀ ମୋର ପ୍ରାଣ

ମୁଁ ଏବେ ପଶିଲି ଶରଣ

ବିଜୟ ରଥେ ଯେ ସାରଥି

ରଥ ଆରୋହି ଶୁଭଚିନ୍ତି

ସଂଗ୍ରାମ କରି ଯେତେ ମଲେ

ସାତ୍ତ୍ୱିକ ମୁକ୍ତି ସେ ଲଭିଲେ

ଏବେ ସଂଗ୍ରାମ ଅନ୍ତଃକାଳେ

ମୋ ଚିତ୍ତ ରହୁ ପାଦତଳେ

ଗୋପ ନଗରେ ବୃନ୍ଦାବନେ

ରାସଉତ୍ସବ ଗୋପୀଜନେ

ଲଳିତ ଗତି ସୁବିଳାସ

ମନୋଜ୍ଞ ହୃଷ୍ଣ ମନ୍ଦହାସ

ଯାହାର ସଙ୍ଗେ ଭାବ କରି

ଭବ ସାଗରୁ ଗଲେ ତରି

ଧର୍ମ ନନ୍ଦନ ଯଜ୍ଞଶାଳେ

ଋଷି ବ୍ରାହ୍ମଣ ଦେବମେଳେ

ଯାହାର ପାଦେ ଅର୍ଘ୍ୟ ଦେଇ

ସୁଖେ ସୁନ୍ଦର ମୁଖ ଚାହିଁ

ସକଳ ଗଲେ ମୋକ୍ଷ ମାର୍ଗେ

ସେ ଏବେ ଦିଶୁ ମୋର ଅଗ୍ରେ

ନିର୍ମଳ ଆତ୍ମାରୂପ ହୋଇ

ଜ୍ଞାନୀଙ୍କ ହୃଦେ ସେ ପଶଇ

ସକଳ ଚକ୍ଷୁ ଦ୍ୱାରେ ଭାବି

ଯେହ୍ନେ ପ୍ରକାଶ ହୁଏ ରବି

ଯେ ହରି ପଦେ ସୁଖେ ଭଜି

ପଶନ୍ତି ଭାବ ମୋହ ତେଜି

ଶ୍ରୀ ସୂତ ଉବାଚ

ଏମନ୍ତେ ଗୋବିନ୍ଦ ବିଷୟେ

ଯାହାର ତତ୍ତ୍ୱଜ୍ଞାନ ହୋଏ

ଆତ୍ମାରେ ଆତ୍ମା ସ୍ଥିର କରି

ପବନେ ପବନ ସଂହାରି

ଦେଖନ୍ତି ସୁର ନର ମୁନି

ଗଙ୍ଗା ନନ୍ଦନ ହେଲେ ତୁନି

ଜୀବ ତେଜିଲା ଭାବ ମୋହେ

ପଶିଲା ଗୋବିନ୍ଦର ଦେହେ

ଭୀଷ୍ମ ମରଣ ଦେଖି ଭଲେ

ଯେ ଅବା ଥିଲେ କୃଷ୍ଣ ତୁଲେ

ସଭୟେ ବସିଲେ ସମସ୍ତେ

ପକ୍ଷୀଏ ଯେହ୍ନେ ଦିନ ଅନ୍ତେ

ତକ୍ଷଣେ ଦୁନ୍ଦୁଭି ଶବଦ

ଦେବ ଦାନବେ କଲେ ବାଦ୍ୟ

ସାଧୁ ଶବଦ ଶୂନ୍ୟପୁରେ

ପୁଷ୍ପ ବରଷେ ନିରନ୍ତରେ

ତକ୍ଷଣେ ଯୁଧିଷ୍ଠିର ଯାଇ

ଅନଳେ ଭୀଷ୍ମ ଦେହ ଦହି

ମୁହୂର୍ତ୍ତେ ବସି ଦୁଃଖ ମନେ

ଉଠି ସକଳ ମହାଜନେ

ଯେ ଯାହାମତେ ସ୍ତୁତି କଲେ

ନମିଲେ କୃଷ୍ଣ ପାଦତଳେ

ଉଠି ସକଳେ ଦୁଃଖ ଚିତ୍ତେ

ଗୃହେ ଚଳିଲେ ନିଜ ପଥେ

ପାଣ୍ତବେ ଗୋବିନ୍ଦ ସଙ୍ଗତେ

ହସ୍ତିନା ମିଳିଲେ ତୁରିତେ

ତକ୍ଷଣେ ଅନ୍ତଃପୁରେ ଯାଇ

ଅନ୍ଧ ଗାନ୍ଧାରୀଙ୍କି ବସାଇ

ଗୋବିନ୍ଦ ଧୃତରାଷ୍ଟ୍ର ବୋଲେ

ଯୁଧିଷ୍ଠିରଙ୍କୁ ରାଜା କଲେ

ଯାହାଙ୍କ ପିତା ରାଜା ଥିଲେ

ସେ ରାଜା ସୁଖେ ରାଜ୍ୟ କଲେ

ଏମନ୍ତ କରି ରାଜପଣ

ସଙ୍ଗତେ ଘେନି ନାରାୟଣ

ସେ ନାରାୟଣ ପାଦଗତ

ଶରଣ ଦାସ ଜଗନ୍ନାଥେ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ଯୁଧିଷ୍ଠିର ରାଜ୍ୟପ୍ରଲମ୍ୱୋ ନାମ

ନବମୋଽଧ୍ୟାୟଃ ।

•••

 

ଶ୍ରୀମଦ୍‌ ଭାଗବତ ପ୍ରଥମ ସ୍କନ୍ଧ

ଦଶମ ଅଧ୍ୟାୟ

 

ଋଷୟ ଉବାଚ

ଶୌନକ ଆଦି ମୁନି ଯେତେ

ପୁଚ୍ଛନ୍ତି ସୂତଙ୍କ ଅଗ୍ରତେ

ଭୋ ସୂତ କହ କୃଷ୍ଣ ବାଣୀ

ସଂସାରୁ ତରି ଯାହା ଶୁଣି

ପଣ୍ତୁ ରାଜାର ଅନ୍ତଃକାଳେ

ଦୁଷ୍ଟେ ଯେ ରାଜ୍ୟ ନେଲେବଳେ

ଗୋବିନ୍ଦ ପାଦେ ଆଶ୍ରାକରି

ସେ ଆତତାୟୀ ଜନେ ମାରି

ପଞ୍ଚଭ୍ରାତାଏ ଏକ ମେଳେ

ପ୍ରଜାଙ୍କୁ ପାଳି ରାଜ୍ୟ କଲେ

ତେବେ କି କଲେ ପଣ୍ତୁ ସୁତେ

ସ୍ୱଭାବେ କୃଷ୍ଣର ସଙ୍ଗତେ

ଏମନ୍ତେ ମୁନି ବାକ୍ୟ ଶୁଣି

ସୂତ କହନ୍ତି ସାଧୁବାଣୀ

ଶ୍ରୀ ସୂତ ଉବାଚ

ଶୁଣ ସକଳ ମୁନିବର

ଶ୍ରୀକୃଷ୍ଣ କଥା ସୁଧାସାର

ପାଣ୍ତବ ବଂଶ ରକ୍ଷା କରି

କୁରୁ ବଂଶକୁ ନରହରି

କ୍ରୋଧ ଅନଳେ ଭସ୍ମ କଲେ

ଦାବାଗ୍ନି ଯେହ୍ନେ ବନସ୍ତରେ

ବସାଇ ନିଜ ରାଜ୍ୟ ଦେଲେ

ଶ୍ରୀହସ୍ତେ ଅଭିଷେକ କଲେ

ଆନନ୍ଦ ମନେ ଧର୍ମବଳା

ପ୍ରଜା ପାଳନେ ମନ ଦେଲା

ଭୀଷ୍ମଙ୍କ ତହୁଁ ଧର୍ମ ବାଣୀ

ଯେବା କହିଲେ ଚକ୍ରପାଣି

ସେ ବାକ୍ୟେ ଶୋକ ମୋହ ଛାଡ଼ି

ପ୍ରଜାପାଳନେ ଚିତ୍ତ ବଢ଼ି

ସୃଷ୍ଟିରେ ଯେତେ ରାଜାଗଣେ

ଯେବା ଯୁଧିଷ୍ଠିର ଚରଣେ

ସମୁଦ୍ର ଅନ୍ତ ଯାଏ ମହୀ

ଧର୍ମନନ୍ଦନ ଆଜ୍ଞା ବହି

ରାଜା ବଚନେ ମେଘମାଳ

ଭୂମିରେ ବରଷନ୍ତି ଜଳ

କାମଧେନୁର ପ୍ରାୟେ ରହି

ପ୍ରଜା କଳ୍ପିତ ଶସ୍ୟ ଦେଇ

ଗୋପାଳ ଗୋଷ୍ଠ ମଧ୍ୟେ ରହି

ବହୁତ କ୍ଷୀର ଦ୍ୟନ୍ତି ଗାଈ

ନଦୀ ବହନ୍ତି ପୂରି ଜଳେ

ସମୁଦ୍ର ରହିଲେ ନିଶ୍ଚଳେ

ପର୍ବତ ନିଜ ସ୍ଥାନେ ସ୍ଥିରେ

ଆବୃତ ଲତା ବନ ଘୋରେ

ସର୍ବ ଔଷଧ ଫଳ ଯେତେ

ଫଳନ୍ତି ପ୍ରଜାର ନିମନ୍ତେ

ପ୍ରଜାଙ୍କ ଦେହେ ନାହିଁ କ୍ଳେଶ

ନ ଲାଗେ ତାପତ୍ରୟ ଲେଶ

ଧର୍ମ ନନ୍ଦନ ରାଜ୍ୟେ ଯେତେ

ପ୍ରଜାଏ ବଞ୍ଚନ୍ତି ନିଶ୍ଚିନ୍ତେ

ଭଗ୍ନୀଙ୍କ ପ୍ରିୟ କାର୍ଯ୍ୟେ ହରି

ବନ୍ଧୁଙ୍କ ଶୋକ ଶାନ୍ତି କରି

ହସ୍ତିନାପୁରେ ହୃଷୀକେଶ

ଭାବେ ରହିଲେ କେତେମାସ

ଜଣ ଜଣକୁ କରି କୋଳ

ସୁହୃଦ ପ୍ରେମ ବାକ୍ୟେ ଭୋଳ

ଯୁଧିଷ୍ଠିରାଦି ବନ୍ଧୁଗଣେ

ମେଲାଣି ମାଗି ତତକ୍ଷଣେ

ଦ୍ୱାରକା ଗମନ ମାନସେ

ରଥେ ବସିଲେ ହୃଷୀକାଶେ

କୃଷ୍ଣ ବିଚ୍ଛେଦ ମନେ ଭାଳି

କ୍ରନ୍ଦନ କଲେ ବନ୍ଧୁ ମିଳି

କୃଷ୍ଣା ସୁଭଦ୍ରା କୁନ୍ତୀସୁତେ

ରାଜାଏ ଆସିଥିଲେ ଯେତେ

ଗାନ୍ଧାରୀ ଧୃତରାଷ୍ଟ୍ର ତୁଲେ

କୃଷ୍ଣର ଚରଣେ ମିଳିଲେ

ଧୌମ୍ୟ ସହିତ ଭୀମ ଗଲା

ଉତ୍ତରା ନାରୀ ସଙ୍ଗେ ଥିଲା

ହରିଙ୍କୁ ନମିଲା ଅନ୍ତରେ

ପ୍ରବେଶ କଲା ଅନ୍ତଃପୁରେ

କୃଷ୍ଣ ବିଚ୍ଛେଦ ମନଛନ୍ନେ

ଗଲେ ଯେ ଯାହାର ଭୁବନେ

କୃଷ୍ଣର ଭାବ ଚିତ୍ତେ ବଢ଼ି

ସୁସଙ୍ଗ କେ ପାରିବ ଛାଡ଼ି

ଯାହାର ଯଶ ଗୁଣ କର୍ଣ୍ଣେ

ନିରତେ ଭାବୁଥାନ୍ତି ମନେ

ନ ଦେଖି ଯାର ପଦ୍ମମୁଖ

କାହୁଁ ଲଭିବେ ମନେ ସୁଖ

ନିତ୍ୟେ କରନ୍ତି ଦରଶନ

ସ୍ନେହରେ କରି ଆଲିଙ୍ଗନ

କୃଷ୍ଣଙ୍କୁ କହନ୍ତି ବଚନ

ପାଶୋରି ଶୟନ ଭୋଜନ

ଚକ୍ଷୁ ବୁଜିଲେ ଭାବଭରେ

ରୋମ ପୁଲକ ଅଭ୍ୟନ୍ତରେ

ଲୋଚନୁ ବହେ ଅଶ୍ରୁବାରି

ବିଚ୍ଛେଦେ ତନୁ ଲତା ଘାରି

ଚାହାନ୍ତି ଅଟ୍ଟାଳି ଆରୋହି

ଦ୍ୱାରିକା ଗଲେ ଭାବଗ୍ରାହୀ

ଆମ୍ଭର ସୁଖ ଲେଶ ନାହିଁ

କହନ୍ତି ଏକୁ ଆରେ ଚାହିଁ

ମୃଦଙ୍ଗ ସଙ୍ଗତରେ ବୀଣା

ଘଣ୍ଟା ଦୁନ୍ଦୁଭି ନିର୍ଘୋଷଣା

ସେ କୁରୁରାଜ୍ୟେ ଯେତେ ନାରୀ

କୃଷ୍ଣ ବିଯୋଗେ ତନୁ ଘାରି

ଥିଲେ ଯେ ଅଟ୍ଟାଳି ଆରୋହି

ପୁଷ୍ପ ତୋଳନ୍ତି କୃଷ୍ଣ ଚାହିଁ

କୃଷ୍ଣର ପାଟଛତ୍ର ଶ୍ୱେତ

ରତ୍ନ କାଞ୍ଚନେ ସୁଗଠିତ

ଆନନ୍ଦେ ଘେନି ମନତୋଷେ

ଅର୍ଜ୍ଜୁନ ଗୋବିନ୍ଦର ପାଶେ

ବାମ ଦକ୍ଷିଣ ପାଶେ ଟେକି

ହରଷେ ଉଦ୍ଧବ ସାତ୍ୟକି

ଚାମର ବେନି ହସ୍ତେ ବିଞ୍ଚି

କିଏ କର୍ପୂର ଧୂଳି ସିଞ୍ଚି

ଦେବେ କୁସୁମ ବରଷନ୍ତି

ମାର୍ଗେ ଶୋଭିତ ଯଦୁପତି

ବ୍ରାହ୍ମଣ ମିଳି କୃଷ୍ଣ ଆଗେ

ସୁସ୍ୱରେ ସାମଗାନ ରାଗେ

ଆଶୀର୍ବଚନେ ବେଦବାଣୀ

ବିଜୟ ଦେଖି ଚକ୍ରପାଣି

ନିର୍ଗୁଣ ଗୁଣ ଯାର ଦେହୀ

ବ୍ରହ୍ମ ସ୍ୱରୂପାକ୍ଷର ହୋଇ

ବିଦ୍ୟା ସମ୍ପଦେ ଅନ୍ୟୋଅନ୍ୟେ

ଆଶିଷ ଦେଲେ ତୋଷମନେ

କୌରବପୁର ନାରୀଙ୍କର

ସକଳ ସମ୍ପଦ ସୁନ୍ଦର

ଯେ ହରି ପୁରୁଷ ପୁରାଣ

ଆତ୍ମାକୁ ଆପଣେ ନିର୍ମାଣ

ହରି ସକଳ ଦେହେ ବସେ

ଅଶେଷ ଦେହେ ଏକଶେଷ

ଗୁଣ ଅଗ୍ରତେ ଏ ଜଗତ

ମାୟାରେ କରେ ଆତଯାତ

ଆତ୍ମାର ଆତ୍ମାରୂପେ ବହେ

ସକଳ ଶକ୍ତି ଘେନି ଦେହେ

ଦିବସ ଅନ୍ତେ ପ୍ରାଣୀ ଦେହେ

ନିଦ୍ରା ଯେସନେ ସର୍ବମୋହେ

ପୁଣି ଉଠନ୍ତି ରାତ୍ରି ଅନ୍ତେ

ବିଷୟ ଧ୍ୟାନ ଅବିରତେ

ଯାହାର ନିଜ ବୀର୍ଯ୍ୟ ବଳେ

ପ୍ରକୃତି ସର୍ଜ୍ଜଇ ଶୟଳେ

ଜୀବର ସଙ୍ଗେ ସଙ୍ଗ କରି

ବିହରେ ନାନା ରୂପ ଧରି

ଏମନ୍ତେ ସରଜି ଜଗତ

ସର୍ବ କରଇ ଆତଯାତ

ଯାହାର ପାଦେ ଆଶ୍ରେକରି

ସଂଯତେନ୍ଦ୍ରିୟ ବ୍ରହ୍ମଚାରୀ

ନିର୍ମଳ ଆତ୍ମାରେ ନିଶ୍ଚଳେ

ଦେଖନ୍ତି ଭକ୍ତି ଯୋଗବଳେ

ତାହାଙ୍କ ଅନ୍ତେ ପ୍ରକାଶଇ

ସକଳ କଳୁଷ ନାଶଇ

ଯାହାର ନାମେ ମୁନିଗଣେ

ଆଗମ ନିଗମ ପ୍ରମାଣେ

ଏକୁ ଆରେକ କଥା କହି

ବଞ୍ଚନ୍ତି ଯାର ପାଦ ଧ୍ୟାୟି

ସେ ଏକ ଅଂଶେ ଲୀଳା କରି

ପ୍ରକୃତି ସଙ୍ଗରେ ବିହରି

।।

ସୃଷ୍ଟି କରିଣ ସତ୍ୟ ପାଳେ

ଈଶ୍ୱର ଅଂଶରେ ସଂହରେ

ସେ ଦୋଷ ନ ଲାଗେ ତାହାର

ନଳିନୀ ଦଳେ ଯେହ୍ନେ ନୀର

ଦୁଷ୍ଟ କ୍ଷତ୍ରିୟେ ଯେତେବେଳେ

ଅଧର୍ମେ ବଞ୍ଚନ୍ତି ଶୟଳେ

ସେ ହରି ସତ୍ତ୍ଵଗୁଣ ଧରି

ତାଙ୍କୁ ନାଶଇ ଅବତରି

ଯଶ ବିସ୍ତାରି ଦୟା ସଙ୍ଗେ

ସୁଖେ ବିହରି ଯୁଗେ ଯୁଗେ

ବିଷ୍ଣୁର ଅଂଶେ ଅବତାର

ଯାଦବ କୁଳରେ ଏଥର

ରଜନୀ ଅନ୍ତେ ନର ଲୋକେ

ନାମ ଧରନ୍ତି ଅତି ସୁଖେ

ଯାର ନିବାସ ମଧୁବନ

ସ୍ୱଭାବେ ସେ ପୁରୁଷୋତ୍ତମ

ଏ ଯେ ଦ୍ୱାରକା ଧର୍ମପୁରୀ

ବିସ୍ତାର ପୁଣ୍ୟ ଯଶକରି

ଯହିଁ ସକଳ ପ୍ରଜାଜନ

କୃଷ୍ଣର ହର୍ଷିତ ବଦନ

ନିଗମ ବାକ୍ୟେ ଯାହା ଘୋଷି

ଦେଖନ୍ତି ନିଜ ଦ୍ୱାରେ ବସି

ସାତ୍ୱିକ ମତେ ବିପ୍ର ଜନ

ଯାର ଚରଣେ ଅନୁକ୍ଷଣ

ଯମ ନିୟମ ବ୍ରତସ୍ଥାନେ

ଯଜ୍ଞ ତପସ୍ୟା ମହାଦାନେ

ସଙ୍କଳ୍ପ କରି ନିଜ ହସ୍ତେ

ଅର୍ପଣ କରଥାଇ ନିତ୍ୟେ

ତାର ଅଧରୁ ସୁଧା ରସ

ଗୋପୀଏ ପାନେ ସହରଷ

ନିତ୍ୟେ ଦେଖନ୍ତି ଚକ୍ଷୁଦ୍ୱାରେ

ଗୋପାଳେ ଭଜନ୍ତି ହୃଦରେ

ଧର୍ମ ନନ୍ଦନ ଯଜ୍ଞକାଳେ

ସଭାର ମଧ୍ୟେ ନୃପ ମେଳେ

କୃଷ୍ଣ ବିଷୟେ ଯେତେ ବାଦୀ

କ୍ଷତ୍ରିୟ ଶିଶୁପାଳ ଆଦି

ତାହାଙ୍କୁ କ୍ରମେ ନାଶକରି

ଦ୍ୱାରକାପୁରୁ କନ୍ୟା ହରି

ଅଶେଷ ବନ୍ଧୁ ଯାର ସଙ୍ଗେ

ଖଟନ୍ତି ନିଜ ଭାବ ରଙ୍ଗେ

ଯାର କଟାକ୍ଷେ ବଶ ହୋଇ

ନିଶ୍ଚଳ ଚିତ୍ତ ରୂପ ଧ୍ୟାୟି

ନିରତେ କୃଷ୍ଣର ସଙ୍ଗରେ

ପ୍ରେମେ ସେବନ୍ତି ତା ପୟରେ

କୁରୁ ରାଜ୍ୟରେ ବଧୂଜନେ

ଏମନ୍ତ ଭାବୁ ଭାବୁ ମନେ

ରଥେ ବସିଲେ ଚକ୍ରପାଣି

କୁରୁଜାଙ୍ଗଳ ଦେଶ ଜିଣି

ପାଞ୍ଚାଳ ଶୂରସେନ ପଥ

ବ୍ରହ୍ମାବର୍ତ୍ତ ଯେ କୁରୁକ୍ଷେତ୍ର

ମତ୍ସ୍ୟ ଯମୁନା ସାରସ୍ୱତ

ମରୁଧନ୍ୱରେ ଉପଗତ

ତହିଁ ଉତ୍ତାରୁ ସଉବୀର

ଆଭୀର ଦେଶ ମଧ୍ୟେ ସାର

ବିଖ୍ୟାତ ଦ୍ୱାରକା ନଗର

ଯହିଁ ବିଜୟ ବଂଶୀଧର

ସେ ଦେଶେ ଯେତେ ପ୍ରଜାଜନ

ସଭାରେ କୃଷ୍ଣ ଦରଶନ

ଅନେକ ଉପହାର ହସ୍ତେ

ଘେନି ମିଳିଲେ ଦିନ ଅନ୍ତେ

ସେ ହରି ଚରଣ ପଙ୍କଜେ

ପାମର ଜଗନ୍ନାଥ ଭଜେ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ଶ୍ରୀକୃଷ୍ଣ ଦ୍ୱାରକା ଗମନଂ ନାମ

ଦଶମୋଽଧ୍ୟାୟଃ ॥

•••

 

ଏକାଦଶ ଅଧ୍ୟାୟ

 

ଶ୍ରୀ ସୂତ ଉବାଚ

ସୂତ କହନ୍ତି ସାବଧାନେ

ଶୁଣ ସକଳ ମୁନିଜନେ

ଏମନ୍ତେ ନିଜ ରାଜ୍ୟେ ହରି

ମିଳିଲେ ଶଙ୍ଖନାଦ କରି

ସେ ପାଞ୍ଚଜନ୍ୟ ଶଙ୍ଖ ଶଦ୍ଦ

ହରିଲା ପ୍ରଜାଙ୍କ ବିଷାଦ

ସେ ନାଦ ସ୍ଫୁରେ ଯେତେ ଦରେ

ଜନ୍ମ ମରଣ ପାପ ହରେ

ସେ ନାଦ ସ୍ଫୁରେ ଘନ ଘନ

ଶୁଣି ସକଳ ପ୍ରଜାଜନ

ଧାମନ୍ତି ପରମ ହରଷେ

କୃଷ୍ଣର ଦର୍ଶନ ଲାଳସେ

ବିବିଧ ଉପାୟନ ହସ୍ତେ

ମିଳିଲେ ଗୋବିନ୍ଦ ଅଗ୍ରତେ

ରବି ସମୀପେ ଦୀପପନ୍ତି

ଦିବସେ ଯେସନେ ଦିଶନ୍ତି

ସେ ହରି ପରିପୂର୍ଣ୍ଣ କାମ

ଆତ୍ମା ପ୍ରକାଶେ ଆତ୍ମାରାମ

ତାର ନିକଟେ ରୁଣ୍ତ ହୋଇ

ସକଳେ ଶିରେ କର ଦେଇ

ବାଳକ ପିତା ଆଗମନେ

ହରଷେ ହୁଅଇ ଯେସନେ

ଆନନ୍ଦେ କୃଷ୍ଣ ମୁଖ ଚାହିଁ

କହନ୍ତି ଶିରେ କର ଦେଇ

ଭୋ ନାଥ ପରମ କାରଣ

ତୋହର ଅଭୟ ଚରଣ

ଶିବ ବିରଞ୍ଚି ଆଦି ଦେବେ

ନିତ୍ୟେ ଭଜନ୍ତି ଆତ୍ମା ଲାଭେ

ସେହି ତ ଆତ୍ମାର କାଲ୍ୟାଣ

ତୋ ପାଦେ ଧ୍ୟାନ ନାରାୟଣ

ସେ କାଳ ଜଗତ ସଂହାରେ

ତୋହର ସେବକ ନ ପାରେ

ତୁ ଆମ୍ଭ ପିତାମାତା ପତି

ସର୍ବ ସଙ୍କଳ୍ପ କ୍ଷମାଗତି

ପରମ ଗୁରୁ ଯେ ଦୈବତ

ସୁହୃଦ ପ୍ରାୟେ ବନ୍ଧୁ ସୁତ

ତୋ ବିନୁ ନ ଜାଣୁ ତ କିଛି

ତୁ ଦେବ ସର୍ବଶାନ୍ତି ସାକ୍ଷୀ

ଅନାଥ ନାଥ ତୁ ଆମର

ଦେବ ମାନବେ ଅଗୋଚର

ତୋର ବଦନ ନାରାୟଣ

ପ୍ରେମ ତୃଷିତ ନିରୀକ୍ଷଣ

ସେ ସୁଖ ଘେନି ଯେତେବେଳେ

କୁରୁ ନଗରେ ବନ୍ଧୁମେଳେ

ଇଚ୍ଛାରେ କଲୁ ତୁ ଗମନ

ତୋତେ ନ ଦେଖି ଆମ୍ଭ ମନ

କ୍ଷଣକ କୋଟିଯୁଗ ମଣୁ

ଦିବସ ରଜନୀ ନ ଗଣୁ

କୋଟି ନୟନ ଜନ୍ତୁ ବହି

କି କରେ ରବି ଯେବେ ନାହିଁ

ତୋହର ପ୍ରସନ୍ନ ବଦନ

ଅଖିଳ ତାପ ବିମୋଚନ

ଚିର ପ୍ରବାସେ ତା ନ ଦେଖି

ଆମ୍ଭ ଜୀବନ ବଡ଼ ଦୁଃଖୀ

ଏମନ୍ତ ଜନ ମୁଖୁଁ ଶୁଣି

ଆନନ୍ଦ ପ୍ରଭୁ ଚକ୍ରପାଣି

ଅମୃତ ଲୋଚନେ ଅନାଇଁ

ପୁରେ ପ୍ରବେଶ ଭାବଗ୍ରାହୀ

ଯାଦବ ସାତବଂଶ ମିଳି

ଶବଦେ ପୁରେ ମହୀସ୍ଥଳୀ

ମତ୍ତ ମାତଙ୍ଗ ଅଶ୍ୱ ଖର

ରଥେ ମଣ୍ଡଣି ଅଳଙ୍କାର

ପଦାତି ବଳ ଅପ୍ରମିତ

ଧାବନ୍ତି ବୀର ଯୂଥଯୂଥ

ଚଳନ୍ତେ ଚତୁରଙ୍ଗ ବଳ

ପାତାଳେ କମ୍ପେ ନାଗକୁଳ

ସକଳ ବୃକ୍ଷେ ପୁଷ୍ପଫଳ

ଆଶ୍ରମ ଲତାଦ୍ରୁମ ମେଳ

ଆମ୍ୱ କଦଳୀ ନାନା ବର୍ଣ୍ଣ

ଜଳେ କ୍ରୀଡ଼ନ୍ତି ବିହଙ୍ଗମ

ତୋରଣ ପୁର ଦ୍ୱାର ମାର୍ଗେ

ଉଚ୍ଚେ ବନ୍ଧନ ନବରଙ୍ଗେ

ଧ୍ୱଜ ପତାକା ଛତ୍ର ଶୋହେ

ସୁନ୍ଦର ପଥ ମନ ମୋହେ

ମାର୍ଜ୍ଜନା କରି ଯେଝା ପୁରୀ

ଲତା କୁସୁମ ଗନ୍ଧ ବାରି

ପୂର୍ଣ୍ଣ କଳସ ଧୂପ ଦୀପେ

ଜୟ ଶବଦ ନାନା ରୂପେ

କୃଷ୍ଣର ଆଗମନ ଜାଣି

ସକଳ ଦ୍ୱିଜେ ବେଦ ଭଣି

ରାମ ଅକ୍ରୂର ଉଗ୍ରସେନ

କୃଷ୍ଣର ଯେତେକ ନନ୍ଦନ

ହରଷ ଉପୁଜିଲା ମନ

ଉପେକ୍ଷି ଶୟନ ଭୋଜନ

ଉତ୍ତମ ହସ୍ତୀ ସଜ କରି

ଯାଦବେ ମଙ୍ଗଳ ଉଚ୍ଚାରି

ମଙ୍ଗଳ ବେଦ ମାର୍ଗେ ସ୍ଫୁରେ

ମାର୍ଗେ ଚଳିଲେ ବିପ୍ରବରେ

ଶଙ୍ଖ ମହୁରୀ ଭେରୀ ତୂରୀ

ଯେ ବାଦ୍ୟ ମଙ୍ଗଳ ଉଚ୍ଚାରି

ଏମନ୍ତେ ପୁରଜନେ ପଥେ

ଆନନ୍ଦେ ମିଳିଲେ ସମସ୍ତେ

ଶତେ ସହସ୍ର ବାରାଙ୍ଗନା

ଯେ ରୂପେ ଜଗତ ମୋହନା

କୁଣ୍ତଳ ଲମ୍ୱିତ ଶ୍ରବଣେ

ନୂପୁର ବାଜଇ ଚରଣେ

ସୁନ୍ଦର ପଙ୍କଜ ଲୋଚନ

ନୟନେ ପୂରିତ ଅଞ୍ଜନ

ଅଳକା ତିଳକ କୁସୁମ

ଦେବ ମାନବେ ମନୋରମ

ନର୍ତ୍ତକୀ ବନ୍ଦିଗଣ ସୂତେ

ଆଗେ ଚଳନ୍ତି ଯୂଥେ ଯୂଥେ

କୃଷ୍ଣର ଅଦ୍ଭୂତ ଚରିତ

ମଙ୍ଗଳ କଲେ ବାଦ୍ୟ ଗୀତ

ଚଳିଲେ ଶ୍ରୀକୃଷ୍ଣର ପାଶେ

ସକଳେ ପରମ ହରଷେ

ଗୋବିନ୍ଦ ଦେଖି ପୁରଜନ

ତକ୍ଷଣେ ଉପେକ୍ଷି ଶୟନ

ଯେ ହରି ସର୍ବ ଗୁଣନିଧି

ବନ୍ଧୁ ପୂଜିଲେ ଯଥାବିଧି

ତାହାକୁ କରି ନମସ୍କାର

ଆନନ୍ଦେ ଧରି କରେ କର

କାହାକୁ କଲେ ଆଲିଙ୍ଗନ

କାହାକୁ ଦିଅନ୍ତି ଚୁମ୍ବନ

କାହାକୁ ମନ୍ଦହାସେ ଚାହିଁ

ଭାବେ ତୋଷିଲେ ଭାବଗ୍ରାହୀ

ଆଶ୍ୱାସ କରି ପୁରଜନେ

ତୋଷିଲେ ବିପ୍ରଜନେ ଧନେ

ଚାଣ୍ତାଳୁ ବ୍ରହ୍ମଯାଏ ପୂଜା

କରି ତୋଷିଲେ ଦେବରାଜା

କୁଳ ପୂଜିତ ଜ୍ଞାତିବୃଦ୍ଧ

କୃଷ୍ଣଙ୍କୁ କରି ଆଶୀର୍ବାଦ

ପୁରେ ପ୍ରବେଶ ଜନାର୍ଦ୍ଦନ

ଦ୍ୱାରକାପୁରେ ବନ୍ଧୁଜନ

ତକ୍ଷଣେ ଗଲା ଦୂର କରି

ଆରୋହି ଅଟ୍ଟାଳି ପାଚେରୀ

ନାନା ମଙ୍ଗଳ ନିଜପୁରେ

କୃଷ୍ଣ ବଦନ ନିରନ୍ତରେ

ଦେଖି ସନ୍ତୋଷ ହୋଇ ମନେ

ଅମର ଯେହ୍ନେ ସୁଧାପାନେ

ଲକ୍ଷ୍ମୀ ନିର୍ମାଣ ଯାର ଅଙ୍ଗ

କେ ଲଭିପାରେ ତାର ସଙ୍ଗ

ସୁଧା ସୁପୁଣ୍ୟ ଯାର ଗାତ୍ରେ

ପ୍ରାଣୀ ଲୋଚନ ଜ୍ଞାନ ମାତ୍ରେ

ଯାହାର ଚାରିଭୁଜ ତୁଲେ

ବାସବ ଆଦି ଦିଗପାଳେ

ଯାହାର ଅଭୟ ଚରଣ

ଭକ୍ତଜନଙ୍କର ଶରଣ

ଧବଳ ଛତ୍ର କେବା ଧରେ

କେବା ଚାମର ବିଞ୍ଚେ କରେ

ଜୟ ଶବଦ କେ କରନ୍ତି

କେବା କୁସୁମ ବରଷନ୍ତି

ରଥେ ଗୋବିନ୍ଦ ତନୁ ଶୋଭା

କିବା ଉପମା ଆମ୍ଭେ ଦେବା

ହୃଦୟେ ଲମ୍ୱେ ବନମାଳ

ଶ୍ରବଣେ ମକର କୁଣ୍ତଳ

ପୀତ ବସନ ମଧ୍ୟଭାଗେ

ଯେହ୍ନେ ବିଜୁଳି ନୀଳମେଘେ

ଅର୍କ ଶଶାଙ୍କ ଶକ୍ରଚାପ

ସ୍ୱଭାବେ ନିକାଞ୍ଚନ ରୂପ

ପୁରେ ପ୍ରବେଶ ବ୍ରହ୍ମରାଶି

ତକ୍ଷଣେ ମାତୃଗଣେ ଆସି

ଆନନ୍ଦେ କରି ଆଲିଙ୍ଗନ

କୃଷ୍ଣଙ୍କୁ କରିଣ କଲ୍ୟାଣ

ଦେବକୀ ଆଦି ପିତୃନାରୀ

ଚରଣେ ନମିଲେ ମୁରାରି

ସକଳ ମାତୃଗଣ ମିଳି

କୋଳେ ବସାଇ ବନମାଳୀ

ଅତ୍ୟନ୍ତ ପୁତ୍ର ସ୍ନେହ ଭରେ

କ୍ଷୀର ସ୍ରବଇ ପୟୋଧରେ

ଅତି ଆନନ୍ଦେ ଅଶ୍ରୁନେତ୍ରେ

ପୁଲକ ରୋମପନ୍ତି ଗାତ୍ରେ

ମାତୃଗଣଙ୍କ ସଙ୍ଗେ ହରି

ନିଜ ଭୁବନେ ବିଜେ କରି

ଷୋଳ ସହସ୍ର ନାରୀଙ୍କର

ବିରାଜେ ରତ୍ନମୟ ପୁର

ସକଳ କାମନା ଆରାମ

ଯହିଁ ବିଜୟ ପୁଣ୍ୟକାମ

ମାୟାର ବଳେ ବନମାଳୀ

ପତ୍ନୀ ଭୁବନେ ବିଜେ କରି

ଅଷ୍ଟ ଅଧିକ ଶତ ନାରୀ

ଷୋଳ ସହସ୍ର ପରିବାରୀ

ପଶିଲେ ଏତେ ରୂପ ହୋଇ

ହାସ୍ୟ କଟାକ୍ଷେ ମନମୋହି

ଭବନେ ଦେଖି ନିଜ ପତି

ସଂଭ୍ରମେ ସକଳ ଯୁବତୀ

ପୁରେ ଗୋବିନ୍ଦ ମୁଖ ଦେଖି

ନିର୍ମଳ କଲେ ବେନି ଆଖି

ଅନ୍ତରେ ସ୍ୱାମୀ ରୂପ ଧରି

ନିବିଡ଼େ ଆଲିଙ୍ଗନ କରି

ସ୍ୱଭାବେ ଲଜ୍ଜିତ ବଦନ

ଲୋତକେ ପୂରିତ ନୟନ

କୃଷ୍ଣଙ୍କୁ ପାଇ ଏକ ଚିତ୍ତେ

ତଥାପି କୃଷ୍ଣ ପଦାଗ୍ରତେ

ଅତି ପୀରତି ନବ ନବ

ସ୍ୱାମୀ ଚରଣେ କଲେ ଭାବ

ପତିଙ୍କ ପାଦ ସେବା କଲେ

କେ ତାହା ଛାଡ଼ିପାରେ ଭଲେ

ଲକ୍ଷ୍ମୀ ଯେ ସ୍ୱଭାବେ ଚଞ୍ଚଳା

ସେହି ନ ଛାଡ଼େ ପ୍ରତିବେଳା

ଏହି ପ୍ରକାରେ ନରହରି

ବଳେ ଧରଣୀ ଭାରା ହରି

ଦଶ ଅୟୁତ ରାଜାଗଣେ

ଉଭାରି ସଂହାରିଲେ ରଣେ

କଳି ଭିଆଇ ନାରାୟଣ

ଅନଳ ଯେହ୍ନେ ସମୀରଣ

ନାଶିଲା ଅହଂକାର କ୍ରୋଧେ

ବିମାନେ ବସି ନିରାୟୁଧେ

ସ୍ୱମାୟାବଳେ ନରହରି

ମନୁଷ୍ୟ ଦେହେ ଅବତରି

ଅଜ୍ଞାନୀ ଯେହ୍ନେ ଗୃହେ ରହି

ବଞ୍ଚଇ ଭାର୍ଯ୍ୟାରତ ହୋଇ

ପତ୍ନୀର ନାନା ପ୍ରେମ ରଙ୍ଗେ

ଯନ୍ତ୍ରିତ ମୋହିତ ଅନଙ୍ଗେ

କୃଷ୍ଣର ଯେତେ ନାରୀଗଣ

ସୁନ୍ଦରେ ମୋହନ୍ତି ମଦନ

ସ୍ୱଭାବେ ପ୍ରେମଛନ୍ଦ ରସେ

ନିତ୍ୟେ ସେବନ୍ତି କୃଷ୍ଣ ପାଶେ

ବିବିଧ ଆଲିଙ୍ଗନ ଦେଇ

ଯା ମନ ନ ପାରିଲେ ମୋହି

ଏ ଜୀବଲୋକ କାହୁଁ ଜାଣେ

ଆପଣା ତୁଲ୍ୟ କରି ମଣେ

କାହୁଁ ପାରିବ ବଶ କରି

ନିର୍ଲେପ ପ୍ରଭୁ ନରହରି

ସେ ହରି ଶ୍ରୀପଦ୍ମ ଚରଣ

ସୁଜନେ ଚିନ୍ତ ଅନୁକ୍ଷଣ

କହଇ ବିପ୍ର ଜଗନ୍ନାଥ

ପ୍ରଥମ ସ୍କନ୍ଧେ ଭାଗବତ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ଶ୍ରୀକୃଷ୍ଣ ସମାଗମୋ ନାମ

ଏକାଦଶୋଽଧ୍ୟାୟଃ ।

•••

 

ଦ୍ୱାଦଶ ଅଧ୍ୟାୟ

 

ଶୌନକ ଉବାଚ

ଏମନ୍ତ ସୂତ ମୁଖୁ ଶୁଣି

ଶୌନକ କହେ ମଞ୍ଜୁବାଣୀ

କୋପେ ଯେ ଦ୍ରୋଣଙ୍କ କୁମର

ମନ୍ତ୍ରି ପେଶିଲା ବ୍ରହ୍ମଶର

ଶର ପ୍ରଚଣ୍ତ ତେଜ ବଳେ

ଭୟେ କମ୍ପିଲେ ଦିଗପାଳେ

ଉତ୍ତରା ଗର୍ଭେ ସେ ପଡ଼ିଲା

ତକ୍ଷଣେ ଗୋବିନ୍ଦ ରଖିଲା

ସେ ପୁଣି ଗର୍ଭୁ ଜନ୍ମ ହୋଇ

ପାଳିଲା ରାଜାପଣେ ମହୀ

ଜଗତେ କର୍ମ ଯେତେ କଲା

ପ୍ରଜାଙ୍କୁ ଯେମନ୍ତେ ପାଳିଲା

କେବଣ ହେତୁ ନୃପରାଣ

କାହିଁ ଛାଡ଼ିଲା ନିଜ ପ୍ରାଣ

ଅଳ୍ପ ବୟସେ ସେ ନୃପତି

ଅନ୍ତେ ଲଭିଲା କେଉଁ ଗତି

ତାର ସକଳ କର୍ମଦୀକ୍ଷା

ଆମ୍ଭେ ଶ୍ରବଣେ କରୁ ଇଚ୍ଛା

ଆମ୍ଭଙ୍କୁ ଯେବେ ଦୟା ବହ

ସଂଶୟ ଯାଉ ମୁନି କହ

ଆନନ୍ଦେ ବ୍ୟାସଙ୍କର ସୁତ

ତାହାଙ୍କୁ ଦେଲେ ଜ୍ଞାନତତ୍ତ୍ଵ

ଏମନ୍ତ ମୁନିଗଣ ମଧ୍ୟେ

ଶୌନକ ମୁନି ଅନୁବାଦେ

ଗୋବିନ୍ଦ ପାଦେ ଦେଇ ଚିତ୍ତ

ହସି କହନ୍ତି ମୁନି ସୂତ

 

 

 

 

 

 

 

 

ଶ୍ରୀ ସୂତ ଉବାଚ

କୁରୁ ନଗରେ ଧର୍ମରାଜା

ପିତାଙ୍କ ପ୍ରାୟେ ପାଳେ ପ୍ରଜା

କୃଷ୍ଣହୁଁ ନ ଜାଣଇ ଆନ

ବିଷୟ ରସେ ନାହିଁ ମନ

ଧର୍ମର ସମ୍ପଦର ରକ୍ଷଣେ

ଯେ ସ୍ନେହ ପିତୃ ଭ୍ରାତୃଗଣେ

ପ୍ରଜା ପାଳନେ ମହୀପତି

ଧର୍ମ ହୁଁ ନାହିଁ ଅନ୍ୟ ଗତି

ଏ ଜମ୍ବୁଦ୍ୱୀପେ ଯେତେ ରାଜା

ସର୍ବେ କରନ୍ତି ପାଦ ପୂଜା

ଯାର ମହିମା ତିନିଲୋକେ

ଘୋଷନ୍ତି ଏକକୁ ଆରକେ

ଗୋବିନ୍ଦ ଯାର ହୃଦେ ବସେ

ସେ କି ବିଷୟ ରସ ରସେ

ଏବେ ହୋ ଶୁଣ ବିପ୍ରଜନେ

ପରୀକ୍ଷିତ ଜନ୍ମ ଯେସନେ

ମାତାର ଗର୍ଭେ ଯେବେ ଥିଲା

ନୟନ ମାର୍ଗେ ସେ ଦେଖିଲା

ଯେସନେ ତେଜେ ଦିନକର

ଗର୍ଭେ ପଡ଼ିଲା ବ୍ରହ୍ମଶର

ଉତ୍ତରା ଡାକେ ତ୍ରାହି ତ୍ରାହି

ତକ୍ଷଣେ ପ୍ରଭୁ ଭାବଗ୍ରାହୀ

ଅଙ୍ଗୁଷ୍ଠି ଯବେକ ଶରୀର

ସୁଦର୍ଶନ ଯେ ଧରି କର

କିରୀଟ କୁଣ୍ତଳ ବିରାଜେ

ପ୍ରଭାର ରବି ତେଜ ଗଞ୍ଜେ

ଅପୂର୍ବ ରୂପ ଘନଶ୍ୟାମ

ଜଡ଼ିତ ହେମ କୋଟି ଦାମ

ଆଜାନୁ ଲମ୍ବେ ଭୁଜ ଚାରି

ଗଦାବ୍‌ଜ ଶଙ୍ଖ ଚକ୍ରଧାରୀ

କୋପେ ଲୋହିତ ବେନି ଦୃଷ୍ଟି

ଗଦା ଧାରଣେ ଦୃଢ଼ ମୁଷ୍ଠି

ଗଦାର ତେଜେ ରବି ତ୍ରାସ

ପୁରେ ମଣ୍ଡଳ ଦଶଦିଶ

ହରିଲେ ବ୍ରହ୍ମଶର ତେଜ

ନିଶାରେ ଯେହ୍ନେ ଗ୍ରହରାଜ

ତକ୍ଷଣେ ଗର୍ଭରକ୍ଷା କରି

ଅନ୍ତର ହୋଇଲେ ମୁରାରି

ବାଳକ ଦେଖେ ତା ନୟନେ

ଗୋବିନ୍ଦ ଗଲେ ଅନ୍ତର୍ଦ୍ଧାନେ

ତକ୍ଷଣେ ସର୍ବ ଶୁଭକାଳେ

ଅମର ଗୁରୁ ଲଗ୍ନବେଳେ

ବାଳକ ହୋଇଲା ବାହାର

ରୂପେ ପାଣ୍ତବ ବଂଶଧର

ଅତି ସୁନ୍ଦର ବିରାଜିଲା

ପୁଣି କି ପାଣ୍ତୁ ପ୍ରକାଶିଲା

ଦେଖି ସନ୍ତୋଷ ଧର୍ମ ସୁତ

ସଙ୍ଗତେ ଘେନି ପୁରୋହିତ

ଆନନ୍ଦେ ମିଳି ମହାଜନେ

ସ୍ତୁତି ଯେ ମଙ୍ଗଳ ବଚନେ

ଶୁଭଇ ଶଙ୍ଖ ନାଦ ଭେରୀ

ଶୁଭେ ଜାତକ କର୍ମ କରି

ସୁବର୍ଣ୍ଣ ମହୀ ଧେନୁ ତୁଲେ

ଅନେକ ଗ୍ରାମ ଦାନ ଦେଲେ

ସୁତ ମାଗଧ ଆଦି ଲୋକେ

ଏ ଆସି ମିଳିଲେ ଅନେକେ

ଧର୍ମ ନନ୍ଦନ ସୁଖ ଚିତ୍ତେ

ଦକ୍ଷିଣା ଦେଲେ ପୁରୋହିତେ

ସନ୍ତୋଷେ ବସି ବିପ୍ରଜନ

ବିଚାରି ଜାତକ ଲକ୍ଷଣ

ଗ୍ରହ ନକ୍ଷତ୍ର କରି ଚିତ୍ତେ

କହନ୍ତି ରାଜାର ଅଗ୍ରତେ

ବ୍ରାହ୍ମଣା ଉଚୁଃ

ଏ ଅଭିମନ୍ୟୁର କୁମର

ପାଣ୍ତବ ବଂଶେ କୀର୍ତ୍ତିକର

ଗର୍ଭ ସଙ୍କଟୁ ଏ ରହିଲା

ଏହାକୁ ବିଷ୍ଣୁ ରକ୍ଷା କଲା

ସର୍ବ ଲକ୍ଷଣେ ଏ ସମ୍ଭୂତ

ଏହାର ନାମ ପରୀକ୍ଷିତ

କୁରୁ ପାଣ୍ତବ ବଂଶଧର

ଏ ଭାଗବତ ମଧ୍ୟେ ବର

ଏମନ୍ତେ ବ୍ରାହ୍ମଣଙ୍କ ବାଣୀ

କହନ୍ତି ଯୁଧିଷ୍ଠିର ଶୁଣି

ଯୁଧିଷ୍ଠିର ଉବାଚ

ହେ ବିପ୍ରବର ତୁମ୍ଭ ବାଣୀ

ମନ ଆନନ୍ଦ କଲୁ ଶୁଣି

ଆଗମ ନିଗମର ସାର

ତୁମ୍ଭଙ୍କୁ ନୋହେ ଅଗୋଚର

ଗ୍ରହ ନକ୍ଷତ୍ର ଯୋଗ ସ୍ଥିତେ

ଯାହା କହିଲେ ଶାସ୍ତ୍ରମତେ

ଏ ବଂଶଧର ସାଧୁ ପଦେ

ପ୍ରଜା ପାଳିବେ ନିରାପଦେ

ରାଜା ବଚନେ ବିପ୍ରଗଣ

କହନ୍ତି ଜାତକ ଲକ୍ଷଣ

ବ୍ରାହ୍ମଣା ଉଚୁଃ

ଶୁଣ ହୋ ଧର୍ମର ନନ୍ଦନ

ଆମ୍ଭର ଆଶିଷ ବଚନ

ରାଜ୍ୟ ଏ ପାଳିବ ନିୟତ

ଯେହ୍ନେ ଇକ୍ଷ୍ୱାକୁ ମନୁସୂତ

ବ୍ରାହ୍ମଣ ସତ୍ୟ ଗୁଣନିଧି

ଏ ସର୍ବ ଦୀକ୍ଷା ପଣେ ସିଦ୍ଧି

ଏହାର ଗୁଣକ୍ରିୟା ଯଶେ

ଯେହ୍ନେ ଶ୍ରୀରାମ ରଘୁବଂଶେ

ସର୍ବ ଗୁଣରେ ଏ କୁମାରେ

ନାହିଁ ସମାନ ତିନିପୁରେ

ସମୁଦ୍ର ପ୍ରାୟେ ଯଜ୍ଞକାରୀ

ଅର୍ଜ୍ଜୁନ ପ୍ରାୟେ ଧନୁର୍ଦ୍ଧାରୀ

ହୁତାଶନର ତେଜୋମୟେ

ବୁଦ୍ଧି ଯେ ସମୁଦ୍ରର ପ୍ରାୟେ

ମୃଗେନ୍ଦ୍ର ପ୍ରାୟେ ତେଜକାରୀ

ସ୍ଥବିର ପ୍ରାୟେ ହେମଗିରି

ପୃଥିବୀ ସମ ଧୀର ଚେତା

ସହିଷ୍ଣୁ ଯେହ୍ନେ ପିତାମାତା

ସମ ପାଳନେ କି ବିଧାତା

ଈଶ୍ୱର ପ୍ରାୟେ ବରଦାତା

ଆଶ୍ରୟ ସର୍ବ ପ୍ରାଣୀଙ୍କର

ଯେହ୍ନେ ସଂସାରେ ରମାବର

ସର୍ବ ଲକ୍ଷଣେ ପୂର୍ଣ୍ଣକାମ

ସୁଦୃଢ଼ବ୍ରତୀ ସତ୍ୟଧାମ

ବିଷ୍ଣୁର ପ୍ରାୟେ ଦେବେ ଯେହ୍ନେ

ସକଳ ଗୁଣ ଧାମ ତେହ୍ନେ

ବଳୀର ପ୍ରାୟେ ଧୀରପଦ

ବୈଷ୍ଣବେ ଯେହ୍ନେ ପ୍ରହଲାଦ

ସଂସାର ମଧ୍ୟେ ହବିର୍ଭାଗେ

ଦେବଙ୍କୁ ଅଶ୍ୱମେଧ ଯାଗେ

ରାଜଋଷିଙ୍କୁ ଯତ୍ନ କରି

ଦୁଷ୍ଟ ସମୂହ ଦର୍ପ ହରି

ଅବନୀ ଧର୍ମ ରକ୍ଷା ଅର୍ଥେ

କଳିକୁ ବାନ୍ଧିବ ଅଗ୍ରତେ

ବ୍ରାହ୍ମଣ ଶାପ ମହାରୋଷେ

ଏହାର ଅଳପ ବୟସେ

ବ୍ରାହ୍ମଣ ବାକ୍ୟେ ହୋଇ କ୍ଷୀଣ

ତକ୍ଷଣେ ହାଦେ ଦେବ ପ୍ରାଣ

ବ୍ରାହ୍ମଣ ଅଭିଶାପ ପାଇ

ତକ୍ଷଣେ ସାଧୁସଙ୍ଗ ହୋଇ

ଜାହ୍ନବୀ ତଟେ ଅନ୍ତର୍ଜଳେ

ହରିଙ୍କ ଭକ୍ତିଜନ ମେଳେ

କୃଷ୍ଣ ମହିମା ଜନମୁଖେ

ଶୁଣି ଛାଡ଼ିବ ପ୍ରାଣ ସୁଖେ

ଗୋବିନ୍ଦ ଅଭୟ ଚରଣ

ନିଶ୍ଚିନ୍ତେ ପଶିବ ଶରଣ

ଏମନ୍ତେ ହରିଭାବ ଘେନି

କହନ୍ତି ସୂତ ମହାମୁନି

ଶ୍ରୀ ସୂତ ଉବାଚ

ପୁଣି ସକଳ ମୁନି ଆଦି

ଅନ୍ତରେ ଯେତେ ବେଦବାଦୀ

ଏମନ୍ତେ ଜାତକର୍ମ କଲେ

ବନ୍ଧୁ ବାନ୍ଧବ ବିପ୍ର ମେଳେ

ରାଜାଙ୍କୁ କରି ଅନୁମାନ

ବିପ୍ରେ ମିଳିଲେ ନିଜ ସ୍ଥାନ

ଏମନ୍ତ ଜନ୍ମ ପରୀକ୍ଷିତ

ଲୋକରେ ହୋଇଲା ବିଦିତ

କର୍ମ ଆରାଧି ସର୍ବବାଣୀ

ଯାହା କହିଲେ ପରିମାଣି

ଦିନକୁ ଦିନ ତେଜରାଶି

ଶୁକ୍ଳ ପକ୍ଷରେ ଯେହ୍ନେ ଶଶୀ

ଦିନକୁ ଦିନ ପିତୃଗଣେ

ସ୍ନେହେ ପାଳନ୍ତି ଅନୁକ୍ଷଣେ

ବାଳକ ଦେହେ ପରୀକ୍ଷିତ

ସ୍ୱଭାବେ କୃଷ୍ଣର ଭକତ

ସକଳ ଲୋକେ ପ୍ରୀତି ଦାତା

ସାଧୁ ସୁନ୍ଦର ଶୁଦ୍ଧଚେତା

ଏବେ ହୋ ଶୁଣ ବିପ୍ରଗଣେ

ଧର୍ମନନ୍ଦନ ତୋଷ ମନେ

ଜ୍ଞାତି ମାରଣେ ଦ୍ରୋହ ଚିତ୍ତେ

ସର୍ବ କଳୁଷ ନାଶ ଅର୍ଥେ

ରାଜାଙ୍କୁ ତହୁଁ ନିଜ ଧନ

ନ କରି ଦଣ୍ତ ବରଷଣ

ପଞ୍ଚ ଭ୍ରାତାର ପାଶେ ମିଳି

ବିପ୍ରଙ୍କୁ ଘେନି ବନମାଳୀ

ଆଗମ ନିଗମ ଯେ ବିଧି

କରାଇ ତିନି ଅଶ୍ୱମେଧି

କେତେ ହେଁ ଦିନ କୃଷ୍ଣ ରହି

ଜ୍ଞାତି ସୁହୃଦ ଭାବ ବହି

ଦ୍ରୌପଦୀ କୁନ୍ତୀ ଅନୁବ୍ରତେ

ବିଚାର କରି ପଞ୍ଚଭ୍ରାତେ

ରଥେ ଅର୍ଜୁନ ସଙ୍ଗ କରି

ନିଜ ଭୁବନେ ଗଲେ ହରି

ସେ ହରି ଚରଣ ପଙ୍କଜେ

ବ୍ରାହ୍ମଣ ଜଗନ୍ନାଥ ଭଜେ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ପରୀକ୍ଷିତ ଜନ୍ମ ବର୍ଣ୍ଣନେ ନାମ

ଦ୍ୱାଦଶୋଽଧ୍ୟାୟଃ ॥

•••

 

ତ୍ରୟୋଦଶ ଅଧ୍ୟାୟ

 

ଶ୍ରୀ ସୂତ ଉବାଚ

ସୂତ କହନ୍ତି ତୋଷ ମନେ

ଶୁଣ ସକଳ ମୁନିଗଣେ

ବିଦୁର ତୀର୍ଥଯାତ୍ରା ଶ୍ରମେ

ମିଳିଲେ ମୈତ୍ରେୟ ଆଶ୍ରମେ

କେତେହେଁ ଦିନ ତହିଁ ରହି

ଆତ୍ମାର ତତ୍ତ୍ଵଜ୍ଞାନ ବହି

ହସ୍ତିନା ନଗର ବିଶ୍ୱାସେ

ମିଳିଲେ ଧୃତରାଷ୍ଟ୍ର ପାଶେ

ଜାଣିବାପାଇଁ ତାର ଗତି

ସ୍ୱଭାବେ ସାଧୁ ଧୀର ମତି

ବିଦୁର ଦେଖି ଧର୍ମସୁତ

ବନ୍ଧୁ ଆଗମେ କୃତକୃତ୍ୟ

ସଙ୍ଗତେ ଘେନି ଚାରିଭାଇ

ପୂଜିଲେ ଆସନେ ବସାଇ

ଦୁର୍ଦ୍ଦକ୍ଷ ଧୃତରାଷ୍ଟ୍ର ସୂତ

ସଙ୍ଗତେ ଘେନି ପୁରୋହିତ

ଗାନ୍ଧାରୀ ଦ୍ରୌପଦୀ ସମେତେ

ସୁଭଦ୍ରା ଉତ୍ତରା ସହିତେ

ଆଗରେ ଗମୁଛନ୍ତି କୁନ୍ତୀ

ଅନ୍ୟ ସୋଦର ବନ୍ଧୁ ଜ୍ଞାତି

ପଣ୍ତୁର ଯେତେ ବନ୍ଧୁଜନେ

ମିଳିଲେ ହରଷ ବଦନେ

ପ୍ରାଣକୁ ପାଇ ପିଣ୍ଡ ଯେହ୍ନେ

ପୁଣି ଉଠଇ ଦିବ୍ୟଜ୍ଞାନେ

ସକଳ ମିଳି ତାର ପାଶେ

ନମିଲେ ଯେ ଯାହା ବିଶ୍ୱାସେ

ଅନାଇ ବିଦୁର ବଦନ

ଆନନ୍ଦେ ଅଶ୍ରୁଜଳ ପୂର୍ଣ୍ଣ

ସକଳେ ପୂଜାବିଧି କରି

ରାଜନ କର କରେ ଧରି

ବିଦୁର ବସାଇ ଆସନେ

ପାଶେ ସୁଭଦ୍ରା ବନ୍ଧୁଜନେ

ତାର ବଦନ ରାଜା ଚାହିଁ

ଆନନ୍ଦେ ଘେନି ଚାରିଭାଇ

ଉଚ୍ଚେ ପଚାରି ପ୍ରଶ୍ନବାଣୀ

କାନ୍ଦିଲେ ସର୍ବଲୋକେ ଶୁଣି

ଯୁଧିଷ୍ଠିର ଉବାଚ

ହେ ତାତ କହୁ ତୋ ଅଗ୍ରତେ

ଆମ୍ଭ କୁଶଳ ତୋର ଚିତ୍ତେ

ସ୍ମରଣ କରୁ ତୀର୍ଥ ଭ୍ରମେ

ବନଗହନେ ବହୁଶ୍ରମେ

ତୁମ୍ଭ ଚରଣେ ଆଶ୍ରେ କରି

ସକଳ କଷ୍ଟହିଁ ପାଶୋରି

ବିପଦ ଦୁଃଖ ଯେତେ ସହି

ବନେ ବଞ୍ଚିଲୁ ପାଞ୍ଚଭାଇ

ମାତା ସହିତେ ଜତୁଘରେ

ଅଗ୍ନି ଦହନ ମହାଘୋରେ

ବିଷ ଭକ୍ଷଣ ଆଦି ଯେତେ

ତୋ ଆଗେ କହିବି ମୁଁ କେତେ

ଅନେକ ପାପର ପ୍ରମାଦୁ

ବଞ୍ଚିଲୁ ତୁମ୍ଭର ପ୍ରସାଦୁ

ତୁ ଆମ୍ଭ ସ୍ନେହ ଦୂର କରି

ଭ୍ରମଣ କଲୁ ବସୁନ୍ଧରୀ

ଉଦାସୀ ପୃଥିବୀ ଲକ୍ଷଣେ

ଏକାନ୍ତେ ବୁଲୁ ବନେ ବନେ

କିପରି ଗ୍ରାମ ଯାତ୍ରା କରି

ଏ ପଥଶ୍ରମକୁ ସଂହରି

ଭ୍ରମିଲୁ ଅବନୀ ମଣ୍ତଳେ

ତୀର୍ଥ ଆଶ୍ରମ ପୁଣ୍ୟଫଳେ

ତୋହର ପ୍ରାୟେ ସାଧୁ ଯେତେ

ପ୍ରବେଶ ହୋଇ ସର୍ବତୀର୍ଥେ

ଭ୍ରମି କରନ୍ତି ପୁଣ୍ୟସାର

ଯାହା କରନ୍ତି ଚକ୍ରଧର

ତୋର ସ୍ୱଭାବେ ପୁଣ୍ୟ ଦେହ

ପ୍ରଶ୍ନ ପଚାରୁ ତାତ କହ

ଯାଦବ ସଙ୍ଗେ ବନମାଳୀ

ସୁଖେ କି ଛନ୍ତି କୁଶସ୍ଥଳୀ

ତାହାର ଭଲେ ଭଲ ମୋର

ଯେ ହରି ଶରଣ ସୋଦର

ସୁଖେ ଅଛନ୍ତି କି ଯାଦବେ

ଭୋ ତାତ ପଚାରୁ ପ୍ରସ୍ତାବେ

ଶ୍ରୀ ସୂତ ଉବାଚ

ଏମନ୍ତେ ରାଜା ବାକ୍ୟ ଶୁଣି

ବିଦୁର ମନେ ମନେ ଗୁଣି

ସୁହୃଦ ପ୍ରାୟେ ଭଲ କଲା

ଯାଦବ କ୍ଷୟ ନ କହିଲା

ବିଚାରେ କହିବି ମୁଁ ଯେବେ

ଜୀବନ ଛାଡ଼ିବେ ପାଣ୍ତବେ

କେମନ୍ତେ ଦେଖିବି ମୁଁ ତାହା

ଏତେ ବିଚାରି କଲା ମାୟା

ନ କହେ ଯଦୁବଂଶ ନାଶ

ନିର୍ଘାତେ ଛାଡ଼ିଲା ନିଃଶ୍ୱାସ

ଉର୍ଦ୍ଧ୍ୱ ବଦନେ ସେ ବିଦୁର

କପଟେ କହଇ ମଧୁର

ସର୍ବ କୁଶଳ ତୋ ପ୍ରସାଦେ

କୃଷ୍ଣ ଅଛନ୍ତି ଅପ୍ରମାଦେ

ଏମନ୍ତେ ରାଜା ଆଗେ କହି

କେତେହେଁ ଦିନ ପୁରେ ରହି

ନିତ୍ୟ ଆନନ୍ଦେ ଧର୍ମ ରାଜା

ବିଦୁର ସ୍ନେହେ କରି ପୂଜା

ରାତ୍ର ଦିବସ ତାର ସଙ୍ଗେ

ଧର୍ମ ନନ୍ଦନ ମନ ରଙ୍ଗେ

ଅଶେଷ ତୀର୍ଥଙ୍କ ମହିମା

କିବା କହିବା ଗୁଣ ସୀମା

ସର୍ବ କହିଲା ତୋଷମନେ

ଏବେ ହୋ ଶୁଣ ବିପ୍ରଜନେ

ଆଜନ୍ମ ତହୁଁ ଶାପ ପାଇ

ବିଦୁର ଶୂଦ୍ରେ ଜାତ ହୋଇ

ଶତେ ବରଷ ଶୂଦ୍ର ଦେହେ

ବଞ୍ଚିଲା ବିଷ୍ଣୁ ମାୟା ମୋହେ

ଏ ଯେ ପାଣ୍ତବ ପାଞ୍ଚଭାଇ

ରିପୁ ସଂହାରି ରାଜା ହୋଇ

ପୁତ୍ର ପଉତ୍ର ଜନ ଦେଖି

ନିର୍ମଳ ଦୁର୍ଗମ ଉପେକ୍ଷି

ଗୃହ କରଣେ ଚିତ୍ତ ଜଡ଼ି

ବିଷ୍ଣୁର ମାୟା ମୋହେ ପଡ଼ି

ରାଜ୍ୟ କରନ୍ତି ଧର୍ମ ସୁତେ

ମିଳିଲା କାଳ ବିପରୀତେ

କେହି ନ ଜାଣେ ଗତି ତାର

ସ୍ୱଭାବେ ଅବ୍ୟକ୍ତ ଈଶ୍ୱର

ଧୂମ ପୂରିଲା ଦଶଦିଶେ

ବିଦୁର ଦେଖି ମହାତ୍ରାସେ

ବସିଲା ଧୃତରାଷ୍ଟ୍ର ତୁଲେ

ଆଶ୍ୱାସି କହେ ମନ ଭୋଳେ

ବିଦୂର ଉବାଚ

ହେ ଭ୍ରାତ ଶୁଣ ମୋ ଉତ୍ତର

କାଳ ମିଳିଲା ଭୟଙ୍କର

ଏହାର ପ୍ରତିକାର ନାହିଁ

ଅବ୍ୟକ୍ତ ରୂପ ନ ଦିଶଇ

ଦ୍ୱାପର ଯୁଗ ନଷ୍ଟ ଗଲା

ଏ କଳିକାଳ ପ୍ରକାଶିଲା

ଆମ୍ଭର ପ୍ରାଣ ଏ ହରିବ

ଏହାକୁ କେବା ନିବାରିବ

ଧନ ସମ୍ପଦ ମହୀତଳେ

ସଂହାର କରିବ ଏ ବଳେ

ଦେବ ଦାନବ ମହାବଳ

ବୃଦ୍ଧ ପ୍ରତାପୀ ଯୁବା କାଳ

ଯାହାର ଦରଶନ ମାତ୍ରେ

କଦଳୀ ଯେହ୍ନେ ଘୋରବାତେ

ଭୟେ କମ୍ପନ୍ତି ଥରହର

କାତରେ ନେତ୍ରୁ ବହେ ନୀର

ଅନିତ୍ୟ ଏ ମନୁଷ୍ୟ ଦେହୀ

ସାର ଏହାର କିଛି ନାହିଁ

ଏ ଦେହେଁ ବିମୁକ୍ତ ବନ୍ଧନ

ତାହାଙ୍କୁ କହି ମହାଜନ

ଦେଖ ତୋହର କର୍ମଫଳେ

ନାଶ ପୁତ୍ର ଭ୍ରାତା ସକଳେ

ଦୟା ତାହାର ଦୂରେ ଗଲା

ମରଣ ନିକଟ ହୋଇଲା

ଅତି ଦୁଃଖିତ ବୃଦ୍ଧ ଦେହେ

ତୋର ନିବାସ ପରଗୃହେ

ଦିଶନ୍ତି ଦନ୍ତ ତୋ ଅଧର

କର୍ଣ୍ଣେ ନ ଶୁଭଇ ବଧିର

ଅନ୍ତରେ ଅଗ୍ନି ମନ୍ଦ ହୋଇ

ଅନ୍ନ ଭୋଜନ ନ ରୁଚଇ

କେ ତାଙ୍କୁ ରଖିବ ଆୟତ୍ତେ

ପ୍ରାଣୀ ଜୀବିତ ଆତ୍ମା ଗତେ

ଏ ଯେ ଭୀମର ଗଦାଘାତେ

ସମରେ ମଲେ ତୋର ସୁତେ

ତୋର ଅର୍ଜିତ ପିଣ୍ତ ଆଶା

ଶ୍ୱାନରେ ପ୍ରାୟେ ତୋ ଭରସା

କୁମନ୍ତ୍ରୀ ଜନ ତୁଲେ ଭାଳି

ତୋର କୁମରେ କଲେ କଳି

ପଣ୍ତୁର ପାଞ୍ଚପୁତ୍ର ମାରି

ସୁଖେ ଭୁଞ୍ଜିବା ରାଜ୍ୟଶିରୀ

ଦୁଷ୍ଟଙ୍କ ତୁଲେ ବିଚାରିଲେ

ଭୀମକୁ ବିଷଲଡ଼ୁ ଦେଲେ

ସେ ଭୀମ କେବେହେଁ ନ ମଲା

ତାହାକୁ ଗୋବିନ୍ଦ ରଖିଲା

ଜଉର ଘରେ ଅଗ୍ନି ଦେଲେ

ସେ ବେଳେ ପାଣ୍ତବେ ରଖିଲେ

ପୁଣି କପଟ ପଶା କରି

ଧନ ସମ୍ପଦ ଅପହରି

ଦ୍ରୌପଦୀ କେଶ ଧରି ବଳେ

ଦୁଷ୍ଟଙ୍କ ତୁଲେ ବିଚାରିଲେ

ବିବସ୍ତ୍ର କଲେ ସଭାସ୍ଥଳେ

ଗୋବିନ୍ଦ କୋଟିବସ୍ତ୍ର ଦେଲେ

ଏ ଆଦି ଯେତେ କର୍ମ କଲେ

ତୁ ତାହା ଜାଣିଅଛୁ ଭଲେ

ସେ କି ତାହାଙ୍କ ଚିତ୍ତୁ ଯିବ

ମନୁଷ୍ୟ ଜନ୍ମର ସ୍ୱଭାବ

ତାହାଙ୍କ ତହୁଁ ପିଣ୍ତ ଖାଇ

ସେବକ ପ୍ରାୟ ଦ୍ୱାରେ ଯାଇ

ତୋର ବୟସ ଆଉ କାହିଁ

ଅତି ପତିତ ଦୁଷ୍ଟ ହୋଇ

ଦିନକୁ ଦିନ ତନୁ କ୍ଷୀଣ

ଯେସନେ ପୁରୁଣା ବସନ

ଏ ଦେହେ ବିମୁକ୍ତ ଯେ ଜନ

ଯେ ପ୍ରାଣୀ ବିମୁକ୍ତ ବନ୍ଧନ

ଅନିତ୍ୟ ନର କଳେବର

ଭିତରେ କିଛି ନାହିଁ ସାର

ଏହା ବିଚାରି ଯୋଗବଳେ

ହରିଙ୍କ ଭକ୍ତ ସଙ୍ଗ ମେଳେ

ନିର୍ମଳ ହୋଇ ବନାଶ୍ରମ

ସେ ପ୍ରାଣୀ ପୁରୁଷ ଉତ୍ତମ

ତୁ ବୁଦ୍ଧଜନଙ୍କ ଉତ୍ତମ

ଏବେ ତୁ ଛାଡ଼ ମତିଭ୍ରମ

ଉତ୍ତର ପଥେ ଚଳ ବେଗେ

ପତ୍ନୀ ସମେତ ଘେନି ସଙ୍ଗେ

ସେହି ଯେ ଦାସୀପଣେ ବନେ

ତୋତେ ସେବିବେ ଅନୁକ୍ଷଣେ

ଦେଖ ଏ କାଳ ଭୟଙ୍କର

ସତ୍ୟ ହରିବ ପ୍ରାଣୀଙ୍କର

ଏମନ୍ତେ ବିଦୁରର ବାଣୀ

ଗାନ୍ଧାରୀ ଧୃତରାଷ୍ଟ୍ର ଶୁଣି

ତକ୍ଷଣେ ମୋହ ଜଡ଼ ଛାଡ଼ି

ବନ ଗମନେ ଚିତ୍ତ ବଢ଼ି

ବିଷ୍ଣୁର ମାୟା କରି ଦୂର

ନଗରୁ ହୋଇଲା ବାହାର

ମନ ଆନନ୍ଦେ ତିନିଜଣ

ଗମିଲେ ହିମାଚଳ ବନ

ଏବେ ହୋ ଶୁଣ ବିପ୍ରବର

ଧର୍ମ ନନ୍ଦନ ନିଜ ପୁର

ସ୍ୱଭାବେ ନିତ୍ୟକର୍ମ ସାରି

ଅଗ୍ନି ପୂଜନ ଦାନ କରି

ଗୁରୁ ପୂଜନ ସେବା ଅର୍ଥେ

ଗୃହେ ମିଳିଲେ କୃତକୃତ୍ୟେ

ଗୁରୁ ଭବନେ ଯାଇ ମିଳି

ହସ୍ତେ ଘେନିଲେ ଅର୍ଘ୍ୟଥାଳୀ

ତକ୍ଷଣେ ଦେଖି ଶୂନ୍ୟଘର

କାତର ମନେ ନୃପବର

ପୁଚ୍ଛନ୍ତି ଜଣେ ଜଣେ ଚାହିଁ

ମୋ ଗୁରୁଜନ ଗଲେ କାହିଁ

କେହି ନ ଶୁଣନ୍ତି ବଚନ

ଭୟେ ଚାହାନ୍ତି ଛନ୍ନ ଛନ୍ନ

ପୁଣି କହନ୍ତି ଜନେ ଚାହିଁ

ତାତ ଜନନୀ ଗଲେ କାହିଁ

ବିଦୁର ନାହିଁ ମୋର ପାଶେ

ମୋ ତାତ ଜନନୀ ନ ଦିଶେ

ଲୋଚନେ ନ ଦିଶଇ ପଥ

କି ଏ ବିଧାତା ବିପରୀତ

ପୁତ୍ରଙ୍କ ମରଣେ ଦୁଃଖିତ

କେ ବନଦେଶ କେବା ପଥ

ନ ପୁଣ ପୁତ୍ର ଶୋକ ଭୋଳେ

ପ୍ରାଣ ଛାଡ଼ିଲେ ଗଙ୍ଗାଜଳେ

ମୋର ଜନନୀ ତାତ କାହିଁ

ଗଲେ ମୋ ଅସହ୍ୟ କିମ୍ପାଇ

ଦୁଃଖ ସାଗରେ ନିମଜ୍ଜିଲେ

ମୋର ଦୁଷ୍କୃତ କର୍ମ ଫଳେ

ଏମନ୍ତେ ଧର୍ମସୁତ ବାଣୀ

ସାରଥି କହେ ତାହା ଶୁଣି

ଶ୍ରୀ ସୂତ ଉବାଚ

ଶୁଣ ହେ ନୃପଚୂଡ଼ାମଣି

ତୋହର ପିଅର ଜନନୀ

ରଜନୀ କାଳେ ଗଲେ କାହିଁ

ସେ କଥା ନ ଜାଣଇ ମୁହିଁ

ମୋର ଜୀବନ ଦୁଃଖ ଭରେ

ବୁଡ଼ିଲା ଦୁର୍ଗମ ସାଗରେ

ଏମନ୍ତେ କହି ମନ ଖେଦ

ଗଗନେ ଶୁଣି ବୀଣା ବାଦ୍ୟ

ପୁଣି ଚାହିଁଲେ ଅନ୍ତରୀକ୍ଷେ

ନାରଦ ମିଳିଲେ ପ୍ରତ୍ୟକ୍ଷେ

ତୁମ୍ଭରୁ ଅଛି ତାଙ୍କ ସଙ୍ଗେ

ବୀଣା ବିନୋଦେ ନାନା ରଙ୍ଗେ

ନାରଦ ହରିଗୁଣ ଗାଇ

ପୁଲକ ରୋମପନ୍ତି ଦେହୀ

ଆନନ୍ଦେ ଅଶ୍ରୁଜଳ ସ୍ଫୁରେ

ମିଳିଲେ ରାଜାର ନଗରେ

ଦେଖି ସମ୍ଭ୍ରମେ ନୃପମଣି

ଆସନ ଜଳ ବେଗେ ଆଣି

ମୁନିଙ୍କୁ ଆସନେ ବସାଇ

ବେନି ଚରଣ କରେ ଧୋଇ

ଚରଣ ପୂଜି ବିଧିମତେ

କହନ୍ତି ନାରଦ ଅଗ୍ରତେ

ଭୋ ବ୍ରହ୍ମାସୁତ ଶୁଣ ତୁମ୍ଭେ

ଯାହା ପୁଚ୍ଛଇ କହ ଏବେ

ସେ ପ୍ରଶ୍ନ କହ ତୁମ୍ଭେ ଭଲେ

ମୋ ତାତ ମାତ କେଣେ ଗଲେ

ମୋହର କର୍ମ ଦୁଃଖ ଶୁଣ

ଭୋ ମୁନି ତୁମ୍ଭେ ଭଲେ ଜାଣ

ଗଭୀର ଜଳେ ନାବ ଥୋଇ

ନାବିକ ଯେସନେ ପଳାଇ

ତେମନ୍ତ କରିଗଲେ ମୋତେ

ଅଧିକ କହିବି ମୁଁ କେତେ

ଚକ୍ଷୁ ବିହୀନେ ଘୋର ବନେ

ଜୀବନ ଧରିବି କେସନେ

ଯୁଧିଷ୍ଠିରଙ୍କ ଏ ବଚନେ

ମୁନି କହନ୍ତି ଅବଧାନେ

ନାରଦ ଉବାଚ

ଭୋ ନୃପ ଶୋକ ତୁ ନ କର

ଈଶ୍ୱର ମାୟା ଏ ସଂସାର

ପ୍ରାଣୀ ଭିଆଣ ମାୟା ଯୋଗେ

ଖେଳଇ ସଂଯୋଗେ ବିଯୋଗେ

ଗୋରୁ ନାସିକା ଯେହ୍ନେ ବିନ୍ଧି

ଆକର୍ଷି ଚର୍ମ ରଜ୍ଜୁ ବାନ୍ଧି

ସେ ଯେହ୍ନେ ପ୍ରାଣୀ ଭାର ବହେ

ଅନ୍ତରେ ଖେଦ ଦୁଃଖ ସହେ

ସେ ଦାନ ପଡ଼ଇ ଯେମନ୍ତେ

କନ୍ଦୁକ ଚକ୍ରେ ସେହିମତେ

ସଂସାର ଈଶ୍ୱରର ଇଚ୍ଛା

ଏ ଭାବ ପଥେ ଗୁରୁ ଦୀକ୍ଷା

ତୁ ରାଜା ତୋତେହିଁ ନ ଜାଣୁ

ସଂସାର ସତ୍ୟ ପ୍ରାୟେ ମଣୁ

ସତ୍ୟ କି ମିଥ୍ୟା ବେନି ପଥେ

ନିଶ୍ଚେଁ ନ କର ତୁହି ଚିତ୍ତେ

ଅଜ୍ଞାନ ମୋହ ଜଡ଼ ଚିତ୍ତେ

ଏ ନାଦ ଶୌଚ ଦୃଢ଼ବ୍ରତେ

ତୁ ଯେ ପଚାରୁ ସ୍ନେହ ଭାବେ

ଅରଣ୍ୟେ କେମନ୍ତେ ବଞ୍ଚିବେ

ଏ ଦେହ ପଞ୍ଚଭୂତେ ପଡ଼ି

ଅବିଦ୍ୟା କାମକାର୍ଯ୍ୟେ ଜଡ଼ି

ସଂସାର ଦେହେ ନିତି ଦୁଃଖୀ

ଏ କାହିଁ ତୋର ପ୍ରାଣ ରଖି

ଉରଗ ଗିଳିଛି ଯାହାକୁ

ସେ କାହିଁ ରଖିବ ଆନକୁ

ଦେଖ ପ୍ରତ୍ୟକ୍ଷ ନୃପବର

ବିଷ୍ଣୁର ମାୟା ଖେଳଘର

ଯା ମାୟା ନ ଜାଣେ ଈଶ୍ୱର

କେ ତାହା କରିବ ଗୋଚର

ଏ ମାୟା ପରିତ୍ରାଣ କାହିଁ

ସଂସାରେ ନର ଦେହ ବହି

ବଡ଼ଙ୍କ ଗତି ଦେଖି ସାନେ

ସେ ନାଶେ କ୍ରିୟା ଆନେ ଆନେ

ଏ ଜୀବ ଜୀବଙ୍କ ଆହାର

କେବଳ ଅଟେ ନିର୍ବିକାର

ଭାବ ଅଶେଷ ଭାବେ ପୂରି

ଏକଇ ଆତ୍ମା ନରହରି

ସେ ମାୟା କରିପାରେ ଦୂର

ଯେ ନିତ୍ୟ ପ୍ରଭୁ ଚକ୍ରଧର

ସେ ହରି ନିତ୍ୟ ବିଶ୍ୱରୂପେ

ନର ଶରୀରେ ମୋହ କଳ୍ପେ

ଭାରା ନିବାରେ ଧନୁ ଧରି

ଦୁର୍ଜ୍ଜନ ସମୂହ ସଂହାରି

ଭକ୍ତ ଜନଙ୍କୁ ରକ୍ଷା କରେ

ଏମନ୍ତେ ସଂସାରେ ବିହରେ

ଦେହକୁ ରକ୍ଷାକରି ତୋଷେ

ଏବେ ବର୍ତ୍ତଇ ଅବଶେଷେ

ଯାବତ ଥିବ ଚକ୍ରଧର

ତାବତ ତୁମ୍ଭ ଅଧିକାର

ଏବେ ହୋ ଶୁଣ ସାମରଥା

ସେ ବିଷ୍ଣୁ ପୁରାଣ ବ୍ୟବସ୍ଥା

ବିଦୁର ଧୃତରାଷ୍ଟ୍ର ବେନି

ସଙ୍ଗତେ ପତିବ୍ରତା ଘେନି

ହିମବନ୍ତର ଯେ ଦକ୍ଷିଣେ

ଋଷି ଆଶ୍ରମେ ଘୋର ବନେ

ସ୍ୱର୍ଦ୍ଧନୀ ନାମେ ସୁର ନଦୀ

ଭରତ ଖଣ୍ତେ ଯେ ପ୍ରସିଦ୍ଧି

ସେ ଜଳେ ନିତ୍ୟ କରି ସ୍ନାନ

ଅନେକ କରି ହୋମ ଦାନ

କେବଳ ମାତ୍ର ଜଳ ଭକ୍ଷି

ଶରୀରେ ଜୀବ ଆତ୍ମା ରଖି

ପବନେ ନିଃଶ୍ୱାସ ଧାରଣେ

କଠୋର ତପ ଆଚରଣେ

ଦୃଢ଼ ଆସନେ ବସି ଧୀରେ

ଇନ୍ଦ୍ରିୟ ରୁନ୍ଧିଣ ଶରୀରେ

ସର୍ବ ବିଷୟ ରସ ତେଜି

ହରି ଚରଣ ଭାବେ ଭଜି

ମନ ଛଡ଼ାଇ ତିନିଗୁଣେ

ସମ୍ପାଦି ଗୋବିନ୍ଦ ଚରଣେ

ବିଜ୍ଞାନ ଆତ୍ମଜ୍ଞାନ ଭରି

ଜୀବ ପରମ ଏକ କରି

ପ୍ରବେଶି କରି ଅଙ୍ଗ ଧରେ

ନିବାର ଯେହ୍ନେ ଘଟକାରେ

ପ୍ରାଣ ସ୍ଥାପିବ ପରବେଶେ

ଯେ ଅବା ରହେ ଅବଶେଷେ

ନିର୍ଗୁଣ ମାୟା ନାଶ କରି

ହେଳେ ତରଇ ଭବବାରି

ସର୍ବ ବିଷୟ ଯୋଗବଳେ

ନିବାରି ଆସଇ ନିଶ୍ଚଳେ

ନିଶ୍ଚଳେ ସର୍ବ ପ୍ରାୟ ଲେଖି

କି ଅବା ଅନ୍ୟ ବିଘ୍ନ ଅଛି

ଆଜହୁଁ ପଞ୍ଚଦିନ ଅନ୍ତେ

ପ୍ରାଣ ଛାଡ଼ିବେ ଯୋଗ ମତେ

ତପନ ତେଜେ ଗ୍ରୀଷ୍ମକାଳେ

ପବନ ଯୋଗେ ଦାବାନଳେ

ଦହନ ହୋଇବେ ଶରୀରେ

ପତ୍ନୀ ଯେ ଥିବ ଅଭ୍ୟନ୍ତରେ

ତକ୍ଷଣେ ସ୍ୱାମୀ ଧରି କୋଳେ

ଭସ୍ମ ସେ ହୋଇବେ ଅନଳେ

ତା ଦେଖି ବିଦୁର ଶରୀର

ଭୟେ କମ୍ପିଲା ଥରହର

ହୃଦେ ସୁମରି ନରହରି

ବେଗେ ସେ ବନୁ ଅପସରି

ତୀର୍ଥ ସେବନେ ଅବଧାନ

କହିଲେ ଶୁଣ ହେ ରାଜନ

ଏମନ୍ତେ ରାଜା ଆଗେ କହି

ତୁମ୍ଭରୁ ସଙ୍ଗେ ବୀଣା ବାଇ

ଆକାଶ ମାର୍ଗେ ଗଲେ ମୁନି

ଧର୍ମ ନନ୍ଦନ ତାହା ଶୁଣି

ତତ୍ତ୍ଵ ବଚନ ହୃଦେ ଗୁଣି

ବିଷ୍ଣୁର ମାୟା ପରିମାଣି

ସର୍ବ ସଂଶୟ ଦୂର କରି

ରାଜ୍ୟ ପାଳନେ ଚିତ୍ତ ଭରି

କହଇ ବିପ୍ର ଜଗନ୍ନାଥ

ସୁଜନେ ଚିନ୍ତ କୃଷ୍ଣ ପଥ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ନାରଦ ଯୁଧିଷ୍ଠିର ସମ୍ୱାଦ ନାମ

ତ୍ରୟୋଦଶୋଽଧ୍ୟାୟଃ ॥

•••

 

ଚତୁର୍ଦ୍ଦଶ ଅଧ୍ୟାୟ

 

ଶ୍ରୀ ସୂତ ଉବାଚ

ସୂତ କହନ୍ତି ସ୍ନେହଭରେ

ଶୁଣ ସକଳ ବିପ୍ରବରେ

ଅର୍ଜ୍ଜୁନ ରାଜାର ବଚନେ

ଗଲେ ଯେ ଦ୍ୱାରକା ଭୁବନେ

ବନ୍ଧୁ ବାନ୍ଧବ ଦୃଢ଼ ଆଶେ

ସ୍ନେହ ଜଡ଼ିତ ମୋହପାଶେ

ମାୟା ମନୁଷ୍ୟ ରୂପେ ହରି

ଛଦ୍ରମେ ଗୃହବାସ କରି

ସଂସାର ଖେଳଘର ଯାର

ବ୍ରହ୍ମା ଶଙ୍କରେ ଅଗୋଚର

ଏମନ୍ତ ବିଚାରି ଅନ୍ତରେ

ମିଳିଲେ ଦ୍ୱାରକା ନଗରେ

କେତେହେଁ ମାସ ତହିଁ ରହି

କୃଷ୍ଣ ଚରଣେ ମନଦେଇ

ଏମନ୍ତେ ଗଲା ଦିନାକେତେ

ଚଞ୍ଚଳ ମନ ଛନ୍ନ ନିତ୍ୟେ

ଅର୍ଜ୍ଜୁନ ନ ମିଳିଲା ପାଶେ

ଘୋର ଅଦ୍ଭୁତ ଦେଖି ତ୍ରାସେ

କାଳର ଦେଖି ବିପରୀତ

ଅଧର୍ମ ପ୍ରାଣୀଙ୍କର ଚିତ୍ତ

ପାପ ଆରମ୍ଭ କଲେ ଦମ୍ଭେ

ଯନ୍ତ୍ରିତ କାମ କ୍ରୋଧ ଲୋଭେ

ମିତ୍ର ସୁହୃଦ ସଙ୍ଗମତି

ଭ୍ରାତା ମାତୃ ଯେ ପିତୃ ଜ୍ଞାତି

ସ୍ୱାମୀ ଭାରିଯା ପିତୃ ତୁଲେ

ଅଗ୍ନି ଯେ ଉଠଇ କନ୍ଦଳେ

ଅରିଷ୍ଟ ହୋଇଲା ଅନେକ

ପ୍ରକାଶ ହୋଇ ନରଲୋକ

ପାପ ପ୍ରକୃତି ପ୍ରାଣୀଙ୍କର

ଦେଖି ଚକିତ ନୃପବର

ଭୀମସେନଙ୍କୁ ରାଇ ପାଶେ

କହନ୍ତି ଆଶ୍ୱାସି ବିଶ୍ୱାସେ

ଯୁଧିଷ୍ଠିର ଉବାଚ

ଅର୍ଜ୍ଜୁନ ଦ୍ୱାରକା ଭୁବନେ

ଗଲା ଯେ ବାନ୍ଧବ ସଦନେ

କୃଷ୍ଣ ମହିମା କୃଷ୍ଣ ସଙ୍ଗେ

ଜାଣିବା ପାଇଁ ନର ଅଙ୍ଗେ

ଏବେ ସପତ ମାସ ଗଲା

ତେବେହେଁ ଅର୍ଜ୍ଜୁନ ନଇଲା

ଏ କି କେବଣ ବିପରୀତ

ଏଣୁ ଚଞ୍ଚଳ ମୋର ଚିତ୍ତ

କି ହେତୁ ମୋର ପାଶ ଛାଡ଼ି

ଅର୍ଜ୍ଜୁନ ରହେ ଲୋଭେ ବଢ଼ି

ଏହା ତ ନ ଜାଣି ନ ପାରଇ

ଭୟେ ବିକଳ ମୋର ଦେହୀ

ପ୍ରଳୟ କାଳ ଶୂନ୍ୟପଥେ

ନାରଦ କହିଗଲେ ମୋତେ

ଦିଶଇ ସଂସାର ଉଚ୍ଛନ୍ନ

କିବା ବିହିଲେ ଭଗବାନ

ସେ ହରି ସ୍ନେହେ ଅପ୍ରମାଦେ

ମୁହିଁ ବସିଲି ରାଜପଦେ

ଧନ ସମ୍ପଦ ଆଦି ମୋର

ସର୍ବ ସମ୍ପଦ ଚକ୍ରଧର

ସକଳ ପ୍ରଜା ମୋର ପାଦେ

ଖଟନ୍ତି ଯାହାର ପ୍ରମାଦେ

ତାହାର ଭଲେ ଭଲ ମୋର

ସେ ନାଥ ଶରଣ-ସୋଦର

ଦେଖ ସ୍ୱଭାବେ ବୃକୋଦର

ଦିଶେ ଆକାଶ ଅନ୍ଧକାର

ତ୍ରିବିଧ ଉତ୍ପାତ ଗଗନେ

ଏଣୁ ସଂଶୟ ମୋର ମନେ

ଭୂମି ଆକାଶ ପ୍ରାଣ ମନ

ଭୟେ କମ୍ପିଣ ଛନ୍ନ ଛନ୍ନ

ମୋହର ମନ ବୁଦ୍ଧି ଚିତ୍ତେ

କମ୍ପେ କଦଳୀ ଯେହ୍ନେ ବାତେ

କର ଚରଣ ମୋ ଲୋଚନ

ବାମେ ସ୍ପୁରିତ ଘନ ଘନ

ମୋହର କମ୍ପଇ ଶରୀର

ଦେଖ ପ୍ରତ୍ୟକ୍ଷେ ବୃକୋଦର

ଏ ରାଜ୍ୟ ବେଗେ ନାଶ ଯିବ

ଏମନ୍ତ ନିକଟେ ହୋଇବ

ରବି ଉଦୟ କାଳେ ଆସି

ଶୃଗାଳ ଯୂଥ ଯୂଥ ଦିଶି

ପୂର୍ବ ଦିଗକୁ ମୁଖ କରି

ବଦନୁ ଅନଳ ଉଦ୍‌ଗାରି

କରନ୍ତି ଭୟଙ୍କର ନାଦ

ଏଣୁ ସୁସଞ୍ଚ ପରମାଦ

କୁକୁର ମୋର ମୁଖ ଚାହିଁ

ନିର୍ଭୟେ ରୋଦନ କରଇ

ଶୃଗାଳ ମୋର ବାମଭାଗେ

ବେଗେ ପଳାନ୍ତି ଦକ୍ଷମାର୍ଗେ

ଆବର ଶୁଭ ପ୍ରଶ୍ନ ଯେତେ

ମୋତେ ଭ୍ରମନ୍ତି ବିପରୀତେ

ଏ ମୋର ଗଜ ଅଶ୍ୱ ଯେତେ

ମୋତେ ଚାହାନ୍ତି ଅଶ୍ରୁନେତ୍ରେ

ଯମର ଦୂତ ପ୍ରାୟେ ଆସି

ଉଲ୍ଲୁକ ମୋର ଆଗେ ବସି

ଶବଦେ କମ୍ପାଇ ମେଦିନୀ

ମୋର ଗୃହାନ୍ତେ ଯାନ୍ତେ ତୁନି

ପ୍ରତି ଉଲ୍ଲୁକ କୁହୁ ନାଦେ

ରୋଦଇ ଭୟଙ୍କର ଶବ୍ଦେ

ଏ ଶବ୍ଦେ ନିଶ୍ଚେ ଶୂନ୍ୟମୟୀ

ପ୍ରଜାଏ ନ ରହିବେ କେହି

ଦେଖ ତୁ ଧୂମ ଦଶଦିଶେ

ଅନ୍ଧାର ଛନ୍ନେ ମହୀତ୍ରାସେ

ପର୍ବତ ତୁଲେ ବସୁନ୍ଧରୀ

କମ୍ପଇ ଘୋର ନାରଦ କରି

ଗଗନେ ନିର୍ଘାତ ଶୁଭଇ

ବିଜୁଳି ତେଜ ପ୍ରକାଶଇ

ବାୟୁ ପ୍ରକାଶେ ଖରତର

ନିସ୍ତେଜେ ଲୁଚେ ଦିନକର

ଧୂଳିରେ ଦିଶେ ଅନ୍ଧକାର

ଶବଦେ କମ୍ପେ ତିନିପୁର

ରୁଧିର ବରଷନ୍ତି ମେଘେ

ଆମିଷ ଗନ୍ଧ ଦଶଦିଗେ

ସୂର୍ଯ୍ୟର ନ ଦିଶଇ ତେଜ

ଗ୍ରହ ସହିତେ ନିଶାରାଜ

ଦିଗ ଦିଶନ୍ତି ଧୂମମୟେ

ଘୋର ଅଭୁତ ଜାତ ହୁଏ

ଉଛୁଳି ଉଠି ନଦୀନଦ

କରନ୍ତି ସିନ୍ଧୁ ପ୍ରାୟ ନାଦ

ଜନ୍ତୁଙ୍କ ମନ ସେହି ମତେ

ଅଦ୍ଭୁତ ପୂରିତ ଜଗତେ

ଅନଳ ଜଳେ ଧୂମଧାର

ଦିଶଇ ସବୁ ଅନ୍ଧକାର

ବତ୍ସାଏ କଲେ ସ୍ତନ୍ୟପାନ

ଗାବେ ନ ପିଆନ୍ତି ଯେ ସ୍ତନ

ତୃଣ ନ କରି ଅଶ୍ରୁମୁଖେ

ବୃଷଭ ଗର୍ଜ୍ଜେ ମନ ଦୁଃଖେ

ଭୟେ କରଇ ଘୋରନାଦ

ଦେଖ ଅଦ୍ଭୁତ ପରମାଦ

ଦେବତା ପ୍ରତିମା ନ ଚଳେ

ଭାସନ୍ତି ତନୁ ସ୍ୱେଦ ଜଳେ

ଏ ଜନଜନ୍ତୁ ଯେତେ ଗ୍ରାମ

ନଗର ଆକାଶ ଉଦ୍ୟାନ

ଆଶ୍ରମ ଆଦି ଯେତେ ବର୍ଣ୍ଣେ

ମୁହିଁ ତ ଦେଖଇ ନୟନେ

ସର୍ବେ ଦିଶନ୍ତି ହତଶିରୀ

ଚଳ ଅଚଳ ବନ ଗିରି

ବାହ୍ୟ ଅନ୍ତରେ ସର୍ବ ଚାହିଁ

ମୁହିଁ ଏମନ୍ତ ବିଚାରଇ

ଶ୍ରୀକୃଷ୍ଣ ପାଦଲାଗି ମହୀ

ଅତି ସୁନ୍ଦର ବିରାଜଇ

ସେ ପାଦ ଅବା ଶୂନ୍ୟେ ଗଲା

ଅବନୀ ଏମନ୍ତ ଦିଶିଲା

ଏମନ୍ତ କହି ଭୀମ ଆଗେ

ଧର୍ମନନ୍ଦନ ଉଦବେଗେ

ଭୟେ କମ୍ପନ୍ତି ଛନ୍ନ ଛନ୍ନ

ତକ୍ଷଣେ ମିଳିଲା ଅର୍ଜ୍ଜୁନ

ରାଜା ଚରଣ ତଳେ ପଡ଼ି

ଅଜ୍ଞାନେ ନମସ୍କାର ହୁଡ଼ି

ଲୋଚନୁ ବହେ ଅଶ୍ରୁଜଳ

ଦେହେ ବ୍ୟାପିତ ଶ୍ରମଝାଳ

ଅର୍ଜ୍ଜୁନ ଦେଖି ଧର୍ମସୁତ

ତକ୍ଷଣେ ଛାଡ଼ି ଭୀମହସ୍ତ

ବନ୍ଧୁ ସୁହୃଦ ମଧ୍ୟେ ଥାଇ

ପୁଚ୍ଛନ୍ତି ଅର୍ଜ୍ଜୁନଙ୍କୁ ଚାହିଁ

ନାରଦ ବଚନ ସୁମରି

ଭୟେ ଚିନ୍ତଇ ନରହରି

ଅର୍ଜ୍ଜୁନ ମୁଖ ଚାହିଁ ଭଣି

ଛନ୍ନ ବଦନେ ନୃପମଣି

ଯୁଧିଷ୍ଠିର ଉବାଚ

ଶୁଣ ଅର୍ଜ୍ଜୁନ ସାବଧାନେ

ଦ୍ୱାରକାପୁର ବନ୍ଧୁଜନେ

ସୁଖେ ଅଛନ୍ତି ନା ସମସ୍ତେ

ଯାଦବେ ସ୍ୱବଂଶ ସହିତେ

ପୁରେ ମୋହର ମାତାମହ

ସେ ଭଲେ ଅଛିଟିକି କହ

ମାତୁଳ ଅକ୍ରୂରର ତୁଲେ

ସ୍ୱଗୃହେ ଅଛନ୍ତି ନା ଭଲେ

ଦେବକୀ ଉଗ୍ରସେନ ଦୁଇ

ଭଲେ କି ଛନ୍ତି ଦୁଇ ତହିଁ

ସାତ୍ୟକି ଆଉ ଦରଶନ

ଏ ଆଦି ମାତୁଳ-ନନ୍ଦନ

ଶାମ୍ବ ସହିତେ ହଳଧର

କହ କୁଶଳ ତାହାଙ୍କର

ଯାଦବ ବଂଶେ ମହାରଥ

ପ୍ରଦ୍ୟୁମ୍ନ ରୁକ୍ମିଣୀର ସୁତ

ତାର କୁମର ଅନିରୁଦ୍ଧ

ଅତି ଭୀମାର ମହାଯୋଧ

ଶୁଭେଣା ସୁଭ୍ରଦା ସହିତେ

ଭଲେ କି ଛନ୍ତି କୃଷ୍ଣ ସୁତେ

ରୁଷଭ ଆଦି ମହାବୀରେ

ସୁଖେ କି ଅଛନ୍ତି ନଗରେ

ଉଦ୍ଧବ ଆଦି ମନ୍ତ୍ରୀ ଯେତେ

ସୁଖେ ଅଛନ୍ତି ନା ସମସ୍ତେ

ସୁନନ୍ଦ ନନ୍ଦ ଆଦି ଯେତେ

ରାମ ଗୋବିନ୍ଦଙ୍କ ସହିତେ

ନିଶ୍ଚିନ୍ତେ ଭବନେ ଅଛନ୍ତି

ଆମ୍ଭ କୁଶଳ ପଚାରନ୍ତି

ଗୋବିନ୍ଦ ଅଛନ୍ତି ନା ଭଲେ

ଶୁଭେ ଭ୍ରାତା ରାମର ତୁଲେ

କରୁଣାସିନ୍ଧୁ ନନ୍ଦବାଳ

ବ୍ରହ୍ମାଣ୍ଡ ଭକତ ବତ୍ସଳ

ବନ୍ଧୁବାନ୍ଧବ ତୁଲେ ବସି

ସ୍ୱଧର୍ମ ମଧ୍ୟେ ବ୍ରହ୍ମରାଶି

ଏକ ମଣ୍ଡଳେ କ୍ଷମା ଅର୍ଥେ

ଯାହାର ଜନ୍ମ ଏ ଜଗତେ

ସେ ହରି ଅଛନ୍ତି ନା ଭଲେ

ରୋହିଣୀ ସୁତ ରାମ ତୁଲେ

ଯାଦବେ ବିଷ୍ଣୁ ତେଜ ଧରି

ତାହାର ଭୁଜ ଆଶ୍ରେ କରି

ମହାପୁରୁଷ ଯୋଗବନ୍ଧେ

କ୍ରୀଡ଼ନ୍ତି ପରମ ଆନନ୍ଦେ

ତାର ଚରଣେ ସେବା କରି

ଷୋଳ ସହସ୍ର ଯେତେ ନାରୀ

ସତ୍ୟାର ତୁଲେ ଇନ୍ଦ୍ର ଜିଣି

ନନ୍ଦନ ବନୁ ଚକ୍ରପାଣି

ବଳେ ଆଣିଲେ ପାରିଜାତ

ଲୀଳାରେ ଜିଣି ରିପୁଯୂଥ

ଯାହା ବିଳାସେ ଇନ୍ଦ୍ରନାରୀ

ସେ ପୁଷ୍ପ ବିଷ୍ଣୁ ତେଜେହରି

ସହସ୍ର ସଂଖ୍ୟା ପରିମାଣି

ନାରୀଙ୍କି ଦେଲେ ଚକ୍ରପାଣି

ଯାହାର ଭୁଜଦଣ୍ତ ବଳେ

ଯଦୁ ଅଜେୟ ମହୀତଳେ

ନିର୍ଭୟେ ଜଗତେ ଭ୍ରମନ୍ତି

ପାଦେ ସୁଧର୍ମ ଆଚରନ୍ତି

ହେ ଭ୍ରାତ ଶୁଣ ମହାଭୁଜ

ତୁ ମୋତେ ଦିଶୁ ହତତେଜ

ଲଭିଲା ଶସ୍ତ୍ର କେଣେ ଗଲା

ତୋତେ ଅବଜ୍ଞା କେବା କଲା

ତୋର ପ୍ରବେଶ ମନେ ଚିନ୍ତା

ଯେଣୁ ତୁ ଦିଶୁ ମଳିନତା

କେବା ଭର୍ତ୍ସନା ଅମଙ୍ଗଳେ

ତୋତେ ସ୍ଥାପିଲା ବାକ୍ୟବଳେ

ଅର୍ଥ ପ୍ରାଣୀଙ୍କୁ ଦେବା କଲୁ

ମାଗନ୍ତେ କି ଅବା ନ ଦେଲୁ

ବୃଦ୍ଧ କୃପଣ ନିରୀମାଖି

ସ୍ତିରୀ ବାଳକ ଗୋରୁ ଦେଖି

ରୋଗ ପାତକେ ଯେ ରୋଦନ୍ତି

ଯେ ଅବା ଶରଣ ପଶନ୍ତି

ଏହାଙ୍କୁ ଦୟା ବା ନ କଲୁ

ତେଣୁ ଅଶୁଭ ତୁ ଦିଶୁଲୁ

ଅଗମ୍ୟେ କଲୁ ବା ଗମନ

କିବା ହରିଲୁ ସ୍ତିରୀ ଧନ

ମାର୍ଗେ ଆସନ୍ତେ ମନ ଛଳେ

କେବା ଜିଣିଲା ତୋତେ ବଳେ

ବାଳ ବୃଦ୍ଧଙ୍କୁ ନ ଭୁଞ୍ଜାଇ

ଅଗ୍ରେ ଭୁଞ୍ଜିଲୁ ଅବା ତୁହି

ଅତିଥି ଭୋଜନ ନ କରି

କିବା ଭୁଞ୍ଜିଲୁ ଜ୍ଞାନ ହାରି

କିବା ନିନ୍ଦିତ କର୍ମ କଲୁ

ଯେଣୁ ତୁ ଏମନ୍ତ ଦିଶିଲୁ

କିବା ସେ ଜୀବନ ଠାକୁର

ଗୋବିନ୍ଦ ହୋଇଲେ ଅନ୍ତର

ତାହାର ଶୂନ୍ୟେ ଶୂନ୍ୟ ମହୀ

ଏମନ୍ତ ପ୍ରାୟେ ମୁଁ ମଣଇ

କହଇ ବିପ୍ର ଜଗନ୍ନାଥ

ପ୍ରଥମେ ସ୍କନ୍ଧେ ଭାଗବତ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ନାରଦ ଯୁଧିଷ୍ଠିର ପ୍ରଶ୍ନେ ନାମ

ଚତୁର୍ଦ୍ଦଶୋଽଧ୍ୟାୟଃ ॥

•••

 

ଶ୍ରୀମଦ୍‌ ଭାଗବତ ପ୍ରଥମ ସ୍କନ୍ଧ

ପଞ୍ଚଦଶ ଅଧ୍ୟାୟ

 

ଶ୍ରୀ ସୂତ ଉବାଚ

ସୂତ କହନ୍ତି ତୋଷମନେ

ଶୁଣି ସକଳ ମୁନିଜନେ

ଏମନ୍ତ ରାଜାର ବଚନ

ଶୁଣି ଅର୍ଜ୍ଜୁନ ଖେଦ ମନ

ଯେତେ କହିଲେ ଧର୍ମ ସୁତ

ଶକୁନ ଦେଖି ବିପରୀତ

କୃଷ୍ଣ ବିୟୋଗେ ଖେଦ ମନ

ସ୍ୱଭାବେ ଶୋକିତ ବଦନ

ତେଜ ପ୍ରତାପ ଦୂରେ ଗଲା

ଜୀବନ ଥାଉ ଦେହ ମଲା

ଶୋକେ କମ୍ପଇ କଳେବର

ବଦନୁ ନ ସ୍ଫୁରେ ଉତ୍ତର

ଲୋଚନେ ଦେଇ ବେନିକର

ଶୋକ ସଂହରି ବୀରବର

ଶୋକେ କ୍ଷୀଣ ଯେ କଳେବର

ବାକ୍ୟ ନ ସ୍ଫୁରେ ଶୋକଭର

ସଖା ସଦୃଶ ନନ୍ଦବଳା

ସାରଥି ପଣେ ରଥେ ଥିଲା

ଏ ଆଦି ଯେତେ କୃଷ୍ଣ ଗୁଣ

ସୁମରି କାନ୍ଦେ ପୁଣ ପୁଣ

ରାଜାଙ୍କୁ ଚାହିଁ ମନ ଖେଦେ

କହଇ ଶୋକ ଗଦଗଦେ

ଅର୍ଜ୍ଜୁନ ଉବାଚ

ସନ୍ଦେଶ ଶୁଣ ନରନାଥ

କୃଷ୍ଣେ ମୁଁ ହୋଇଲି ବଞ୍ଚିତ

ମୋର ଜୀବନବନ୍ଧୁ ହରି

ତାର ବିୟୋଗେ ହତଶିରୀ

ବିଷୟ ଶରୀର ମୋହର

ଦେଖ ପ୍ରତ୍ୟକ୍ଷେ ନୃପବର

ଯେତେକ ପ୍ରତାପ ମୋହର

ଦେବ ଦାନବେ ଅଗୋଚର

ତେଜ ସେ କୃଷ୍ଣ ସଙ୍ଗେ ଗଲା

ଜୀବନ ଥାଉଁ ଦେହ ମଲା

ତାର ବିୟୋଗ କ୍ଷଣ ମାତ୍ରେ

ଶୋକ ପୂରିତ ନିଜ ଗାତ୍ରେ

ଯେତେ ଅପ୍ରିୟ ଦରଶନ

ଦେଖ କୁଣ୍ଠିତ ମୋ ଜୀବନ

ମରଣକାଳେ ପ୍ରାଣୀ ଯେହ୍ନେ

ସଂଭ୍ରମେ କୁଣ୍ଠିତ ବଚନେ

ଯାହାର ପାଦେ ଆଶ୍ରେ କରି

ନିଜ ଗାଣ୍ତୀବ କରେ ଧରି

ଦ୍ରୁପଦ ଗୃହେ ରାଜା ମେଳେ

ବିବାଦ ସ୍ୱୟମ୍ବର କାଳେ

ଯେତେ ମିଳିଲେ ରାଜପୁତ୍ରେ

କନ୍ୟା ଲଭନ୍ତେ ଲୋଭ ଚିତ୍ତେ

କନ୍ୟା ଲଭିବା କାଳେ ଗୋଳ

ଯେସନେ ଜଳଧି ଉଲ୍ଲୋଳ

ହେଳେ ତାହାଙ୍କ ତେଜ ହରି

ଲାଖ ବିନ୍ଧି ମୁଁ ନେଲି ନାରୀ

ପଶୁ ମାରଣ ଯାର ସଙ୍ଗେ

ଖାଣ୍ତବ ବନେ କ୍ରୀଡ଼ାରଙ୍ଗେ

ସେ ବନ ଅଗ୍ନିମୁଖେ ଦେଇ

ଲଭିଲି ମାୟାସଭା ମୁହିଁ

ଅମରଗଣ ତୁଲେ ପୁଣି

କିଞ୍ଚିତେ ଇନ୍ଦ୍ର ତେଜ ଜିଣି

ଏମନ୍ତେ ମିତ୍ର ହରି ଭଣି

ଯହିଁ ଅଶେଷ ନୃପମଣି

ତୋହର ଯଜ୍ଞକାଳେ ମିଳି

ତୋ ପାଦେ କଲେ ନିଉଛାଳି

ଯାହାର ତୁଲେ ବେନି ଭାଇ

ଛଦ୍ରମେ ବିପ୍ରରୂପ ହୋଇ

ଜରାକୁ ବାହୁବଳେ ଜିଣି

ରାଜାଙ୍କୁ ବନ୍ଦୀଘରୁ ଆଣି

ତୋହର ଯଜ୍ଞ ସ୍ନାନକାଳେ

ଦ୍ରୌପଦୀ ଦେଖିତୋର କୋଳେ

ସ୍ୱଭାବେ ନାରୀ ଶିରୋମଣି

କବରୀ ବେଶେ ଜନ ଜିଣି

କପଟପଶା କରି ବାଦେ

କୌରବେ ତୋତେ ସଭାମଧ୍ୟେ

ଜିଣି ପାଞ୍ଚାଳୀ କେଶ ଧରି

ବିବସ୍ତ୍ର ସଭା ମଧ୍ୟେ କରି

ଭୟେ ପାଞ୍ଚାଳୀ ସୁମରିଲା

ସେ ବେଳେ ଶ୍ରୀକୃଷ୍ଣ ରଖିଲା

ପୁଣି ଅଜ୍ଞାତ ବନବାସେ

ଦୁର୍ବାସା ଋଷିଙ୍କୁ ବିଶ୍ୱାସେ

ଭୋଜନ ଅନ୍ତେ ରକ୍ଷା ଅର୍ଥେ

ଅୟୁତେ ବିପ୍ର ଘେନି ସାଥେ

ଭୁଞ୍ଜିବା ପାଇଁ ସ୍ନାନ କରି

ତା ଜାଣି ପ୍ରଭୁ ନରହରି

ଅତିଥି ରୂପେ ବିଜେ କଲା

ଶେଷେ ଯେ ଶାକଅନ୍ନ ଥିଲା

କର ପ୍ରସାରି ତାହା ଖାଇ

ମୁନିଙ୍କ ମନ ମଧ୍ୟେ ଥାଇ

ସନ୍ତୋଷ କଲା ମନ ମଧ୍ୟେ

ତକ୍ଷଣେ ବ୍ରାହ୍ମଣ ଆନନ୍ଦେ

ସନ୍ତୋଷେ ନିଜ ପୁରେ ଗଲେ

ସେ ଦୁଃଖୁଁ ସେ ରଖିଲେ ଭଲେ

ଭୀଷ୍ମାଦି ଥିଲେ ଯେତେ ବୀର

ଶୁଣ ରାଜନ ମନ ସ୍ଥିର

ଯାହାର ତେଜେ ଧନୁ ଧରି

ବଳେ ଜିଣିଲି ଶୂଳଧାରୀ

ସନ୍ତୋଷେ ମୋତେ ଉମାକାନ୍ତ

ବୋଇଲେ ବର ମାଗ ପାର୍ଥ

ପାର୍ବତୀ ବିଶ୍ୱାସେ ମୋହିତ

ବରେ ପାଇଲି ପାଶୁପତ

ହର ବିଶ୍ୱାସେ ମୋତେ ପୁଣ

ପାର୍ବତୀ ଦେଲେ ଅକ୍ଷ ତୂଣୀ

ସେ ବେନି ଶସ୍ତ୍ର ପାଇ ବନେ

ମିଳିଲି ଇନ୍ଦ୍ରର ଭୁବନେ

ନର ଶରୀରେ ସୁର ବେଶେ

ମିଳିଲେ ଯେ ହରି ବିଶ୍ୱାସେ

ବିଷ୍ଣୁର ତେଜ ଦେଖି ମୋତେ

ସର୍ବ ଦେବତା ପୁରୋହିତେ

ବିଚାରି ସର୍ବେ ଅନୁମାନେ

ବସାଇ ଇନ୍ଦ୍ରର ଆସନେ

ମୋତେ ପୂଜିଲେ ପୁରସ୍କାରେ

ମୁଁ ପୁଣି ରହି ସ୍ୱର୍ଗପୁରେ

ସର୍ବ ଦେବତାଙ୍କ ବିଶ୍ୱାସ

ଅସୁର ବଳ କଲି ନାଶ

ଇନ୍ଦ୍ର ସହିତେ ଶୁଦ୍ଧଭାବେ

ମୋତେଯେ ପୂଜିଲେ ଗୌରବେ

ଯାହାର ଏତେ ପୁରସ୍କାର

ସେ ହରି ମୋତେ କଲା ଦୂର

ଯେତେ ଗୋବିନ୍ଦ ବନ୍ଧୁଗଣେ

କୁରୁ ସାଗରେ ଘୋର ରଣେ

ତରିଲେ ଦୁସ୍ତର ସାଗର

ଦେବ ଦାନବେ ଅଗୋଚର

ସମରେ ରିପୁବଳ ଜିଣି

ଅନେକ ଧନରତ୍ନ ଆଣି

ରତ୍ନ ମୁକୁଟ ମଣିପରେ

ଥିଲା ଯେ ରାଜାଙ୍କର ଶିରେ

ତାହା ହରିଲି ବାହୁବଳେ

ନିର୍ଭୟେ ଅବନୀ ମଣ୍ତଳେ

ଯେ ହରି ମୋର ରଥେ ବସି

ଅଗାଧ କୁରୁବଳ ନାଶି

ଭୀଷ୍ମ ସବିତାସୁତ କୃପ

ଶଲ୍ୟ ସହିତେ ଯେତେ ନୃପ

ତାହାଙ୍କ ମଧ୍ୟେ ରଥ କରି

ଅରିର ସୌନ୍ୟ କରେ ମାରି

ରିପୁ ଆୟୁଷ ସଙ୍ଗେ ମନ

ହରିଲେ ଶ୍ରୀନନ୍ଦନନ୍ଦନ

ବିରାଟ ଗୋଧନ ହରଣେ

ମହାଦୁସ୍ତର ଘୋର ରଣେ

ସେ କୁରୁ ଦୁସ୍ତର ସାଗରେ

ଭୀଷ୍ମ ସହିତେ ଯେତେ ବୀରେ

ଅମୋଘ ଶର ବରଷନ୍ତି

ଦେବ ଦାନବେ ନାହିଁ ଭ୍ରାନ୍ତି

ଯାର ଚରଣ ଆଶ୍ରେ କରି

ତାହାଙ୍କ ବଳ ଦର୍ପ ହରି

ଗୋଧନ ନେଲି ନିଜ ପୁର

ସେ ହରି ମୋତେ କଲେ ଦୂର

ଯାର ମହିମା ଏ ସଂସାରେ

ଭଜିଣ ନିସ୍ତରନ୍ତି ନରେ

ସ୍ୱଭାବେ ସେ ଯେ ସତ୍ୟବ୍ରତ

ସଂଗ୍ରାମେ ଥିଲା ଭୂମିଗତ

ଯାହାର ପାଦପଦ୍ମ ଚିତ୍ତେ

ଜ୍ଞାନୀ ଯେ ଭଜୁଥାନ୍ତି ନିତ୍ୟେ

ମହାରଥୀଙ୍କ ଚିତ୍ତେ ଯାଇ

ପ୍ରବେଶ କଲେ ଭାବଗ୍ରାହୀ

ନୟନେ ମୋ ରୂପ ଦେଖନ୍ତି

ଦେଖନ୍ତେ କେହି ନ ମାରନ୍ତି

ସେ କୃଷ୍ଣ ବସି ମୋର ପାଶେ

ଶୋଭିତ ଶୁକ୍ଳ ମନ୍ଦହାସେ

ଆନନ୍ଦେ କରେ କର ଧରି

ବିବିଧ ହାସ୍ୟେ ହାସ୍ୟ ହରି

ହେ ପାର୍ଥ ଅର୍ଜ୍ଜୁନ ସଖେ

କୁରୁ ନନ୍ଦନ ମନ ଦୁଃଖେ

ତାହାର ଗୁଣ କର୍ମ ଯେତେ

କହନ୍ତି ମୋହର ଅଗ୍ରତେ

ଶୟନ ଆସନ ଭୋଜନେ

ମୁହିଁ ଯେ ତାଙ୍କ ସନ୍ନିଧାନେ

ସଙ୍ଗେ ବିହରି ଦାସ ପଣେ

ରାତ୍ରରେ କରେ ପ୍ରହାରଣେ

ସେ ଅପରାଧ ମୋର ହରି

ନ ଘେନି ସ୍ନେହଚିତ୍ତେ ଭରି

ସଖୀର ସଖୀ ଯେହ୍ନେ ସହେ

ପିତାମାତାଙ୍କୁ ଯେହ୍ନେ ପୋଏ

ନୃପେନ୍ଦ୍ର ଶୁଣ ମୋର ବାଣୀ

ମୋତେ ଠକିଲେ ଚକ୍ରପାଣି

ମୋହର ପ୍ରିୟ ସଖା ହରି

ନ ଘେନି ସ୍ନେହଚିତ୍ତେ ଭରି

ଦେଖ ମୋହର ବୀରପଣ

ମାର୍ଗେ ଗୋବିନ୍ଦ-ପତ୍ନୀଗଣ

ଆବୋରି ନ ପାରିଲି ବଳେ

ତକ୍ଷଣେ ଉଠିଲେ ଗୋପାଳେ

ସେହି ଗାଣ୍ତୀବ ଧନୁ ମୋର

ସେହି ଅକ୍ଷୟ ତୂଣ ଭାର

ସେହି ବିମାନ ଅଶ୍ୱ ଦେଖ

କ୍ଷଣକେ ହୋଇଲି ନିରେଖ

ଯାହାର ତେଜେ ନୃପଗଣେ

ନମନ୍ତି ମୋହର ଚରଣେ

ତାର ବିଯୋଗେ ତନୁ କ୍ଷୀଣ

ଦିଗ ଦିଶନ୍ତି ମୋତେ ଶୂନ୍ୟ

ସେ ପ୍ରାଣନାଥର ବିଯୋଗେ

ଭସ୍ମ ଯେସନେ ହବିର୍ଭାଗେ

କୁହୁକ ସୁଦୃଷ୍ଟିରୁ ପାତ୍ରେ

ପ୍ରତ୍ୟକ୍ଷ ନୋହି ନିଜ ନେତ୍ରେ

ଶୁଣ ହେ ନୃପ ଶୁଦ୍ଧ ଚେତା

ବନ୍ଧୁବାନ୍ଧବଙ୍କର ବାର୍ତ୍ତା

ଅପରେ ଯେତେ ଯଦୁକୁଳେ

ନିଶ୍ଚିନ୍ତେ ଥିଲେ କୁଶସ୍ଥଳେ

ବ୍ରାହ୍ମଣ ଶାପେ ଅବଧାନେ

ମିଳିଲେ ଏରକାର ବନେ

ବାରୁଣୀ ମଦ୍ୟ କଲେ ପାନ

ଭୋଳେ ହୋଇଲେ ହତଜ୍ଞାନ

ଏରକା ମୁଷ୍ଟିକରେ ଧରି

ଏକୁ ଆରେକ ମରାମରି

ଆତ୍ମାକୁ ନ ଜାଣନ୍ତି ଭୋଳେ

ମିଳିଲେ ବ୍ରହ୍ମଶାପ ଫଳେ

ଏଣେ ଯାଦବ ବଳ ନାଶ

ରହିଲେ ସାତ ପାଞ୍ଚ ଶେଷ

ଈଶ୍ୱର କ୍ରୀଡ଼ା ଏ ଜଗତେ

ପ୍ରାଣୀ ଯେ ଈଶ୍ୱର ଆୟତ୍ତେ

ମାରନ୍ତି ଏକୁ ଆର ବଳେ

ଜଳ ଜନ୍ତୁଙ୍କୁ ଯେହ୍ନେ ଜଳେ

ନିର୍ବଳ ଜନ୍ତୁଙ୍କୁ ଗିଳନ୍ତି

ନିଜ ମରଣ ନ ଜାଣନ୍ତି

ଦୁର୍ଜ୍ଜନ ପ୍ରାଣୀ ଏ ସକଳେ

ଦର୍ପ ହରନ୍ତି ତାର ହେଳେ

ଏହି ପ୍ରକାରେ ଯଦୁବଳେ

କଳି ଭିଆଇଥିଲେ ହେଳେ

ଯଦୁଙ୍କୁ ଯଦୁବଳେ ମାରି

ଭୂମିରୁ ଭାରା ଅପସରି

ଗୋବିନ୍ଦ କଲେ କର୍ମ ଯେତେ

ଲୀଳା ବିହରି ଏ ଜଗତେ

ସେ ଦେଶକାଳ ଅର୍ଥଯୁକ୍ତେ

ଅପହରନ୍ତି ଜନହିତେ

ସେ କାଳ ପଶି ମୋର ଚିତ୍ତେ

ପ୍ରାଣ ଦହଇ ଅବିରତେ

ଶ୍ରୀ ସୂତ ଉବାଚ

ଏମନ୍ତେ ପାଣ୍ତବ ଅର୍ଜ୍ଜୁନ

କୃଷ୍ଣ ଚରଣେ ଦେଇ ମନ

ସୁହୃଦ ଭାବେ ଗାଢ଼େ ଚିନ୍ତି

ଲଭିଲା ସୁନିର୍ମଳ ଭକ୍ତି

କୃଷ୍ଣ ଚରଣେ ଅନୁଧ୍ୟାନେ

ଚିତ୍ତ ନିର୍ମଳ ଶାନ୍ତି ଜ୍ଞାନେ

ଥିଲା ଯେ ଅଶେଷ କଳ୍ମଷ

ଭକ୍ତି ଭାବରେ ଗଲା ନାଶ

ନିର୍ମଳ ବୁଦ୍ଧି ପ୍ରକାଶିଲା

ଗୋବିନ୍ଦ ବାକ୍ୟ ସୁମରିଲା

ସଂଗ୍ରାମ ମଧ୍ୟେ ରଥେ ଥାଇ

ସେ ଗୀତା କୃଷ୍ଣ ଗୁଣ ଗାଇ

ତାହା ସୁମରି ଶୁଦ୍ଧମନେ

ଶୋକ ଛାଡ଼ିଲା କୃଷ୍ଣ ଧ୍ୟାନେ

ପ୍ରାକୃତ ଗୁଣେ ଗୁଣଲିଙ୍ଗ

ଅସଙ୍ଗ ସଙ୍ଗ ହେତୁ ଭଙ୍ଗ

ଆତ୍ମା ରମଣ ଅଂଶେ ହରି

ସେ କୃଷ୍ଣ ଗଲେ ନିଜପୁରୀ

ଅର୍ଜ୍ଜୁନ ମୁଖୁଁ ବାକ୍ୟ ଶୁଣି

ନିର୍ବେଦ ନୃପ ଚୂଡ଼ାମଣି

କୁନ୍ତୀ ଯେ ନିଜପୁରେ ଥିଲେ

ଗୋବିନ୍ଦ ବିୟୋଗ ଶୁଣିଲେ

ତକ୍ଷଣେ ପାଇ ଦିବ୍ୟ ଜ୍ଞାନ

ଗୋବିନ୍ଦ ପାଦେ ହେଲେ ଲୀନ

ଆତ୍ମା ନିବୃତ୍ତ ଜ୍ଞାନଯୋଗେ

ନିଶ୍ଚୟ କରି ସ୍ୱର୍ଗ ମାର୍ଗେ

ଯାଗେ ଗୋବିନ୍ଦ ମହୀତେଜି

ସ୍ୱଭାବେ ନିତ୍ୟ ଧର୍ମେ ମଜ୍ଜି

ତାର ମହିମା ନରଲୋକେ

ସାଧିବେ ଏକକୁ ଆରକେ

କହି ଚଳନ୍ତି ଭଗବାନ

କଳି ଆଗମ ସେହିଦିନ

ମିଳିଲା ନରଲୋକେ ଆସି

ତକ୍ଷଣେ ଗ୍ରାମେ ଗ୍ରାମେ ପଶି

ସକଳ ପୁରେ ପ୍ରାଣୀ ଚିତ୍ତେ

ଲୋଭ ବଢ଼ଇ ଦମ୍ଭମତେ

ପ୍ରାଣୀ ନାଶନେ ଧର୍ମ ନାଶେ

ପ୍ରାଣୀଏ କଳିର ବିଶ୍ୱାସେ

ନିଷ୍ଠୁର ଚିତ୍ତ ସର୍ବଜନ

ତା ଦେଖି ଧର୍ମର ନନ୍ଦନ

ସ୍ୱର୍ଗ ଗମନ ମନେ ଗୁଣି

ତକ୍ଷଣେ ପରୀକ୍ଷିତେ ଆଣି

ଉତ୍ତମ ରାଜ ଚିହ୍ନ ଦେଖି

ସକଳ ଗୁଣେ ଉପଲକ୍ଷ୍ୟି

ଆତ୍ମାରେ ତୁଲ୍ୟ କରି ମଣି

ଅନେକ ତୀର୍ଥଜଳ ଆଣି

ହସ୍ତିନାପୁର ଅଭିଷେକେ

ସ୍ଥାପିଲେ ନୃପ ନରଲୋକେ

ଯାଦବ ବଂଶେ ଶେଷେ ଥିଲା

ଦୁର୍ଜ୍ଜୟ ଅନିରୁଦ୍ଧ ବଳା

ମଥୁରାପୁର ଧର୍ମ ବାଟେ

ସ୍ଥାପିଲେ ସୁରସେନ ପାଟେ

ସକଳ ଭୋଗ ଦୂର କରି

ଶରୀର ବଧ ଅପହରି

ଆତ୍ମାରେ ଆତ୍ମା ଅଗ୍ନିଜାଳି

ସର୍ବ ବିଷୟେ ଘୃତ ଢାଳି

ଜ୍ଞାନ ଗୋଚରେ ଅଗ୍ନିପାନ

ତକ୍ଷଣେ ଧର୍ମର ନନ୍ଦନ

ସର୍ବ ସମ୍ପଦ ଦୂର କରି

ନିର୍ମଳ ଚିତ୍ତ ଧ୍ୟାନେ ଧରି

ଅଶେଷ କର୍ମପାଶ ଛେଦି

ତୋଷେ ଶରୀର ରନ୍ଧ୍ର ରୁଧି

ମନ ବଚନ ଲୀନ କରି

ବାୟୁ ଧାରଣେ ପୁଣି ଧରି

ଅଜ୍ଞାନ ଉତ୍ସର୍ଗ ସହିତେ

କୁଣ୍ଠିତ ମାର୍ଗେ ଅନ୍ତର୍ଗତେ

ପୁଣି ଅଦେହ ପଞ୍ଚପ୍ରାଣ

ଜୀବର ଯେତେ ପରିତ୍ରାଣ

ସକଳ ଗୁଣେ ଗୁଣ ଧରି

ଆତ୍ମାରେ ଆତ୍ମା ହୋମ କରି

ବ୍ରହ୍ମ ନିର୍ବାଣେ ଥୋଇ ଚିତ୍ତ

ଉତ୍ତର ପଥେ ଉପଗତ

ସୁସ୍ଥିର ମନ ନିରାହାରି

ମଉନ ମୁକ୍ତ କେଶଧରି

ଜଡ଼ ଉନ୍ମତ ମତ୍ତ ପ୍ରାୟେ

କେହି ଦେଖଇ ନିଜ କାୟେ

ଜନ ବଦନକୁ ନ ଚାହିଁ

ଅନ୍ଧ ବଧିର ପ୍ରାୟ ହୋଇ

ହୃଦେ ନିବେଶି ବେନି ପାଣି

ଉତ୍ତର ଦିଗେ ନୃପମଣି

ପୂର୍ବେ ଅଶେଷ ମୁନି ଯାନ୍ତେ

ମୋକ୍ଷ ହୋଇଲେ ଯେଉଁ ପଥେ

ପରମ ବ୍ରହ୍ମ ଚିନ୍ତାକରି

ପ୍ରସ୍ଥାନ ସ୍ୱର୍ଗପଥ ହେରି

ପଥେ ଚଳନ୍ତି ଚାରିଭାଇ

ରାଜାର ଅନୁରୂପ ହୋଇ

ପ୍ରଜାଙ୍କୁ କରି ଆଲିଙ୍ଗନ

ହରଷ କରି ସର୍ବଜନ

ସେ ସାଧୁ ଶାନ୍ତ ସତ୍ୟ ଗୁଣୀ

ଆତ୍ମାର ଅନ୍ତର୍ଗତେ ଜାଣି

ମନ ନିବେଶି କୃଷ୍ଣପାଦେ

କୃଷ୍ଣର ଭକ୍ତି ଅପ୍ରମାଦେ

ନିର୍ମଳ ଚିତ୍ତ ତାହାଙ୍କର

ଗୋବିନ୍ଦ ପାଦେ କରି ସାର

କୃଷ୍ଣ ଚରଣେ ଚିତ୍ତ ଦେଲେ

ପରମ ଗତି ସେ ଲଭିଲେ

ବିଦୁର ଥିଲେ ବନବାସେ

ପ୍ରଭାସ ତୀର୍ଥେ ମୋକ୍ଷ ଆଶେ

ଗୋବିନ୍ଦ ଚରଣେ ନିଶ୍ଚଳେ

ପ୍ରାଣ ଛାଡ଼ିଲେ ଯୋଗବଳେ

ପିତୃଗଣଙ୍କ ମଧ୍ୟେ ମିଶି

ନକ୍ଷତ୍ର ମଧ୍ୟେ ଯେହ୍ନେ ଶଶୀ

ନିଜ ଭୁବନେ ବିଜେ କଲେ

ବ୍ରାହ୍ମଣ ଶାପୁଁ ନିସ୍ତରିଲେ

ତକ୍ଷଣେ ଦ୍ରୁପଦ କୁମାରୀ

ଭର୍ତ୍ତାର ପଥ ଅନୁସରି

କହନ୍ତି ସୂତ ଶୁଦ୍ଧ ଚିତ୍ତେ

ସର୍ବ ମୁନିଙ୍କ ମଧ୍ୟଗତେ

ଶ୍ରୀ ସୂତ ଉବାଚ

ଏବେ ହୋ ଶୁଣ ବିପ୍ରଜନେ

କୃଷ୍ଣ ମହିମା ଶୁଦ୍ଧ ମନେ

ଗୋବିନ୍ଦ ଚରଣ କମଳେ

ପଣ୍ତୁ କୁମର ଭାବ ଭୋଳେ

ସଂସାର ମାୟା ଦୂର କଲେ

ଜଗତ ଜନ ନିସ୍ତାରିଲେ

ପରମ ମଙ୍ଗଳ ଏ ବାଣୀ

ଯେ ପ୍ରାଣୀ ଶୁଦ୍ଧ ଚିତ୍ତେ ଶୁଣି

ସେ ଭକ୍ତି ଲଭେ ଅପ୍ରମାଦେ

ଅନ୍ତେ ପଶଇ କୃଷ୍ଣପାଦେ

କୃଷ୍ଣ ମହିମା ସୁଧାରସ

କହଇ ଜଗନ୍ନାଥ ଦାସ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ପାଣ୍ତବ ହିମାଚଳ ଗମନେ ନାମ

ପଞ୍ଚଦଶୋଽଧ୍ୟାୟଃ ॥

•••

 

ଷୋଡ଼ଶ ଅଧ୍ୟାୟ

 

ଶ୍ରୀ ସୂତ ଉବାଚ

ସୂତ କହନ୍ତି ଅନୁରାଗେ

ଆନନ୍ଦେ ମୁନିଙ୍କର ଆଗେ

ସ୍ୱଭାବେ ଅଭିମନ୍ୟୁ ସୁତ

ତେଜ ବିକାଶେ ପରୀକ୍ଷିତ

ବ୍ରାହ୍ମଣ ବାକ୍ୟେ ଜନ୍ମକାଳେ

ସୁମରି ହସ୍ତିନା ମଣ୍ତଳେ

ରାଜ୍ୟ ଆବୋରି ରାଜା ଯେତେ

ସର୍ବେ ଖଟିଲେ ପାଦଗତେ

ଶତ୍ରୁଙ୍କୁ ଜିଣି ମହାତେଜ

ଭୋଗ କରଇ ନିଜ ରାଜ୍ୟ

ବିରାଟ ସୁତ ସୁତା ଥିଲା

ସ୍ନେହେ ସେ ପରୀକ୍ଷିତେ ଦେଲା

ଅତି ସୁନ୍ଦର ରୂପ କାନ୍ତି

ନାମ ତାହାର କଳାବତୀ

ତାହାର ଗର୍ଭୁ ଚାରି ପୁତ୍ର

ଧର୍ମେ ସମ୍ପାଦି ପରୀକ୍ଷିତ

କୁମାର ଜନ୍ମେଜୟ ଆଦି

ସକଳ ଗୁଣେ ସେ ପ୍ରସିଦ୍ଧି

ଆନନ୍ଦେ ରାଜା ପରୀକ୍ଷିତ

ଯଜ୍ଞେ ବରିଲା ପୁରୋହିତ

ଗଙ୍ଗାର ତୀରେ ବେଦବାଦୀ

ସାଧିଲା ତିନି ଅଶ୍ୱମେଧି

ଦକ୍ଷିଣା ଦେଲେ ମନପୁରି

ଦିଗ ବିଜୟେ ବିଜେକରି

କଳିଯୁଗକୁ ଏକଦିନେ

ଦେଖିଲା ବେଳ ଅବସାନେ

ସେ ଶୂଦ୍ରଜାତି ନୃପ ସାଜେ

ଲୌହ ମୂଷଳ ଘେନି ବିଜେ

ଅଗ୍ରେ ଗୋ ମିଥୁନକୁ ଥୋଇ

ହୁଙ୍କାର ନାଦେ ପ୍ରହାରଇ

ତାହାକୁ ଦେଖି ନୃପମଣି

ତକ୍ଷଣେ ଭୁଜ ଧରିଆଣି

ବନ୍ଧନ କଲା ବାହୁବଳେ

ସେ ବୀର ଅବନୀ ମଣ୍ତଳେ

ଏମନ୍ତେ ସୂତ ମୁଖୁ ଶୁଣି

ଶୌନକ ଆଦି ଯେତେ ମୁନି

ଆନନ୍ଦେ ହୋଇ କୃତକୃତ୍ୟ

କହନ୍ତି ଶୁଣ ମୁନି ସୂତ

ଶୌନକ ଉବାଚ

କେବଣ ହେତୁ ପରୀକ୍ଷିତ

ବିଗ ବିଜୟେ ଉପଗତ

କଳିକୁ ଧରି ବାହୁବଳେ

ବନ୍ଧନ କଲା କିବା ଛଳେ

ସ୍ୱଭାବେ ଶୂଦ୍ରରୂପ ଧରି

କପଟେ ନୃପ ଲିଙ୍ଗକାରୀ

ପାଦ ପ୍ରହାରିଲା ତାହାକୁ

ଭୋ ସୁତ କହିବା ଆମ୍ଭଙ୍କୁ

ଏ କୃଷ୍ଣକଥା ରସବାଣୀ

ଏ ଜୀବ ତରେ ଯାହା ଶୁଣି

ଶରୀର ବହି ମୋହକଳ୍ପେ

ଜନ୍ମ ମରଣର ବିଳାପେ

ଆୟୁଷ ଦିନୁଦିନ ତୁଟେ

ଜଳ ଯେସନେ ଛିଦ୍ରଘଟେ

କ୍ଷୁଦ୍ର ଆୟୁଷ ପ୍ରାଣୀଙ୍କର

ଅମୃତ ବାକ୍ୟ ଚକ୍ରଧର

ଏଥୁ ପ୍ରାଣୀଙ୍କ ନାଶ ଅର୍ଥେ

ମୃତ୍ୟୁ ପୁରୁଷ ଏ ଜଗତେ

ସେ ନୁହେଁ କାହାରି ଆୟତ୍ତ

କରଇ କ୍ଷଣେ କ୍ଷଣେ ଗ୍ରସ୍ତ

ସେ ମୃତ୍ୟୁ ମୁଖୁଁ ନିସ୍ତାରଣେ

ହରି ଭକତି ମନେ ଗୁଣେ

ହରି ଭକତି ସୁଧାପାନେ

ଅମୃତ ବିନୟ ବଚନେ

ଦିନ ହରନ୍ତି ଦୁଃଖ ସୁଖେ

ତାହାକୁ ନାରାୟଣ ରଖେ

ସ୍ୱଭାବେ ମନ୍ଦବୁଦ୍ଧି ପ୍ରାଣୀ

ନିଜ ଆୟୁଷ ନ ପ୍ରମାଣି

ନିରତେ ମନ୍ଦ କର୍ମ କରେ

ତାର ଆୟୁଷ ଏ ସଂସାରେ

ଅଧେ ହରଇ ନିଦ୍ରା ନାଶି

ଦିବସେ ବ୍ୟର୍ଥ କର୍ମେ ଗ୍ରାସି

ଏମନ୍ତେ ମୁନିଙ୍କ ପ୍ରସନ୍ନେ

ସୂତ କହନ୍ତି ଅବଧାନେ

ଶ୍ରୀ ସୂତ ଉବାଚ

ସେ ରାଜ ଋଷି ଯେତେବେଳେ

ବସିଲା ହସ୍ତିନା ମଣ୍ତଳେ

ବିଶେଷେ ଅର୍ଜ୍ଜୁନର ନାତି

ରାଜାଙ୍କ ମଧ୍ୟେ ଚକ୍ରବର୍ତ୍ତୀ

କଳି ପ୍ରବେଶ କଥା ଶୁଣି

ଦିଗ ବିଜୟେ ନୃପମଣି

ତାର ସମାନ ନୃପବରେ

ସମର୍ଥ ନାହାନ୍ତି ସମରେ

ଉତ୍ତମ ରଥ ସଜ କରି

ରଥେ ଯୋଚିଲା ଅଶ୍ୱ ଚାରି

ସମ ତୁରଙ୍ଗ ଘନ ଜବ

କେ କହୁଁ ଅଶ୍ୱଙ୍କର ଭାବ

ଅଶ୍ୱ ଭୂଷିତ ଅଳଙ୍କାରେ

ରବି ଉଦୟ କି ଅମ୍ୱରେ

ରଥ ଉପରେ ହୀରା ଧ୍ୱଜ

ପୁରୁଁ ବାହାର ମହାରାଜ

ଆବୃତ୍ତ ଚତୁରଙ୍ଗ ବଳେ

କେ ତାକୁ ସମ ମହୀତଳେ

ଦିଗ ବିଜୟେ ବାହାରିଲା

ଶବଦେ ଭୁବନ କମ୍ପିଲା

ସର୍ବ ନୃପତି ନେଇ ପାଶେ

ମିଳେ ଉତ୍ତର କୁରୁଦେଶେ

ଭଦ୍ରାଶ୍ୱ କେତୁମାଳ ଜିଣି

ଆଗେ ରାଉତ ମଧ୍ୟେ ଜିଣି

ସର୍ବ ନୃପ ପୁରୁଷ ଆଦି

ଜିଣିଲା ସକଳ ସମ୍ପାଦି

ସର୍ବ ନୃପାଦି ଯା ଚରଣେ

ଧନେ ଖଟିଲେ ଦାସପଣେ

କେତେ ହେଁ ନୃପତି ତା ସଙ୍ଗେ

କୃଷ୍ଣ ଚରିତ ବୀଣା ରଙ୍ଗେ

ପୂର୍ବୁ ପୁରୁଷଙ୍କର ବାଣୀ

ତୋଷେ ତାହାର ମୁଖୁଁ ଶୁଣି

ଆତ୍ମାକୁ ରଖିଲେ ଯେମନ୍ତେ

ଦ୍ରୋଣ କୁମର ଶସ୍ତ୍ରାଘାତେ

କୃଷ୍ଣ ପାଣ୍ଡବ ବନ୍ଧୁଗଣେ

ଭକ୍ତି କୃଷ୍ଣର ଯେ ଚରଣେ

ଦୁସ୍ତର ବ୍ରହ୍ମଶର ବାଣ

ଉଦର ଚକ୍ର ସଂହାରଣ

ଶୁଣି ସନ୍ତୋଷ ନୃପମଣି

ଉତ୍ତମ ନବରତ୍ନ ଆଣି

ତାହାକୁ ଦେଲେ ପୁରସ୍କାର

ରତ୍ନ କଙ୍କଣ ମଣିହାର

ଅଶ୍ରୁ ଲୋଚନ ଚକ୍ଷୁ ବୁଜି

ପୁଲକେ ପୂରେ ରୋମରାଜି

ପାଣ୍ତବ ସଙ୍ଗେ ଯେତେ ଭାବ

ସଂସାରେ ସାଧିଲେ ମାଧବ

ରଣେ ସାରଥି ପଣେ ରତେ

ଯେ ବନବାସ ଘୋର ପଥେ

ରଣୁ ଉଦ୍ଧରେ ସଖା ଗଣେ

ହସ୍ତିନା ରାଜଦୂତ ପଣେ

ଆସନ ଶୟନ ଭୋଜନେ

ସ୍ନେହେ ବାନ୍ଧବ ବନ୍ଧୁଜନେ

ଏ ଆଦି ଯେତେ କର୍ମ କରି

ପାଣ୍ତବ ସଙ୍ଗତେ ବିହରି

ସେ ଭାବ ଘେନି ଦୃଢ଼ ଚିତ୍ତେ

ଲଭିଲା କୃଷ୍ଣ-ପାଦଗତେ

ପୂର୍ବୁ ପୁରୁଷଙ୍କର ଧର୍ମ

ସାଧିଲା ଅନୁଦିନେ କର୍ମ

ସେ ପୁଣି ନିଜ କର୍ମ ବଶେ

ଲଭିଲା ଅଳପ ବୟସେ

ତାର ଆଶ୍ଚର୍ଯ୍ୟ କଥା ଶୁଣି

ଶୌନକ କହେ ମଞ୍ଜୁବାଣୀ

ଧର୍ମ ଯେ ଏକପାଦ ବହି

ତକ୍ଷଣେ ବୃଷରୂପ ହୋଇ

ଭୂମିକି ଦେଖି ଅନୁରୂପେ

ବିଶ୍ୱାସେ ମିଳିଲା ସମୀପେ

ସେ ଧେନୁ ଅତି ଦୁଃଖେ ଦୁଃଖୀ

ଅଧୋବଦନେ ଅଶ୍ରୁମୁଖୀ

ତାର ବଦନ ଚାହିଁ ଧୀରେ

ଧର୍ମ ବୋଲଇ ପ୍ରିୟଭରେ

ଧର୍ମ ଉବାଚ

ହେ ବସୁନ୍ଧରୀ ସତ୍ୟ କହ

ତୋର ବିସ୍ମୟେ ମୋର ଦେହ

କିବା ତନୟ ତୋର ମଲା

ସ୍ୱାମୀ ବା ଦୂରେ ପ୍ରବେଶିଲା

ତୋର ଶରୀରେ କିବା ବ୍ୟାଧି

ସ୍ରବଇ ଅନ୍ତରେ ଆଚ୍ଛାଦି

ବିଶେଷ ବଚନ ତୋହର

ଏଣୁ ଏ ସ୍ୱଭାବ ଯେ ତୋର

କିବା ତୋହର ମନ ବ୍ୟଥା

କି ନଷ୍ଟ ଅର୍ଥେ ତୋର ଚିନ୍ତା

ଏ ବଡ଼ ଦୁଃଖୀ ଦେଖି ତୋତେ

ଦୟା ବସିଲା ମୋର ଚିତ୍ତେ

କେବା ତୋହର ପ୍ରାଣ ନାଶେ

ସୁଖେ ବଞ୍ଚିବ ମାଂସ ଗ୍ରାସେ

କିବା ଦେବଙ୍କ ପ୍ରୀତି ଛଳେ

ଯଜ୍ଞ ନୋହିବ ଭୂମି ତଳେ

ଯେବେ ନ ବରଷିବେ ଦେବେ

ଏଣୁ ଏ ପ୍ରଜାନାଶଯିବେ

କିବା ପୁରୁଷ ନିଜ ନାରୀ

ଉପେକ୍ଷି ପରଦାରା କରି

କିବା ବାଳକ ପିତାମାତା

ଛାଡ଼ିଲେ ତୋର ମନେ ଚିନ୍ତା

କିବା ବ୍ରାହ୍ମଣେ ବେଦବାଣୀ

ସାଧିବେ ଦୀନ କୁଳେ ଆଣି

ଗ୍ରହ ନକ୍ଷତ୍ର ବନ୍ଧୁ ରାଜା

କଳି ବିହିତ ଜନ ପ୍ରଜା

ନିଜ ଭବନ ଛାଡ଼ି ଅନ୍ୟେ

ଛାଡ଼ିବେ ଦୁର୍ଗମ କାନନେ

ପ୍ରାଣୀଏ ଆନ ଆନ ସ୍ଥାନେ

ଆସନ ଭୋଜନ ଶୟନେ

କରିବେ ପରପାକେ ମତି

ପର ଯୁବତୀ ଘେନି ରତି

କିବା ତୋହର ଗୁରୁତର

ଖଣ୍ତିଲା ଅବନୀର ଭାର

ତାର ଚରଣ ତୋର ଉପର

ଯେହ୍ନେ ଭୂଷିତ ଅଳଙ୍କାରେ

ତାର ଚରିତ ଗୁଣ ଲୀଳା

କିବା ତୋ ମନ ସୁମରିଲା

ତାର ବିଯୋଗେ ତୋର ଚିତ୍ତେ

ଚିନ୍ତା ସାଗରେ ମୋହଗ୍ରସ୍ତେ

ଏ ଆଦି ଯେତେ ଚିନ୍ତା ଭାର

କହ ଅଭିମାନ ବେଭାର

କାଳ ବା ତୋର ଶୁଭହାରି

ଯେଣୁ ଦିଶିଲୁ ହତଶିରୀ

କାଳ ବା ତୋର ଶୁଭହାରି

ଯେଣୁ ଦିଶିଲୁ ହତଶିରୀ

ଧର୍ମ ବୃଷଭ ବାକ୍ୟ ଶୁଣି

ଧରଣୀ କହେ ମନେ ଗୁଣି

ଧରଣୀ ଉବାଚ

ଭୋ ବୃଷ ଯେତେ ପ୍ରଶ୍ନ ତୋର

କହିବି ଶୁଣ ମନ ସ୍ଥିର

ତୋହର ଚତୁର ଚରଣ

ପ୍ରାଣୀଙ୍କ ସୁଖର କାରଣ

ସତ୍ୟ ଶଉଚ ଦମ୍ଭ ଶାନ୍ତି

ତ୍ୟାଗ ସନ୍ତୋଷ ମହାମତି

ତପ ସମାଧି ଶମ ଦମ

ତିତିକ୍ଷା ଇନ୍ଦ୍ରିୟ ସଂଯମ

ବିରକ୍ତି ଫଳ ଯେ ଐଶ୍ୱର୍ଯ୍ୟ

ସତତ ସୁଖ ଜ୍ଞାନ ଦ୍ୱିଜ

କୁଶଳ କାନ୍ତି ସମଭାଗ

ଅଶୁଭ କର୍ମର ଯେ ଭୋଗ

ପ୍ରଶସ୍ତ ଶୀଳ ମହାବଳ

ସ୍ତିରୀ ଗଭୀର ଧର୍ମକୁଳ

ସୁକୃତ ମାନ ଅହଙ୍କାର

ଏ ସର୍ବ ତୋହର ଶରୀର

ଏ ଆଦି ଅନ୍ୟ ଧର୍ମ ଯେତେ

କର୍ମ ସାଧନ ଏ ଜଗତେ

ମହତ ଜନ ଆଚରଣ

ଆତ୍ମାର ପରମ କାରଣ

ସେ ସର୍ବଗୁଣ ଷଡ଼ଭାଗେ

ଗମିଲେ ଗୋବିନ୍ଦର ସଙ୍ଗେ

ଏ ସର୍ବଗୁଣ ଲୋକ ଯେତେ

ସର୍ବେ ପଡ଼ିଲେ ମୋହଗତେ

ଏବେ ମୁଁ ଆତ୍ମାକୁ ସୁମରି

ଏ ସର୍ବଗୁଣ ମନେ ଧରି

ତୋର ଚରଣ ଭଗ୍ନ ଦେଖି

କାନ୍ଦଇ ହୋଇ ଅତି ଦୁଃଖୀ

ଦେବତା ଋଷି ପିତୃଗଣେ

ଯେ ବର୍ଣ୍ଣାଶ୍ରମ ଆଚରଣେ

ଏ ସର୍ବଧର୍ମ ଗଲା ଦୂର

ମୋତେ ଛାଡ଼ିଲେ ଚକ୍ରଧର

ବ୍ରହ୍ମାଦି ଦେବଦେବୀ ଯେତେ

ନିଶ୍ଚଳ ମୋହର ଅଗ୍ରତେ

ଯାର ଅପାଙ୍ଗ ମୋକ୍ଷ ଶିରୀ

ଲଭିବି ବୋଲି ଆଶ୍ରା କରି

କଠୋର ତପ ସାଧି ବନେ

ପ୍ରସନ୍ନ ଯାହାର ଚରଣେ

ସେ ଲକ୍ଷ୍ମୀ ତେଜି ପଦ୍ମବନ

ଯାର ହୃଦୟେ ଲଭି ସ୍ଥାନ

ସେ ସ୍ଥାନେ ନ ରହେ ତା ମନ

ତାର ଚରଣେ କରେ ଧ୍ୟାନ

କଳି ବଞ୍ଚଇ ସର୍ବବେଳେ

ସେ ହରି ନିଜ ପୁରେ ଗଲେ

ତାର ଚରଣେ ଚିହ୍ନ ଯେତେ

ଧ୍ୱଜ ଅଙ୍କୁଶ ନିଜ ଗାତ୍ରେ

ସେ ବେଳେ ଅଳଂକୃତ ଦେହୀ

ଶୁଦ୍ଧ ସୁନ୍ଦର ବିରାଜଇ

ଯେଣୁ ଛାଡ଼ିଲେ ମୋତେ ହରି

ତେଣୁ ଦିଶଇ ହତଶିରୀ

ଅସୁର ଅକ୍ଷୌହିଣୀ ଭାର

ଉଶ୍ୱାସ କଲା ଯେ ମୋହର

ତାର ବିଯୋଗ ଯେବା କହି

ଏ ନରଲୋକେ ଦେହ ବହି

ପ୍ରେମେ ବାଳକ କର୍ମ ମାତ୍ରେ

ମନକୁ ମୋହନ୍ତି ଜଗତେ

ମଥୁରାପୁର ନାରୀଙ୍କର

ଭାଗ୍ୟ କେ କରିବ ଗୋଚର

ତାର ଚରଣ ସୁଖ ଲାଗି

ପୁଲକ ଭାବେ ସଉଭାଗୀ

ସୂତ କହନ୍ତି ଅବଧାନେ

ଏବେ ହୋ ଶୁଣ ମୁନିଜନେ

ଏମନ୍ତେ କହୁଁ କହୁଁ ବାଣୀ

ଧର୍ମର ସଙ୍ଗତେ ଧରଣୀ

ସେ ପରୀକ୍ଷିତ ଦଣ୍ତଧାରୀ

ଦିଗବିଜୟ କର୍ମ ସାରି

ଧର୍ମ ଧରଣୀ ସଙ୍ଗ ବଳେ

ମିଳିଲା ସରସ୍ୱତୀ କୂଳେ

କହଇ ବିପ୍ର ଜଗନ୍ନାଥ

ପ୍ରାକୃତ ବନ୍ଧେ ଭାଗବତ

ପ୍ରଥମ ସ୍କନ୍ଧେ ଅର୍ଥ ଯେତେ

ଅମୃତ କୃଷ୍ଣର ଚରିତେ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ଧର୍ମ ପୃଥ୍ୱୀ ସମ୍ୱାଦେ ନାମ

ଷୋଡ଼ଶୋଽଧ୍ୟାୟଃ ॥

•••

 

ସପ୍ତଦଶ ଅଧ୍ୟାୟ

 

ଶ୍ରୀ ସୂତ ଉବାଚ

 

କହନ୍ତି ସୂତ ଶୁଦ୍ଧମନେ

ଶୁଣ ସକଳ ମୁନିଜନେ

ସେ ରାଜା ସରସ୍ୱତୀ କୂଳେ

ବିଜୟ ଚତୁରଙ୍ଗ ବଳେ

ସେ ରାଜଋଷି ପରୀକ୍ଷିତ

ତେଜେ କି ପ୍ରକାଶେ ଆଦିତ୍ୟ

ତକ୍ଷଣେ ସରସ୍ୱତୀ କୂଳେ

ପଶିଲା ଗୋ ମିଥୁନବେଳେ

ଦେଖିଲା ରାଜାରୂପ ଶିରୀ

ଲୁହାର ଯଷ୍ଟି କରେ ଧରି

ସ୍ୱଭାବେ ତାର ଶୁଭ୍ରଦେହୀ

କପଟ ବେଶେ ସଜ ହୋଇ

ସର୍ପର ପ୍ରାୟେ ଘୋର ନାଦେ

ଯଷ୍ଟି ପ୍ରହାରେ ତାର ପାଦେ

ସ୍ୱଭାବେ ଏକଇ ଚରଣ

ପ୍ରହାର କରେ ପୁନଃ ପୁନଃ

ତାର ପ୍ରହାରେ ସେ ବିକଳେ

ଲୋଚନୁ ଅଶ୍ରୁଜଳ ଗଳେ

କମ୍ପଇ ଘନ ଘନ ଦେହୀ

ମୂତ୍ର ପୁରୀଷ ଉତ୍ସର୍ଗଇ

ତାର ପ୍ରହାରେ ଧେନୁ ନାଦେ

ସ୍ଥିର ନୁହଇ ଚାରିପାଦେ

ବତ୍ସା ବିହୀନେ କୃଷ୍ଣଦେହୀ

ଜୀବ ସେ ଭୋଜନ ଇଚ୍ଛଇ

ତାର ନିକଟେ ରଥେ ଯାଇ

ସୁବର୍ଣ୍ଣେ ଅଳଂକୃତ ହୋଇ

ଅନାଇ ବୃଷଭ ବଦନ

ଗଭୀର କୋମଳ ବଚନ

ବାଣ ଆରୋପି ଧନୁର୍ଗୁଣେ

ପୁଚ୍ଛଇ ପ୍ରହାର କରଣେ

ରାଜୋଉବାଚ

କାହୁଁ ଅଇଲୁ ତୁ ପୁରୁଷ

କହ ତୋହର ନାମ କିସ

ମୋର ଶରଣ ନରଲୋକ

ଏହାକୁ କରୁ ତୁ ନିରେଖ

ଦୁର୍ବଳ ପ୍ରାଣୀକୁ ତୁ ବଳେ

ପ୍ରହାରୁ ବଳୀୟାର ଛଳେ

ବିଶେଷେ ରାଜରୂପ ହେଉ

ନଟର ପ୍ରାୟେ ଜନ ମୋହୁ

କହ ଏ କେବଣ କାରଣ

ଦେଖ ମୋହର ଧନୁର୍ବାଣ

ଦେଖ ଅର୍ଜ୍ଜୁନ ସଙ୍ଗ କରି

ନିଜ ଭୁବନେ ଗଲେ ହରି

ତୁ ତ ସ୍ୱଭାବେ ଅରକ୍ଷିତ

ପ୍ରାଣୀଙ୍କୁ କରୁ କିମ୍ପା ହତ

ପ୍ରାଣ ସତ୍ୱରେ ଅବହେଳା

ନିଶ୍ଚୟେ କାଳ ତୋ ପୂରିଲା

ପୁଣି ବୃଷଭ ମୁଖ ଚାହିଁ

ସଭ୍ରମ ଚିତ୍ତେ ପଚାରଇ

ବୃଷ ତୁ ମୃଣାଳ କୋମଳ

ଏକଇ ପାଦ ତୋ ଚଞ୍ଚଳ

ତିନି ଚରଣ ତୋର ଥିଲା

କହ କି ହେତୁ କେଣେ ଗଲା

କେଉଁ ଦେବତା କହ ତୁହି

ମାୟାରେ ବୃଷରୂପ ହୋଇ

ଏ କଥା ମୋତେ ବଡ଼ ଗରୁ

ମୋହର ମନ ଖେଦ କରୁ

ଦେଖ କୌରବ ବଂଶଭୁଜେ

ପରୀକ୍ଷିତ ମୋହର ରାଜ୍ୟେ

ପ୍ରାଣୀ ଲୋଚନୁ ଅଶ୍ରୁଜଳ

କେବେହେଁ ନ ପଡ଼ଇ ତଳ

ପୁଣି ସୁରଭୀ ମୁଖ ଚାହିଁ

ଆଶ୍ୱାସି ବାକ୍ୟ ପଚାରଇ

ତୁ ଧେନୁ କାନ୍ଦୁ କାହିଁପାଇଁ

ତୁ ତାହା ମୋତେ କହ ଫେଇ

ତୁ ଏବେ ରୋଦନ ନ କର

ମୁହିଁ ଖଳଙ୍କ ଦର୍ପହର

ମୁହିଁ ପାଳକ ଅଛି ଯହିଁ

ମୋର ପ୍ରଜାଙ୍କୁ ଦୁଃଖ ନାହିଁ

ଯାହାର ରାଜ୍ୟେ ପ୍ରଜାବଳେ

ହିଂସା କରନ୍ତି ଦୁଷ୍ଟ ଖଳେ

ତା ଯେବେ ରାଜା ନ ମଣଇ

ତାର ରାଜତ୍ୱେ ଯଶ କାହିଁ

ରାଜାଙ୍କ କୁଳ ଧର୍ମ ଏହି

ନିଶ୍ଚିନ୍ତେ ପ୍ରଜାଙ୍କୁ ଯେ ପାଳଇ

ଏଣୁ ଏହାକୁ ବଧ କରି

ଧର୍ମ ଅଧର୍ମ ନ ବିଚାରି

ତୋର ରକ୍ଷଣେ ଏ କାରଣ

ଭୋ ବୃଷ ସାବଧାନେ ଶୁଣ

ତୋହର ଚାରିପାଦ ଥିଲା

ତିନି ଚରଣ କେଣେ ଗଲା

ସୁରଭୀ ମୁଖ ଚାହିଁ ପୁଣି

କହଇ ନୃପ ଚୂଡ଼ାମଣି

ଭୋ ବୃଷ ଶୁଣ ମୋର ବାଣୀ

ତୋ ଦୁଃଖ କହ ମୋତେ ପୁଣି

କୃଷ୍ଣ ସେବକ ବନ୍ଧୁ ଯେତେ

ତାହାଙ୍କ ଚିତ୍ତ ଏ ଜଗତେ

ଧର୍ମ ନ ସହେ ମହୀତଳେ

ଯେ ସାଧୁ ଅଟେ ସର୍ବକାଳେ

ତୋହର ବିରୂପ ଶରୀର

ପାଣ୍ତବ ବଂଶେ ଏ ଦୁଷ୍କର

ନିର୍ଦ୍ଦୋଷ ପ୍ରାଣୀଙ୍କୁ ଯେ ହିଂସେ

ସେ ଅପରାଧେ ଆତ୍ମା ନାଶେ

ମୁହିଁ ତାହାର ଭୁଜ ଦୁଇ

ଛେଦଇ ଯେବେ ଦେବ ହୋଇ

ରାଜା ପ୍ରଜାର ଧର୍ମ ଏହି

ନିଶ୍ଚିନ୍ତେ ପ୍ରଜାଙ୍କୁ ପାଳଇ

ସ୍ୱଧର୍ମେ ପାଳେ ବସୁନ୍ଧରୀ

ଖଳ ଚଉର୍ଯ୍ୟ ସେ ନିବାରି

ଏ ଚାରିବର୍ଣ୍ଣେ ଏ ଜଗତେ

ସ୍ୱଧର୍ମ ଛାଡ଼ି ଅନ୍ୟପଥେ

ତାହାଙ୍କ ଗର୍ବ ଯେତେ ହରେ

ସେ ରାଜା ସୁଖେ ରାଜ୍ୟ କରେ

ରାଜାର ବାଣୀ ଶୁଣି ତୋଷେ

ଧର୍ମ କହନ୍ତି ପ୍ରେମ ହାସ୍ୟେ

ଧର୍ମ ଉବାଚ

ପାଣ୍ତବ ବଂଶେ ଏ ବେଭାର

ଆରତ ପ୍ରାଣୀ ଭୟଙ୍କର

ଯାହାର ଗୁଣେ ଗୁଣ ହରି

ସାରଥି ଦୂଢ଼ପଣେ କରି

ପ୍ରାଣୀଙ୍କ କ୍ଳେଶ ବୀଜ ଯେତେ

ପ୍ରକାଶ ହୋଇ ଯାର ଚିତ୍ତେ

ସେ ବାକ୍ୟଭେଦ ବିମୋଚନ

ତାହାକୁ ବୋଲ ସାଧୁଜନ

ସେ ଆତ୍ମା ଜ୍ଞାନ ମନ ଧରେ

ଆତ୍ମାର ବିକଳ୍ପ ବିଚାରେ

କେ ବୋଲେ ଦେବ ମାୟାବଳ

କେ ବୋଲେ କର୍ମର ଏ ଫଳ

କେ ବୋଲେ ସ୍ୱଭାବ ଏହାର

ବ୍ରହ୍ମା ଶଙ୍କରେ ଅଗୋଚର

କଳି ନ ପାରେ ଯାର ମନେ

ଏହା କେ କହିବ ବଚନେ

ଏ ଆଦି ଯେ ବୁଦ୍ଧି ବୃତ୍ତାନ୍ତ

ତୁ ରାଜା ମନେ ଏହା ଚିନ୍ତ

ଏମନ୍ତ ଧର୍ମ ମୁଖୁ ଶୁଣି

ସେ ରାଜା ମନେ ମନେ ଗୁଣି

ମନରୁ ଖେଦ ଦୂର କଲା

ସ୍ୱରୂପ ଧର୍ମକୁ ଦେଖିଲା

ଦେହେ ଉତ୍ତରୀ ଅକ୍ଷମାଳ

କଟିରେ ଅଜିନ ଦୁକୂଳ

ଲମ୍ବେ ସୁନ୍ଦର ଚାରି କର

ଶିରେ ଶୋଭଇ ଜଟାଭାର

ତନୁ ଶଶାଙ୍କ ବପୁ ଗଞ୍ଜେ

ଶ୍ରୀବତ୍ସ ଚିହ୍ନ ହୃଦେ ସାଜେ

ଯେସନେ ତଡ଼ିତ ତରାସ

ରାଜା ଦେଖିଲା ସୁପ୍ରକାଶ

ରାଜାଙ୍କୁ ସ୍ୱରୂପ ଦେଖାଇ

ସେ ବୃଷ ଭଗ୍ନପାଦେ ରହି

ସେ ରାଜା ଦେଖି ନିଜ ରୂପ

ଚିତ୍ତେ ପ୍ରକାଶେ ଜ୍ଞାନଦୀପ

କପାଳେ ଦେଇ ବେନିକର

ଧର୍ମକୁ କହେ ନୃପବର

ରାଜୋଉବାଚ

ଭୋ ଧର୍ମ ଧର୍ମକଥା କହୁ

ଧର୍ମେ ବୃଷଭ ରୂପ ବହୁ

ଧର୍ମ ଅଧର୍ମ ଯେ ବା କରେ

ସେ ପ୍ରାଣୀ ଜୀବ ଥାଉଁ ମରେ

ଦେଖ ମାୟାର ବ୍ୟଗ୍ର ଗତି

କେ ଜାଣିପାରେ ଚିତ୍ତେ ଚିନ୍ତି

ମନ ବଚନେ ଅଗୋଚର

ନିଶ୍ଚୟ ବିଚାର ମନର

ତୋହର ଚତୁର ଚରଣ

ପ୍ରଥମ ଯୁଗ ଆଭରଣ

ତପ ଶଉଚ ଦୟା ସତ୍ୟ

ଯେ ଯୁଗ ଅନୁରୂପେ କୃତ

ସତ୍ୟର ସଙ୍ଗେ ତପ ଗଲା

ଶଉଚ ତ୍ରେତାରେ ରହିଲା

ଦ୍ୱାପର ଗଲା ଦୟା ସଙ୍ଗେ

ମିଥ୍ୟା ରହିଲା କଳିଯୁଗେ

ତପକୁ ସର୍ବନାଶ କଲା

ଶଉଚ ସଙ୍ଗେ ସଂହାରିଲା

ମନ ରହିଲା ଦୟାବଳେ

ଚରଣ ରହିଲା ନିଶ୍ଚଳେ

ଏବେ ଯେ ଅଛି ଏକପାଦ

ଏ କଳି ଏହାକୁ ଆପଦ

କଠୋର ତପ ଯେ ପାଳିବ

ସେ ପ୍ରାଣୀ କୃଷ୍ଣଙ୍କୁ ପାଇବ

ସେ ସତ୍ୟଯୁଗ ସତ୍ୟଭାବ

ଏ କଳି ଅନ୍ତେ ପ୍ରକାଶିବ

ଏ ଭୂମି ଭାରାଭର ହରି

ଶ୍ରୀକୃଷ୍ଣ ଗଲେ ଅପସରି

କୃଷ୍ଣର ପାଦପଦ୍ମ ରେଖ

ଯେତେ ଏ କୃତ୍ୟ କଉତୁକ

ପବିତ୍ର ସୁନ୍ଦର ଶରୀର

ଦେଖି ଆନନ୍ଦ ସୁର ନର

ସେ ହରି ଛାଡ଼ିଗଲେ ଯେବେ

ଦେଖ ଏହାର ଦୁଃଖ ଏବେ

ଦୁର୍ଭାଗୀ ପ୍ରାୟ ଅଧୋମୁଖୀ

କାନ୍ଦଇ ଅତି ଦୁଃଖେ ଦୁଃଖୀ

ପାପିଷ୍ଠ କ୍ଷୁଦ୍ରଘାତି ଯେତେ

ସର୍ବେ ଭୁଞ୍ଜିବେ ମିଳି ମୋତେ

ଏ ରୂପେ ଧର୍ମ ବସୁନ୍ଧରୀ

ବାକ୍ୟ ବୋଧନେ ବଶ କରି

ତୀକ୍ଷ୍‌ଣ ଖଡ଼ଗ ଧରି ହସ୍ତେ

ମିଳିଲା କଳିର ଅଗ୍ରତେ

ଅଧର୍ମ ହେତୁ ବଳେ ମାରି

ମୁହିଁ ପାଳିବି ବସୁନ୍ଧରୀ

ଏମନ୍ତ ଶୁଣି ତା ବଚନ

ପଡ଼ିଲା ନୃପତି ଚରଣ

ପ୍ରାଣ କାତରେ ଉଦବେଗେ

ପଡ଼ିଲା ରାଜା ପାଦଯୁଗେ

ସେ କଳି ପ୍ରାଣର ବିକଳେ

ପାଦେ ପଡ଼ିଲା ସେତେବେଳେ

ଦେଖିଣ କଳିର ବିକଳ

ସ୍ୱଭାବେ ମେଦିନୀ ବତ୍ସଳ

ତାର ବିକଳ ମୁଖ ଦେଖି

ଖଡ଼ଗ ଭୁଜେ ଉର୍ଦ୍ଧ୍ଵେ ରଖି

ଦଶନ ଛନ୍ଦି ଓଷ୍ଠେ ଧରି

କଳିକି କହେ ରୋଷ ଭରି

ପରୀକ୍ଷିତ ଉବାଚ

ତୁ ଯେ ଅଞ୍ଜଳି ଶିରେ ଧରି

ପାଦେ ପଡ଼ିଲୁ ଭୟ କରି

ଅର୍ଜ୍ଜୁନ ବଂଶେ ଜନ୍ମ ଯେତେ

ତାହାଙ୍କୁ ଭଜୁନାହୁଁ ଚିତ୍ତେ

ଅଧର୍ମ ବନ୍ଧୁ ତୁ ସ୍ୱଭାବେ

ମୋର ବଚନ ଶୁଣ ଏବେ

ମୋହର କ୍ଷେତ୍ରେ ନ ପଶିବୁ

ଯେବେ ଜୀବନେ ତୁ ବର୍ତ୍ତିବୁ

ତୁ ଯହିଁ ଥିବୁ ରାଜା ଘରେ

ଅଧର୍ମ ଯୂଥ ତୋ ସଙ୍ଗରେ

ଲୋଭ ଅନର୍ଥ ଚୌର୍ଯ୍ୟକର୍ମ

ଏ ଆଦି ଶ୍ରେଷ୍ଠ ଯେ ଅଧର୍ମ

ଦମ୍ଭ ଦୁର୍ଜ୍ଜନ ଆଚରିତେ

ମାୟା କଳହ ମୋହ ଯେତେ

ତୋହର ସଙ୍ଗେ ଥାନ୍ତି ଏତେ

ମୋ ପୁରେ ଥିବୁ ତୁ କେମନ୍ତେ

ଯେ ପ୍ରାଣୀ ଥିବେ ସତ୍ୟ ଧର୍ମେ

ତହିଁ ନ ପଶିବୁ ସଂଭ୍ରମେ

ଏ ବ୍ରହ୍ମାବର୍ତ୍ତେ ଯେତେ ଜନ

ବ୍ରାହ୍ମଣ ଆଦି ଚାରିବର୍ଣ୍ଣ

ଆଗମ ନିଗମ ପ୍ରମାଣେ

ଯଜ୍ଞ ସମ୍ପାଦି ଯେ ବ୍ରାହ୍ମଣେ

ହରି ଚରଣେ ପୂଜା କରି

ଯେଣେ ସନ୍ତୋଷ ନରହରି

ସ୍ଥାବର ଆଦି ଚାରି ଦେହେ

ବାହ୍ୟ ଅନ୍ତରେ ବ୍ୟାପି ରହେ

ସେ ହରି ପୂଜା କରେ ଯେହି

ତହିଁ ପ୍ରବେଶ ତୋର ନାହିଁ

ଏ ଧର୍ମ ତୋହର ପ୍ରମାଣ

ଏଥକୁ ସାକ୍ଷୀ ନାରାୟଣ

ଶୁଣି ସେ ରାଜାର ଉତ୍ତର

କଳି କମ୍ପଇ ଥରହର

ଉଚ୍ଚେ କମ୍ପାଇ ଅସିବର

ତେଜେ କମ୍ପିତ ଦଣ୍ତଧର

ଏମନ୍ତେ ରାଜା ମୁଖ ଚାହିଁ

କହଇ ଶିରେ କରଦେଇ

କଳିରୁବାଚ

ଭୋ ରାଜା ତୋହର ଚରଣେ

ଥିବୁ ମୁଁ ଆଜ୍ଞାର ପ୍ରମାଣେ

ତୋତେ ଦେଖଇ ମୋର ପଛେ

ଖଡ଼ଗ ହସ୍ତ ତୁ ପ୍ରତ୍ୟକ୍ଷେ

ତୁ ଧର୍ମ ପ୍ରାଣୀଙ୍କ ଈଶ୍ୱର

ବିଚାରି ମୋତେ ସ୍ଥାନ କର

ଯହିଁ ନିଶ୍ଚିନ୍ତେ ଥିବି ମୁହିଁ

ତୋହର ଆଜ୍ଞା ଶିରେ ବହି

କହନ୍ତି ସୂତ ତୋଷମନେ

ଶୁଣ ସକଳ ମୁନିଜନେ

କଳି ବଚନ ଶୁଣି ହସି

ସନ୍ତୋଷ ଚିତ୍ତେ ରାଜଋଷି

ଚାରି ପ୍ରକାରେ ସ୍ଥାନ କଲା

ନିତ୍ୟେ ଅଧର୍ମ ଯହିଁ ମେଳା

ଦ୍ୟୂତ କାମିନୀ ମଦ୍ୟପାନେ

ପ୍ରାଣୀ ମରଣ ଯେବା ସ୍ଥାନେ

ଶୁଣି କହଇ କଳିଯୁଗ

ମୋର ଏ ସ୍ଥାନ ଚାରିଭାଗ

ମୁଁ ତହିଁ ଥିବି ନିରନ୍ତରେ

ପଞ୍ଚମ ଭାଗ ଦିଅ ମୋରେ

କଳିର ବାକ୍ୟ ଶୁଣି ଚିତ୍ତେ

ସୁବର୍ଣ୍ଣ ଦେଲା ତାର ହସ୍ତେ

ଏ ପଞ୍ଚସ୍ଥାନ ପଞ୍ଚଗୁଣ

ବ୍ରାହ୍ମଣେ ସାବଧାନେ ଶୁଣ

ମିଥ୍ୟା ବସଇ ଦ୍ୟୂତ ମଧ୍ୟେ

କାମ କାମିନୀ ମଦ ସାଧେ

ପ୍ରାଣୀ ମାରଣେ ରାଜୋଗୁଣ

ସୁବର୍ଣ୍ଣ ମଧ୍ୟେ ରିପୁଗଣ

ଏ ପଞ୍ଚସ୍ଥାନ ତାରେ ଦେଲା

ଯହିଁ ଅଧର୍ମ ସଙ୍ଗମେଳା

ତକ୍ଷଣେ ରାଜାର ବଚନେ

କଳି ବସିଲା ପଞ୍ଚସ୍ଥାନେ

ପ୍ରଣମି ଅଭିମନ୍ୟୁ ବଳା

କଳିଯୁଗକୁ ସ୍ଥାନ ଦେଲା

ସେ ଧର୍ମଶୀଳ ଯେହ୍ନେ ମେରୁ

ସ୍ୱଭାବେ ଲୋକପତି ଗୁରୁ

ତପ ଶଉଚ ଦୟା ତିନି

ବୃଷଭ ପାଦେ ଏଣେ ମାନି

ନିଜ ବିଷୟର ପାଳନେ

ବର୍ତ୍ତିଲା ଏ ଚାରି ଚରଣେ

ସ୍ୱଭାବେ ସ୍ୱଧର୍ମ ପାଳନେ

ରାଜା ଉଚିତ ପ୍ରମାଣେ

ଧର୍ମ ନନ୍ଦନ ଧରି କୋଳେ

ତପେ ଅରଣ୍ୟେ ଯିବାକାଳେ

ଏମନ୍ତ ଶିକ୍ଷା ତାକୁ ଦେଇ

ସ୍ୱର୍ଗେ ଚଳିଲେ ପାଞ୍ଚଭାଇ

ସେହି ପ୍ରକାରେ ମନେ ଗୁଣି

ଧୀରେ କୌରବ ଶିଖାମଣି

ହସ୍ତିନାପୁରେ ରାଜନୀତି

ପ୍ରଜା ପାଳନେ ଚକ୍ରବର୍ତ୍ତୀ

ଏମନ୍ତେ ଅଭିମନ୍ୟୁ ସୁତ

ପ୍ରଜା ପାଳନେ ସୁବିଦିତ

ଯାହାର ରାଜ୍ୟେ ତୁମ୍ଭେ ଥାଇ

ହରି ଭଜନେ ପାପ ଦହି

ସେ ହରି ଚରିତ ବିଶ୍ୱାସ

କହଇ ଜଗନ୍ନାଥ ଦାସ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ କଳିନିଗ୍ରହୋ

ନାମ ସପ୍ତଦଶୋଽଧ୍ୟାୟଃ ॥

•••

 

ଶ୍ରୀମଦ୍‌ ଭାଗବତ ପ୍ରଥମ ସ୍କନ୍ଧ

ଅଷ୍ଟାଦଶ ଅଧ୍ୟାୟ

 

ଶ୍ରୀ ସୂତ ଉବାଚ

କହନ୍ତି ସୂତ ଶୁଦ୍ଧଚେତା

ଶୁଣ ସକଳ ବ୍ରହ୍ମବେତ୍ତା

ଦ୍ରୋଣ କୁମର ଶରାଘାତେ

ପ୍ରାଣେ ବଞ୍ଚିଲା ଗର୍ଭଗତେ

ଗୋବିନ୍ଦ ଅନୁଗ୍ରହ ଭାବେ

ବଞ୍ଚିଲା ଜନନୀର ଗର୍ଭେ

ବ୍ରାହ୍ମଣ କୋପେ ଶାପ ଦେଲା

ତକ୍ଷକ ଦଂଶୁ ଯେ ବୋଇଲା

ତେଣୁ ତକ୍ଷକ ତାକୁ ବଳେ

ଦେହେ ଦଂଶିଲା ଗଙ୍ଗାଜଳେ

ମରଣ ଜାଣି ମହୀପତି

ହୃଦୟେ ଚିନ୍ତିଲା ଶ୍ରୀପତି

କୃଷ୍ଣ ମହିମା ପରିମାଣି

ବ୍ୟାସ ନନ୍ଦନ ମୁଖୁଁ ଶୁଣି

ଗଙ୍ଗାରେ ଛାଡ଼ି ନିଜ ପ୍ରାଣ

ଗୋବିନ୍ଦେ ପଶିଲା ତକ୍ଷଣ

କୃଷ୍ଣର ଗୁଣଗାଥା ପନ୍ତି

ଏ ଆଦି ହୃଦୟରେ ଚିନ୍ତି

କୃଷ୍ଣର କଥାମୃତ ତୁଣ୍ତେ

କହି ରୋମାଞ୍ଚ ଯାର ପିଣ୍ତେ

ସଦାକାଳେ ଯେ ତାହା ଚିନ୍ତି

ମରଣେ କିବା ତାଙ୍କ ଭ୍ରାନ୍ତି

ସେ ରାଜା ଯେତେଦିନ ଥିଲା

ସଂସାରେ କଳି ନପଶିଲା

ନନ୍ଦନନ୍ଦନ ଯେତେବେଳେ

ତନୁ ଛାଡ଼ିଲା ମହୀତଳେ

ତକ୍ଷଣେ ଅଧର୍ମ ପୁରୁଷ

ସଂସାରେ ହୋଇଲା ପ୍ରବେଶ

ସେ ରାଜା ତାକୁ ସ୍ଥାନ ଦେଇ

ସାରଙ୍ଗ ପ୍ରାୟେ ସରଦାୟୀ

କୁଶଳ କର୍ମ ଯେ କରନ୍ତି

ସେ ଫଳ ଏ ଦେହେ ଭୁଞ୍ଜନ୍ତି

ଇତର କର୍ମ ନ ଲାଗଇ

ଯେ ଶୁଭକର୍ମେ ନିତ୍ୟ ଥାଇ

ଯେ କଳିଯୁଗ ଭୟଙ୍କର

ସ୍ୱଭାବେ ସୁଧୀର ଗଭୀର

ନିରତେ ଅପ୍ରମିତ ଦେହୀ

ସିଂହର ପ୍ରାୟେକ ଭ୍ରମଇ

ପ୍ରମତ୍ତ ପ୍ରାୟେ ବଳ ମଧ୍ୟେ

ସେ କଳି ବିହରେ ଆନନ୍ଦେ

ଏ ପରୀକ୍ଷିତ ଗୁଣଗାଥା

କହେ ନିରତେ କୃଷ୍ଣକଥା

ଭାବେ କହିଲି ତୁମ୍ଭ ଆଗେ

ଯେଣୁ ପୁଚ୍ଛିଲ ଅନୁରାଗେ

କୃଷ୍ଣର ଯେତେ ଗୁଣଗାଥା

ଏ ସାଧୁଜନ ମଧ୍ୟେ କଥା

ଯାର ମହିମା ଶୁଦ୍ଧଚିତ୍ତେ

କହି ବଞ୍ଚନ୍ତି ସାଧୁ ଯୂଥେ

ନିତ୍ୟେ ଯେ ତାର ପାଦ ଚିନ୍ତି

ନିଶ୍ଚେ ଗୋବିନ୍ଦେ ସେ ପଶନ୍ତି

ସୂତ ବଚନ କର୍ଣ୍ଣେ ଶୁଣି

ଶୌନକ ଆଦି ବିପ୍ରମଣି

ଆନନ୍ଦେ ଉଠି ସର୍ବଜନ

କର ପ୍ରସାରି ଅନ୍ୟୋଅନ୍ୟ

ସୂତଙ୍କୁ କରନ୍ତି କଲ୍ୟାଣ

ଭୋ ସୂତ ସାବଧାନେ ଶୁଣ

ଶୌନକ ଉବାଚ

ନିର୍ମଳ ଯଶୋଗୁଣ ଦେହୀ

ଚିରଜୀବିତ ହୁଅ ତୁହି

ଆମ୍ଭେ ଯେ ନରଦେହ ବହି

ତୋର ନିକଟେ ସୁଖେ ରହି

କୃଷ୍ଣ ଅମୀୟ କଥାମାନ

ତୋର ବଦନୁ କଲୁ ପାନ

କରି ବଞ୍ଚିବୁ ଦିନାକେତେ

ଶୁଦ୍ଧ ବିବେକ ଜ୍ଞାନମତେ

ଏ ଯଜ୍ଞ କର୍ମ ଆମ୍ଭ ଚିତ୍ତ

ବେଦ ବଚନେ ମୋହଗତ

ଏଯଜ୍ଞ ଧୂମେ ଧୂମାମକୁଳ

ଆମ୍ଭର ଆତ୍ମା ହୀନବଳ

ଫୁଟିଲୁ ଯଜ୍ଞବାଟେ ରହି

ପଥୁକୀ ଯେତେ ଶ୍ରମପାଇ

ତୁ ଯେ ଆମ୍ଭର ଶ୍ରମ ଜାଣି

କୃଷ୍ଣର କଥାମୃତ ବାଣୀ

ପାନ କରାଇ ଶ୍ରୁତିମାର୍ଗେ

ଆମ୍ଭ ଜୀବନ ରଖ ଏବେ

ହରି ଭକତ ଜନ ସଙ୍ଗେ

ଯେ ପ୍ରାଣୀ ବଞ୍ଚେ ନାନାରଙ୍ଗେ

ସେ ସାଧୁ ସଙ୍ଗେ ସ୍ୱର୍ଗ ମୋକ୍ଷ

କେ ତୁଲ୍ୟ କରିବ ପ୍ରତ୍ୟକ୍ଷ

ଏଣୁ ଯେ କରେ ସାଧୁସଙ୍ଗ

ସେ ତରେ ଏ ଭବତରଙ୍ଗ

ପ୍ରାଣୀ ଜୀବନେ ଆଶା ଯେତେ

ଅଧିକ କିବା ଏ ଜଗତେ

କୃଷ୍ଣର ରସ କଥା ଯେତେ

ତାହା ବିଶ୍ୱାସି ହୃଦଚିତ୍ତେ

କେ ଅନ୍ତ ଜାଣିବ ତାହାର

ଯେ କର୍ଣ୍ଣେ ଜିହ୍ୱା ସୁଖକର

ଯାହା ଗୁଣରେ ଅନ୍ତ ନାହିଁ

ସ୍ୱଭାବେ ନିର୍ଗୁଣ ବୋଲାଇ

ଭବ ବିରଞ୍ଚି ଯାର ଅନ୍ତେ

ପ୍ରମାଣି ନ ପାରେ ଜଗତେ

ଏଣୁ ଭକତ ପ୍ରାଣୀଙ୍କର

ଭାବୁକ ମଧ୍ୟେ ତୁମ୍ଭେ ବର

ମହତ ପ୍ରାଣୀଙ୍କ ଶରଣ

ଯାହାର ଅଭୟ ଚରଣ

ସେ କୃଷ୍ଣ ଉଦାର ଚରିତ

ବିଶୁଦ୍ଧ ରସେ ଆମ୍ଭ ଚିତ୍ତ

ଲଭିଲା ମଧୁକର ପ୍ରାୟେ

ଭୋ ମୁନି କହ ତୁ ସଦୟେ

କହ ଗୋବିନ୍ଦ ଗୁଣଗାଥା

ଯେଣେ ଛାଡ଼ିବ ଭବଚିନ୍ତା

ସେ ମହାଭାଗ ପରୀକ୍ଷିତ

ଭକ୍ତଙ୍କ ମଧ୍ୟେ ବୁଦ୍ଧିମନ୍ତ

ବ୍ୟାସ ନନ୍ଦନ ସାଧୁବାଣୀ

ଆନନ୍ଦେ ଗଙ୍ଗାତୀରେ ଶୁଣି

ଗରୁଡ଼ଧ୍ୱଜ ପାଦତଳେ

ପ୍ରାଣ ନିବେଶି ଗଙ୍ଗାଜଳେ

ପଶିଲା ସର୍ବ ଦୁଃଖ ତେଜି

ହରି ଚରଣେ ଭାବ ବୁଝି

ତାର ଚରିତ ଯୋଗ ସାର

ଯେଣୁ ସେ ଭକ୍ତ ମଧ୍ୟେ ବର

ଅନନ୍ତ ଚରିତ ସଂଯୁକ୍ତ

ଯେ କର୍ମକୃତ ପରୀକ୍ଷିତ

ସେ ଯେଉଁ ଭାଗବତ ପୁଣ୍ୟ

କହି ତୋଷିବ ଆମ୍ଭ ମନ

ଶୁଣି କହନ୍ତି ସୂତ ମୁନି

ବିପ୍ରଙ୍କ ଭାବ ହୃଦେ ଘେନି

ଶ୍ରୀ ସୂତ ଉବାଚ

କହନ୍ତି ଭାଗ୍ୟ ଏ ମୋହର

ବୃଦ୍ଧଙ୍କ ମଧ୍ୟେ ପୁରସ୍କାର

ଏ ଭବେ ଜନ୍ମ ମୋର ଦେହୀ

ଦୁଷ୍କୃତ କୁଳ ମଧ୍ୟେ ରହି

ମହତ ଜନକୁ ଯେ ପାଇ

ତାର ଦୁଷ୍କୃତ ଦୋଷ କାହିଁ

କୃଷ୍ଣର ନାମ ଯେ ଗୁଣନ୍ତି

ଯେ ଅବା ଶ୍ରବଣେ ଶୁଣନ୍ତି

ସେ ହରି ସର୍ବ ଭୂତେ ଥାଇ

ଶରଣ ରକ୍ଷଣ ବୋଲାଇ

ଯାର ନିରୋଧେ ବେଦପଥ

ଅନନ୍ତ ଶକ୍ତି ଯେ ଅନନ୍ତ

ଯୋଗ ସମାଧି ପଥେ ଚିନ୍ତି

ଯେ ଲକ୍ଷ୍ମୀ କଟାକ୍ଷ ଇଚ୍ଛନ୍ତି

ସେ ଲକ୍ଷ୍ମୀ ସର୍ବଗୁଣ ଛାଡ଼ି

ଯାର ଚରଣେ ଚିତ୍ତ ବଢ଼ି

ନିତ୍ୟେ ବସଇ ବକ୍ଷସ୍ଥଳେ

ଧ୍ୟାନ ନିରୋପି ପାଦମୂଳେ

କୃଷ୍ଣର ପାଦପଦ୍ମ ଗନ୍ଧେ

ଭୃଙ୍ଗ ଯେସନେ ମକରନ୍ଦେ

ଯାହାର ପାଦପଦ୍ମ ଲାଗି

ସ୍ୱଭାବେ ଗଙ୍ଗା ସଉଭାଗୀ

ଯେ ଜଳେ ବିରଞ୍ଚି ଆନନ୍ଦେ

ପୂଜିଲେ ଯାର ପଦ୍ମପାଦେ

ସେ ଗଙ୍ଗାଜଳ ଏ ଜଗତେ

ପୂଜନ୍ତି ବିରଞ୍ଚି ସହିତେ

ଯେ ଗଙ୍ଗାନାମ ଉଚ୍ଚାରଣେ

ପ୍ରାଣୀ ତରନ୍ତି ଭବ ବନେ

ସେ ଜଳ ପବିତ୍ର ଜଗତେ

ଚିନ୍ତି ନ ପାରେ ମୁନି ସନ୍ଥେ

ଏମନ୍ତ ଯାହାର ମହିମା

ତୋ ବିନୁ କେବା ପୁଣ୍ୟତମା

ଯାର ଚରଣ ସିଦ୍ଧଗଣେ

ସମାଧି ଯୋଗ ଆଚରଣେ

ତାର ବିଷୟ ମୁନିଗଣ

ନିତ୍ୟେ କରନ୍ତି ସୁମରଣ

ଭକ୍ତି ସମାଧି ଦୃଢ଼ ମନେ

ତରନ୍ତି ସଂସାର ବନ୍ଧନେ

ଅର୍ଜ୍ଜୁନ ଆଦି ମୁନି ଯେତେ

ପୂର୍ବେ ପଚାରିଛନ୍ତି ମୋତେ

କହ ଶ୍ରୀକୃଷ୍ଣଙ୍କ ମହିମା

କି ଅବା ତାର ଗୁଣସୀମା

କହିଲି ତାଙ୍କ ମୁଖ ଚାହିଁ

ଯେହ୍ନେ ଆକାଶ ଅନ୍ତ ନାହିଁ

କୃଷ୍ଣର ମହିମା ତେମନ୍ତ

ଯେ ପକ୍ଷୀ ଉଡ଼େ ଯେତେ ପଥ

ତାର ବାରତା ସେ ଜାଣନ୍ତି

ଅଧିକେ ନ ପାରନ୍ତି ଚିନ୍ତି

ଏଣୁ ପଣ୍ତିତ ଜନ ଯେତେ

ଜ୍ଞାନ ବିଚାରି ଏ ଜଗତେ

କୃଷ୍ଣର ମହିମା ବିଚାରି

ସହସ୍ର ଜନ୍ମେ କେବା ପାରି

ଏବେ ହୋ ଶୁଣ ବିପ୍ରଜନେ

ହରି ଚରିତ ସାବଧାନେ

ସେ ପରୀକ୍ଷିତ ଏକଦିନେ

ମୃଗୟା ଅର୍ଥେ ଗଲା ବନେ

ମୃଗ ନ ପାଇ ଘୋର ବନେ

କ୍ଷୁଧିତ ତୃଷିତ ବଦନେ

ଜଳ ନ ପାଇ ପଥଶ୍ରମେ

ମିଳିଲା ମୁନିଙ୍କ ଆଶ୍ରମେ

ଦେଖଇ ଏକ ବୃକ୍ଷମୂଳେ

ବ୍ରାହ୍ମଣ ଆସନ ନିଶ୍ଚଳେ

ଆନନ୍ଦେ ମୁଦ୍ରିତ ଲୋଚନେ

ଆତ୍ମା ନିବେଶି ଯୋଗଧ୍ୟାନେ

ଅନ୍ତେ ନିଶ୍ଚଳ ମନ ବୁଦ୍ଧି

ପବନ ନବଦ୍ୱାରେ ରୁନ୍ଧି

ଇନ୍ଦ୍ରିୟଗଣ ପରିହାରେ

ଧ୍ୟାନେ ପ୍ରବେଶ ନିତ୍ୟପୁରେ

ଆଧାର ନାଭି ହୃଦେ ଉର୍ଦ୍ଧ୍ୱେ

ମନ ପବନ ବ୍ରହ୍ମରନ୍ଧ୍ରେ

ସର୍ବ ବିକାରୁ ସେ ଅତୀତ

ସ୍ଥାନ ନିବେଶି ବ୍ରହ୍ମସୁତ

କପିଳ ଜଟାଭାର ଶିରେ

ହରିଣ ଚର୍ମର ଉପରେ

ଏମନ୍ତେ ବିପ୍ରଙ୍କୁ ଅନାଇ

ତୃଷିତ ତାଳୁ କଣ୍ଠ ହୋଇ

ଜଳ ମାଗିଲା ମହାରାଜା

ଇଚ୍ଛଇ ଆପଣାର ପୂଜା

ଉଦକ ଆସନ ଏ ଆଦି

ଅତିଥି ପୂଜାର ପ୍ରସିଦ୍ଧି

ଅର୍ଘ୍ୟ ସୁକୃତ ସାଧୁବାଣୀ

ନ ଲଭି କୋପେ ନୃପମଣି

ମନେ ବିଚାରି ନୃପରାଜ

ଅବଜ୍ଞା କଲା ମୋତେ ଦ୍ୱିଜ

କ୍ଷୁଧା ତୃଷାରେ ଜଳେ ମନ

କ୍ଷଣ କ୍ଷଣକେ ଅଚେତନ

ପ୍ରଚଣ୍ତ କ୍ରୋଧେ କୋପାନଳେ

ମୃତ ଉରଷ ଧନୁହୁଳେ

ବ୍ରାହ୍ମଣ ଗଳେ ସର୍ପ ଦେଲା

ତକ୍ଷଣେ ନିଜପୁରେ ଗଲା

ପଥେ ଚଳଇ ନୃପମଣି

ବ୍ରାହ୍ମଣ କଥା ମନେ ଗୁଣି

ବୋଲଇ କପଟ ଏହାର

ନିଶ୍ଚଳ ସମାଧି ଗୋଚର

ଏଡ଼େ ଅବଜ୍ଞା ନର ଦେହେ

କ୍ଷତ୍ରିୟ ଜନ୍ମେ କେବା ସହେ

ଏମନ୍ତେ ଗଲା ନରନାଥ

ତକ୍ଷଣେ ବ୍ରାହ୍ମଣର ସୁତ

ବାଳକ ସଙ୍ଗେ କ୍ରୀଡ଼ା କରେ

ତେଜେ ଅନଳ ରୂପ ଧରେ

ରାଜାର ଆଗମନ କଥା

ପିତାର ଯେମନ୍ତ ବ୍ୟବସ୍ଥା

ବାଳକ ମୁଖୁ ଶୁଣି କୋପେ

ମିଳିଲା ପିତାର ସମୀପେ

ପିତାର କନ୍ଧେ ସର୍ପ ଦେଖି

କୋପେ ଚଞ୍ଚଳ କଲା ଆଖି

ସଂସାର ଧର୍ମ ଯେ ପାଳକ

ଦେଖବ ତାହାର ଅବିବେକ

ଶ୍ୱାନର ପ୍ରାୟେ ଚେଷ୍ଟା କଲା

ହେଳେ ଏ ବିପ୍ରଙ୍କୁ ଲଘିଂଲା

ବ୍ରାହ୍ମଣେ ଛନ୍ତି ଯାକୁ ବରି

ସକଳ ଯାଗ ଆଦିକରି

ଶ୍ୱାନର ପ୍ରାୟେ ଦୂରେ ଥାନ୍ତି

ସେ ଭାଣ୍ତ ଭୋଜନ କରନ୍ତି

ବ୍ରାହ୍ମଣେ କ୍ଷତ୍ରିୟଙ୍କୁ ବରି

ଯଜ୍ଞରେ ଦ୍ୱାରପାଳ କରି

ଉତ୍‌ପଥଗାମୀ ଦଣ୍ତ ଅର୍ଥେ

ଯେ ବିଷ୍ଣୁ ଜାତ ଏ ଜଗତେ

ସେ ଯେଣୁ ନିଜପୁରେ ଗଲା

ତେଣୁ ଏ ଅବଜ୍ଞା ହୋଇଲା

ଏ ପ୍ରାଣୀ ସଂସାରେ ରହିଲେ

ଧର୍ମ ନ ଥିବ ଏଥି ଭଲେ

ଦେଖ ମୋହର ବିପ୍ରପଣ

କରିବି ଏଥିର କାରଣ

ଏମନ୍ତେ ବାଳକ ଯେ କହି

ରଙ୍ଗ ନୟନେ ରୋଷବହି

କୌଶିକୀ ଜଳେ ହସ୍ତଭରି

ମାର୍ଜ୍ଜନା ଆଚମନ ସାରି

ରାଜା ଉଦ୍ଦେଶ୍ୟ କରି ମନ

ବଜ୍ର ପ୍ରହାରଣ ବଚନେ

ଅଧର୍ମ ସମ୍ପଦ ବିଚାର

ଅନ୍ୟାୟ କଲା ଯେ ପାମର

ଆଜୁ୍ଁ ସପତ ଦିନ ଶେଷେ

ତକ୍ଷକ ଆସି ମହାରୋଷେ

ତାର ଶରୀର ବେଗେ ଖାଉ

ଏ ପାପୀ ଜଗତେ ନ ଥାଉ

ମୋର ପିତାର ଦ୍ରୋହ କାରି

ଏ କିମ୍ପା ଥିବ ଦେହ ଧରି

ଏମନ୍ତ ଶାପ ତାକୁ ଦେଇ

ମିଳିଲା ପିତା ପାଶେ ଯାଇ

ପିତାର ଗଳେ ସର୍ପ ଦେଖି

କାନ୍ଦଇ ଅତି ଦୁଃଖେ ଦୁଃଖୀ

ସୁତ ରୋଦନ କର୍ଣ୍ଣେ ଶୁଣି

ଧ୍ୟାନ ତେଜିଲା ବିପ୍ରମଣି

ସେ ଅଙ୍ଗୀରସ ନିଜାସନେ

ଚାହିଁଲା ଉନ୍ମୀଳ ଲୋଚନେ

ଆପଣା ଗଳେ ସର୍ପ ଦେଖି

ଉଠିଲା ଆସନ ଉପେକ୍ଷି

ଗଳାରୁ ସର୍ପକୁ ପକାଇ

ପୁଚ୍ଛଇ ପୁତ୍ର ମୁଖ ଚାହିଁ

ହେ ପୁତ୍ର କାନ୍ଦୁ କିସ ଅର୍ଥେ

କେ ପ୍ରାଣୀ ଶୋକଦେଲାତୋତେ

ପିତା ବଚନ ଶୁଣି ବଳା

ସଂକ୍ଷେପି ସମସ୍ତ କହିଲା

ସୁତ ବଚନ ଶୁଣି କର୍ଣ୍ଣେ

କୋପ ବସିଲା ପିତା ମନେ

ପୁତ୍ରକୁ ଚାହିଁ କୋପଭରେ

କହଇ ନିଷ୍ଠୁର ଉତ୍ତରେ

ଅଳପ ଅପରାଧେ ତୁହି

ଦୁର୍ବୁଦ୍ଧି ହୋଇଲୁ କିପାଇଁ

ଯାହାର ଭୁଜ ଆଶ୍ରେ କରି

ଧନ ସମ୍ପଦ ସୁଖ ଶିରୀ

ପ୍ରଜାଏ ସୁଖ ଯେ ଭୁଞ୍ଜନ୍ତି

କେ ଅଛି ତାର ଦ୍ରୋହ ଚିନ୍ତି

ବିଷ୍ଣୁର ଅଂଶେ ନରପତି

ଜନମି ମେଦିନୀ ପାଳନ୍ତି

ଏବେ ରାଜାର ଅନ୍ତେ ମହୀ

ଚଉର୍ଯ୍ୟ ବଳେ ଦର୍ପବହି

ଧନ ହରିବେ ଅନ୍ୟୋଅନ୍ୟେ

ପ୍ରଜା ପଶିବେ ଘୋରବନେ

ଧର୍ମ ଛାଡ଼ିବ ଚାରିପାଦେ

ଯେବେ ଲିହିଲା ଅଛି ବେଦେ

ସେ ଧର୍ମ ତେଜି ଦୂରାନ୍ତରେ

ପଶିବେ ଅଧର୍ମ ଭାବରେ

କେହୁ ବର୍ତ୍ତିବେ ଅର୍ଥ କାମେ

ବର୍ତ୍ତିବେ ଶ୍ୱାନ କପି ଧର୍ମେ

ଯେ ଧର୍ମ ପାଳେ କରି ସ୍ଥିତି

ସୁକୃତବନ୍ତ ଚକ୍ରବର୍ତ୍ତୀ

କଲା ଯେ ତିନି ଅଶ୍ୱମେଧି

ଆଗମ ନିଗମ ପ୍ରସିଦ୍ଧି

କ୍ଷୁଧା ତୃଷାରେ ବୁଲି ବନେ

ମିଳିଲା ମୋହର ଆଶ୍ରମେ

ତାହାକୁ ଆସ୍ଥା ତୁ ନ କଲୁ

ବିଶେଷେ ଘୋର ଶାପ ଦେଲୁ

ସେ ଆମ୍ଭ ଶାପ ଯୋଗ୍ୟ ନୁହେଁ

ଅଶେଷ ଧର୍ମେ ଦେହ ବହେ

ନିଷ୍ପାପ ଭୃତ୍ୟଙ୍କୁ ଯେ ବଳେ

ଦ୍ରୋହ ଚିନ୍ତନ୍ତି ଅବହେଳେ

ଅଳପ ଦୋଷେ ତୁ ବାଳକ

ମୋହର ମନେ ଦେଲୁ ଶୋକ

ଏମନ୍ତେ ମନେ କୃଷ୍ଣ ଧ୍ୟାୟି

ବ୍ରାହ୍ମଣ ବୋଲେ ତ୍ରାହି ତ୍ରାହି

ଭୋ ନାଥ କରୁଣା ସାଗର

ବାଳକ ଦୋଷ କ୍ଷମାକର

ତୋହର ଭକ୍ତ ଜନ ଯେତେ

କୋପ ନ ଥାଇ ତାଙ୍କ ଚିତ୍ତେ

ପ୍ରାଣୀଙ୍କ ଅପରାଧ ସହୁ

ତୋହର ଭାବ ନିତ୍ୟେ ବହୁ

ଅତି ଅନ୍ୟାୟ କର୍ମ ମୋର

ସୁକର୍ମ ହୀନ ଦୁରାଚାର

ନିରପରାଧେ ଦ୍ରୋହ ଚିନ୍ତି

ଏ ମୋର ଚିତ୍ତେ ଗୁରୁଭ୍ରାନ୍ତି

ଏଡ଼େ ଅଧର୍ମ କର୍ମ ମୋର

ଦେହେ ଲଭିଲି ଦାମୋଦର

ଦୁଃଖ ଲଭିବି ମୁଁ ନିକଟେ

ଏ ଘୋର ସଂସାର ସଙ୍କଟେ

ଏମନ୍ତେ ପୁତ୍ର ଅପରାଧେ

ମହତ ଶାସ୍ତ୍ର ଅପବାଦେ

ଅନୁତାପିତ ବିପ୍ରବର

କହେ ଗୋବିନ୍ଦ ରକ୍ଷାକର

ରାଜା ଯେ ଅପରାଧ କଲା

ସେ କଥା ମନେ ନ ଘେନିଲା

ଏ ନରଲୋକେ ସାଧୁ ଯେତେ

କୋପ ନ ବସେ ତାଙ୍କ ଚିତ୍ତେ

ପ୍ରାଣୀଙ୍କ ଦୋଷ ନ ଧରନ୍ତି

ସମତା ଦୃଷ୍ଟି ଆଚରନ୍ତି

ସୁସାଧୁଜନଙ୍କର କଥା

କେବେହେଁ ନୁହଇ ଅନ୍ୟଥା

କହଇ ବିପ୍ର ଜଗନ୍ନାଥ

ଭାଷା ପ୍ରବନ୍ଧେ ଭାଗବତ

ସୁଜନ ଜନଙ୍କର ହିତେ

ଯେବା ପ୍ରକାଶେ ମୋର ଚିତ୍ତେ

ସୁଜନେ ନ ଘେନିବ ଦୋଷ

ମୁଁ ତୁମ୍ଭ ଦାସଙ୍କର ଦାସ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ପରୀକ୍ଷିତ ବ୍ରହ୍ମଶାପ ଲଭନେ ନାମ

ଅଷ୍ଟାଦଶୋଽଧ୍ୟାୟଃ॥

•••

 

ଉନବିଂଶ ଅଧ୍ୟାୟ

 

ଶ୍ରୀ ସୂତ ଉବାଚ

ସୂତ କହନ୍ତି ଅନୁରାଗେ

ଶୌନକ ଆଦି ଋଷି ଆଗେ

ସେ ମହୀପତି ପରୀକ୍ଷିତ

ଚିନ୍ତି ନିଗମ ଦୃଢ଼ ଚିତ୍ତ

ଏକାନ୍ତେ ବସି ବିଚାରଇ

ନିନ୍ଦିତ କର୍ମ କଲି ମୁହିଁ

ଅର୍ଜିତ କର୍ମବଶ ହୋଇ

ଗୁରୁ ଯେସନ ଶିକ୍ଷା ଦେଇ

ଅନ୍ୟାୟ ପ୍ରାଣୀଙ୍କ ବେଭାରେ

କୁକର୍ମ କଲି ଏ ସଂସାରେ

ନିର୍ଦ୍ଦୋଶ ବ୍ରାହ୍ମଣର ଗଳେ

ସର୍ପ ଆରୋପି ଧନୁହୁଳେ

ନିଶ୍ଚଳ ଯୋଗେ ତାର ଧ୍ୟାନ

ନ ଜାଣି ହେଇଲି ଅଜ୍ଞାନ

ଦ୍ୱିଜେ ଅବଜ୍ଞା ମନେ କଲି

ନିକଟେ ମରଣ ଲୋଡ଼ିଲି

 

ଏ ପାପ ବିନାଶନ ହେତୁ

ବେଗେ ବିଧାତା ମୋତେ ଚିନ୍ତୁ

ଏ ପାପ କଲି ମୂଢ଼ ଚିତ୍ତେ

ଏ ଦେହ ଧରିବି କେମନ୍ତେ

ଏ କଥା ଶୁଣି ମୁଁ ଯେମନ୍ତେ

କେବେହେଁ ନ କଳ୍ପଇ ଚିତ୍ତେ

ବ୍ରାହ୍ମଣ କୁଳ କୋପନଳ

ଏ ମୋର ରାଜ୍ୟ ଧନବଳ

ଆତ୍ମାର ସଙ୍ଗେ ଦହୁ ମୋତେ

ଏ କର୍ମ ନ କରି ଯେମନ୍ତେ

ଗୋରୁ ବ୍ରାହ୍ମଣଙ୍କୁ ହିଂସନେ

ଦୁର୍ବୁଦ୍ଧି ନ ସ୍ଫୁରୁ ମୋ ମନେ

ଏମନ୍ତେ ବିଚାରି ବିଷାଦେ

ବୃତ୍ତାନ୍ତ ଶୁଭେ ଜନପଦେ

ଉରଗ ବ୍ରାହ୍ମଣର ଗଳେ

ରାଜା ଯେ ଦେଲେ ଧନୁହୁଳେ

ତାର ବାଳକ ଶାପ ଦେଲା

ତକ୍ଷକ ଦଂଶିବ ବୋଇଲା

ସପତ ଦିନ କୋପାନଳେ

ରାଜାଙ୍କୁ ଦଂଶିବ ଏ ବଳେ

ଏମନ୍ତେ ଜନ ମୁଖୁଁ ଶୁଣି

ମନ ଆନନ୍ଦେ ନୃପମଣି

କହଇ ମୋତେ ସର୍ପ ଖାଉ

ଏ ମୋର କୁଳେ ପାପ ନୋହୁ

ଯେମନ୍ତେ ଇହ ପରଲୋକେ

ମରଣେ ନ ପଡ଼ଇ ଦୁଃଖେ

ଏମନ୍ତେ ନିଶ୍ଚୟ ବିଚାରି

ମନେ ଚିନ୍ତିଲା ନରହରି

ଗୋବିନ୍ଦ ପାଦପଦ୍ମ ତଳେ

ଚିତ୍ତ ନିବେଶି ଗଙ୍ଗାଜଳେ

ଶ୍ରୀକୃଷ୍ଣ ଚରଣ ତୁଳସୀ

ପାଦ ଉଦକରେ ଯେ ମିଶି

ଅତି ପବିତ୍ର ବହେ ବାରି

ଉଭୟ ଲୋକ ପାପ ହରି

ପ୍ରାଣୀଙ୍କ ପ୍ରାଣତ୍ୟାଗ କାଳେ

କେବା ନ ବସେ ତାଙ୍କ ତୁଲେ

ସେ ପାଣ୍ତୁବଂଶେ କୀର୍ତ୍ତିକର

ସକଳ ରାଜା ମଧ୍ୟେ ବର

ସେ ବର ନଦୀ ତୀରେ ଯାଇ

ଚିତ୍ତେ ଗୋବିନ୍ଦ ପାଦ ଧ୍ୟାୟି

ବିଷୟ ସଙ୍ଗ ଦୂର କରି

ଅନ୍ନ ଉଦକ ପରିହରି

ମଉନେ ବ୍ରତେ ସେ ନିଶ୍ଚଳେ

ଶିରେ ନିବେଶି ଗଙ୍ଗାଜଳେ

ସେ କଥା ଶୁଣି ମୁନିଜନେ

ଯେ ଅବା ଥିଲେ ଗିରିବନେ

ନିଜ ନିବାସ ଉପେକ୍ଷିଲେ

ହସ୍ତିନା ନବରେ ମିଳିଲେ

ଯେ ଅବା ଥିଲେ ଯେଉଁ ଦେଶେ

ରାଜାଙ୍କୁ ଦେଖିବାର ଆଶେ

ସଙ୍ଗତେ ଘେନି ଶିଷ୍ୟଗଣ

ଅପରେ ଅନେକ ବ୍ରାହ୍ମଣ

ତାଙ୍କ ମହିମା କେବା କହେ

ତୀର୍ଥେ ପବିତ୍ର ତାଙ୍କ ଦେହେ

ଅତ୍ରି ବଶିଷ୍ଠ ରିଷ୍ଠନେମି

ଚ୍ୟବନ ଭରଦ୍ୱାଜ ଘେନି

ଭୃଗୁ ଅଙ୍ଗିରା ପରାଶର

ଉତଥ୍ୟ ଗାଧିର କୁମର

ଇନ୍ଦ୍ର ପ୍ରମଦ ମେଧାତିଥି

ଦେବଳ ଅଷ୍ଟଷେଣ ଯତି

ସୁବାହୁ ଭରଦ୍ୱାଜ ଶିଷ୍ୟ

ଗୌତମ ମୈତ୍ରେୟ କବଶ

ପିପ୍‌ପଳାୟନ ସର୍ବମୁନି

ବ୍ୟାସ ନାରଦ କୁମ୍ଭଯୋନି

ସକଳ ଋଷି ଏକମେଳେ

ମିଳିଲେ ଜାହ୍ନବୀର କୂଳେ

ତାହାଙ୍କୁ ଦେଖି ପରୀକ୍ଷିତ

କପାଳେ ଦେଇ ବେନିହସ୍ତ

ବନ୍ଦିଲେ ମୁନିଗଣ-ପାଦେ

ଆନନ୍ଦେ ଅଶ୍ରୁ-ଗଦଗଦେ

କର ଅଞ୍ଜଳି ଶିରେ ଦେଇ

କହଇ କୃତକୃତ୍ୟ ହୋଇ

ରାଜୋବାଚ

ରାଜାଙ୍କ ମଧ୍ୟେ ମୋ ଜୀବନ

ନିଶ୍ଚେ ଜାଣିଲି ଧନ୍ୟ ଧନ୍ୟ

ମୋହର ପ୍ରାଣତ୍ୟାଗ କାଳେ

ମହତଜନ ବିଜେ କଲେ

ବ୍ରାହ୍ମଣ ପାଦ ଯହିଁ ଥୋଇ

ସେ ସ୍ଥାନୁ ପାପ ଦୂରେ ଯାଇ

କ୍ଷତ୍ରିୟ ସ୍ୱଭାବ ଏମନ୍ତ

ଆଗମ ନିଗମ ଉକତ

ଯେ ଏହା ଲଙ୍ଘେ ଦୁଷ୍ଟପଣେ

ଦୂଷିତ ହୋଇ ତତକ୍ଷଣେ

ସେ ବିପ୍ର ଆସି ଯାର ପାଶେ

ବସନ୍ତି ମନର ସନ୍ତୋଷେ

ତାହାର ଭାଗ୍ୟ କି କହିବା

ଯାହା ନ ପାନ୍ତି ସୁରଦେବା

ସର୍ବ ବିଷୟ ଦୂରେ ତେଜି

କୃଷ୍ଣ ଚରଣ ଚିତ୍ତେ ଭଜି

ତୁମ୍ଭେ ଅଶେଷ ବ୍ରହ୍ମଋଷି

ମିଳିଲେ ମୋର ପାଶେ ଆସି

ବ୍ରାହ୍ମଣ ଶାପ କୋପାନଳେ

ଏ ମୋର ନିଜ କର୍ମଫଳେ

ଯେ କୃଷ୍ଣ କଲେ ଏ ସଂସାରେ

ତରଇ ତମ ମାୟାଘୋରେ

ତୁମ୍ଭର ଅନୁଗ୍ରହ ସେବି

ପ୍ରସନ୍ନ ହେଉ ଗଙ୍ଗାଦେବୀ

କୃଷ୍ଣ ଚରଣେ ମତି ହେଉ

କାଳ ତକ୍ଷକ ବା ଖାଉ

ତେଣେ ସଂଶୟ ନାହିଁ ମୋର

ସକଳେ କୃଷ୍ଣ କଥା କର

କୃଷ୍ଣ ବିଷୟେ ହେଉ ମତି

ତାର ସେବକ ସଙ୍ଗ ଗତି

ମୋହର କର୍ମଫଳ ନେଇ

ଜନ୍ମ ହୋଇବି ଯହିଁ ତହିଁ

ରହି କୃଷ୍ଣର ଦାସ ପଣେ

ସେବିବି ଅଭୟ ଚରଣେ

ଏମନ୍ତେ ଦିଅ ମୋତେ ବର

ତୁମ୍ଭ ଚରଣେ ନମସ୍କାର

ଏମନ୍ତେ ମୁନିଙ୍କୁ ଜଣାଇ

କୃଷ୍ଣ ଚରଣେ ମନ ଦେଇ

ଜାହ୍ନବୀ ତୀରେ କୁଶଶଯ୍ୟା

ଶୟନ ଅର୍ଥେ କଲା ରାଜା

ପୂର୍ବ ଦିଗକୁ ଶିର କରି

ଉତ୍ତର ମୁଖେ ଦଣ୍ତଧାରୀ

ଗଙ୍ଗା ଦକ୍ଷିଣ କୂଳେ ଶୋଇ

କାରୁଣ୍ୟ ଜଳେ ଦୃଷ୍ଟି ଦେଇ

ଅଶେଷ ଋଷିଗଣ ମଧ୍ୟେ

ଆନନ୍ଦେ ପୁଷ୍ପ ବରଷେ

ସାଧୁ ଶବଦେ ସ୍ତୁତିକଲେ

ଦୁନ୍ଦୁଭି ନାଦ ବାଦ୍ୟମେଳେ

ସେ ମୁନିଗଣେ ଗଙ୍ଗାକୂଳେ

ଥିଲେ ଯେ ପରୀକ୍ଷିତ ମେଳେ

ଗଗନେ ଶୁଣି ସାଧୁବାଣୀ

ଆନନ୍ଦେ ସର୍ବ ବିପ୍ରମଣି

ସାଧୁ ଶବଦ ଉଚ୍ଚ ସ୍ୱରେ

ଦିଗ ପୂରିଲା ଗଙ୍ଗାତୀରେ

ପ୍ରଜାଏ ଅଶ୍ରୁଗତ ମୁଖେ

କହନ୍ତି ଏକକୁ ଆରକେ

ଏ ସାଧୁ ରାଜା ବିଚକ୍ଷଣ

ଏକାଳେ ଲଭିବ ମରଣ

ଦେଖ ଏହାର ଭାଗ୍ୟବଳ

ମୁନିଙ୍କ ମଧ୍ୟେ ଅନ୍ତଃକାଳ

ଅନେକ ପ୍ରକାର ସେ ଭଣି

ମୁନି ସମେତ ସାଧୁବାଣୀ

ମୁନି କହନ୍ତି ନୃପବର

କୃଷ୍ଣ ବିଷୟେ ଚିତ୍ତ ତୋର

ପ୍ରବେଶିବା ନୁହେଁ ବିଚିତ୍ର

ଯେଣୁ ତୁ ପାଣ୍ଡବଙ୍କ ଗୋତ୍ର

ଯାର ଆସନେ ସବ ରାଜା

ଶିରେ ନମନ୍ତି କରି ପୂଜା

ସକଳ ଛାଡ଼ଇ ହରିଭାବେ

ପଶିଲା ଜନର ସ୍ୱଭାବେ

ଆମ୍ଭ ସକଳ ଏହି ସ୍ଥାନେ

ବଞ୍ଚିବା ଗଙ୍ଗାଜଳ ପାନେ

ଏ ନରପତି ଯେତେ ଦିନ

ପ୍ରାଣ ଛାଡ଼ିବ କୃଷ୍ଣଧ୍ୟାନେ

ସୁଖେ ଲଭିବ ହରିଲୋକ

ଯେ ସ୍ଥାନ ବିମୋହ ବିଶୋକ

ଏ ଭାଗବତ ଯେ ଉତ୍ତମ

ନିଶ୍ଚେ ଲଭିବ ପରଂଧାମ

ଏମନ୍ତେ ପ୍ରଜା ମୁଖୁ ଶୁଣି

ମୁନି ସମେତ ସାଧୁବାଣୀ

ରାଜା ମଣିଲା ସତ୍ୟ ପ୍ରାୟେ

ଚିତ୍ତେ ନ ରହିଲା ସଂଶୟେ

କୃଷ୍ଣ ଚରଣ ସେବା କଲେ

ଅଶେଷ ପ୍ରାଣୀ ମହୀତଳେ

ପୂର୍ବେ ଲଭିଲେ ହରିଭାବ

ଯେ ବ୍ରହ୍ମା ବିଷ୍ଣୁଙ୍କୁ ଦୁର୍ଲ୍ଲଭ

ଦେଖ ମୋହର ଭାଗ୍ୟବଶୁଁ

ସର୍ବେ ମିଳିଲେ ସର୍ବଦେଶୁଁ

ପ୍ରାଣୀ ଯେମନ୍ତ ଦେହ ଅନ୍ତେ

ସ୍ୱର୍ଗେ ବିବୁଧଙ୍କ ସଙ୍ଗତେ

ବସି କହନ୍ତି ନାନା ଧର୍ମ

ଯେ ବର୍ଣ୍ଣେ ଯେବା ନିଜକର୍ମ

ଯେ ଫଳ ଇହ ପରଲୋକେ

ପ୍ରାଣୀ ଲଭନ୍ତି ଦୁଃଖ ସୁଖେ

ଏମନ୍ତ ଅନୁଗ୍ରହ ଚିତ୍ତେ

ସର୍ବେ ମିଳିଲେ ଆସି ମୋତେ

ଏହାକୁ ପଚାରିବି ମୁହିଁ

ମରଣ ଅନ୍ତର୍ଜଳେ ଥାଇ

ଏବେ କି କୃତ୍ୟ ଅଛି ମୋତେ

କହ ସକଳ ଶୁଦ୍ଧ ଚିତ୍ତେ

ଏ ଘୋର ସଂସାର ସାଗରେ

ମରଣୁ କିବା କରି ତରେ

ଏମନ୍ତେ ଚିନ୍ତି ରାଜଋଷି

ଶୁକ ମିଳିଲେ ବେଗେ ଆସି

ମହୀ ଭ୍ରମଇଁ ଇଚ୍ଛା ସୁଖେ

କୃଷ୍ଣର ନାମ ଗାଇ ମୁଖେ

ଲକ୍ଷ୍ୟି ନପାରି ଯାର ଅଙ୍ଗ

କ୍ଷଣ କ୍ଷଣକେ ନାନାରଙ୍ଗ

ନିରତେ ନିଜ ଲୋଭେ ତୋଷ

ସ୍ୱଭାବେ ଅବଧୂତ ବେଶ

ନିଗୂଢ଼ ଜ୍ୟୋତି ଶୁଭ୍ରମର୍ଣ୍ଣ

କାମିନୀ ବାଳକ ବେଢିଣ

ଷୋଡ଼ଶ ବତ୍ସର ସୁନ୍ଦର

ରୂପେ କି ଦେବା ପଟ୍ଟାନ୍ତର

ନିବିଡ଼ ବେନି ଭୁଜ ସାଜେ

ସୁନ୍ଦର କପୋଳ ବିରାଜେ

ଅରୁଣାମ୍ଭୁଜ ଚକ୍ଷୁ ବର୍ଣ୍ଣ

ସୁଗ୍ରୀବ କମ୍ୱୁ ସୁଶୋଭନ

ସୁନ୍ଦର ନବଗୁଣ ସାଜେ

ତୁଙ୍ଗ ବକ୍ଷସ୍ଥଳ ବିରାଜେ

ତ୍ରିବଳୀ କୁକ୍ଷି ମନୋହର

ଆବୃତ ନାଭି ସୁଗଭୀର

ବିବର୍ଣ୍ଣ କେଶ ଦିଗମ୍ବର

ବିଭୂତି ଲେପନ ଶରୀର

ପ୍ରଲମ୍ଭ ବାହୁ ଜାନୁ ଯାଏ

ଦିଶେ ଅମର ବର ପ୍ରାୟେ

ଶରୀର ସୁଚାରୁ କୁସୁମ

ରୂପେ ତୁଳିତ ନୋହେ କାମ

କି ଅବା ଦେବା ପଟ୍ଟାନ୍ତର

କାମିନୀକୁଳ ମନୋହର

ଏମନ୍ତ ରୂପ ତାର ଦେଖି

ମୁନିଏ ଆସନ ଉପେକ୍ଷି

ଜାଣନ୍ତି ତାହାର ଲକ୍ଷଣ

ପରମ ଯୋଗୀ କୃଷ୍ଣ ପୁଣ

ବେଷ୍ଟିତ ଋଷିଗଣ ମଧ୍ୟେ

ସକଳ ପରମ ଆନନ୍ଦେ

ଶୁକ ଆଗମ ଶୁଣି ରାଜା

ତକ୍ଷଣେ ଆଣି ଅର୍ଘ୍ୟପୂଜା

ବିନୟ ଭାବେ ଦଣ୍ତଧାରୀ

ଚରଣେ ନମସ୍କାର କରି

ସ୍ତିରୀ ବାଳକ ଯେତେ ଥିଲେ

ତା ଦେଖି ଭୟେ ବାହୁଡ଼ିଲେ

ରାଜା ପୂଜିଲା ମନ ତୋଷେ

ଶୁକ ବସିଲେ ରାଜା ପାଶେ

ଶଶାଙ୍କ ଯେହ୍ନେ ତାରା ମେଳେ

ବିରାଜେ ଗଗନ ମଣ୍ତଳେ

ପ୍ରସନ୍ନ ଚିତ୍ତେ ମୁନିବର

ଆକୁଣ୍ଠ ଧୀଷଣା ଯାହାର

ସେ ମୁନି ପାଦେ ନମସ୍କାର

କରି ଯୋଡ଼ିଲା ବେନିକର

ନମ୍ରତା ବାକ୍ୟ ସୁଧାଧାର

ମୁନିଙ୍କୁ ଚାହିଁ ନୃପବର

ପୁଚ୍ଛଇ ବେନିକର ଯୋଡ଼ି

ଚରଣେ ପୁନଃ ପୁନଃ ପଡ଼ି

ରାଜୋବାଚ

ଆଜ ମୋହର ଜନ୍ମ ଧନ୍ୟ

କ୍ଷତ୍ରିୟ ଅଂଶେ ବିଦ୍ୟମାନ

ତୁମ୍ଭେ ନିର୍ମଳ ବ୍ରହ୍ମଋଷି

ଅତିଥି ରୂପେ ଅଛ ବସି

ଦେଖି ମୋ ଆତ୍ମା କୃତକୃତ୍ୟ

ଦେହକୁ କଲି ତୀର୍ଥଭୂତ

ତୁମ୍ଭର ଚରଣେ ବିଶ୍ୱାସ

ପବିତ୍ର କଲି ଗୃହବାସ

ଯାହାର ଦରଶନ ମାତ୍ରେ

ଦୁରିତ ନ ରହଇ ଗାତ୍ରେ

ସ୍କରଶ ପାଦ ଜଳ ଯହିଁ

ସକଳ ତୀର୍ଥ ଫଳ ତହିଁ

ଆଜ ଜୀବନ ମୋର ଧନ୍ୟ

ଦେଖିଲି ତୁମ୍ଭର ବଦନ

ଯେତେ ଦୁରିତ ଦେହେ ଥିଲା

ତୁମ୍ଭ ଦର୍ଶନେ ଦୂର ଗଲା

ବିଷ୍ଣୁର ମାୟା ମୋହ ଘୋର

ଯେମନ୍ତେ ନାଶନ୍ତି ଅସୁର

ଆଜ ଜାଣିଲି ମୋତେ ହରି

ପାଣ୍ତବ ବଂଶେ ପ୍ରୀତିକରି

ପିତୃ ସ୍ୱଶ୍ରେୟ ସ୍ନେହ ବନ୍ଧେ

ଘେନିଲେ ବନ୍ଧୁପଣ ହୃଦେ

ବାନ୍ଧବ ପ୍ରାୟ ବ୍ରହ୍ମରାଶି

ଯେହ୍ନେ ପାଣ୍ତବ ପୁରେ ଆସି

ତେଣୁ ତୁମ୍ଭର ଦରଶନ

ଦେଲେ ଯେ ପ୍ରଭୁ ଭଗବାନ

ଅବ୍ୟକ୍ତ ଗତି ଯେ ତୁମ୍ଭର

କେ ତାହା କରିବ ଗୋଚର

ମରଣ ଯାର ସାଧୁ ସଙ୍ଗେ

ସେ ତରେ ଏ ଭବ ତରଙ୍ଗେ

ଯୋଗୀଙ୍କ ମଧ୍ୟେ ତୁମ୍ଭେ ଗୁରୁ

ଯେହ୍ନେ ଅଚଳ ମହାମେରୁ

କହ ଜୀବନ ଯିବାକାଳେ

କିବା ସାଧିବି ମହୀତଳେ

କିବା ଶୁଣିବି କର୍ଣ୍ଣପଥେ

ସ୍ମରଣ କି କରିବି ଚିତ୍ତେ

କିବା ବଚନ ଉଚ୍ଚାରଣ

ଭଜିବି କାହାର ଚରଣ

ତୁମ୍ଭେ ହେ ପ୍ରାଣୀଙ୍କର ଘରେ

ଦଣ୍ତେହେଁ ନ ବିଶ୍ରାମିସ୍ଥିରେ

ଗୋଦୋହ ମାତ୍ର ତୁମ୍ଭ ଗତି

ଏଣୁ ମୋହର ମନେ ଭ୍ରାନ୍ତି

ଶ୍ରୀ ସୂତ ଉବାଚ

ସୂତ କହନ୍ତି ତୋଷମନେ

ଶୁଣ ସକଳ ମୁନିଜନେ

ଏମନ୍ତ ପରୀକ୍ଷିତ ବାଣୀ

ଆନନ୍ଦ ମନେ ଶୁକ ଶୁଣି

ହରଷେ ମୁଦ୍ରିତ ଲୋଚନ

ଚିତ୍ତେ ଚିନ୍ତଇ ଭଗବାନ

ସେ ହରି ଚରଣ କମଳେ

ସୁଜନେ ଚିନ୍ତ ଧ୍ୟାନବଳେ

ପ୍ରଥମ ସ୍କନ୍ଧେ ଭାଗବତ

କହଇ ଦାସ ଜଗନ୍ନାଥ

 

ଇତି ଶ୍ରୀମଦ୍‌ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ଶୁକ ଗମନୋ ନାମ ଊନବିଂଶୋଽଧ୍ୟାୟଃ ॥

ଭୀମସ୍ୟାପି ରଣେଭଙ୍ଗୋ ମୁନେରପି ମତିଭ୍ରମଃ ।

ଯଦି ଶୁଦ୍ଧଂ ମଶୁଦ୍ଧଂ ବା ମମଦୋଷୋ ନ ବିଦ୍ୟତେ ॥

Image